Unknown

 

 

 

 

 

 

 

ଜପଯୋଗ

ଲେଖକ

ସ୍ଵାମୀ ଶିବାନନ୍ଦ ସରସ୍ଵତୀ

 

ଅନୁବାଦକ

ସ୍ଵାମୀ ରାମପ୍ରେମ

 

କୈବଲ୍ୟାଷ୍ଟକମ୍

 

ମଧୁରଂ ମଧୁରେଭ୍ୟୋଽପି ମଙ୍ଗଳେଭ୍ୟୋଽପି ମଙ୍ଗଳମ୍

 

ପାବନଂ ପାବନେଭ୍ୟୋଽପି ହରେର୍ନାମୈବ କେବଳମ୍

। ୧ ।

ଆବ୍ରହ୍ମ ସ୍ତମ୍ଭ ପର୍ଯ୍ୟନ୍ତଂ ସର୍ବ ମାୟାମୟଂ ଜଗତ୍,

 

ସତ୍ୟଂ ସତ୍ୟଂ ପୁନଃ ସତ୍ୟଂ ହରେର୍ନାମୈବ କେବଳମ୍

। ୨ ।

ସଗୁରୁଃ ସପିତା ମାତା ବାନ୍ଧବୋଽପି ସହୋଦରଃ,

 

ଶିକ୍ଷାୟୈ ଚ ସଦାସ୍ମର୍ତ୍ତୂଂ ହରେର୍ନାମୈବ କେବଳମ୍

। ୩ ।

ନିଃଶ୍ଵାସେ ନହି ବିଶ୍ଵାସଃ କଦାରୁଦ୍ଧୋ ଭବିଷ୍ୟତି,

 

କୀର୍ତ୍ତନୀୟ ମତୋ ବାଲ୍ୟାଦ୍ ହରେର୍ନାମୈବ କେବଳମ୍

। ୪ ।

ହରିଃ ସଦା ବସେରତ୍ର ଯତ୍ର ଭାଗବତା ଜନାଃ,

 

ଗାୟନ୍ତି ଭକ୍ତି ଭାବନ ହରେର୍ନାମୈବ କେବଳମ୍

। ୫ ।

ଅହୋଦୁଃଖଂ ମହାଦୁଃଖଂ ଦୁଃଖାଦ୍ଦୁଃଖତରଂ ଯତଃ,

 

କାଚାର୍ଥଂ ବିସ୍ମୃତଂ ରତ୍ନଂ ହରେର୍ନାମୈବ କେବଳମ୍

। ୬ ।

ଦୀୟତାଂ ଦୀୟତାଂ କର୍ଣ୍ଣଃନୀୟତାଂ ନୀୟତାଂ ବଚଃ

 

ଗୀୟତାଂ ଗୀୟତାଂ ନିତ୍ୟଂ ହରେର୍ନାମୈବ କେବଳମ୍

। ୭ ।

ତୃଣୀକୃତ୍ୟ ଜଗତ୍ ସର୍ବଂ ରାଜତେ ସକଳୋ ପରି

 

ଚିଦାନନ୍ଦମୟଂ ଶୁଦ୍ଧଂ ହରେର୍ନାମୈବ କେବଳମ୍

। ୮ ।

Image

 

ଭୂମିକା

 

ଏହି କଳିଯୁଗରେ ଜପ ହିଁ ଭଗବତ୍ ପ୍ରାପ୍ତିର ଏକମାତ୍ର ସରଳ ଉପାୟ । ଗୀତା ତଥା ଅଦ୍ୱୈତ-ସିଦ୍ଧି ନାମକ ଗ୍ରନ୍ଥର ପ୍ରଣେତା ସ୍ଵାମୀ ମଧୁସୂଦନ ସରସ୍ଵତୀ ଶ୍ରୀକୃଷ୍ଣ ମନ୍ତ୍ର ଜପ ଦ୍ଵାରା ହିଁ ଈଶ୍ଵର-ସାକ୍ଷାତ୍‍କାର କରି ପାରିଥିଲେ । ତାହାଙ୍କୁ ପ୍ରତ୍ୟକ୍ଷ ରୂପେ ଶ୍ରୀକୃଷ୍ଣ-ଦର୍ଶନ ହୋଇଥିଲା । ପଞ୍ଚଦଶୀ ନାମକ ଗ୍ରନ୍ଥର ରଚୟିତା ସ୍ଵାମୀ ବିଦ୍ୟାରଣ୍ୟଙ୍କୁ ମଧ୍ୟ ଜପଦ୍ଵାରା ଗାୟତ୍ରୀ ମାତାର ପ୍ରତ୍ୟକ୍ଷ ଦର୍ଶନ ହୋଇଥିଲା । ଆଜିକାଲି ବିଜ୍ଞାନ-ପ୍ରଭାବ ହେତୁ ସ୍କୁଲ ତଥା କଲେଜ ବିଦ୍ୟାର୍ଥୀମାନଙ୍କ ମନରୁ ମନ୍ତ୍ର ଉପରେ ବିଶ୍ଵାସ ଦୂରୀଭୂତ ହୋଇଯାଇଛି । ସେମାନେ ଜପର ନାମ ଶୁଣିଲେ ଥଟ୍ଟା ବା ପରିହାସ କରନ୍ତି । ଏହା ପ୍ରକୃତରେ ଅତ୍ୟନ୍ତ ଦୁଃଖର ବିଷୟ । ଯେପର୍ଯ୍ୟନ୍ତ ରକ୍ତରେ ଉଷ୍ମତା ଥାଏ ସେ ପର୍ଯ୍ୟନ୍ତ ଶିକ୍ଷିତ ଇଂରାଜୀରେ ସାଧାରଣ ଜ୍ଞାନ ରଖିଥିବା ବ୍ୟକ୍ତି ଅତ୍ୟନ୍ତ ଜିଦଖୋର, ଅଭିମାନୀ ତଥା ନାସ୍ତିକ ହୋଇଥାନ୍ତି । ସେମାନଙ୍କର ମନ ତଥା ମସ୍ତିଷ୍କର ସମ୍ପୂର୍ଣ୍ଣ କାୟାକଳ୍ପ କରିବା ନିତାନ୍ତ ଆବଶ୍ୟକ । ଜୀବନ କାଳ ଅତ୍ୟନ୍ତ ଅଳ୍ପ । ସମୟ ପ୍ରଖର ବେଗରେ ଅତିବାହିତ ହେଉଛି । ଏ ସଂସାର ନାନାପ୍ରକାର ଯାତନାଦ୍ଵାରା ହିଁ ପୂର୍ଣ୍ଣ । ଅବିଦ୍ୟା ରୂପ ଗ୍ରନ୍ଥି ଛେଦନ କରି ପରମ ନିର୍ବାଣ ସୁଖ ଲାଭ କର । ତୁମର ଯେଉଁଦିନଟି ଜପ ବିନା ଅତିବାହିତ ହେଲା, ତାହାକୁ ବ୍ୟର୍ଥ ଗଲା ବୋଲି ମନେ କର । ଯେଉଁମାନେ ଏ ଜଗତରେ ଖାଇବା, ପିଇବା ଓ ଶୋଇବାରେ ହିଁ ନିଜର ମୂଲ୍ୟବାନ ସମୟ ଅତିବାହିତ କରନ୍ତି, ଯେଉଁମାନେ କେବେହେଁ ଜପ, ଧ୍ୟାନ ବା ଆଧ୍ୟାତ୍ମିକ ସାଧନା କରନ୍ତି ନାହିଁ, ସେମାନେ କେବଳ ଦ୍ଵିପଦ ପଶୁହିଁ ଅଟନ୍ତି ।

 

ଆମେରିକାରେ ଆକାଶଚୁମ୍ବୀ ଅଟ୍ଟାଳିକାମାନ ରହିଛି । ପ୍ରତ୍ୟେକ କୋଠରୀ ନୂତନ ନୂତନ ବିଦ୍ୟୁତ୍ ତଥା ବାୟୁ ସମ୍ବନ୍ଧୀୟ ବିଭିନ୍ନ ବିଳାସପୂର୍ଣ୍ଣ ସାଧନ ଦ୍ଵାରା ସୁସଜ୍ଜିତ ହୋଇଅଛି । ଏବେ ଏହି ଆବଶ୍ୟକତା ଉପଲବଧି କରାଯାଉଅଛି କି ମନୁଷ୍ୟ ସର୍ବଦା ସ୍ନେହପୂର୍ଣ୍ଣ, ଉଚ୍ଚ ହୃଦୟ, ତଥା ଆଧ୍ୟାତ୍ମିକ ବାତାବରଣରେ ଉଚ୍ଚ ବିଚାର ସହିତ ରହିବା ବିଧେୟ । ଏପରି ଭାବ-ସମ୍ପନ୍ନ ବ୍ୟକ୍ତି ଯଦି ପର୍ଣ୍ଣକୁଟୀରରେ ରହେ, ତେବେ କୌଣସି ହାନି ନାହିଁ । ହେ ମିତ୍ର ! ମୋତେ ପ୍ରକୃତରେ କୁହ ଏ ଉଭୟ ମଧ୍ୟରେ ପ୍ରକୃତ ବଡ଼ କିଏ ? ଯେ ଆମେରିକାରେ ଆକାଶଚୁମ୍ବୀ କୋଠାଘରେ ରହେ, ଯାହା ନିକଟରେ କି ଶତାଧିକ ମୋଟରଗାଡ଼ି, ଉଡ଼ାଜାହାଜ, ଅପରିମିତ ଧନ, ନାନାପ୍ରକାର ବିକ୍ଷିପ୍ତ ବିଚାର, ସଂକୀର୍ଣ୍ଣ ହୃଦୟ, ନାନାପ୍ରକାର ରୋଗ, ଘୋର ଅଜ୍ଞାନ, କାମ, କ୍ରୋଧ, ଲୋଭ, ମୋହ ଆଦି ପୂର୍ଣ୍ଣ ମାତ୍ରାରେ ଥାଏ, ଅଥବା ଯେ ହୃଷିକେଶର ପୂତନୀରା ଜାହ୍ନବୀ-ତଟରେ ସାଧାରଣ ପର୍ଣ୍ଣ କୁଟୀରରେ ରହେ, ଯେ ସାଧାରଣ ଭୋଜନରେ ତୃପ୍ତି ଲାଭ କରେ, ଯାହାର ସ୍ୱାସ୍ଥ୍ୟ ସୁଢ଼ଳ, ସୁସ୍ଥ, ଏବଂ ହୃଦୟ ବିଶାଳ, ଯାହାକୁ ଅନନ୍ତ ଆତ୍ମସୁଖ ପ୍ରାପ୍ତ ହେଉଥାଏ, ଯାହାର ଧନ, ସମ୍ପଦ, ଇତ୍ୟାଦିର ଚିନ୍ତା ନଥାଏ, ଯେ ରାଗଦ୍ଵେଷରୁ ମୁକ୍ତ ହୋଇଥାଏ ? ପ୍ରକୃତରେ ଆଧ୍ୟାତ୍ମିକ ଜୀବନହିଁ ଆଦର୍ଶ ଓ ଉଚ୍ଚ ଜୀବନ ଅଟେ । ଅଧ୍ୟାତ୍ମ ଜ୍ଞାନହିଁ ପ୍ରକୃତ ଅକ୍ଷୟ ଧନ । ଏଣୁ ଜାଗ୍ରତ ହୁଅ, ତଥା ଆଧ୍ୟାତ୍ମିକ ଜ୍ଞାନ ଲାଭ କରିବା ପାଇଁ ଉତ୍କଣ୍ଠିତ ହୁଅ । ସାଧନା ଅଭ୍ୟାସ କର । ଆତ୍ମାର ଉପଲବଧି କର ତଥା ଉଚ୍ଚ ଆଦର୍ଶ ଶ୍ରେଣୀର ଯୋଗୀ ହୁଅ ।

 

ଏହି ଦୃଶ୍ୟ-ଜଗତରୁ ଇନ୍ଦ୍ରିୟମାନଙ୍କୁ ଅପସାରିତ କରି ମନକୁ ଭିତରେ ଏକାଗ୍ର କରିବାର ନାମ ହିଁ ଯୋଗ । ଆତ୍ମାରେ ଅନବରତ ନିମଗ୍ନ ରହି ଜୀବନ ଅତିବାହିତ କରିବା ହିଁ ଯୋଗ । ଯୋଗାଭ୍ୟାସ ମନୁଷ୍ୟକୁ ଦେବତା କରିଦିଏ । ଯୋଗ ନିରାଶ ଲୋକମାନଙ୍କୁ ଆଶା, ଦୁଃଖୀକୁ ଅପୂର୍ବ ସୁଖ, ଦୁର୍ବଳକୁ ବଳ, ତଥା ଅଜ୍ଞାନୀମାନଙ୍କୁ ଜ୍ଞାନ ଦିଏ । ପରମ ଆନନ୍ଦରୂପୀ ଅନ୍ତର୍ଜଗତ ତଥା ଚିର ଶାନ୍ତିର ସାମ୍ରାଜ୍ୟ ମାର୍ଗରେ ଯିବାର କୁଞ୍ଚି ହିଁ ଯୋଗାଭ୍ୟାସ ଅଟେ ।

 

ତୁମର ଆଧ୍ୟାତ୍ମିକ ଉନ୍ନତି—ବାହ୍ୟିକ ପରିସ୍ଥିତି, ବାତାବରଣ, କଷ୍ଟ, ନାନାପ୍ରକାର କଠିନତା, ବିପରୀତ ପ୍ରଭାବ ଆଦି ଉପରେ ବିଜୟ ପାଇବା ଉପରେ ହିଁ ନିର୍ଭର କରେ । ଜୀବନରେ ସର୍ବଦା ଭଲ ମନ୍ଦ ପରିସ୍ଥିତି ଉପରେ ଯୋଗୀକୁ ନିଜର ମନ ଏକ ରୂପେ ତଥା ସମାନ ଭାବେ ରଖିବାକୁ ପଡ଼େ । ସେ ବଜ୍ର ପରି କଠିନ ହୋଇଯାଏ । କାରଣ ସେ ଅପରିବର୍ତ୍ତନଶୀଳ ତଥା ଅମର ଆନନ୍ଦରୂପୀ ଆତ୍ମାର ବଡ଼ ଚଟାଣରେ ମୂଳଭିତ୍ତି ଉପରେ ଠିଆ ହୋଇ ଥାଏ । ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଯାହାକୁ ସୁଖ ତଥା ଦୁଃଖ କେବେ ବିଚଳିତ କରି ନ ପାରନ୍ତି, ଯେ କି ଦୁଃଖ ବା ଆନନ୍ଦରେ ସମାନଚିତ୍ତ ହୋଇ ରହେ ଏବଂ ଯେ ଧୀର, ସେହି ବ୍ୟକ୍ତି ଅମର ହେବାର ଅଧିକାରୀ ।

 

ଆଧ୍ୟାତ୍ମିକ ଧନ ହିଁ ପ୍ରକୃତ ଅକ୍ଷୟ ଧନ । ଆଧ୍ୟାତ୍ମିକ ଜୀବନ ହିଁ ପ୍ରକୃତ ଜୀବନ । ପୂର୍ଣ୍ଣଯୋଗୀ ହିଁ ସଂସାରର ଚକ୍ରବର୍ତ୍ତୀ ସମ୍ରାଟ୍ ।

 

ଶିକାରୀ ଯେପରି ଜାଲ ବିସ୍ତାର କରି ସୁନ୍ଦର ଗୀତ ଗାଇ ମୃଗକୁ ଆକୃଷ୍ଟ କରି ଆବଦ୍ଧ କରେ, ଯୋଗୀ ମଧ୍ୟ ସେହିପରି ଭିତରୁ ବାହାରୁଥିବା ଅନାହତ ଧ୍ୱନିରେ ମନୋଯୋଗ-ପୂର୍ବକ ମନକୁ ଆକୃଷ୍ଟ କରେ । ନାଦ ଶୁଣୁ ଶୁଣୁ ମନ ସ୍ଵତଃ ତତ୍‍ପ୍ରତି ଆକୃଷ୍ଟ ହୋଇ ଆବଦ୍ଧ ହୁଏ ଓ ପରେ ସେହି ନାଦରେ ଲୀନ ହୋଇଯାଏ ।

 

ଏହି ଚଞ୍ଚଳ, ଦୁଷ୍ଟ ଓ ଅସ୍ଥିର ମନକୁ ମାରିବା ପାଇଁ ବୁଦ୍ଧିମାନ, ଚତୁର ଓ ନିରନ୍ତର ସତର୍କବାନ୍ ସାଧକ ଧନୁର୍ବାଣ ଧରି ସର୍ବଦା ପ୍ରସ୍ତୁତ ଥାଏ । ଯୋଗୀ ନୈତିକପୂର୍ଣ୍ଣତା ପ୍ରାପ୍ତ ହୁଏ । ନିଜର ମନ ଓ ଇନ୍ଦ୍ରିୟକୁ ବଶ କରେ । ପ୍ରାଣବାୟୁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରି ପରିଶେଷରେ ଗମ୍ଭୀର ଅସଂପ୍ରଜ୍ଞାତ ସମାଧିରେ ହିଁ ପ୍ରବେଶ କରେ । ଯମ, ନିୟମ, ଆସନ ତଥା ପ୍ରାଣାୟାମର ଅଭ୍ୟାସ କରିବାପରେ ସାଧକ ପ୍ରତ୍ୟାହାର ଅଭ୍ୟାସ କରିବା ଉଚିତ । ଇନ୍ଦ୍ରିୟମାନଙ୍କୁ ପୂର୍ଣ୍ଣ ରୂପେ ବିଷୟରୁ ବିମୁଖ କରିବାକୁ ପ୍ରତ୍ୟାହାର କୁହାଯାଏ । ଏହି ଅଭ୍ୟାସ ଦୃଢ଼ ହେବାପରେ ହିଁ ସାଧକର ପ୍ରକୃତ ଆନ୍ତରିକ ଜୀବନ ଆରମ୍ଭ ହୁଏ । ପ୍ରତ୍ୟାହାର ବିନା ଧ୍ୟାନର ଅଭ୍ୟାସ ହୋଇପାରେ ନାହିଁ । ଇନ୍ଦ୍ରିୟମାନଙ୍କର ବହିର୍ମୁଖୀ ପ୍ରବୃତ୍ତିକୁ ପ୍ରତ୍ୟାହାର ଅବରୋଧ କରେ । ପ୍ରାଣାୟାମ ପରେ ପ୍ରତ୍ୟାହାର ଆପେ ଆପେ ଆସେ । ପ୍ରାଣାୟାମର ଅଭ୍ୟାସ ଦ୍ଵାରା ଇନ୍ଦ୍ରିୟଗୁଡ଼ିକ ସ୍ଵତଃ ଶିଥିଳ ହୋଇଯାଆନ୍ତି ।

 

ଯେତେବେଳେ ସମସ୍ତ ସଂକଳ୍ପ ବିକଳ୍ପ ଆଦି ନଷ୍ଟ ହୋଇଯାଆନ୍ତି, ସେତେବେଳେ ମନ ନିଜର ଉଦ୍‍ଗମ ବା ଆଧାରଭୂତ ଆତ୍ମାରେ ଲୀନ ହୋଇଯାଏ । ଏପରି ଅବସ୍ଥାରେ କୈବଲ୍ୟ ବା ପୂର୍ଣ୍ଣ ସ୍ଵାଧୀନତା ଲାଭ ହୋଇଥାଏ ।

 

ସାଧନାବସ୍ଥାରେ ବାଧାବିଘ୍ନ ଯଥେଷ୍ଟ ଆସେ । କିନ୍ତୁ ସେଥିପାଇଁ ନିରାଶ ହୁଅନାହିଁ । ନିରନ୍ତର ଅଭ୍ୟାସ ଦ୍ଵାରା ତୁମ୍ଭଙ୍କୁ ଅବଶ୍ୟ ଆଧ୍ୟାତ୍ମିକ ଶକ୍ତି ମିଳିବ । ଏହା ସ୍ଵତଃସିଦ୍ଧ କଥା । ଯୋଗୀମାନଙ୍କର ଆଶୀର୍ବାଦ ତୁମ୍ଭଙ୍କୁ ସାହାଯ୍ୟ କରିବ ।

 

(ମନ୍ତ୍ରଯୋଗର ମହତ୍ତ୍ଵପୂର୍ଣ୍ଣ ବିଷୟରେ ତଥା ଜପ ଦ୍ଵାରା ପୂର୍ଣ୍ଣତା ପ୍ରାପ୍ତ କରିବାର ସାଧନ ବିଷୟରେ ଏହି ପୁସ୍ତକରୁ ଯଥେଷ୍ଟ ପ୍ରକାଶ ମିଳିବ । ପୁସ୍ତକର ପ୍ରଥମ ଅଧ୍ୟାୟରେ ଜପର ପରିଭାଷା ଦିଆଯାଇଅଛି । ଦ୍ଵିତୀୟ ଅଧ୍ୟାୟରେ ଭଗବାନଙ୍କର ମହିମା ଏବଂ ମହତ୍ତ୍ଵ ନିରୂପଣ କରାଯାଇଅଛି । ତୃତୀୟ ଅଧ୍ୟାୟରେ ଭିନ୍ନ ଭିନ୍ନ ପ୍ରକାର ମନ୍ତ୍ର ଦିଆଯାଇଅଛି ।)

 

ଭଗବାନ ଆମକୁ ଏପରି ଅନ୍ତଃଶକ୍ତି ପ୍ରଦାନ କରନ୍ତୁ ଯଦ୍ଦ୍ଵାରା କି ମନ ତଥା ନିଜର ସମସ୍ତ ଇନ୍ଦ୍ରିୟମାନଙ୍କୁ ବଶ କରି ଆମେ ନିର୍ବିଘ୍ନରେ ଜପଯୋଗର ଅଭ୍ୟାସ କରି ପାରିବୁଁ । ଜପଯୋଗର ଚମତ୍କାର ପୂର୍ଣ୍ଣ ଶକ୍ତି ତଥା ଆଶ୍ଚର୍ଯ୍ୟକାରୀ ଫଳ ଉପରେ ଆମ୍ଭମାନଙ୍କର ଅଟଳ ବିଶ୍ଵାସ ହେଉ । ଈଶ୍ଵରଙ୍କର ନାମ ମାହାତ୍ମ୍ୟକୁ ଅନ୍ୟମାନଙ୍କୁ ଠିକ୍ ରୂପେ ଅବଗତ କରାଇବାର ଅଟଳ ଶକ୍ତି ଆମଠାରେ ହେଉ, ଯେପରି ଦେଶର ଏକ କୋଣରୁ ଅନ୍ୟ ଏକ କୋଣ ପର୍ଯ୍ୟନ୍ତ ଭଗବାନଙ୍କର ନାମ ମହିମାକୁ ଆମେ ବିସ୍ତାର କରି ପାରୁଁ । ହରିନାମର ଜୟ ହେଉ । ଭଗବାନ ଶିବ, ବିଷ୍ଣୁ, ଶ୍ରୀରାମ, ଶ୍ରୀକୃଷ୍ଣ ଆମ୍ଭମାନଙ୍କ ଉପରେ କୃପା କରନ୍ତୁ ।

 

—ସ୍ଵାମୀ ଶିବାନନ୍ଦ

ଅନୁବାଦ– ସ୍ଵାମୀ ରାମପ୍ରେମ

Image

 

ସୂଚୀପତ୍ର

 

୧ମ ଅଧ୍ୟାୟ—ଜପଯୋଗ ସମୀକ୍ଷା

 

୧.

ଜପ କଣ ?

 

୨.

ମନ୍ତ୍ର ଯୋଗ

 

୩.

ଧ୍ୱନି ଏବଂ ମୂର୍ତ୍ତି

୨ୟ ଅଧ୍ୟାୟ—ନାମର ମାହାତ୍ମ୍ୟ

 

୧.

ନାମ ମହିମା

 

୨.

ଜପଦ୍ୱାରା ଲାଭ

୩ୟ ଅଧ୍ୟାୟ—ମନ୍ତ୍ର ବିଷୟରେ

 

୧.

ପ୍ରଣବ ମନ୍ତ୍ର

 

୨.

ହରିନାମ

 

୩.

କଳିସନ୍ତରଣୋପନିଷଦ୍

 

୪.

ଜପ ବିଧାନ

 

୫.

ଜପ ପାଇଁ ମନ୍ତ୍ର

 

୬.

ମନ୍ତ୍ରର ମହିମା

 

୭.

ଜପ ପାଇଁ ଆବଶ୍ୟକ ସାଧନ

 

୮.

ଜପ ପାଇଁ ନିୟମ

 

୯.

ଗାୟତ୍ରୀ ମନ୍ତ୍ର

 

୧୦.

ଗାୟତ୍ରୀ ମନ୍ତ୍ର ଜପ ଦ୍ଵାରା ଲାଭ

 

୧୧.

ଗାୟତ୍ରୀ ମହିମା

 

୧୨.

ଗାୟତ୍ରୀ ପୁରଶ୍ଚରଣ

 

୧୩.

ବିଧିପୂର୍ବକ ଗାୟତ୍ରୀ ଜପ

 

୧୪.

କେତେକ ବିଶେଷ ସାଧନା

 

୧୫.

କେତେକ ଜ୍ଞାତବ୍ୟ ବିଷୟ

୪ର୍ଥ ଅଧ୍ୟାୟ—ସାଧନା ପ୍ରକରଣ

 

୧.

ଗୁରୁର ଆବଶ୍ୟକତା

 

୨.

ଧ୍ୟାନ ପାଇଁ କକ୍ଷ

 

୩.

ବ୍ରାହ୍ମ ମୁହୂର୍ତ୍ତ

 

୪.

ଇଷ୍ଟ ଦେବତା

 

୫.

ଜପ ପାଇଁ ଆସନ

 

୬.

ଚିତ୍ତର ଏକାଗ୍ରତା

 

୭.

ଜପ ପାଇଁ ତିନିଥର ବସ

 

୮.

ମାଳାର ଆବଶ୍ୟକତା

 

୯.

ଜପ ଗଣନା

 

୧୦.

ତିନି ପ୍ରକାରେ ଜପ

 

୧୧.

ଜପରେ କୁମ୍ଭକ ଓ ମୂଳ ବନ୍ଧ

 

୧୨.

ଜପ ଏବଂ କର୍ମଯୋଗ

 

୧୩.

ଲିଖିତ ଜପ

 

୧୪.

ଜପର ସଂଖ୍ୟା

 

୧୫.

ବୀଜାକ୍ଷର ମନ୍ତ୍ର

୫ମ ଅଧ୍ୟାୟ—ସନ୍ଥ ମହାତ୍ମାମାନଙ୍କର ଚରିତ୍ର ଓ କଥା

 

୧.

ଜପଦ୍ୱାରା ସିଦ୍ଧ ହୋଇଥିବା ମହାତ୍ମାଗଣ

 

୨.

ଧ୍ରୁବ

 

୩.

ଅଜାମିଳ

 

୪.

ଏକ ଶିଷ୍ୟର କଥା

 

୫.

ରାଜକୁମାର ନରେନ୍ଦ୍ର

 

୬.

ଏକ ଗ୍ରାମୀଣ ନ୍ୟାୟାଧୀଶ

 

୭.

ଯୁଧିଷ୍ଠିର

୬ଷ୍ଠ ଅଧ୍ୟାୟ—

 

୧.

ଭଗବାନଙ୍କ ନାମର ମହିମା

 

୨.

ଦୃଷ୍ଟିରେ ପରିବର୍ତ୍ତନ କର

 

୩.

ଏକାଗ୍ରତା ଓ ଧ୍ୟାନ

୭ମ ଅଧ୍ୟାୟ—ଜପଯୋଗର ମହିମା

 

 

ଜପଯୋଗ ସାଧନର ମହିମା

 

 

ଜପଦ୍ୱାରା ଭଗବାନଙ୍କୁ ଦର୍ଶନ କରିଥିବା ଭକ୍ତ

 

 

ଆତ୍ମସଂଯମର ଅଭ୍ୟାସ

 

 

ଜପ ଅନୁଷ୍ଠାନ

 

 

ସ୍ଵାଧ୍ୟାୟ ଅନୁଷ୍ଠାନ

 

 

ସ୍ନାନ

 

 

ମାଳାର ଉପଯୋଗ

 

 

ଜପ କରିବାର ବିଧି

 

 

ହୋମ ବା ଯଜ୍ଞ

 

 

ପରିଣାମ

 

 

ମନ୍ତ୍ର ପୁରଶ୍ଚରଣ ବିଧି

 

 

ପରିଶିଷ୍ଟ—ସମସ୍ତେ କାହିଁକି ନାମପ୍ରେମୀ ହୋଇପାରୁ ନାହାନ୍ତି

 

 

ସ୍ମରଣ

 

 

କୀର୍ତ୍ତନ

Image

 

ପ୍ରଥମ ଅଧ୍ୟାୟ

ଜପଯୋଗ-ସମୀକ୍ଷା

 

(୧) ଜପ କଣ ?

 

କୌଣସି ମନ୍ତ୍ର ବା ଈଶ୍ଵର ନାମକୁ ବାରମ୍ବାର ଉଚ୍ଚାରଣ କରିବାକୁ ଜପ କୁହାଯାଏ । ଏହି କଳିଯୁଗରେ ମନୁଷ୍ୟର ସ୍ୱାସ୍ଥ୍ୟ, ମନ ସେତେ ସବଳ ଏବଂ ଦୃଢ଼ ନୁହେଁ, ଯଦ୍ଦ୍ଵାରା କି ସେ ହଠଯୋଗର ଅଭ୍ୟାସ କରି ପାରିବ । ହଠଯୋଗର ଅଭ୍ୟାସ ସର୍ବସାଧାରଣଙ୍କ ପାଇଁ କେବଳ କଠିନ ନୁହେଁ, ବରଂ ଅସମ୍ଭବ । ଜପ ସାଧନା ହିଁ ଈଶ୍ଵର ଦର୍ଶନର ସର୍ବସୁଗମ ମାର୍ଗ ଅଟେ । ସନ୍ଥ ତୁଳାରାମ, ଭକ୍ତ ଧ୍ରୁବ, ପ୍ରହ୍ଲାଦ, ବାଲ୍ମୀକି, ଶ୍ରୀ ରାମକୃଷ୍ଣ ପରମହଂସ, ସମର୍ଥ ରାମଦାସ ଇତ୍ୟାଦି ମହାପୁରୁଷମାନେ କେବଳ ନାମ-ଜପ ଦ୍ଵାରା ଈଶ୍ଵର ସାକ୍ଷାତକାର୍ କରି ପାଇଛନ୍ତି ।

 

ଜପଯୋଗ ଯୋଗସାଧନାର ଏକ ମୁଖ୍ୟ ଅଂଗ ଅଟେ । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି (ଯଜ୍ଞାନାଂ ଜପ ଯଜ୍ଞୋସ୍ମି) ଯଜ୍ଞମାନଙ୍କ ମଧ୍ୟରେ ମୁଁ ଜପ ଯଜ୍ଞ ଅଟେ । କଳିଯୁଗରେ ନାମ ଜପ ହିଁ କେବଳ ଆମକୁ ଶାନ୍ତି ପ୍ରଦାନ କରିପାରେ । ଏହା ଦ୍ଵାରା ଆମକୁ ଅନନ୍ୟ ଭକ୍ତି, ମୋକ୍ଷ ତଥା ପରମ ସୁଖ ପ୍ରାପ୍ତ ହୋଇପାରେ । ଜପର ନିରନ୍ତର ଅଭ୍ୟାସ ଦ୍ଵାରା ସାଧକ ସମାଧି ସୁଖ ଅନୁଭବ କରେ ଏବଂ ତଦ୍ଦ୍ଵାରା ତାହାର ଈଶ୍ଵର ସାକ୍ଷାତକାର ହୋଇଥାଏ । ଜପ ଆମର ଦୈନନ୍ଦିନ ଜୀବନରେ କାର୍ଯ୍ୟକଳାପର ଏକ ଅଂଗ ହୋଇଯିବା ଉଚିତ । ଯଦି ଆମେ ନିରନ୍ତର ଶ୍ରଦ୍ଧାପୂର୍ବକ ଜପର ଅଭ୍ୟାସ କରୁଥିବୁଁ ତେବେ ଦିନେ ନା ଦିନେ ଜପ ଆମ ଅନ୍ତରରେ ଓତପ୍ରୋତ ହୋଇଯିବ । ପରେ ଆମକୁ ଜପ କରିବା ପାଇଁ କୌଣସି କଠିନତାର ଅନୁଭବ ହେବ ନାହିଁ । ଯେପରି ଖାଇବା, ପିଇବା, ନିଶ୍ଵାସ ନେବାରେ ଆମକୁ କୌଣସି କଷ୍ଟ ଅନୁଭବ ହୁଏ ନାହିଁ, ସେହିପରି ନାମ ଜପ ମଧ୍ୟ ଆମ ସ୍ଵଭାବର ଏକ ଅଙ୍ଗ ହୋଇ ଉଠିବ । ଈଶ୍ଵରଙ୍କର ନାମ ଜପ ପ୍ରେମ, ଶ୍ରଦ୍ଧା ଏବଂ ପବିତ୍ରତାର ଆଧାର ଉପରେ କରିବା ଉଚିତ । ଜପଯୋଗଠାରୁ ସରଳ ଏବଂ ଶ୍ରେଷ୍ଠତର ଯୋଗ କିଛି ନାହିଁ । ଉପଯୋଗରେ ସଫଳତା ମିଳିଲେ ସମସ୍ତ ସିଦ୍ଧି ପ୍ରତ୍ୟକ୍ଷ ହେବାକୁ ଲାଗେ ଏବଂ ଭକ୍ତି ମୁକ୍ତିଲାଭ କରେ ।

 

କୌଣସି ମନ୍ତ୍ରର ବାରମ୍ବାର ଉଚ୍ଚାରଣକୁ ଜପ ତଥା ଈଶ୍ଵରଙ୍କର ରୂପ ଏବଂ ଗୁଣର ଚିନ୍ତନକୁ ଧ୍ୟାନ କୁହାଯାଏ । ଜପ ଏବଂ ଧ୍ୟାନରେ ପାର୍ଥକ୍ୟ ଏତିକି ମାତ୍ର । ଧ୍ୟାନର ଅଭ୍ୟାସ ଜପ ସହିତ ଏବଂ ଜପ ରହିତ ଉଭୟ ପ୍ରକାର କରା ଯାଇପାରେ । ପ୍ରାରମ୍ଭରେ ଜପସହିତ ଧ୍ୟାନ କରିବା ଉଚିତ । ଧ୍ୟାନର ଅଭ୍ୟାସ ଯେତେ ଯେତେ ବଢ଼ିବାକୁ ଲାଗିବ ଜପ ସ୍ଵତଃ ଅନ୍ତର୍ନିହିତ ହେବାକୁ ଲାଗିବ । ଏହିପରି ଜପରହିତ ଧ୍ୟାନର ଆବିର୍ଭାବ ହୋଇଥାଏ । କିନ୍ତୁ ଏହା ଖୁବ୍‍ ଉଚ୍ଚତର ଅବସ୍ଥା ଅଟେ । କେବଳ ନିରନ୍ତର ନିୟମିତ ଦୃଢ଼ ଅଭ୍ୟାସ ଦ୍ଵାରା ଏପରି ସ୍ଥିତି ପ୍ରାପ୍ତ କରାଯାଇପାରେ । ଏ ଅବସ୍ଥା ପ୍ରାପ୍ତ କରିପାରିଲେ ଧ୍ୟାନ ଆପଣାଛାଏଁ ସୁଗମ ହୋଇଯାଏ ତଥା ଜପର ଆବଶ୍ୟକତା ମଧ୍ୟ ପ୍ରତୀତ ହୁଏନାହିଁ । ପ୍ରଣବର ରୂପ ଦୁଇ ପ୍ରକାର, ସଗୁଣ ଏବଂ ନିର୍ଗୁଣ । ଉଭୟେ ବ୍ରହ୍ମର ହିଁ ରୂପ ଅଟେ । ଯଦି ତୁମେ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ ଅଟ ତେବେ ଓଁ ରାମ ଜପ କରିପାର । ଓଁ ରାମ ଜପ ବାସ୍ତବରେ ସଗୁଣ ବ୍ରହ୍ମର ଉପାସନା ଅଟେ ।

 

ଯଦ୍ୟପି ନାମ ଏବଂ ରୂପ ଭିନ୍ନ ଭିନ୍ନ ମାନାଯାଏ ତଥାପି ଏହାକୁ ଅଲଗା କରାଯାଇ ନ ପାରେ । ବିଚାର ଏବଂ ଶବ୍ଦ ଅଭିନ୍ନ ଅଟେ । ଯେତେବେଳେ ତୁମେ ତୁମର ପୁତ୍ର ସମ୍ବନ୍ଧରେ କୌଣସି ବିଚାର କରୁଥାଅ, ତୁରନ୍ତ କଳ୍ପନାରେ ପୁତ୍ରର ରୂପ ତୁମ ସମ୍ମୁଖରେ ପ୍ରତିବମ୍ବିତ ହୁଏ । ସେହିପରି ଯେତେବେଳେ ତୁମେ ତାହାର ରୂପକୁ ସ୍ମରଣ କର ତାର ନାମ ମଧ୍ୟ ସ୍ଵତଃ ମନରେ ପ୍ରବେଶ କରେ । ଠିକ୍ ସେହିପରି ତୁମେ ଯେତେବେଳେ ରାମନାମ ଜପ କର ଶ୍ରୀରାମଙ୍କର ରୂପ ମଧ୍ୟ ତୁମର ମାନସ-ଆକାଶରେ ପ୍ରକାଶ ପାଏ । ଅତଃ ଏଥିରୁ ସ୍ପଷ୍ଟ ଅନୁମେୟ କି ଧ୍ୟାନ ଏବଂ ଜପ ଏକ ସଙ୍ଗେ ସାଧ୍ୟ ଅଟେ । ଧ୍ୟାନ ଏବଂ ଜପକୁ ବିଭକ୍ତ କରାଯାଇ ନପାରେ ।

 

ଯେତେବେଳେ ତୁମେ କୌଣସି ମନ୍ତ୍ର ଜପ କରୁଛ ଏହା ମନରେ ଭାବ କି ବାସ୍ତବରେ ତୁମେ ନିଜର ଇଷ୍ଟଦେବତାଙ୍କୁ ପ୍ରାର୍ଥନା କରୁଛ । ସେ ତୁମର ପ୍ରାର୍ଥନା ଶୁଣୁଛନ୍ତି । ସେ ତୁମକୁ ଦୟା ଦୃଷ୍ଟିରେ ଦେଖୁଛନ୍ତି ଓ ତୁମକୁ ତାଙ୍କର ମଙ୍ଗଳମୟ କରକମଳ ପ୍ରଦର୍ଶନ କରି ଅଭୟଦାନ ଦେଉଛନ୍ତି, ତଥା ମଧୁର ମନ୍ଦ ସ୍ମିତହାସ୍ୟଦ୍ଵାରା ତୁମକୁ ମୋକ୍ଷ ପ୍ରଦାନ କରିବାକୁ ଅଭାସ ପ୍ରଦାନ କରୁଛନ୍ତି । ଏପରି ଭାବନା ରଖି ଜପ କଲେ ମନରେ ପ୍ରୋତ୍ସାହନ ମିଳେ ଏବଂ ସାଧନା ମଧୁମୟ ହୋଇଉଠେ ।

 

ଜପ ସାଧନା ଭାବପୂର୍ବକ କରିବା ଉଚିତ । ମନ୍ତ୍ରର ଅର୍ଥ ହୃଦୟଙ୍ଗମ କରିବା ଉଚିତ । ପ୍ରତ୍ୟେକ ବସ୍ତୁ ଏବଂ ସ୍ଥାନରେ ଈଶ୍ଵରଙ୍କୁ ବ୍ୟାପକ ଦେଖ । ଯେତେବେଳେ ତୁମର ମୁଖରେ ତାଙ୍କର ସୁଖଦ ନାମ ଉଚ୍ଚାରିତ ହେଉଛି ସେତେବେଳେ ତୁମେ ତାହାଙ୍କୁ ନିଜର ସମୀପସ୍ଥ ମନେ କର । ନିଜର ହୃଦୟ ମନ୍ଦିରରେ ତାଙ୍କର ବିଶ୍ଵବିମୋହନ ରୂପ ଦେଖିବାକୁ ଚେଷ୍ଟା କର । ସେ ତୁମର ପ୍ରତ୍ୟେକ କାର୍ଯ୍ୟକୁ ଦେଖି ପାରନ୍ତି ତଥା ତୁମର ଜପ ମଧ୍ୟ ସେ ଦେଖୁଛନ୍ତି, ଏପରି ଭାବନା ମନରେ ଜାଗ୍ରତ ରଖ । କାରଣ ଏପରି ଭାବନା ରହିଲେ ତୁମେ ଠିକାଦାର ପରି ଜପ ନ କରି ଶ୍ରଦ୍ଧାର ସହିତ କରିବ ।

 

ପୂର୍ଣ୍ଣ ବିଶ୍ଵାସର ସହିତ ତାଙ୍କର ନାମ ଗମ୍ଭୀରତା ପୂର୍ବକ ଜପ କରିବା ଉଚିତ । ଈଶ୍ଵରଙ୍କର ନାମ ନେବା ହିଁ ତାଙ୍କର ସେବା କରିବା । ଈଶ୍ଵର ସାକ୍ଷାତ୍କାର ବା ଈଶ୍ଵର ଦର୍ଶନ ସମୟରେ ମନରେ ଯେପରି ଆନନ୍ଦ, ତନ୍ମୟତା, ଗଦ୍‍ଗଦ୍‍ଭାବ ଉତ୍ପନ୍ନ ହୋଇଥାଏ, ଠିକ୍ ସେହିପରି ଭାବନା ଜପ କରିବାବେଳେ ମନ ମଧ୍ୟରେ ଜାଗ୍ରତ ରଖିବା ଉଚିତ । ନାମରେ ପୂର୍ଣ୍ଣ ବିଶ୍ଵାସ ଏବଂ ଶ୍ରଦ୍ଧା ଅନିବାର୍ଯ୍ୟ ।

 

(୨) ମନ୍ତ୍ରଯୋଗ

 

ମନ୍ତ୍ରଯୋଗ ଏକ ପ୍ରକାର ବିଜ୍ଞାନ, ଯଦ୍ଦ୍ଵାରା ଆମେ ଏ ସଂସାର ସାଗରକୁ ପାର ହୋଇ ପାରିବୁଁ । ମନ୍ତ୍ରବଳ ଦ୍ଵାରା ଆମେ ଭବବନ୍ଧନରୁ ମୁକ୍ତ ହୋଇ ଅଜର, ଅମର, ଶାଶ୍ଵତ ଅବସ୍ଥା ପ୍ରାପ୍ତ ହୋଇପାରୁଁ; ଅର୍ଥାତ୍ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରି ପାରୁ । ଧ୍ୟାନ ସହିତ ଜପ କରି ମନୁଷ୍ୟ ପାପ ତାପରୁ ମୁକ୍ତି ପାଇ ସ୍ଵର୍ଗରେ ଭ୍ରମଣ କରେ । ଧର୍ମ, ଅର୍ଥ, କାମ, ମୋକ୍ଷ ସମସ୍ତ ଚତୁର୍ବର୍ଗ ଫଳ ମନ୍ତ୍ର ସାଧକକୁ ପ୍ରାପ୍ତ ହୋଇଥାଏ । ମନ୍ତ୍ର ଏହି ଦୁଇ ଶବ୍ଦର ସଂଯୋଗରେ ମନ୍ତ୍ର ଶବ୍ଦ ହୋଇଥାଏ । ଯାହାର ଅର୍ଥ ମନନ କରିବା ଦ୍ଵାରା ତ୍ରାଣ ପାଇବା । (ମନନାତ୍ କ୍ରାୟତେ ଗତି ମନ୍ତ୍ରଃ) ।

 

ମନ୍ତ୍ରରେ ଦେବତ୍ଵ ଥାଏ, ଗୁରୁତ୍ଵ ମଧ୍ୟ । ମନ୍ତ୍ର ଦିବ୍ୟ ଶକ୍ତିର ପ୍ରତୀକ । ତାହା ଧ୍ଵନିର ରୂପ ଧାରଣ କରିଛି ମାତ୍ର । ବରଂ ଏ କଥା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ମନ୍ତ୍ର ସ୍ଵୟଂ ଦେବତା ଅଟେ । ମନ୍ତ୍ର ଏବଂ ମନ୍ତ୍ରର ଦେବତା ଅଭିନ୍ନ, ଏହା ଜପସାଧକ ବିଚାର କରିବା ଉଚିତ । ଏହି ଧାରଣା ଯେତେ ଦୃଢ଼ତର ହେବ ସାଧକକୁ ସେତେ ସହାୟତା ଏବଂ ଆନନ୍ଦ ମିଳିବ । ଯେପରି ଅଗ୍ନିଶିଖା ବାୟୁର ସହାୟତା ପାଇଲେ ବୃଦ୍ଧି ପାଏ, ସେହିପରି ଜପସାଧକର ଶକ୍ତି ମନ୍ତ୍ରଶକ୍ତି ଦ୍ଵାରା ବୃଦ୍ଧି ପାଏ ତଥା ସାଧକକୁ ଅଧିକାଧିକ ଶକ୍ତିଶାଳୀ କରିଦିଏ ।

 

ଭକ୍ତର ସାଧନା ଦ୍ଵାରା ସୁପ୍ତ ମନ୍ତ୍ର ଜାଗ୍ରତ ହୋଇଉଠେ । ମନ୍ତ୍ର ଜପଦ୍ଵାରା ମନୁଷ୍ୟର ଦିବ୍ୟ ଶକ୍ତିଗୁଡ଼ିକ ଜାଗ୍ରତ ହୋଇଉଠନ୍ତି । ମନ୍ତ୍ରରେ ସ୍ଫୁରଣ ଶକ୍ତି ଥାଏ ଯାହାର ବିସ୍ତାର ହୁଏ ଏବଂ ସେଥିରୁ ଜୀବନ ଶକ୍ତିର ଅଭ୍ୟୁଦୟ ହୁଏ । ଆଧ୍ୟାତ୍ମିକ ଜୀବନ ବ୍ୟତୀତ କରିବାକୁ ହେଲେ ଶରୀରର ସମସ୍ତ ଅଂଶରେ ସମାନ ଭାବେ ତଥା ସୁଚାରୁ ରୂପେ ଶକ୍ତି ଥିବା ଦରକାର ତଥା ମନ, ବାଣୀ ଏବଂ କର୍ମରେ ସାମଞ୍ଜସ୍ୟ ଥିବା ଉଚିତ । ଏଥିପାଇଁ ଆମକୁ ପୂର୍ଣ୍ଣତଃ ଦିବ୍ୟ ଶକ୍ତି ଦ୍ଵାରା ଏ ସାମଞ୍ଜସ୍ୟ ସ୍ଥାପିତ କରିବାକୁ ହେବ । ଏପରି ହେଲେ ଯାଇଁ ଆମ ପାଇଁ ଆଧ୍ୟାତ୍ମିକ ସତ୍ୟ ଉପଲବଧି ସୁଗମ ହୋଇପାରିବ । ମନ୍ତ୍ରରେ ଐକ୍ୟ ଏବଂ ଅନୁରୂପତା ସ୍ଥାପନ କରିବାର ଶକ୍ତି ଥାଏ । ମନ୍ତ୍ରବଳ ଦ୍ଵାରା ସାଧକ ଜ୍ଞାନ ପ୍ରକାଶ, ସ୍ଵତନ୍ତ୍ରତା, ଅବିଚ୍ଛିନ୍ନ ଶାନ୍ତି, ଆନନ୍ଦ ତଥା ଅମରତ୍ଵ ପ୍ରାପ୍ତି କରିପାରେ ମନ୍ତ୍ରବଳରେ ସିଦ୍ଧି ଲାଭ କଲେ ଜ୍ଞାନଚକ୍ଷୁ ଉନ୍ମୀଳିତ ହୋଇଥାଏ ।

 

ଶବ୍ଦର ଚାରିଗୋଟି ଅବସ୍ଥା ଥାଏ । (କ) ବୈଖରୀ ଅଥବା ସ୍ପଷ୍ଟ ସ୍ଵର (ଖ)ମଧ୍ୟମା ଅର୍ଥାତ୍ କ୍ଷୀଣ ସ୍ଵର (ଗ) ପଶ୍ୟନ୍ତି ଅଥବା ଅନ୍ତଃକରଣର ସ୍ଵର (ଘ) ପରା ଅଥବା ବୀଜ ଅବସ୍ଥାଗତ ସ୍ଵର । ଅନ୍ତିମ ପ୍ରକାର ଧ୍ୱନି ଦିବ୍ୟ ଶକ୍ତିର ପରିଚାୟିକା ଅଟେ ତଥା ଧ୍ୱନି ତତ୍ତ୍ଵର ମହା ଶକ୍ତିମତୀ ଅବସ୍ଥା ଅଟେ । ଏହା ଅବ୍ୟକ୍ତ ରହିଥାଏ ।

 

ଈଶ୍ଵରଙ୍କର ନାମରେ ଅଚିନ୍ତ୍ୟ ଏବଂ ଅକଥନୀୟ ଶକ୍ତି ଥାଏ । ସାଧକର ମନ୍ତ୍ରାର୍ଥର ଜ୍ଞାନ ଥାଉ ବା ନ ଥାଉ କେବଳ ଜପ ଅଭ୍ୟାସ ଦ୍ଵାରା ହିଁ ସେ ଚରମ ସିଦ୍ଧି ପ୍ରାପ୍ତ କରିପାରେ । ଜପ ସାଧନା ଦ୍ଵାରା ଉଦ୍ଦେଶ୍ୟ ପୂର୍ତ୍ତିରେ ତିଳେ ମାତ୍ର ସନ୍ଦେହ ନାହିଁ । କିନ୍ତୁ ଯଦି ମନ୍ତ୍ରାର୍ଥ ହୃଦୟଙ୍ଗମ କରି ଭାବ, ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜପ କରାଯାଏ, ତେବେ ଈଶ୍ଵର ସାକ୍ଷାତ୍କାର ଶୀଘ୍ର ହୋଇପାରେ ।

 

ମନ୍ତ୍ର ଜପଦ୍ଵାରା ଆମ ଚିତ୍ତରେ ଥିବା କାମ, କ୍ରୋଧ, ଲୋଭାଦି ଆବିଳତା, ଅପବିତ୍ରତା ଦୂର ହୋଇଯାଏ । ଯେତେବେଳେ ଦର୍ପଣ ଉପରେ ଧୂଳି ଜମି ରହିଥାଏ, ଆମେ ନିଜର ପ୍ରତିବିମ୍ବ ସ୍ପଷ୍ଟ ଦେଖିପାରୁ ନାହିଁ, କିନ୍ତୁ ତାହାକୁ ପୋଛି ପରିଷ୍କାର କରିଦେଲେ ତହିଁରେ ଆମର ଅବିକଳ ପ୍ରତିବିମ୍ବ ସୁନ୍ଦର ଦେଖାଯାଏ । ସେହିପରି ଅନ୍ତଃକରଣର ଅପବିତ୍ରତା ଯେତେବେଳେ ହରିନାମ ରୂପ ସାବୁନ୍ ଦ୍ଵାରା ପରିଷ୍କାର ହୋଇଯାଏ ସେତେବେଳେ ଆମକୁ ଶୁଦ୍ଧ, ସଚ୍ଚିଦାନନ୍ଦ ଆତ୍ମାର ଅସ୍ତିତ୍ଵର ଅନୁଭବ ହୁଏ । ସତ୍ୟ ଦର୍ଶନର ଶକ୍ତି ଆମ ଭିତରେ ଅଧିକାଧିକ ଅନୁଭୂତ ହେବାକୁ ଲାଗେ । ଯେପରି ଅଗ୍ନିରେ ଆଉଟିଲେ ସ୍ଵର୍ଣ୍ଣରୁ ମଳିନତା ନଷ୍ଟ ହୋଇଯାଏ ତଥା ତାହା ଝଲକିବାକୁ ଲାଗେ ସେହିପରି ମନ୍ତ୍ରରୂପ ଅଗ୍ନିରେ ଆଉଟିଲେ ମନ ମଧ୍ୟ ନିର୍ଦୋଷ ଏବଂ ନିର୍ମଳ ହୋଇଯାଏ । ମନ୍ତ୍ର ଜପଦ୍ଵାରା ପାପ ନଷ୍ଟ ହୁଏ, ହୃଦୟ ପବିତ୍ର, ଉଦାର ଏବଂ ବିଶାଳ ହୁଏ, ଆନନ୍ଦ ପ୍ରାପ୍ତ ହୁଏ ଏବଂ ଅମରତ୍ଵ-ବରଦାନ ମିଳେ । ଏ ବିଷୟରେ ସନ୍ଦେହର ସ୍ଥାନ ତିଳେ ମାତ୍ର ନାହିଁ ।

 

(୩) ଧ୍ୱନି ଏବଂ ମୂର୍ତ୍ତି

 

ଧ୍ୱନି ସ୍ଫୁରଣାତ୍ମିକା ଅଟେ । ଏହା ନିରନ୍ତର ସ୍ପନ୍ଦିତ ହେଉଥାଏ । ଏହାର ନିଶ୍ଚିତ ରୂପ ଥାଏ । ଏହା ଶୂନ୍ୟରେ ଏକ ରୂପ ଉତ୍ପନ୍ନ କରେ ଏବଂ ଅନେକ ଧ୍ୱନିର ସଂଘାତ ଦ୍ଵାରା ବିଶିଷ୍ଟ ଶକ୍ତିର ଉତ୍ପତ୍ତି ହୁଏ । ବିଶିଷ୍ଟ-ଧ୍ୱନି ବିଶିଷ୍ଟ-ଆକୃତିକୁ ଜନ୍ମ ଦିଏ । ଏହା ବିଜ୍ଞାନର ପ୍ରୟୋଗ ଦ୍ଵାରା ସିଦ୍ଧ କରା ଯାଇଅଛି । କୌଣସି ବାଦ୍ୟ ଯନ୍ତ୍ରରୁ ବାହାରୁଥିବା ଧ୍ୱନି ଭୂମି ଉପରେ ବିଚିତ୍ର ରେଖା ଅଂକନ କରେ । ବିଭିନ୍ନ ପ୍ରକାର ଧ୍ୱନି ଦ୍ଵାରା ବିଭିନ୍ନ ପ୍ରକାର ରେଖା ଭୂମି ଉପରେ ଅଙ୍କିତ ହୋଇଥାଏ । ଏହା ବହୁ ପ୍ରୟୋଗ ଦ୍ଵାରା ପରୀକ୍ଷା କରା ଯାଇଅଛି । ଭାରତୀୟ ସଂଗୀତ ଗ୍ରନ୍ଥରେ ଲେଖାଅଛି କି ସଂଗୀତର ଭିନ୍ନ ଭିନ୍ନ ରାଗ ଏବଂ ରାଗିଣୀର ଭିନ୍ନ ଭିନ୍ନ ରୂପ ଥାଏ । ଉଦାହରଣ ସ୍ୱରୂପ ମେଘ ରାଗର ଆକାର ହାତୀ ଉପରେ ବିରାଜମାନ କୌଣସି ଦିବ୍ୟ ପୁରୁଷ ତୁଲ୍ୟ, ତଥା ବସନ୍ତ ରାଗର ଆକୃତି ପୁଷ୍ପ ଦ୍ଵାରା ଅଳଙ୍କୃତ କୌଣସି ସୁନ୍ଦର ଯୁବକ ପରି ଅଟେ । ତାତ୍ପର୍ଯ୍ୟ ଏହା କି ପ୍ରତ୍ୟେକ ରାଗ ରାଗିଣୀ ଠିକ୍ ରୂପେ ଆଁ କଲେ ସୂକ୍ଷ୍ମ ଲହର ଉତ୍ପନ୍ନ ହୁଏ ଯେଉଁଥିରୁ କି ସ୍ୱରୂପ ବିଶେଷର ଆବିର୍ଭାବ ହୋଇଥାଏ । ଆଜିକାଲିର ବୈଜ୍ଞାନିକମାନେ ମଧ୍ୟ ବୈଜ୍ଞାନିକ ପ୍ରୟୋଗ ଦ୍ଵାରା ଏହି ବିଶ୍ଵାସକୁ ସମର୍ଥନ କରିଛନ୍ତି । ଓ୍ୟାଟ୍‍ସ ନାମକ ଏକ ମହିଳା ଏ ବିଷୟରେ ବହୁମୂଲ୍ୟ ପ୍ରୟୋଗ କରିଛନ୍ତି ତଥା ‘ଧ୍ୱନିର ରୂପ’ ଶୀର୍ଷକରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି ।

 

ଶୁଣାଯାଏ କି ଫ୍ରାନ୍ସରେ ଏକ ମହିଳା ଏକ ଭଜନରେ ମାତା ମରିଅମଙ୍କର ମୂର୍ତ୍ତି ସମ୍ବୋଧନ କଲାବେଳେ ମାତା ମରିଅମଙ୍କର ମୂର୍ତ୍ତି ତାଙ୍କ ଆଗରେ ଆସି ଛିଡ଼ାହେଲା, କୋଳରେ ଭଗବାନ ଯୀଶୁ ଥିଲେ । ଏହିପରି ବନାରସର ଏକ ଛାତ୍ର ଯେ କି ଫ୍ରାନ୍‍ସରେ ଅଧ୍ୟୟନ କରୁଥିଲେ, ଭୈରବ ଦେବଙ୍କର ସ୍ତୁତି କଲାବେଳେ ଶ୍ଵାନ ବାହନ ଉପରେ ଆରୂଢ଼ ଭୈରବଙ୍କର ଦର୍ଶନ କରି ପାରିଥିଲେ ।

 

ସେହିପରି ଈଶ୍ଵରଙ୍କର ନାମ ବାରମ୍ବାର ନେବାଦ୍ଵାରା ଈଶ୍ଵର (ତୁମର ଇଷ୍ଟଦେବ) ଯାହାର କି ତୁମେ ପୂଜା କରୁଥାଅ, ତୁମ ଆଗରେ ପ୍ରତ୍ୟକ୍ଷ ରୂପେ ଦେଖା ଦେବେ । ନିଜ ସମ୍ମୁଖରେ ସେ ରୂପ ତୁମେ ପରିଷ୍କାର ଦେଖି ପାରିବ ।

 

ପଞ୍ଚାକ୍ଷର ମନ୍ତ୍ରର ଜପ (ଓଁ ନମଃ ଶିବାୟ) ଆମ ଆଗରେ ଶିବଙ୍କର ମୂର୍ତ୍ତି ଆଣି ଛିଡ଼ା କରାଏ । ବିଷ୍ଣୁଙ୍କର ଅଷ୍ଟାକ୍ଷର ମନ୍ତ୍ର (ଓଁ ନମୋ ନାରାୟଣାୟ) ବିଷ୍ଣୁଙ୍କର ରୂପକୁ ଆମ ଆଗରେ ପ୍ରତ୍ୟେକ୍ଷ କରାଏ । ମନ୍ତ୍ରଗତ ଧ୍ୱନିରେ ଯେଉଁ ଲହରମାନ ଅନ୍ତର୍ନିହିତ, ସେଗୁଡ଼ିକର ନିଜର ବିଶେଷ ମହତ୍ତ୍ଵ ଥାଏ । ଏଣୁ ସ୍ଵର ତଥା ମନ୍ତ୍ରର ବର୍ଣ୍ଣ ଉପରେ ବିଶେଷ ଜୋର ଦିଆଯାଏ । ବର୍ଣ୍ଣର ଅର୍ଥ ରଙ୍ଗକୁ ନିଆ ଯାଇଅଛି । ସୂକ୍ଷ୍ମ ଜଗତରେ ସମସ୍ତ ଧ୍ୱନିମାନଙ୍କର ଏକ ଆପଣା ଆପଣା ରଙ୍ଗ ଥାଏ-। ଅତଏବ ପ୍ରତ୍ୟେକ ଧ୍ୱନି ରଙ୍ଗ ବିରଙ୍ଗ ଆକୃତି ଉତ୍ପନ୍ନ କରେ । ଏହିପରି ପ୍ରତ୍ୟେକ ରଙ୍ଗ ସହିତ ସମ୍ବନ୍ଧିତ ଏକ ଏକ ଧ୍ୱନି ଥାଏ । ବର୍ତ୍ତମାନ ଆମେ ଏହି ନିର୍ଣ୍ଣୟରେ ପହଞ୍ଚିଲୁ କି ରୂପ ବିଶେଷର ଉତ୍ପତ୍ତି ପାଇଁ ଧ୍ୱନି ବିଶେଷର ନିଃସରଣ କରିବା ଉଚିତ । ମନ୍ତ୍ର-ବିଜ୍ଞାନ ଅଧ୍ୟୟନ କଲେ ଜଣାଯାଏ କି ଭିନ୍ନ ଭିନ୍ନ ଦେବତାମାନଙ୍କର ପ୍ରାଥର୍ନା ପାଇଁ ଭିନ୍ନ ଭିନ୍ନ ମନ୍ତ୍ର ପ୍ରଯୁକ୍ତ କରିବାକୁ ପଡ଼େ-

 

ଯଦି ତୁମେ ଶିବଙ୍କର ଉପାସକ, ତେବେ ଶିବଙ୍କର ମନ୍ତ୍ର ଜପ କର । କିନ୍ତୁ ବିଷ୍ଣୁ ବା ଶକ୍ତିର ଆରାଧକମାନଙ୍କ ପାଇଁ ଅନ୍ୟ ମନ୍ତ୍ର ଜପ କରିବା ଉଚିତ । ଯେତେବେଳେ ମନ୍ତ୍ର ଜପ କର ସେତେବେଳେ କଣ ହୁଏ ? ମନ୍ତ୍ର-ସମ୍ବନ୍ଧିତ ଦେବତାର ରୂପ ତୁମର ମାନସ-ଚକ୍ଷୁ ଆଗରେ ପ୍ରତ୍ୟେକ୍ଷ ହୁଏ । ଏହି ରୂପ ତୁମର ଚେତନାର କେନ୍ଦ୍ର ହୋଇଯାଏ, ଯଦ୍ଦ୍ୱାରା ତୁମେ ତାହାର ସାମୀପ୍ୟ ଅନୁଭବ କରିବାକୁ ଲାଗ । ଏଣୁ କୁହାଯାଇଅଛି କି ଦେବତାର ମନ୍ତ୍ର ସ୍ଵୟଂ ଦେବତା ଅଟେ । ଏକଥା ମୀମାଂସକମାନଙ୍କର ଉକ୍ତିକୁ ସ୍ପଷ୍ଟ କରି ଦେଇଛି । ମୀମାଂସକମାନେ କହନ୍ତି କି ଦେବତା ଏବଂ ମନ୍ତ୍ରରେ ବିଭିନ୍ନତା ନାହିଁ । ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେତେବେଳେ କୌଣସି ମନ୍ତ୍ର ବିଶେଷକୁ ଉଚିତ ରୀତିରେ ଜପ କରାଯାଏ ସେତେବେଳେ ତାର ସ୍ପନ୍ଦନ ବିଶିଷ୍ଟ ଲୋକରେ ପ୍ରସାରିତ ହୋଇଯାଏ ଏବଂ ସେହି ସମୟ ମଧ୍ୟରେ ସ୍ପନ୍ଦନର ଏକ ରୂପ ନିଶ୍ଚିତ ହୋଇଯାଏ ।

Image

 

ଦ୍ଵିତୀୟ ଅଧ୍ୟାୟ

ନାମର ମାହାତ୍ମ୍ୟ

 

(୧) ନାମ ମହିମା

 

ଈଶ୍ଵରଙ୍କର ନାମ ଏକ ଅପୂର୍ବ ଅନିର୍ବଚନୀୟ ଆନନ୍ଦ ସୃଷ୍ଟି କରେ । ଏହା ବର୍ଣ୍ଣନ କରିବା କେବଳ କଠିନ ନୁହେଁ, ବରଂ ଅସମ୍ଭବ । ଭଗବାନଙ୍କର ନାମ ଆମର ସ୍ଵଭାବକୁ ଆଶ୍ଚର୍ଯ୍ୟଜନକ ଭାବରେ ପରବର୍ତ୍ତିତ କରିଦିଏ । ମନୁଷ୍ୟକୁ ଦେବତା କରି ଦିଏ । ଆମର ପୁରାତନ ପାପ, ବାସନା, ସଂକଳ୍ପ, ସନ୍ଦେହ, କାମବିକାର, ମଳିନ ଚିତ୍ତବୃତ୍ତି ତଥା ନାନାପ୍ରକାର କୁସଂସ୍କାର ନଷ୍ଟ କରିଦିଏ ।

 

ଆହା ! ରାମ ନାମ କେଡ଼େ ମଧୁର ! କି ଅନିର୍ବଚନୀୟ ଶକ୍ତି ଅଛି ଏଥିରେ । କେଡ଼େ ଶୀଘ୍ର ତାହା ଆସୁରିକତାକୁ ସାତ୍ତ୍ଵିକତାରେ ପରିଣତ କରିପାରେ ତଥା ସାଧକକୁ ପରମାନନ୍ଦ ପ୍ରାପ୍ତ କରାଇପାରେ ।

 

ଭଗବନ୍ମାମ ଜାଣି ଜାଣି ନିଅ ବା ଅଜାଣଟାରେ, ସାବଧାନ ହୋଇ ନିଅ ବା ବେପରବା ହୋଇ, ଉଚିତ ରାତିରେ ନିଅ ବା ଅନୁଚିତ ରୀତିରେ, ତାହା ବାଞ୍ଛିତ ଫଳ ଅବଶ୍ୟ ପ୍ରଦାନ କରିବ । ବୁଦ୍ଧି ଚାତୁରୀ ବା ତର୍କ ସଂଘର୍ଷ ଦ୍ଵାରା ରାମନାମର ମହିମା ନିର୍ଣ୍ଣୟ କରାଯାଇପାରେ ନାହିଁ ବା ମୂଲ୍ୟ ନିରୂପଣ କରାଯାଇପାରେ ନାହିଁ । ଈଶ୍ଵରଙ୍କର ନାମର ମହତ୍ତ୍ଵକୁ ଶ୍ରଦ୍ଧା, ଭକ୍ତି ଏବଂ ସତତ ଜପର ଅଭ୍ୟାସ ଦ୍ଵାରା ଅନୁଭବ କରାଯାଇପାରେ । ପ୍ରତ୍ୟେକ ନାମରେ ଅନନ୍ତ ଶକ୍ତିର ଭଣ୍ଡାର ଥାଏ । ନାମର ଶକ୍ତି ଅପରିମିତ ଏବଂ ଅକଥନୀୟ, ତଥା ମହିମା ଅବର୍ଣ୍ଣନୀୟ ଅଟେ ।

 

ଯେପରି ପ୍ରତ୍ୟେକ ବସ୍ତୁକୁ ଦଗ୍‍ଧ କରିବାର କ୍ଷମତା ଅଗ୍ନିଠାରେ ଥାଏ, ସେହିପରି ପାପ, ତାପ ଦଗ୍ଧ କରିବାର ତଥା ଅନନ୍ତ ଆନନ୍ଦ ଏବଂ ଅପାର ଶାନ୍ତି ପ୍ରଦାନ କରିବାର ଶକ୍ତି ଈଶ୍ଵର ନାମରେ ଥାଏ । ନାମ ଭାବ ସମାଧି ଦ୍ଵାରା ଭକ୍ତ ଏବଂ ଈଶ୍ଵରଙ୍କୁ ମିଳାଇ ଦିଏ ତଥା ଭକ୍ତ ଈଶ୍ଵରଙ୍କ ସହିତ ଐକ୍ୟ ଅନୁଭବ କରି ନିତ୍ୟାନନ୍ଦ ପ୍ରାପ୍ତ କରେ ।

 

ହେ ମନୁଷ୍ୟ ! ହରିନାମର ଶରଣ ନିଅ । ନାମୀ ଏବଂ ନାମ ଅଭିନ୍ନ ସତ୍ତା ଅଟନ୍ତି । ନିରନ୍ତର ହରିନାମ ଜପ କର । ପ୍ରତ୍ୟେକ ଶ୍ଵାସ ସହିତ ପବିତ୍ର ନାମ ଉଚ୍ଚାରଣ କର । ଏହି କରାଳ କଳି କାଳରେ ଈଶ୍ଵର ଦର୍ଶନ ପାଇଁ ଏକ ମାତ୍ର ନାମ ସ୍ମରଣ ବା ଜପ ସର୍ବାପେକ୍ଷା ଅଧିକ ସୁଗମ ସୁରକ୍ଷିତ, ଏବଂ ନିଶ୍ଚିତ ମାର୍ଗ ଅଟେ । ଏହା ଅମରତ୍ଵ ଏବଂ ଅନନ୍ତ ଆନନ୍ଦ ପ୍ରଦାୟକ ଅଟେ ।

 

ଅଜାମିଳ ପରି ପାପୀ ‘ନାରାୟଣ’, କେବଳ ଏହି ଶବ୍ଦ ମାତ୍ର ସ୍ମରଣ କରି ଏହି ସଂସାରସାଗରରୁ ତରିଗଲା । କି ଅଦ୍‍ଭୂତ ଶକ୍ତି କେବଳ ଏକ ଶବ୍ଦ ମାତ୍ରରେ ! ତୁମେ ବୋଧହୁଏ ପିଙ୍ଗଳା ବେଶ୍ୟାର କଥା ଜାଣିଥିବ । ରାମନାମ ଉଚ୍ଚାରଣ କରିବା ମାତ୍ରେ ସେ ସତୀ ସାଧ୍ଵୀ ହୋଇଗଲା । ଲୋକେ କହନ୍ତି କି କୌଣସି ଚୋର ପିଙ୍ଗଳାକୁ ଏକ ସାରୀ ପକ୍ଷୀ ଦେଇଥିଲା । ପକ୍ଷୀଟି ସର୍ବଦା ରାମ ରାମ ରଟିବାରେ ଅଭ୍ୟସ୍ତ ଥିଲା । ରାମ ରାମ ଶବ୍ଦ ଗଣିକାର କାନରେ ପହଞ୍ଚିଲା । ପକ୍ଷୀର ସେ ରାମଧ୍ୱନି ଅତ୍ୟନ୍ତ କୋମଳ, ସୁନ୍ଦର ଏବଂ ମଧୁର ଥିଲା । ପିଙ୍ଗଳା ଧୀରେ ଧୀରେ ରାମ ନାମ ପ୍ରତି ଆକୃଷ୍ଟ ହେଲା, ମନ ସହଯୋଗ ଦେଲା । ତା’ ମୁଖରୁ ମଧ୍ୟ ରାମ ନାମର ଗୁଞ୍ଜନ ଗୁଞ୍ଜିତ ହେବାକୁ ଲାଗିଲା । ମଧୁରତା କ୍ରମେ ବୃଦ୍ଧି ପାଇବାକୁ ଲାଗିଲା । ଏହି ତ ରାମ ନାମର ମହତ୍ତ୍ଵ ! ଥରେ ସ୍ଵାଦ ଅନୁଭବ କଲେ କି ପୁଣି ଛାଡ଼ିହୁଏ ? କେବଳ ସେହି ଅମୃତ ସମ ମଧୁର ରସ ଆସ୍ଵାଦନ କରିବା ପାଇଁ କେତେ କେତେ ରାଜା, ମହାରାଜା ମଧ୍ୟ ଧନ ସଂପଦ ନାରୀ ପୁତ୍ରର ମୋହ ପାଦରେ ଦଳି ଜଙ୍ଗଲରେ, ନଦୀ କୂଳରେ, ବୃକ୍ଷମୂଳରେ, ଆଶ୍ରୟ ନେଉଥିଲେ, ଏହାର ଉଦାହରଣ କଣ ଆମ ଶାସ୍ତ୍ରରେ କମ୍ ଦେଖାଯାଏ ? କିନ୍ତୁ ଦୁଃଖର ବିଷୟ ଆଜିକାଲି ବିଜ୍ଞାନ ସମ୍ବନ୍ଧୀୟ ସାଧାରଣ କେତେକ ପୁସ୍ତକ ପଢ଼ି ନିଜକୁ ବିଦ୍ଵାନ୍, ଜ୍ଞାନୀ, ବୋଲି ପରିଚୟ ଦେଉଥିବା ବ୍ୟକ୍ତି ନାମସ୍ମରଣ ପ୍ରତି ତିଳେମାତ୍ର ବିଶ୍ଵାସ କରନ୍ତି ନାହିଁ । ଏହା କଣ କମ୍ ଲଜ୍ଜାର କଥା-? ରାମ ନାମରେ କି ଅଦ୍ଭୁତ ଶକ୍ତି ରହିଛି ତାହା ତୁଲସୀ ଦାସ ରାମାୟଣ ପାଠ କଲେ ପରିଷ୍କାର ଜଣାଯାଏ ।

 

ଗାନ୍ଧୀଜୀ ଲେଖିଛନ୍ତି କି—“ଯଦି ତୁମେ ମୋତେ ପଚାରିବ କି ମୁଁ ତୁମକୁ ରାମନାମ ନେବାକୁ କାହିଁକି କହୁଛି, ଈଶ୍ଵରଙ୍କର ଅନ୍ୟ ନାମ ନେବାକୁ କାହିଁକି କହୁନାହିଁ, ସତ୍ୟ ଯେ ଈଶ୍ଵରଙ୍କର ନାମ ଅନେକ, ଏକ ବୃକ୍ଷରେ ଯେତେ ପତ୍ର ତାହାଠାରୁ ମଧ୍ୟ ଅଧିକ । ମୁଁ ତୁମକୁ କହିପାରେ କି ଈଶ୍ଵର ଶବ୍ଦ ଉପଯୋଗ କର । କିନ୍ତୁ ଈଶ୍ଵର ଶବ୍ଦ କି ଅର୍ଥ । କି ପ୍ରକାର ଧାରଣା ତୁମର ସମ୍ମୁଖରେ ଉପସ୍ଥିତ କରି ପାରିବ ? ଈଶ୍ଵର ଶବ୍ଦ ଉଚ୍ଚାରଣ କରିବା ସଙ୍ଗେ ସଙ୍ଗେ ତୁମ ମନରେ କୌଣସି ନା କୌଣସି ଭାବନା ଉତ୍ପନ୍ନ ହେବା ଉଚିତ । ଏଣୁ ତୁମକୁ ଈଶ୍ଵର ଶବ୍ଦର ବିଶ୍ଳେଷଣ କରିବାକୁ ପଡ଼ିବ । ସମସ୍ତେ ତ ଏପରି କରି ପାରିବେ ନାହିଁ ।

 

କିନ୍ତୁ ମୁଁ ଯେତେବେଳେ ତୁମକୁ ‘ରାମ’ ନାମ ନେବାକୁ କହେ ସେତେବେଳେ ମୁଁ ତୁମକୁ ଏପରି ଏକ ନାମର ପରିଚୟ ଦିଏ ଯାହାକୁ ଭାରତୀୟ ବଂଶ ବଂଶ ଧରି ଯୁଗ ଯୁଗ ଧରି ପୂଜା କରି ଆସୁଛି । ରାମ ନାମ ଏପରି ଏକ ନାମ ଅଟେ ଯାହା ସହିତ ଏ ଦେଶର ମନୁଷ୍ୟ ନୁହେଁ, ବର˚ ପଶୁପକ୍ଷୀ ଏପରିକି ବୃକ୍ଷଲତା ତଥା ମାଟି ପଥର ମଧ୍ୟ ପରିଚିତ । ରାମାୟଣ ପଢ଼ିଲେ ଜଣାଯାଏ ଯେ ଯେତେବେଳେ ଶ୍ରୀ ରାମଚନ୍ଦ୍ର ରାଜା ଜନକଙ୍କର ଧନୁର୍ଯଜ୍ଞରେ ସମ୍ମିଳିତ ହେବାକୁ ଯାଉଥିଲେ ସେତେବେଳେ ମାର୍ଗରେ ଏକ ପଥର ତାଙ୍କର ଚରଣସ୍ପର୍ଶ ଦ୍ଵାରା ଜୀବନ ଲାଭ କରିଥିଲା ।

 

ରାମନାମକୁ ଏପରି ମଧୁରତା, କୋମଳତା ତଥା ଭକ୍ତିର ସହିତ ଉଚ୍ଚାରଣ କରି ଶିଖିବା ଉଚିତ କି ଯେତେବେଳେ ତୁମେ ରାମନାମ ଗାନ କରିବ ସେତେବେଳେ ତୁମକୁ ଶୁଣିବା ପାଇଁ ବୃକ୍ଷ ମଧ୍ୟ ଯେପରି ତୁମ ଆଡ଼କୁ ପତ୍ର ଝୁଂକାଇ ଦେବ ।

 

ସେଦିନ କମାଲ କୁଷ୍ଠ ରୋଗଗ୍ରସ୍ତ ବେପାରୀକୁ ଦୁଇଥର ରାମନାମ ନେବାକୁ କହିଲା । କିନ୍ତୁ ସେଥିରେ ରୋଗ ଭଲ ନହେବାରୁ କମାଲ ଯେତେବେଳେ ନିଜର ପିତା କବୀର ଦାସଙ୍କୁ ଏ କଥା ଜଣାଇଲା, କବୀର ଦାସ ବିଶେଷ ଦୁଃଖିତ ଏବଂ ଲଜ୍ଜିତ ହୋଇ ପୁତ୍ରକୁ କମ୍ ଗାଳି ଦେଇ ନଥିଲେ । “ରାମନାମ କଣ ଶକ୍ତିହୀନ ଯେ ତୁ ଦୁଇଥର ରାମନାମ ନେବାକୁ ସେ ବେପାରୀକୁ କହିଲୁ ? ମୋ ନାମରେ ତୁ କଳଙ୍କ ଲଗାଇଲୁ । ଯା ବେପାରୀକୁ କହ, ଗଙ୍ଗାରେ ଛିଡ଼ା ହୋଇ ବିଶ୍ଵାସ ଏବଂ ଶ୍ରଦ୍ଧା ସହିତ ଅନ୍ତଃକରଣରେ କେବଳ ଥରେ ମାତ୍ର ରାମନାମ ନେଉ । ’’ କମାଲ ପିତାଙ୍କ ଆଜ୍ଞାନୁସାରେ ବେପାରୀକୁ ଉପଦେଶ ଦେଲା । ବେପାରୀ ଭାବ ସହିତ କେବଳ ଏକବାର ରାମନାମ ନେଲା ଏବଂ କୁଷ୍ଠ ବ୍ୟାଧିରୁ ମୁକ୍ତି ପାଇଲା ।

 

ତଦନନ୍ତର କବୀର ଦାସ କମାଲକୁ ତୁଳସୀ ଦାସଙ୍କ ନିକଟକୁ ପଠାଇଲେ । ତୁଳସୀ ଦାସ ଏକ ତୁଳସୀ ପତ୍ରରେ ଥରେ ମାତ୍ର ରାମନାମ ଲେଖି ସେହି ପତ୍ରର ରସ ପାଞ୍ଚ ଶତ କୁଷ୍ଠ ରୋଗୀଙ୍କ ଉପରେ ସିଞ୍ଚି ଦେଲେ, ଯଦ୍ଦ୍ଵାରା ସେମାନେ ଆରୋଗ୍ୟ ଲାଭ କରିବାର ଦେଖି କମାଲ କମ୍ ଆଶ୍ଚର୍ଯ୍ୟ ହୋଇ ନଥିଲା । ପୁଣି କବୀର ଦାସ କମାଲକୁ ଅନ୍ଧ ସୁର ଦାସଙ୍କ ନିକଟକୁ ପଠାଇଲେ । ସୁର ଦାସଙ୍କର ଆଦେଶ ଅନୁସାରେ କମାଲ ନଦୀରେ ଭାସି ଯାଉଥିବା ଏକ ମୃତ ବ୍ୟକ୍ତିକୁ ଆଣିଲା । ସୁର ଦାସ ତାର କାନରେ ଥରେ ମାତ୍ର ରାମ ନାମ ଉଚ୍ଚାରଣ କଲେ, ଯଦ୍ଦ୍ୱାରା ମୃତ ବ୍ୟକ୍ତି ଜୀବିତ ହୋଇଉଠିଲା । ରାମ ନାମର ଶକ୍ତି ଏହିପରି ଅଦ୍‍ଭୁତ ଏବଂ ଅବ୍ୟକ୍ତ ଅଟେ । ପ୍ରିୟ ମିତ୍ର ! ବିଶ୍ଵ ବିଦ୍ୟାଳୟର ଛାତ୍ରଗଣ, ପ୍ରଫେସରଗଣ ଏବଂ ଡାକ୍ତର ! ତୁମେ ନିଜର ଲୌକିକ ବିଦ୍ୟା ବଳରେ ଫୁଲି ଯାଅ ନାହିଁ । ନିଜର ହାର୍ଦ୍ଦିକ ପ୍ରେମ ଏବଂ ଭାବ ସହିତ ଭଗବାନଙ୍କର ନାମ ସ୍ମରଣ କର ଏବଂ ଅନନ୍ତ ଆନନ୍ଦ, ଜ୍ଞାନ, ଶକ୍ତି ଏବଂ ଅମରତ୍ଵ ପ୍ରାପ୍ତି କର ।

 

କବୀର ଦାସ କହୁଥିଲେ—ଯଦି କେହି କେବଳ ସ୍ଵପ୍ନରେ ମଧ୍ୟ ରାମ ନାମ ଉଚ୍ଚାରଣ କରେ, ତେବେ ମୁଁ ତାହାର ନିତ୍ୟ ବ୍ୟବହାର ପାଇଁ ମୋ ନିଜ ଶରୀରର ଚମଡ଼ାରେ ଏକ ଜୋଡ଼ା ଯୋତା ତିଆରି କରି ଦେବାକୁ ପ୍ରସ୍ତୁତ ଅଛି । ଈଶ୍ଵରଙ୍କର ପବିତ୍ର ନାମର ମହିମା କେବଳ ଏହିପରି ଭକ୍ତମାନେ ହିଁ ଜାଣନ୍ତି ସିନା ! ଅନ୍ୟ କିଏ ବା ତାର ମହତ୍ତ୍ଵ ଏବଂ ପ୍ରତାପ ଜାଣେ ? ଏପରିକି ଶିବଙ୍କର ଅର୍ଦ୍ଧାଙ୍ଗିନୀ ପାର୍ବତୀ ମଧ୍ୟ ରାମ ନାମର ବାସ୍ତବିକ ଗୌରବ ଏବଂ ମହତ୍ତ୍ଵ ଠିକ୍‍ ରୂପେ ବର୍ଣ୍ଣନା କରିବାରେ ସଫଳ ହୋଇ ପାରି ନଥିଲେ । ଯେଉଁ ବ୍ୟକ୍ତି ହରିନାମ ଶ୍ରବଣ କରେ ଏବଂ ଗାନ କରେ ସେ ନିଜର ଅଜ୍ଞାତରେ ମଧ୍ୟ ଆଧ୍ୟାତ୍ମିକତାର ଶିଖରରେ ପହଞ୍ଚିଥାଏ । ସେ ନିଜର ଲୋକ-ବାସନା ହରାଇ ବସେ । ଦିବ୍ୟ ଉନ୍ମାଦରେ ଦୋହଲିବାକୁ ଲାଗେ, ଆବାଗମନରୁ ବିମୁକ୍ତ ହୁଏ । ବାସ୍ତବରେ ତାଠାରୁ ଭାଗ୍ୟବାନ ଜଗତରେ କିଏ ଅଛି ?

 

ଯଦ୍ୟପି ପାଣ୍ଡବମାନଙ୍କର ଜତୁଗୃହ ଜଳି ଭସ୍ମ ହୋଇଗଲା, ତଥାପି ସେମାନେ ପୋଡ଼ି ହୋଇ ନଥିଲେ, କାରଣ ସେମାନଙ୍କର ହରିନାମରେ ଅବିଚଳ ଶ୍ରଦ୍ଧା ଥିଲା । ଗୋପାଳମାନଙ୍କର ଅଗ୍ନି ଦ୍ଵାରା କୌଣସି ହାନି ହୋଇ ନଥିଲା କାରଣ ଶ୍ରୀକୃଷ୍ଣ ନାମରେ ସେମାନଙ୍କର ଅକ୍ଷୁର୍ଣ୍ଣ ବିଶ୍ଵାସ ଥିଲା । ରାକ୍ଷସମାନେ ହନୁମାନମାନଙ୍କର ଲାଙ୍ଗୁଳରେ ନିଆଁ ଲଗାଇଲେ ମଧ୍ୟ ହନୁମାନଙ୍କର ଗୋଟିଏ ହେଲେ ରୋମ ମଧ୍ୟ ପୋଡ଼ିଯାଇ ନଥିଲା, କାରଣ ରାମ ନାମରେ ତାଙ୍କର ପୂର୍ଣ୍ଣ ଭରସା ଥିଲା । ଭୟଙ୍କର ଅଗ୍ନି ଶିଖା ସୀତାଙ୍କ ପାଇଁ ଚନ୍ଦନ ପରି ଶୀତଳ ଜଣାଗଲା କାରଣ ରାମ ନାମ ହିଁ ତାଙ୍କ ଜୀବନର ଆଧାର ଥିଲା । ସମସ୍ତ ଲଙ୍କା ଜଳି ଭସ୍ମ ହୋଇଗଲା, କିନ୍ତୁ ବିଭୀଷଣଙ୍କର ଗୃହ ସୁରକ୍ଷିତ ଥିଲା କାରଣ ରାମ ନାମ ପ୍ରତି ତାଙ୍କର ଅଟଳ ପ୍ରେମ ଥିଲା । ମୀରା ହସି ହସି ବିଷ ପାନ କଲେ, ତଥାପି ତାଙ୍କର କିଛି ହେଲା ନାହିଁ । ଏ ସମସ୍ତ କେବଳ ରାମ ନାମର ପ୍ରବଳ ପ୍ରତାପ ଯୋଗୁଁ ସମ୍ଭବପର ହୋଇ ପାରିଥିଲା । ଏକମାତ୍ର ରାମ ନାମ ହିଁ ଦସ୍ୟୁ ରତ୍ନାକରକୁ ବାଲ୍ମୀକିରେ ପରିଣତ କଲା । ତୁଳସୀକୁ ଜଗତ ପ୍ରସିଦ୍ଧ ସନ୍ଥ ତୁଳସୀ ଦାସରେ ପରିଣତ ତଥା ମୋହନ ଦାସଙ୍କୁ ବିଶ୍ଵବନ୍ଦ୍ୟ ମହାତ୍ମା ଗାନ୍ଧୀରେ ପରିଣତ କଲା । ଧନ୍ୟ ସେ ନାମ ଏବଂ ଧନ୍ୟ ତାର ଶକ୍ତି !

 

(୨) ଜପଦ୍ଵାରା ଲାଭ

 

ଜପ ଆମର ବିଚାରଧାରାକୁ ସାଂସାରିକ ବସ୍ତୁ ପ୍ରତି ଆସକ୍ତ ହେବାକୁ ଦିଏ ନାହିଁ । ଆମର ଅନ୍ତଃକରଣକୁ ଈଶ୍ଵରଙ୍କ ଆଡ଼କୁ ପ୍ରେରଣ କରେ ଏବଂ ଅନନ୍ତ ଆନନ୍ଦ ଏବଂ ଚିରନ୍ତନ ଶାନ୍ତି ପ୍ରାପ୍ତି ପାଇଁ ଆମକୁ ଅନୁପ୍ରାଣିତ କରେ । ନିରନ୍ତର ଜପ ସାଧନା ଦ୍ଵାରା ଆମ ଚିତ୍ତରେ ଶୁଭ ସଂସ୍କାର ବେଦୀର ସୁଦୃଢ଼ ନିର୍ମାଣ ହୋଇଥାଏ ।

 

ଜପଦ୍ଵାରା ସତ୍ତ୍ଵ ଗୁଣର ଉଦୟ ହୁଏ ଓ ରାଜସିକ, ତାମସିକ ସମସ୍ତ ପ୍ରବୃତ୍ତିଗୁଡ଼ିକ ଧୀରେ ଧୀରେ ସାତ୍ତ୍ଵିକତାର ରୂପ ଧାରଣ କରି ନିଅନ୍ତି । ଜପଦ୍ଵାରା ଚିତ୍ତ ଶାନ୍ତ ରହେ, ଶକ୍ତି-ସଂଚୟ ହୁଏ । ଆମର ଅନ୍ତରାତ୍ମାକୁ ଆତ୍ମଚିନ୍ତନ ପାଇଁ ଜପ ଉପଯୁକ୍ତ କରେ । ଜପ ଦ୍ଵାରା ହିଁ ମନର ଆସୁରିକ ପ୍ରବୃତ୍ତିଗୁଡ଼ିକ ଶାନ୍ତ ହୋଇଯାଆନ୍ତି । ଏହା ମନରୁ ସର୍ବପ୍ରକାର ଅସତ୍ ବିଚାର, କ୍ଷୁଦ୍ର ଅଭିଳାଷ, ଅଶୁଭ ବାସନାଗୁଡ଼ିକୁ ଲୋପ କରିଦିଏ । ଆମ ଭିତରେ ଦୃଢ଼ ସଂକଳ୍ପ ଏବଂ ଆତ୍ମସଂଯମ ଉତ୍ପନ୍ନ କରେ ଓ ଶେଷରେ ଆମକୁ ଈଶ୍ଵର ସାକ୍ଷାତ୍‍କାର କରାଏ ।

 

ନିରନ୍ତର ଜପ ଏବଂ ପୂଜନ ଦ୍ଵାରା ଯେତେବେଳେ ଚିତ୍ତ ସ୍ଵଚ୍ଛ ଏବଂ ନିର୍ମଳ ହୋଇଉଠେ, ସେତେବେଳେ ଆମକୁ ନାନାପ୍ରକାର ଦିବ୍ୟ ଅନୁଭବ ମିଳେ । ସଂସାର ଏବଂ ମନୋବଳ ଦୃଢ଼ ହେବାଦ୍ଵାରା ମନୁଷ୍ୟ ଯାହା କାମନା କରେ, ତାହା ପ୍ରାପ୍ତ ହୁଏ । ସ୍ଵଭାବ ଏବଂ ପ୍ରବୃତ୍ତିରେ ଆଶ୍ଚର୍ଯ୍ୟ ପରିବର୍ତ୍ତନ ହୋଇଯାଏ । ଜପ ସମୟରେ ଯେତେବେଳେ ମନ ଈଶ୍ଵରଙ୍କର ମୂର୍ତ୍ତି ଉପରେ ଧ୍ୟାନ କରେ, ସେତେବେଳେ ମାନସିକ ଆକୃତି ମଧ୍ୟ ସେହିପରି ରୂପ ଧାରଣ କରି ନିଏ । ଆମ ସଂସ୍କାର ପୀଠିକାର ଏକ ବିଶେଷ ନିୟମ ଏହା ଯେ ତା’ ଉପରେ କୌଣସି ଛବି ଅଙ୍କିତ ହୋଇଯାଇଥାଏ ।

 

ଯଦି କୌଣସି କାର୍ଯ୍ୟ ବାରମ୍ବାର କରାଯାଏ, ତେବେ ସଂସ୍କାର ଅଧିକାଧିକ ଦୃଢ଼ ହେବାକୁ ଲାଗେ, ତଥା ମନର ସ୍ଵଭାବ ଏବଂ ପ୍ରବୃତ୍ତି ତଦନୁରୂପ ହୋଇଯାଏ । ଏଣୁ ଯେଉଁ ମନୁଷ୍ୟ ସର୍ବଦା ଦିବ୍ୟ ବିଚାରଗୁଡ଼ିକୁ ଗ୍ରହଣ କରେ ସେ ନିରନ୍ତର ବିଚାର ଏବଂ ଧ୍ୟାନ କରିବା ଯୋଗୁଁ ସ୍ଵୟଂ ଦେବତ୍ଵରେ ଦୀକ୍ଷିତ ହୋଇଯାଏ । ତାର ଭାବ ଏବଂ ପ୍ରକୃତି ସର୍ବତୋଭାବେ ନିର୍ମଳ ହୋଇଯାଏ । ଧ୍ୟାତା ଏବଂ ଧ୍ୟେୟ, ପୂଜକ ଏବଂ ପୂଜ୍ୟ, ବିଚାରକ ଏବଂ ବିଚାରଣୀୟ ଏ ଉଭୟାତ୍ମକ ରୂପ ସମ୍ପୂର୍ଣ୍ଣ ଭାବେ ଏକ ହୋଇଯାଆନ୍ତି । କୁହାଯାଏ, ଏକ ଶରୀର ଦୁଇ ଆତ୍ମା । କିନ୍ତୁ ସେଠାରେ ଦୁଇ ଆତ୍ମାର ପ୍ରଶ୍ନ ରୁହେ ନା । ଆତ୍ମା ଏବଂ ପରମାତ୍ମା ମଧ୍ୟରେ ବିଲୟୀକରଣ ହୋଇ ଯାଇଥାଏ । ଏହା ହିଁ ସମାଧି ଅବସ୍ଥା ଅଟେ । ଏହି ହିଁ ପୂଜା, ଉପାସନା ଏବଂ ଜପର ଶେଷ ପରିଣାମ ।

 

ରାମ-ନାମର ମାନସିକ ଜପ ସମସ୍ତ ପ୍ରକାର ରୋଗ ଦୂର କରିବା ପାଇଁ ଏକ ଅଦ୍‍ଭୂତ, ବିଲକ୍ଷଣ ନିଦାନ ଅଟେ । କୌଣସି ଦିନ କୌଣସି ପରିସ୍ଥିତିରେ ମଧ୍ୟ ଜପ ବନ୍ଦ ବା କମ୍ ହେବା ଅନୁଚିତ । ଖାଇବା, ପିଇବା, ଶ୍ଵାସ ଗ୍ରହଣ କରିବା ପରି ଜପକୁ ମଧ୍ୟ ଅନିବାର୍ଯ୍ୟ ବୋଲି ଜାଣି ରଖିବା ଉଚିତ । ଏହା କ୍ଷୁଧିତ ଆତ୍ମା ପାଇଁ ଆଧ୍ୟାତ୍ମିକ ଆହାର ଅଟେ । ମହାତ୍ମା ଯିଶୁ କହନ୍ତି ତୁମେ କେବଳ ରୋଟୀ ଖାଇ ବହୁ କଠିନତାରେ ଜୀବନ ଧାରଣ କରିପାର କିନ୍ତୁ ଈଶ୍ଵର ନାମ ଉପରେ ଜୀବନ ଧାରଣ କରିବା ଅତ୍ୟନ୍ତ ସୁଗମ ସାଧନ ଅଟେ । ଧ୍ୟାନ ବା ଜପ ସାଧନା ସମୟରେ ଅନ୍ତଃକରଣ ମଧ୍ୟରେ ଯେଉଁ ଅମୃତ ପ୍ରବାହିତ ହେଉଥାଏ ତାହା ପାନ କରି ତୁମେ କେବଳ ଜୀବିତ କାହିଁକି, ଅମର ହୋଇ ଯାଇପାରିବ । ନ ଜାଣି ମଧ୍ୟ ଯଦି ନାମ ନିଆଯାଏ ତେବେ ତାର ବିଲକ୍ଷଣ ପ୍ରଭାବ ମଧ୍ୟ ବହୁବାର ଦେଖା ଯାଇଅଛି । ମନ୍ତ୍ର ପ୍ରହରୀ ପରି ଆମର ଚିତ୍ତ, ମନ ଏବଂ ଦେହକୁ ରକ୍ଷା କରେ । ସାଂସାରିକ ଆବିଳ ବିଚାର ଆମର ଅନ୍ତଃକରଣରେ ପ୍ରବେଶ କରିବାକୁ ଚେଷ୍ଟା କଲେ ସେ ଆମକୁ ସୂକ୍ଷ୍ମ ରୂପେ ସଚେତ କରାଇ ଦିଏ । ଯେତେବେଳେ ସାଂସାରିକ ବାସନାରୂପ ଘୋର ଶତ୍ରୁ ତୁମର ମନୋରାଜ୍ୟରେ ପ୍ରବେଶ କରିବା ପାଇଁ ଚେଷ୍ଟା କରନ୍ତି ସେତେବେଳେ ତୁମେ ମନ୍ତ୍ର ସ୍ମରଣ କର । ତତ୍‍କ୍ଷଣାତ୍ ସେମାନେ ପଳାୟନ କରିବେ । ତୁମର ଅଜ୍ଞାତରେ ମଧ୍ୟ ତୁମର ଚିତ୍ତର ଏକ ଭାଗ ଏହି କାର୍ଯ୍ୟରେ ସଂଲଗ୍ନ ରହେ ।

 

ଯେତେବେଳେ ତୁମର କୌଣସି ମିତ୍ର ଭୋଜନ କରୁଥାନ୍ତି ଯଦି ସେପରି ଅବସ୍ଥାରେ ତୁମେ ବିଷ୍ଠା, ମୂତ୍ର ଇତ୍ୟାଦି କୌଣସି ଅପରିଷ୍କାର ଶବ୍ଦ ଉଚ୍ଚାରଣ କର ତେବେ ସେ ବାନ୍ତି କରି ପକାଇବେ । ତୁମେ ଯେତେବେଳେ ଗରମ ବରା, ଦହିବରାର ନାମ ଶୁଣ ତୁମର ମନରେ ତାର ରୂପ ପରିଷ୍କାର ଦେଖାଯାଏ ତଥା ତୁମେ ତାହା ଖାଇବା ପାଇଁ ଆଗ୍ରହାନ୍ଵିତ ହୋଇପଡ଼ । ଯଦି କେହି ତୁମ ଆଗରେ ଆଚାର, ଚଟଣୀ, ଉଆଉ ମୁରବ୍ବା ଇତ୍ୟାଦି ନାମ ନିଏ ତେବେ ତୁମର ଜିହ୍ଵାରେ ଲାଳ ଜମିଯାଏ । ପ୍ରତ୍ୟେକ ଶବ୍ଦରେ କିଛି ନା କିଛି ଶକ୍ତି ଯେ ରହିଛି ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ । ଯେତେବେଳେ ସାଧାରଣ ଶବ୍ଦରେ ଏପରି ଶକ୍ତି ଅଛି, ସେତେବେଳେ ଈଶ୍ଵରଙ୍କର ଅମୃତୋପମ ଦିବ୍ୟ ନାମରେ ଯେ କି ମହାନ୍ ଶକ୍ତି ଥିବ, ତାହା ତୁମେ ସହଜରେ ଅନୁମାନ କରି ପାରିବ । ରାମ ନାମ ଆମର ପୁରାତନ ସଂସ୍କାରର କାୟା ବଦଳାଇ ଦିଏ । ପ୍ରତ୍ୟେକ ଜୀବଠାରେ ବଦ୍ଧମୂଳ ଆସୁରିକ ବୃତ୍ତିଗୁଡ଼ିକର ମୂଳ ଖୋଳି ବାହାର କରିଦିଏ । ଏଣୁ ମୋକ୍ଷ ଲାଭ ପାଇଁ ଯେତେ ପ୍ରକାର ସାଧନା ରହିଛି, ନାମ ସାଧନା ହିଁ ସର୍ବାପେକ୍ଷା ଶ୍ରେଷ୍ଠ ବୋଲି କୁହାଯାଇଅଛି ।

 

ନାମ ସ୍ମରଣ କଲାବେଳେ ହୃଦୟରେ ନିଜର ଇଷ୍ଟ ଦେବତାଙ୍କ ପ୍ରତି ଅନନ୍ୟା ଭକ୍ତିର ବିକାଶ କର, ତଥା ମନରୁ ସମସ୍ତ ପ୍ରକାରର ସାଂସାରିକ ବିଚାରଗୁଡ଼ିକୁ ବହିଷ୍କାର କରିଦିଅ । ଚିତ୍ତର ପ୍ରତ୍ୟେକ କୋଣରେ ନାମ ରୂପ ମଧୁର ଗଙ୍ଗା ପାରିପ୍ଳାବିତ କରିଦିଅ । ଭକ୍ତିକୁ ଅବ୍ୟଭିଚାରିଣୀ କରିବା ପାଇଁ ପୂର୍ଣ୍ଣ ରୂପେ ପ୍ରଯତ୍ନ କର । ଏ ସାଧନା ପାଇଁ ତୁମକୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ ।

 

ତିନିମାସ କୃଷ୍ଣଙ୍କର ଉପାସନା, ତିନିମାସ ରାମଙ୍କର, ପୁଣି ତିନିମାସ ଶିବଙ୍କର, ପୁଣି ଶକ୍ତିଙ୍କର ଉପାସନା ଏପରି କଲେ ତୁମର କୌଣସି ଲାଭ ହେବନାହିଁ । ଏହାକୁ ବ୍ୟଭିଚାରିଣୀ ଭକ୍ତି କୁହାଯାଏ । ଯଦି ତୁମେ କୃଷ୍ଣଙ୍କର ଉପାସକ ତେବେ ଆଜୀବନ କେବଳ ତାଙ୍କରି ଉପାସନା କର । ଯେପରି ଖଟ, ଟେବୁଲ, ଚେୟାର, ଆଲମାରୀ ସମସ୍ତ ବସ୍ତୁରେ କାଠ ଥାଏ ସେହିପରି ସମସ୍ତ ବସ୍ତୁରେ କେବଳ କୃଷ୍ଣଙ୍କର ରୂପ ଦେଖ । ଏହା ଅନନ୍ୟ ଭକ୍ତି ଅଟେ । ଏହାକୁ ପରା ଭକ୍ତି କୁହାଯାଏ-

 

ମନ୍ତ୍ର ଜପ ସମୟରେ ମନରେ ସାତ୍ତ୍ଵିକ ଭାବନା ବା ଶୁଭ ଭାବନାର ଜାଗରଣ କର । ଚିତ୍ତ ମଳଶୂନ୍ୟ ହେଲେ ସାତ୍ତ୍ଵିକ ଭାବନା ସ୍ଵତଃ ଉତ୍ପନ୍ନ ହେବାକୁ ଲାଗିବ । ଜପ କରିବାବେଳେ ଯେଉଁ ମାନସିକ ସ୍ପନ୍ଦନ ବିକଶିତ ହେଉଥାଏ ତଦ୍ଦ୍ଵାରା ଚିତ୍ତର ପ୍ରକ୍ଷାଳନ ହେଉଥାଏ ତଥା ଶୁଦ୍ଧିର ଅବତରଣ ହେବାକୁ ଲାଗେ ।

 

ଜପ ଅଭ୍ୟାସ ପାଇଁ ଏକ ମାଳା ରଖିବା ଉଚିତ । କିଛିକାଳ ପରେ ଅଭ୍ୟାସ ହୋଇଗଲେ ମାଳାର ବିନା ସାହାଯ୍ୟରେ ତୁମେ ମାନସିକ ଜପ ମଧ୍ୟ କରିପାର । ଜପର ମାତ୍ରା ଯେତେ ବୃଦ୍ଧି ହେବାକୁ ଲାଗିବ ହୃଦୟ ମଧ୍ୟ ସେହି ବେଗରେ ଶୁଦ୍ଧ ହେବାକୁ ଲାଗିବ । ସାଧକ ଏହି ଶୁଦ୍ଧିର ପ୍ରତ୍ୟକ୍ଷ ଅନୁଭବ କରିପାରେ । ସାଧକର ନିଜର ଗୁରୁମନ୍ତ୍ର ଉପରେ ଅବିଚଳ ଶ୍ରଦ୍ଧା ଏବଂ ବିଶ୍ଵାସ ଥିବା ଉଚିତ । ଜପ କରିବାର ମନ୍ତ୍ର ଯେତେ ସଂକ୍ଷିପ୍ତ ହେବ, ଧାରଣା ଶକ୍ତି ସେତିକି ଦୃଢ଼ ହେବ । ସମସ୍ତ ମନ୍ତ୍ର ମଧ୍ୟରେ ରାମ-ନାମ ସର୍ବୋତ୍ତମ ଅଟେ । ଏହା ଜପ ଅତ୍ୟନ୍ତ ସରଳ ଏବଂ ବେଗବାନ ଅଟେ ।

 

ମନେରଖ

 

ଜପ ହୃଦୟକୁ ଶୁଦ୍ଧ କରେ ।

 

ଜପ ମାନସିକ ଶକ୍ତିକୁ ସୁଦୃଢ଼ କରେ ।

 

ଜପ ଷଡ଼ରିପୁ ବିନାଶ କରେ ।

 

ଜପ ଆବାଗମନ ନିବାରଣ କରେ ।

 

ଜପ ପାପର ରାଶିକୁ ଦଗ୍‍ଧ କରେ ।

 

ଜପ ଦ୍ଵାରା ସମସ୍ତ ସଂସ୍କାର ଭସ୍ମୀଭୂତ ହୁଏ ।

 

ଜପ ସାଧକର ସମସ୍ତ ବନ୍ଧନ ଛିନ୍ନ କରେ ।

 

ଜପ ଦ୍ଵାରା ବୈରାଗ୍ୟର ଅବତରଣ ହୁଏ ।

 

ଜପ ଆମର ଅନିୟନ୍ତ୍ରିତ ଏବଂ ବହୁଳ ବିକ୍ଷିପ୍ତ ଇଚ୍ଛାଗୁଡ଼ିକୁ ଦମନ କରେ ।

 

ଜପ ଆମକୁ ନିର୍ଭୀକ କରେ ।

 

ଜପ ଆମର ଭ୍ରମ ନିବାରଣ କରେ ।

 

ଜପ ସାଧକକୁ ଅମର-ଶାନ୍ତି ପ୍ରଦାନ କରେ ।

 

ଜପ ଭଗବାନ ସହିତ ଭକ୍ତର ମିଳନ କରାଏ ।

 

ଜପ ଦ୍ଵାରା କୁଣ୍ଡଳିନୀ ଶକ୍ତି ଜାଗ୍ରତ ହୁଏ ।

 

ଜପ ଆମକୁ ଆଧ୍ୟାତ୍ମିକତାରେ ଦୀକ୍ଷିତ କରେ ।

 

ଜପ ଦ୍ଵାରା ଆମର ଅନ୍ନମୟ ଶରୀରର ରହସ୍ୟମୟ ରୀତିରେ ପ୍ରକ୍ଷାଳନ ହୋଇଥାଏ ।

 

ଜୀବନର ସମସ୍ତ ଆବିଳତା କେବଳ ଜପଦ୍ଵାରା ପ୍ରକ୍ଷାଳନ କରା ଯାଇପାରେ ।

 

ଯଦି ତୁମେ ନିଜର ଆରାଧ୍ୟ ଦେବର ମୂର୍ତ୍ତିରେ ନିଜକୁ ଲୟ ନ କରି ପାରୁଥାଅ ତେବେ ଜପରୁ ବାହାରୁଥିବା ଧ୍ୱନି ଶୁଣିବା ପାଇଁ ଚେଷ୍ଟା କର । ଅଥବା ମନ୍ତ୍ରର ବର୍ଣ୍ଣ ଉପରେ ସାର୍ଥ ବିଚାର କର । ବର୍ତ୍ତମାନ ତୁମର ଧ୍ୟାନ ଏକତ୍ର ହେବାକୁ ଲାଗିବ ।

 

ଏହି କଳିଯୁଗରେ ରାମ ନାମ ହିଁ ଏକମାତ୍ର ସୁଯୋଗ୍ୟ ବୈଦ୍ୟ ଅଟେ, ଯାହାଦ୍ଵାରା ଭବରୋଗର ଉପଚାର କରାଯାଇପାରେ । ରାମ ନାମର ସାଧକ ପାଖରେ ଯମର ଦୂତ ମଧ୍ୟ ପ୍ରବେଶ କରି ପାରେ ନାହିଁ ।

 

ଯେ କୌଣସି ମୁହୂର୍ତ୍ତରେ ମୃତ୍ୟୁ ଆକ୍ରମଣ କରିପାରେ । ଯେ କୌଣସି ସମୟରେ ସେ ଆମକୁ ତାହାର ପଞ୍ଝାତଳେ ଦବାଇ ଦେଇପାରେ । ଜୀବନ କେବଳ ଖାଇ ପିଇ ମୌଜ କରି ନଷ୍ଟ କରିବା ପାଇଁ ଆମକୁ ମିଳି ନାହିଁ । ଅନେକ ଜନ୍ମର ପୁଣ୍ୟ ବଳରେ ମନୁଷ୍ୟ ଜନ୍ମ ମିଳିଥାଏ । ଏଣୁ ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କର ନାମ ନେଇ ଜୀବନକୁ ସାର୍ଥକ କରିବା ଉଚିତ ।

 

ଜପର ଅଭ୍ୟାସ ଦ୍ଵାରା ପଞ୍ଚକ୍ଲେଶ ଏବଂ ତିନି ପ୍ରକାର ବ୍ୟାଧି ଦୂର ହୋଇଥାଏ । ଯେପରି ଅଗ୍ନି ବିଶାଳତମ ତୁଳାର ପାହାଡ଼କୁ କ୍ଷଣକେ ଜାଳିଦିଏ ସେହିପରି ଜପ ମଧ୍ୟ ସମସ୍ତ କର୍ମକୁ ଜାଳିଦିଏ ।

 

ଜଳଦ୍ଵାରା ଯେପରି ଅପରିଷ୍କାର ଆବର୍ଜନାକୁ ପରିଷ୍କାର କରା ଯାଇପାରେ, ଜପ ଦ୍ଵାରା ସେହିପରି ଦୂଷିତ ଏବଂ ଆବିଳ ଜୀବନକୁ ନିର୍ମଳ କରାଯାଇପାରେ ।

 

ଯେଉଁ ସାଧକର ଈଶ୍ଵର ଦର୍ଶନ ପାଇଁ ତୀବ୍ର ଆକାଂକ୍ଷା ଥାଏ, ତାହାର ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରିବା ଉଚିତ । ପଦ୍ମାସନରେ ବସି ପ୍ରେମ ଏବଂ ଭାବ ସହିତ ମାଳା ଜପ କରିବା ଉଚିତ । ମାନସିକ ଜପର ଅଭ୍ୟାସ ତଥା କେବେ କେବେ ମୃଦୁସ୍ଵରରେ କୀର୍ତ୍ତନ ମଧ୍ୟ କରାଯାଇପାରେ । ଗଙ୍ଗା କୂଳରେ ନିବାସ କରି କିଛି ଦିନ ଅନୁଷ୍ଠାନ ଇତ୍ୟାଦି କରିବା ଉଚିତ । ଦୁଗ୍ଧାହାର ବା ଫଳାହାରରେ ତଥା କେବେ କେବେ ଉପବାସ ମଧ୍ୟ ରହିବା ଉଚିତ ।

 

ଏପରି ଶକ୍ତିଶୀଳ ସାଧକକୁ ଚିତ୍ତଶାନ୍ତି ମିଳିଥାଏ, ତଥା ଦିବ୍ୟ ଅନୁଭବ ମଧ୍ୟ ମିଳିଥାଏ । ଏହିପରି ସେ ଭଗବାନଙ୍କୁ ପ୍ରସନ୍ନ କରେ ଏବଂ ଭଗବତ୍ ଅନୁଗ୍ରହର ଭାଗୀ ହୋଇଥାଏ, ଯଦ୍ଦ୍ଵାରା ତାହାକୁ ପୂର୍ଣ୍ଣାନନ୍ଦ, ପରମ ସିଦ୍ଧି ଏବଂ ଅମରତ୍ଵ ମିଳିଥାଏ ।

 

ଜପର ତେଜ ଯୋଗୁଁ ତାର ମୁଖମଣ୍ଡଳରେ ଦିବ୍ୟ ତେଜ ଫୁଟି ଉଠେ । ତାର ଜୀବନ ପ୍ରକାଶମୟ ହୋଇ ଉଠେ । ତାର ଚକ୍ଷୁରେ ଆକର୍ଷଣ, ମୁଖରେ କାନ୍ତି, ବାଣୀରେ ମୋହିନୀ ଶକ୍ତି ତଥା ବ୍ୟବହାରରେ ମାଧୁର୍ଯ୍ୟ ପ୍ରସ୍ଫୁଟିତ ହୁଏ । ଋଦ୍ଧି, ସିଦ୍ଧି ତାହାର ଆଜ୍ଞା ପାଳନ କରିବାକୁ ତତ୍ପର ଥାଆନ୍ତି । ଏହିପରି ତାହାର ଜୀବନ ସାର୍ଥକ ଏବଂ ସଫଳ ହୋଇଥାଏ ।

Image

 

ତୃତୀୟ ଅଧ୍ୟାୟ

ମନ୍ତ୍ର ବିଷୟରେ

 

(୧) ପ୍ରଣବ ମନ୍ତ୍ର

 

‘ଓଁ’ ପ୍ରତ୍ୟେକ ବସ୍ତୁ-ସ୍ଥିତିର ପ୍ରତୀକ ଅଟେ । ଓଁ ଈଶ୍ଵରଙ୍କର ନାମ ବା ତାଙ୍କର ପ୍ରତିରୂପ ଅଟେ । ସମସ୍ତଙ୍କର ବାସ୍ତବିକ ନାମ ଓଁ ଅଟେ । ମନୁଷ୍ୟର ତିନିପ୍ରକାର ଅନୁଭବ ଓଁ ଭିତରେ ହିଁ ସନ୍ନିହିତ ଥାଏ । ଓଁ ସମସ୍ତ ପ୍ରକୃତିର ନିଦର୍ଶକ ଅଟେ । ବାସ୍ତବିକ ଓଁ ରୁ ହିଁ ଏହି ବ୍ୟକ୍ତ ଜଗତର ଉତ୍ପତ୍ତି ହୋଇଅଛି । ସଂସାରର ସତ୍ତା ଶେଷରେ ଓଁ ରେ ହିଁ ବିଲୀନ ହୋଇଯାଏ । ଅବର୍ଣ୍ଣ ସ୍ଥୂଳ ଜଗତକୁ ବ୍ୟକ୍ତ କରେ । ‘ଉ’ ଅନ୍ତର୍ଜଗତକୁ ଅଭିବ୍ୟକ୍ତ କରେ ; ଯାହାର ଆତ୍ମା କି ତେଜସ ଅଟେ । 'ମ'ରେ ଜଗତର ସାମୂହିକ ସୁଷୁପ୍ତାବସ୍ତା ସନ୍ନିହିତ ଯାହାକି ସାଧାରଣ ଚେତନାକୁ ଅତିକ୍ରମ କରି ରହିଥାଏ । ଓଁ ସମସ୍ତ ସୃଷ୍ଟିର ପ୍ରତୀକ ଅଟେ, ଯାହା କି ସମସ୍ତ ବିଚାର ଏବଂ ବୁଦ୍ଧିର ଆଧାର ଅଟେ-। ଓଁ ସମସ୍ତ ଶବ୍ଦର ବିଶାଳ ଗର୍ଭ ଅଟେ । ସମସ୍ତ କାର୍ଯ୍ୟ ଓଁ ମଧ୍ୟରେ ହିଁ କେନ୍ଦ୍ରୀଭୂତ । ଅତଃ ଓଁ ହିଁ ସମସ୍ତ ବ୍ରହ୍ମାଣ୍ଡର ସ୍ରଷ୍ଟା । ସଂସାର ଓଁ ମଧ୍ୟରେ ହିଁ ସ୍ଥିତ ରହେ ଏବଂ ଶେଷରେ ଓଁ ରେ ହିଁ ପ୍ରଳୟ ପ୍ରାପ୍ତ ହୁଏ । ଧ୍ୟାନ ବା ଜପ ପାଇଁ ବସିଲାବେଳେ ତିନି ଥର ବା ଛଅଥର ଗମ୍ଭୀର ସ୍ଵରରେ ଓଁ ଓଁ ଜପ କର । ଏହା ତୁମର ଅନ୍ତଃକରଣସ୍ଥ ସମସ୍ତ ସାଂସାରିକ ବିଚାରଗୁଡ଼ିକୁ ଦୂର କରିଦେବ ଏବଂ ଚିତ୍ତକୁ ଏକାଗ୍ର କରିବ ।

 

ପ୍ରବଣ ଜପର ପ୍ରଭାବ ମସ୍ତକ ଉପରେ ଅଦ୍ଭୁତ ଭାବେ ପଡ଼େ । ପ୍ରଣବର ଉଚ୍ଚାରଣ ଏତେ ପବିତ୍ର ଏବଂ ସାର-ଗର୍ଭିତ ଯେ, ଯେ ଏହାର ମଧୁର ଧ୍ୱନି ଶ୍ରବଣ କରେ ସେ ସ୍ତବ୍ଧ ହୋଇଯାଏ । ଓଁ ର ସ୍ପନ୍ଦନ ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ଅଟେ । ଓଁ ର ଉଚ୍ଚାରଣ ଏବଂ ତାହାର ପ୍ରତିକ୍ରିୟା କୋମଳମନା ଛାତ୍ରମାନଙ୍କ ଉପରେ ଅଦ୍ଭୁତ ପ୍ରଭାବ ପକାଇଥାଏ । ଏହାର ସ୍ପନ୍ଦନ ଦ୍ଵାରା ସମସ୍ତ ଶରୀରର ବିଦ୍ୟୁତ୍‍ସ୍ଫୁରଣ ପ୍ରସାରିତ ହୋଇଥାଏ । ଶରୀର ଭିତରେ ଯେଉଁ ସ୍ଵାଭାବିକ ଜଡ଼ତା ଥାଏ ତାହା ନିବାରଣ କରିବା ପାଇଁ ଗମ୍ଭୀର ସ୍ଵରରେ ଓଁ ର ଉଚ୍ଚାରଣ କରାଯାଇପାରେ ।

 

(୨) ହରିନାମ

 

ମନ୍ତ୍ରର ଛଅଗୋଟି ଅଂଗ ଥାଏ । ପ୍ରତ୍ୟେକ ମନ୍ତ୍ରର ଏକ ଋଷି ଥାନ୍ତି ଯେଉଁ ଋଷି କି ଏହି ମନ୍ତ୍ର ଦ୍ଵାରା ସର୍ବପ୍ରଥମେ ସାକ୍ଷାତ୍କାର କରିଛନ୍ତି ତଥା ପରେ ଏ ମନ୍ତ୍ର ଅନ୍ୟକୁ ଦେଇଛନ୍ତି । ଗାୟତ୍ରୀ ମନ୍ତ୍ରର ଋଷି ବିଶ୍ଵାମିତ୍ର ଅଟନ୍ତି । ପ୍ରତ୍ୟେକ ମନ୍ତ୍ର ବୃତ୍ତାତ୍ମକ ବା ଛନ୍ଦାତ୍ମକ ହୋଇଥାଏ । ପ୍ରତ୍ୟେକ ମନ୍ତ୍ରର ବୀଜ ମଧ୍ୟ ଥାଏ । ଏହା ମନ୍ତ୍ରକୁ ଶକ୍ତି ପ୍ରଦାନ କରେ । ଷଷ୍ଠ ଅଂଗ ହେଉଛି କୀଳକ, ଯାହାକୁ ସ୍ତମ୍ଭ କୁହା ଯାଇପାରେ । ଏଥିରେ ମନ୍ତ୍ର ଚୈତନ୍ୟ ଗୂଢ଼ରୂପେ ନିହିତ ଥାଏ । କୀଳକ ସ୍ଥାନାନ୍ତରିତ ହେଲେ ମନ୍ତ୍ରନିହିତ ଚୈତନ୍ୟ ସ୍ପଷ୍ଟ ହୋଇଯାଏ ଏବଂ ଭକ୍ତ ଇଷ୍ଟ ଦେବତାର ଦର୍ଶନ ଲାଭ କରିପାରେ ।

 

ହରେର୍ନାମ, ହରେର୍ନାମ, ହରେର୍ନାମୈବ କେବଳମ୍, କଳୌ ନାସ୍ତ୍ୟୈବ ନାସ୍ତ୍ୟୈବ ନାସ୍ତ୍ୟୈବ ଗତିରନ୍ୟଥା । ଏ କଳିଯୁଗରେ କେବଳ ହରିନାମ ହିଁ ସାର ଅଟେ । ମୋକ୍ଷ ପ୍ରାପ୍ତି ପାଇଁ ଅନ୍ୟ କୌଣସି ସାଧନ ଏ ଯୁଗରେ ନାହିଁ ।

 

'ରାମ ନ ସକହିଁ ରାମ ଗୁଣ ଗାଇ'–ଏପରିକି ରାମ, ସ୍ଵୟଂ ଈଶ୍ଵର ମଧ୍ୟ ନାମର ମହିମା ଠିକ୍ ଠିକ୍ ବର୍ଣ୍ଣନ କରିପାରନ୍ତି ନାହିଁ । ମନୁଷ୍ୟ ତ ଛାର । କଳିଯୁଗରେ ନାମହିଁ କେବଳ ଏକମାତ୍ର ଆଶ୍ରୟ ଅଟେ । ତୁଳସୀ ଦାସ କହନ୍ତି କି–ଯଦି ତୁମେ ଭିତର-ବାହାର ଉଭୟ ପ୍ରକାଶମୟ ହେବାକୁ ଚାହଁ ତେବେ ଜିହ୍ଵାରୂପ ଦ୍ଵାରରେ ରାମ–ନାମରୂପ ମଣିମୟ ଦୀପ ଜଳାଇ ରଖ ।

 

ଓଲଟା ନାମ ଜପ କରି ବାଲ୍ମୀକି ଯେ ବ୍ରହ୍ମ ହୋଇଗଲେ ଏକଥା ଏ ସଂସାର ଜାଣେ । ଯେତେବେଳେ ଓଲଟା ମରାନାମର ଏପରି ପ୍ରଭାବ, ତେବେ ସତ୍ୟ ରାମ-ନାମର ପ୍ରଭାବ ବା ମହିମା କିଏ ବା ବର୍ଣ୍ଣନା କରିବାକୁ ସକ୍ଷମ ହେବ ?

 

ମୃତ୍ୟୁକାଳ ନିକଟରୁ ନିକଟତର ହୋଇ ଆସୁଛି । ଏ କଥା ସର୍ବଦା ସତର୍କ ଘଣ୍ଟି ଆମକୁ ଚେତାଇ ଦିଏ । ହେ ମନୁଷ୍ୟ, ରାମ ନାମ ରଟନା କର ନଚେତ୍ ଶେଷରେ ଅନୁତାପ କରିବାକୁ ପଡ଼ିବ ।

 

ଗୋସ୍ଵାମୀ ତୁଳସୀ ଦାସ କହିଛନ୍ତି କି ରାମ ନାମ କେବେ ବିଫଳ ଯାଏ ନାହିଁ ଯେପରି ବାଲ୍ୟକାଳରେ ସନ୍ତରଣ କରି ଶିଖିଥିଲେ ଭବିଷ୍ୟତରେ କେବେ କାମରେ ଆସେ, ସେହିପରି ଜ୍ଞାତରେ ବା ଅଜ୍ଞାତରେ ନିଆଯାଇଥିବା ନାମ କେବେ ନା କେବେ ନିଶ୍ଚୟ ଫଳ ପ୍ରଦାନ କରିବ ।

 

ଯେଉଁମାନଙ୍କର ଏ ଉକ୍ତିରେ ବିଶ୍ୱାସ ନ ଥାଏ, ସେମାନେ କିଛି ଦିନ ଏହାର ଜପ କରି ପରୀକ୍ଷା କରି ଦେଖି ପାରନ୍ତି । ବ୍ୟର୍ଥ ବାଦ-ବିବାଦ, ତର୍କ-ବିତର୍କରେ ସମୟ ନଷ୍ଟ କରିବା ମୂର୍ଖତା ମାତ୍ର । ଜୀବନ କାଳ ଅତ୍ୟନ୍ତ ଅଳ୍ପ । ସମୟ ତୀବ୍ର ବେଗରେ ଅତିବାହିତ ହୋଇଯାଉଛି, ଶରୀରର ଶକ୍ତି କ୍ରମେ ଶିଥିଳ ହୋଇଯାଉଛି । ସଂସାରର ସମସ୍ତ ବସ୍ତୁ ନାଶଶୀଳ, ଅତଏବ ଶୀଘ୍ର ରାମ ନାମର ଶରଣ ଗ୍ରହଣ କର ଏବଂ ଭବ ବନ୍ଧନରୁ ମୁକ୍ତ ହୋଇଯାଅ ।

 

(୩) କଳିସନ୍ତରଣୋପନିଷଦ୍ ।

 

ଦ୍ଵାପର ଯୁଗର ଶେଷରେ ନାରଦ ଋଷି ବ୍ରହ୍ମାଙ୍କ ପାଖକୁ ଯାଇ ପଚାରିଲେ– ହେ ଭଗବାନ୍ ! ମୁଁ ଏହି ସଂସାରରେ ରହି କଳି ଯୁଗକୁ କିପରି ଅତିକ୍ରମ କରିବି ? ବ୍ରହ୍ମା କହିଲେ, ଶ୍ରୁତି, ସ୍ମୃତି, ପୁରାଣର ସାର ଏକ ମନ୍ତ୍ର ମୁଁ ତୁମକୁ କହିବି, ଯଦ୍ଦ୍ଵାରା ମନୁଷ୍ୟ କଳିଯୁଗ ଅତିକ୍ରମ କରିପାରେ-। କେବଳ ନାରାୟଣଙ୍କର ନାମ ନେଲେ ମନୁଷ୍ୟ ଉପରେ କଳିଯୁଗର ପ୍ରଭାବ ପଡ଼ିବ ନାହିଁ । ନାରଦ ପୁଣି ଅନୁରୋଧ କଲେ କି ମୋତେ ସେହି ନାମର ଉପଦେଶ ଦିଅନ୍ତୁ !

 

ବ୍ରହ୍ମା କହିଲେ—

 

ହରେ ରାମ ହରେ ରାମ ରାମ ରାମ ହରେ ହରେ

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।

 

ଏହି ଷୋଳନାମ ଆମର ସନ୍ଦେହ, ଭ୍ରମ ତଥା କଳିଯୁଗର ଅପବିତ୍ର ପ୍ରଭାବକୁ ଦୂର କରି ଦେଇପାରେ । ଏହା ଅଜ୍ଞାନ-ଅନ୍ଧକାର ନାଶ କରେ । ଠିକ୍ ଯେପରି ମଧ୍ୟାହ୍ନ ସମୟରେ ଦିବାକର ନିଜର ପୂର୍ଣ୍ଣ ତେଜ ସହିତ ଉଦ୍‍ଭାସିତ ହୁଅନ୍ତି, ସେହିପରି ପରଂବ୍ରହ୍ମ ନିଜର ପୂର୍ଣ୍ଣ ପ୍ରକାଶ ସହିତ ଆମର ହୃଦୟାକାଶରେ ପ୍ରକାଶିତ ହୁଅନ୍ତି ଏବଂ ସମସ୍ତ ସଂସାରରେ ଆମେ କେବଳ ତାଙ୍କରି ସତ୍ତା ଅନୁଭବ କରୁଁ ।

 

ନାରଦ ପଚାରିଲେ, ଏହାର ଜପ କରିବା ସମୟରେ କି ପ୍ରକାର ନିୟମ ନିଷ୍ଠା ପାଳନ କରିବାକୁ ହେବ ସେ ବିଷୟରେ ଉପଦେଶ ଦିଅନ୍ତୁ । ତାର ଉତ୍ତରରେ ବ୍ରହ୍ମା କହିଲେ କି ଏହି ନାମ ଜପ କରିବା ପାଇଁ କୌଣସି ନିୟମର ବନ୍ଧନ ନ ଥାଏ । ଯେ କୌଣସି ବ୍ୟକ୍ତି ଯେ କୌଣସି ସ୍ଥାନରେ, ଏବଂ ଯେ କୌଣସି ଅବସ୍ଥାରେ ଏହାର ଜପ କରିପାରେ । ଶେଷରେ ସେ ପରମଧାମର ଅଧିକାରୀ ହୋଇଥାଏ ।

 

ଯଦି କୌଣସି ବ୍ୟକ୍ତି ସାଢ଼େ ତିନିକୋଟି ଥର ଏହି ଷୋହଳ ନାମଯୁକ୍ତ ମହାମନ୍ତ୍ର ଜପ କରିପାରେ ସେ ସମସ୍ତ ପାପରୁ ମୁକ୍ତ ହୋଇଯାଏ । ଏପରିକି, ସୁବର୍ଣ୍ଣଚୋରି, ନୀଚ ଜାତିର ସ୍ତ୍ରୀ ସହିତ ସହବାସ, ବ୍ରହ୍ମହତ୍ୟା ଇତ୍ୟାଦି ମହାପାତକରୁ ମଧ୍ୟ ସେ ମୁକ୍ତ ହୁଏ । ମନୁଷ୍ୟ, ଦେବତା, ପଶୁ, ପିତୃ ଇତ୍ୟାଦିଙ୍କ ପ୍ରତି କରିଥିବା ଅପରାଧର ଫଳ ମଧ୍ୟ ତାହାକୁ ଭୋଗ କରିବାକୁ ପଡ଼େ ନାହିଁ-। ସେ ସଂସାରର ସମସ୍ତ ବନ୍ଧନରୁ ମୁକ୍ତି ଲାଭ କରି ଈଶ୍ଵରଙ୍କର ସାନିଧ୍ୟ ଲାଭ କରେ-। ଏହା କୃଷ୍ଣ ଯଜୁର୍ବେଦର କଳିସନ୍ତରଣୋପନିଷଦ ଅଟେ । ବଂଗଦେଶରେ ଏହାର ପ୍ରଚାର ଖୁବ୍ ବ୍ୟାପକ ଭାବେ ରହିଛି । ଏହା ବୈଷ୍ଣବ (ଗୌଡ଼ୀୟ ) ସଂପ୍ରଦାୟର ପ୍ରିୟ ମନ୍ତ୍ର ଅଟେ ।

 

ଜପ ବିଧାନ

 

କୌଣସି ମନ୍ତ୍ର ଅଥବା ଈଶ୍ଵର ନାମକୁ ବାରମ୍ବାର ଭକ୍ତି ଭାବରେ ଉଚ୍ଚାରଣ କରିବାକୁ ଜପ କୁହାଯାଏ ।

 

ସମସ୍ତ ମଧୁର ବସ୍ତୁମାନଙ୍କ ମଧ୍ୟରେ ମଧୁରତମ, ଉତ୍ତମ ବସ୍ତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ଏବଂ ପବିତ୍ର ବସ୍ତୁମାନଙ୍କ ମଧ୍ୟରେ ପବିତ୍ରତମ କେବଳ ଈଶ୍ଵରଙ୍କର ନାମ ହିଁ ଅଟେ । ଏହି ସଂସାର ସାଗରକୁ ପାର କରିବାପାଇଁ ହରିନାମ ସୁରକ୍ଷିତ ନୌକା ଅଟେ, ତଥା ଅହଂଭାବ ନଷ୍ଟ କରିବା ପାଇଁ ଏହା ଏକ ଅମୋଘ ଅସ୍ତ୍ର ।

 

ଜପ ତିନି ପ୍ରକାର । ଯଥା ମାନସିକ, ଉପାଂଶୁ ଏବଂ ବୈଖରୀ । ମାନସିକ, ଉପାଂଶୁ ଏବଂ ବୈଖରୀଠାରୁ ଅଧିକ ପ୍ରଭାବଶାଳୀ ।

 

ରାତ୍ରି ୪ଟାରେ ଶଯ୍ୟାତ୍ୟାଗ କରି ଜପ କର । ବ୍ରାହ୍ମମୁହୂର୍ତ୍ତ ଜପ ତଥା ଧ୍ୟାନ ପାଇଁ ଉପଯୁକ୍ତ ସମୟ ।

 

ଯଦି ତୁମେ ସ୍ନାନ କରି ନ ପାର ତେବେ ଗୋଡ଼, ହାତ, ମୁଖ ଧୋଇ, ଦାନ୍ତ ଘଷି ଜପ ପାଇଁ ବସିଯାଅ । କମ୍ବଳ, କୁଶାସନ ଅଥବା ମୃଗଚର୍ମ ଜପ ସାଧନ ପାଇଁ ପବିତ୍ର ଆସନ ଅଟେ । ତା’ ଉପରେ କୌଣସି ସ୍ଵଚ୍ଛ ବସ୍ତ୍ର ବିଛାଅ । ଏହାଦ୍ଵାରା ତୁମର ଶରୀରର ବିଦ୍ୟୁତ୍ ଶକ୍ତି ସୁରକ୍ଷିତ ରହିବ ।

 

ଜପ ଆରମ୍ଭ କରିବା ପୂର୍ବରୁ କୌଣସି ପ୍ରାର୍ଥନା କରିବା ଉଚିତ ।

 

ଧୀରସ୍ଥିର ଭାବେ ଏବଂ ଧାରଣାକୁ ନିଶ୍ଚଳ କର ବସ । ତୁମ ମଧ୍ୟରେ ଏତେ ଶାରୀରିକ ଏବଂ ଆତ୍ମିକ ଶକ୍ତି ଥିବା ଦରକାର, ଯଦ୍ଦ୍ଵାରା କି ତୁମେ ଅବିଚ୍ଛିନ୍ନ ଭାବେ ତିନି ଘଣ୍ଟା ପର୍ଯ୍ୟନ୍ତ ପଦ୍ମ ବା ସିଦ୍ଧାସନରେ ବସି ପାରିବ ।

 

ଯେତେବେଳେ ତୁମେ ଜପର ମନ୍ତ୍ର ଉଚ୍ଚାରଣ କରୁଛ, ଏପରି ମନେକର କି ଈଶ୍ଵର ତୁମର ହୃଦୟପଟଳ ଉପରେ ଆସୀନ ଏବଂ ତାଙ୍କର ପବିତ୍ରତା ଦ୍ଵାରା ତୁମର ଚିତ୍ତ, ହୃଦୟ ଗଦ୍‍ଗଦ୍ ହୋଇ ଉଠୁଛି । ତାଙ୍କର ସ୍ନିଗ୍ଧ, ପ୍ରକାଶମୟ ରୂପର ପ୍ରକାଶରେ ତୁମର ହୃଦୟ ଗଗନ ଉଦ୍ଭାସିତ ହୋଇଉଠୁଛି । ଏ କଥା ମଧ୍ୟ ସ୍ମରଣ କର କି ମନ୍ତ୍ର ତୁମର ହୃଦୟକୁ ସ୍ଵଚ୍ଛ କରିବାକୁ ଲାଗିଛି ତଥା ବାସନା ଏବଂ ଦୁର୍ବିଚାର ଇତ୍ୟାଦି ଦମନ କରୁଛି ।

 

ଜପରେ ଉଦ୍‍ବିଗ୍ନତା ରହିବା ଅନୁଚିତ ବା ଠିକାଦାର ପରି ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଦ୍ଧାରିତ ମନ୍ତ୍ର ସମାପ୍ତ କରିବା ପାଇଁ ବ୍ୟଗ୍ରତା କରିବା ଅନୁଚିତ । ଜପ ଏକାଗ୍ରଚିତ୍ତ ହୋଇ ଭାବ ସହିତ ଏବଂ ଭକ୍ତିପୂର୍ବକ କର ।

 

ମନ୍ତ୍ର ଶୁଦ୍ଧଭାବେ ଉଚ୍ଚାରଣ କର । ଉଚ୍ଚାରଣ ଅତି ଶୀଘ୍ର ବା ଅତି ମନ୍ଦ ହେବା ଅନୁଚିତ-। ମାଳା ଗଡ଼ାଇବା ସମୟରେ ତର୍ଜନୀ ଅଙ୍ଗୁଳି ପ୍ରୟୋଗ କରନାହିଁ । କେବଳ ବୃଦ୍ଧାଙ୍ଗୁଳି ମଧ୍ୟମା ତଥା ଅନାମିକାର ପ୍ରୟୋଗ କରିବା ବିଧେୟ । ଏକ ମାଳା ସମାପ୍ତ ହେଲେ ସୁମେରୁଠାରୁ (ମାଳା ମଧ୍ୟରେ ବଡ଼ ଦାନା) ପୁଣି ଓଲଟା ଜପ କର ଅର୍ଥାତ୍ ସୁମେରୁ ଡେଇଁ ଯାଅ ନାହିଁ । ଜପ କରିବା ସମୟରେ ହାତକୁ କୌଣସି ବସ୍ତୁ ବା ଗୋମୁଖୀ ଦ୍ଵାରା ଘୋଡ଼ାଇ ରଖ । ଧ୍ୟାନପୂର୍ବକ ଏକାଗ୍ରଚିତ୍ତ ହୋଇ ଜପ କର । ଯଦି ନିଦ୍ରା ଆକ୍ରମଣ କରେ ତେବେ ଛିଡ଼ାହୋଇ ଜପ କର ।

 

ନିଶ୍ଚିତ ସଂଖ୍ୟାର ଜପ କରି ନ ସାରିବା ପର୍ଯ୍ୟନ୍ତ ଆସନରୁ ନ ଉଠିବାକୁ ସ୍ଥିର କରି ରଖ-। ଅନ୍ତଃକରଣକୁ ଈଶ୍ଵରଙ୍କ ଆଡ଼କୁ ଆମୁଖ କରିବା ପାଇଁ ମାଳା ଅଙ୍କୁଶ ସଦୃଶ ଅଟେ-। କେବେ କେବେ ବିନା ମାଳାରେ ମଧ୍ୟ ଜପ କର । ଏପରି ଅବସ୍ଥାରେ ମାଳା ସ୍ଥାନରେ ଘଡ଼ିର ପ୍ରୟୋଗ କରାଯାଇପାରେ । ଘଡ଼ିରେ ସମୟ ଦେଖି ଏକ ନିଶ୍ଚିତ ସମୟ ପର୍ଯ୍ୟନ୍ତ ଜପ କରିବା ପାଇଁ ଦୃଢ଼ ବିଚାର କରିନିଅ ।

 

ଜପ ସହିତ ଧ୍ୟାନର ଅଭ୍ୟାସ କର । ଏହାକୁ ଜପ ସହିତ ଧ୍ୟାନ କୁହାଯାଏ । ଧୀରେ ଧୀରେ ଜପ ସ୍ଵୟଂ ଧ୍ୟାନରେ ପରିଣତ ହୋଇଯିବ । ଏହାକୁ ଜପରହିତ ଧ୍ୟାନ କୁହାଯାଏ । ପ୍ରତିଦିନ ଚାରି ଥର ଜପରେ ବସିବା ଉଚିତ । ପ୍ରାତଃକାଳ, ମଧ୍ୟାହ୍ନ ସମୟ, ସନ୍ଧ୍ୟା ତଥା ରାତ୍ରିରେ ଜପପାଇଁ ଆସନ ଲଗାଅ ।

 

ଭଗବାନ ବିଷ୍ଣୁଙ୍କର ଭକ୍ତ ଓଁ ନମୋ ନାରାୟଣାୟ, ଶିବଙ୍କର ଭକ୍ତ ଓଁ ନମଃ ଶିବାୟ, କୃଷ୍ଣଙ୍କର ଭକ୍ତ ଓଁ ନମୋ ଭଗବତେ ବାସୁଦେବାୟ, ରାମଙ୍କର ଭକ୍ତ ଓଁ ଶ୍ରୀ ରାମାୟ ନମଃ ବା ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଦେବୀଙ୍କର ଭକ୍ତ ଗାୟତ୍ରୀ ବା ଦୁର୍ଗାମନ୍ତ୍ର ଜପ କରିବା ଉଚିତ-। ରାମ, କୃଷ୍ଣ, ଶିବ ତଥା ପ୍ରତ୍ୟେକ ଦେବ ଦେବୀରେ ନିଜର ଇଷ୍ଟ ଦର୍ଶନ କର । ଅର୍ଥାତ୍ ପ୍ରତ୍ୟେକ ଦେବ ଦେବୀଙ୍କ ମଧ୍ୟରେ ସେହି ପରମେଶ୍ଵରଙ୍କୁ ଦର୍ଶନ କର ଯେ କି ଭକ୍ତର ହିତ ପାଇଁ ଭୂମି ଉପରେ ସାକାର ରୂପ ଧାରଣ କରନ୍ତି ।

 

ଜପ ସାଧନାରେ ନିୟମ ଏକାନ୍ତ ଅନିବାର୍ଯ୍ୟ । ପ୍ରତିଦିନ ଜପ ପାଇଁ ନିୟତ ସ୍ଥାନରେ ଏବଂ ନିର୍ଦ୍ଧାରିତ ସମୟରେ ବସିବା ଉଚିତ । ପୁରଶ୍ଚରଣରେ ମନ୍ତ୍ରର ପ୍ରତ୍ୟେକ ଅକ୍ଷର ପାଇଁ ଏକ ଲକ୍ଷ ମନ୍ତ୍ର ଜପ କରିବା ଉଚିତ । ଅର୍ଥାତ୍ ଯଦି ଏକ ମନ୍ତ୍ର ପାଞ୍ଚ ଅକ୍ଷର ବିଶିଷ୍ଟ ହୋଇଥାଏ (ଓଁ ନମଃ ଶିବାୟ) ତେବେ ପାଞ୍ଚ ଲକ୍ଷ ଥର ଜପ କଲେ ସେହି ମନ୍ତ୍ରର ପୁରଶ୍ଚରଣ ହୋଇଥାଏ ।

 

ଜପ ଆମ ସ୍ଵଭାବର ଏକ ଅଙ୍ଗ ହୋଇଯିବା ଉଚିତ । ଏପରିକି ସ୍ଵପ୍ନରେ ମଧ୍ୟ ମୁଖରୁ ମନ୍ତ୍ର ନିଃସରଣ ହେବା ଉଚିତ ।

 

ଈଶ୍ଵର ସାକ୍ଷାତକାର ପାଇଁ ଯେତେ ପ୍ରକାର ସାଧନ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ କରାଯାଇ ଅଛି ତନ୍ମଧ୍ୟରେ ନାମ ଜପ ସର୍ବାପେକ୍ଷା ସୁଗମ ଏବଂ ପ୍ରଭାବପ୍ରଦ ଅଟେ । ଏହା ନିଶ୍ଚୟତଃ ଭକ୍ତକୁ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରାଏ । ଯେଉଁ ଋଦ୍ଧି, ସିଦ୍ଧି ପାଇବା ପାଇଁ ହଠଯୋଗୀ କଠିନ ଯୋଗ ସାଧନା କରିଥାନ୍ତି ତାହା କେବଳ ନାମ ଜପ ଦ୍ଵାରା ଭକ୍ତକୁ ଅକ୍ଳେଶରେ ଅଳ୍ପ ସମୟ ମଧ୍ୟରେ ମିଳିଥାଏ ।

 

ହେ ମାନବ । ଈଶ୍ଵରଙ୍କର ଶରଣ ଗ୍ରହଣ କରି ସମସ୍ତ ପାପ ତାପରୁ ମୁକ୍ତି ଲାଭ କର, ଏଥିରେ ହିଁ ତୁମର କଲ୍ୟାଣ ନିହିତ । ନାମ ଏବଂ ନାମୀ ମଧ୍ୟରେ ତିଳେ ମାତ୍ର ଭେଦ ନାହିଁ । ଭଗବାନ ଏବଂ ଭଗବାନନ୍ନାମ ମଧ୍ୟରେ ଭେଦ କେଉଁଠି ? ନାମଜପ, ଭଗବାନଙ୍କର ସମ୍ମୁଖରେ ବା ସନ୍ନିଧରେ ରହିବା ତୁଲ୍ୟ ନୁହେଁ କି ?

 

(୫) କପ ପାଇଁ ମନ୍ତ୍ର

 

୧.

ଓଁ ଶ୍ରୀ ମହା ଗଣପତେୟ ନମଃ ।

୨.

ଓଁ ନମଃ ଶିବାୟ ।

୩.

ଓଁ ନମୋ ନାରାୟଣାୟ ।

୪.

ହରି ଓଁ ।

୫.

ହରି ଓଁ ତତ୍‍ସତ୍ ।

୬.

ହରେ ରାମ ହରେ ରାମ ରାମ ରାମ ହରେ ହରେ ।

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।

୭.

ଓଁ ନମୋ ଭଗବତେ ବାସୁଦେବାୟ ।

୮.

ଓଁ ଶ୍ରୀ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ନମଃ ।

୯.

ଓଁ ଶ୍ରୀ କୃଷ୍ଣାୟ ନମଃ ।

୧୦.

ଓଁ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ।

୧୧.

ଓଁ ଶ୍ରୀ ରାମାୟ ନମଃ ।

୧୨.

ଓଁ ଶ୍ରୀ ସୀତା ରାମଚନ୍ଦ୍ରାଭ୍ୟାଂ ନମଃ ।

୧୩.

ଶ୍ରୀ ରାମ ରାମେତି ରାମେତି ରାମେ ରାମେ ମନୋରମେ,

ସହସ୍ର ନାମ ତତ୍ତୁଲ୍ୟଂ ଶ୍ରୀ ରାମନାମ ବରାନନେ ।

୧୪.

ଆପଦାମପହର୍ତ୍ତାରଂ ଦାତାରଂ ସର୍ବ ସଂପଦାମ୍,

ଲୋକାଭିରାମଂ ଶ୍ରୀରାମଂ ଭୂୟୋ ଭୂୟୋ ନାମାମ୍ୟହମ୍ ।

୧୫.

ଆର୍ତାନାମାର୍ତିହନ୍ତାରଂ ଭୀତାନାଂ, ଭୀତିନାଶନମ୍,

ଦ୍ୱିଷତାଂ କାଳଦଣ୍ଡ˚ ତଂ ଶ୍ରୀରାମଚନ୍ଦ୍ରଂ ନମାମ୍ୟହମ୍ ।

୧୬.

ରାମାୟ ରାମଚନ୍ଦ୍ରାୟ ରାମଭଦ୍ରାୟ ବେଧସେ,

ରଘୁନାଥାୟ ନାଥାୟ ସିତାୟାଃପତୟେ ନମଃ ।

୧୭.

ସୀତାରାମ ।। ରାଧେଶ୍ୟାମ ।। ରାଧେକୃଷ୍ଣ ।।

୧୮.

ଓଁ ଶ୍ରୀରାମ ଶରଣ˚ ମମ ।

୧୯.

ଓଁ ଶ୍ରୀକୃଷ୍ଣ ଶରଣ˚ ମମ ।

୨୦.

ଓଁ ଶ୍ରୀ ସୀତାରାମ ଶରଣ˚ ମମ ।

୨୧.

ଓଁ ଶ୍ରୀ ରାମଚନ୍ଦ୍ର ଚରଣୌ ଶରଣ˚ ପ୍ରପଦେ

୨୨.

ଓଁ ଶ୍ରୀ ହନୁମତୟେ ନମଃ ।

୨୩.

ଓଁ ଶ୍ରୀ ସରସ୍ଵତ୍ୟୈ ନମଃ ।

୨୪.

ଓଁ ଶ୍ରୀ କାଳିକାୟୈ ନମଃ ।

୨୫.

ଓଁ ଶ୍ରୀ ଦୁର୍ଗାୟୈ ନମଃ ।

୨୬.

ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ନମଃ ।

୨୭.

ଓଁ ଶ୍ରୀ ଶରବଣଭବାୟ ନମଃ ।

୨୮.

ଓଁ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୃଷ୍ଟିବର୍ଦ୍ଧନମ୍,

ଊର୍ବାଋକମିବ ବନ୍ଧନାତ୍ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍ ।

୨୯.

ଓଁ ସୋଽହମ୍ ।

୩୦.

ଓଁ ଅହଂ ବ୍ରହ୍ମାସ୍ମି ।

୩୧.

ଓଁ ତତ୍ତ୍ଵମସି ।

 

ବିବିଧ ଗାୟତ୍ରୀ ମନ୍ତ୍ର

 

ଗଣେଶ ଗାୟତ୍ରୀ (୧)

୧.

ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ।

ତନ୍ନୋ ଦନ୍ତୀ ପ୍ରଚୋଦୟାତ୍ ।

 

 

ଗଣେଶ ଗାୟତ୍ରୀ (୨)

୨.

ଓଁ ତତ୍‍ପୁରୁଷାୟ ବିଦ୍ମହେ ବିକ୍ରତୁଣ୍ଡାୟ ଧୀମହି ।

ତନ୍ନୋଦନ୍ତୀ ପ୍ରଚୋଦୟାତ୍ ।

 

 

ବ୍ରହ୍ମା-ଗାୟତ୍ରୀ (୧)

୩.

ଓଁ ବେଦାତ୍ମନାୟ ବିଦ୍ମହେ ହିରଣ୍ୟଗର୍ଭାୟ ଧୀମହି ।

ତନ୍ନୋଃ ବ୍ରହ୍ମା ପ୍ରଚୋଦୟାତ୍ ।

 

 

ବ୍ରହ୍ମା-ଗାୟତ୍ରୀ (୨)

୪.

ଓଁ ଚତୁର୍ମୁଖାୟ ବିଦ୍ମହେ କମଣ୍ଡଳୁ ଧରାୟ ଧୀମହି ।

ତନ୍ନୋଃ ବ୍ରହ୍ମା ପ୍ରଚୋଦୟାତ୍ ।

 

 

ବିଷ୍ଣୁ-ଗାୟତ୍ରୀ (୧)

୫.

ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ।

ତନ୍ମୋ ବିଷ୍ଣୁଃ ପ୍ରଚୋଦୟାତ୍ ।

 

 

ନୃସିଂହ-ଗାୟତ୍ରୀ (୨)

୬.

ଓଁ ନୃସିଂହାୟ ବିଦ୍ମହେ ବଜ୍ରନଖାୟ ଧୀମହି ।

ତିନ୍ନୋ ନୃସିଂହଃ ପ୍ରଚୋଦୟାତ୍ ।

 

 

ରୁଦ୍ର-ଗାୟତ୍ରୀ (୧)

୭.

ଓଁ ତତ୍‍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ।

ତନ୍ନୋଃ ରୁଦ୍ରଃ ପ୍ରଚୋଦୟାତ୍ ।

 

 

ରୁଦ୍ର-ଗାୟତ୍ରୀ (୨)

୮.

ତତ୍ପୁରୁଷାୟ ବିଦ୍ମହେ ସହସ୍ରାକ୍ଷସ୍ୟ ମହାଦେବସ୍ୟ ଧୀମହି ।

ତନ୍ନୋଃ ରୁଦ୍ରଃ ପ୍ରଚୋଦୟାତ୍ ।

 

 

ସୂର୍ଯ୍ୟ-ଗାୟତ୍ରୀ (୧)

୯.

ଓଁ ଭାସ୍କରାୟ ବିଦ୍ମହେ ମହଦ୍ଦ୍ୟୁତକରାୟ ଧୀମହି ।

ତନ୍ନଃ ଭାନୁଃ ପ୍ରଚୋଦୟାତ୍ ।

 

 

ସୂର୍ଯ୍ୟ-ଗାୟତ୍ରୀ (୨)

୧୦.

ଓଁ ଆଦିତ୍ୟାୟ ବିଦ୍ମହେ ସହସ୍ର କିରଣାୟ ଧୀମହି ।

ତନ୍ନୋ ଭାନୁଃ ପ୍ରଚୋଦୟାତ୍ ।

 

 

ଦୁର୍ଗା-ଗାୟତ୍ରୀ

୧୧.

ଓଁ କାତ୍ୟାୟନୌ ବିଦ୍ମହେ କନ୍ୟାକୁମାର୍ଯ୍ୟୈ ଧୀମହି ।

ତିନ୍ନୋ ଦୁର୍ଗା ପ୍ରଚୋଦୟାତ୍ ।

 

(୬) ମନ୍ତ୍ରର ମହିମା

 

ମନ୍ତ୍ରକୁ ଦିବ୍ୟ-ଶକ୍ତି-ସମନ୍ଵିତ ଜାଣିବାକୁ ହେବ । ବାସ୍ତବରେ ମନ୍ତ୍ର ତଥା ତାହାର ଦେବତା ଅଭିନ୍ନ ଅଟନ୍ତି । ନିରନ୍ତର ମନ୍ତ୍ର ଜପ କଲେ, ଯେଉଁ ଶକ୍ତି ମନ୍ତ୍ରର ଦେବତାଠାରେ ଥାଏ, ତାହା ସାଧକକୁ ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟମନ୍ତ୍ରର ଜପ ଦ୍ଵାରା ଆରୋଗ୍ୟ, ଚିରାୟୁ, ଶକ୍ତି, ତେଜ ତଥା ବୁଦ୍ଧି ପ୍ରାପ୍ତ ହୋଇଥାଏ । ଶରୀର ସମସ୍ତ ରୋଗ ଦୂର ହୋଇଥାଏ; ବିଶେଷତଃ ନେତ୍ରର ରୋଗ ଦୂର କରିବା ପାଇଁ ସୂର୍ଯ୍ୟମନ୍ତ୍ର ରାମବାଣ ସଦୃଶ ଅଟେ । ସୂର୍ଯ୍ୟମନ୍ତ୍ର ଜପ କରୁଥିବା ସାଧକର କୌଣସି ଶତ୍ରୁ ଅନିଷ୍ଟ କରି ପାରେ ନାହିଁ । ପ୍ରାତଃକାଳରେ ସୂର୍ଯ୍ୟମନ୍ତ୍ରର ଜପ ଅତ୍ୟନ୍ତ ଲାଭ ଦାୟକ ଅଟେ । ଶ୍ରୀ ରାମଚନ୍ଦ୍ର ଏହି ମନ୍ତ୍ରଦ୍ଵାରା ରାବଣକୁ ପରାସ୍ତ କରି ପାରିଥିଲେ । ଏହି ମନ୍ତ୍ର ଅଗସ୍ତ୍ୟ ମୁନି ଶ୍ରୀରାମଙ୍କୁ ଶିଖାଇଥିଲେ ।

 

ବାସ୍ତବରେ ଦେବତାଙ୍କର ପ୍ରାର୍ଥନା କରିବା ପାଇଁ ମନ୍ତ୍ର ଏକ ରୂପ ଅଟେ, ଏକ ଉପାୟ ଅଟେ । ଏହାଦ୍ୱାରା ଆମେ ଈଶ୍ଵରଙ୍କଠାରୁ କୃପା ଏବଂ ରକ୍ଷାର ପ୍ରାର୍ଥନା କରିଥାଉଁ । ଲୟ ସହିତ ଧ୍ୱନିର ଲହର ରୂପର ନିର୍ମାଣ କରେ । ବିଶେଷ ମନ୍ତ୍ରର ଜପ ତାହାର ବିଶିଷ୍ଟ ଦେବତାର ରୂପ ନିର୍ମାଣ କରିଥାଏ । ଓଁ ଶ୍ରୀ ସରସ୍ଵତ୍ୟୈ ନମଃ—ସରସ୍ଵତୀ ମନ୍ତ୍ର ଜପ କଲେ ବୁଦ୍ଧି ତଥା ବିବେକ ଶକ୍ତିର ଅଭ୍ୟୁଦୟ ହୁଏ ତଥା ସାଧକ ବିଦ୍ୱାନ୍ ହୋଇଥାଏ । କବିତା ଲେଖିବାର ଶକ୍ତି ମିଳେ । ଭାଷଣ ଦେବାର ଶକ୍ତି ମଧ୍ୟ ସ୍ଵତଃ ଆସିଯାଏ । ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ନମଃ—ମନ୍ତ୍ରର ଜପ ତୁମର ନିର୍ଦ୍ଧନତା ଦୂର କରି ତୁମକୁ ଧନବାନ୍ କରିଦେବ । ଗଣେଶ ମନ୍ତ୍ର ତୁମର ଯେ କୌଣସି କାର୍ଯ୍ୟର ବାଧାବିଘ୍ନ ଦୂର କରି ତୁମର ସମସ୍ତ କାର୍ଯ୍ୟରେ ସଫଳତା ପ୍ରଦାନ କରିବ । ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ ସମସ୍ତ ପ୍ରକାର ଦୁର୍ଘଟଣାରୁ ତୁମକୁ ରକ୍ଷା କରିବ । ଅସାଧ୍ୟ ରୋଗ ମଧ୍ୟ ଦୂର କରିବାର ଶକ୍ତି ଏଥିରେ ଥାଏ । ଏହା ତୁମକୁ ଦୁଃଖ କଷ୍ଟରୁ ସୁରକ୍ଷିତ ରଖେ ଏବଂ ଚିରାୟୁ ତଥା ଅମରତ୍ଵ ପ୍ରଦାନ କରେ । ଏହା ମୋକ୍ଷଦାତା ଅଟେ ।

 

ମହାମୃତ୍ୟୁଞ୍ଜୟ ମନ୍ତ୍ରର ଅର୍ଥ—‘‘ଯେ କି ପ୍ରାଣୀମାନଙ୍କୁ ପାଳନ କରନ୍ତି, ସେହି ତ୍ରିନେତ୍ର ଶିବଙ୍କୁ ଆମେ ପ୍ରଣାମ କରୁଛୁଁ । ଯେପରି ଆମେ ଅମରତ୍ଵରେ ସ୍ଥିତ ହୋଇଯାଉଁ ତଥା ଯେପରି ପାଚିଲା କାକୁଡ଼ି ଲତାରୁ ଅଲଗା ହୋଇଯାଏ, ସେହିପରି ଶିବ ଆମକୁ ଆବାଗମନରୁ ମୁକ୍ତ କରନ୍ତୁ-।’’

 

ଓଁ ଶ୍ରୀ ଶରବଣଭବାୟ ନମଃ, ଶ୍ରୀ କାର୍ତ୍ତିକ ବା ସୁବ୍ରହ୍ମଣ୍ୟଙ୍କର ମନ୍ତ୍ର ଅଟେ । ଏହି ମନ୍ତ୍ର ତୁମକୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରଦାନ କରିବ । ତଥା ତୁମକୁ ଐଶ୍ଵର୍ଯବାନ କରିଦେବ । ଏହା ଅଶୁଭ ପ୍ରଭାବଗୁଡ଼ିକୁ ତୁମଠାରୁ ଦୂରରେ ରଖିବ । ଶ୍ରୀ ହନୁମାନଙ୍କର ମନ୍ତ୍ର ଓଁ ଶ୍ରୀ ହନୁମତେ ନମଃ ଜପ ତୁମକୁ ଶକ୍ତି ଏବଂ ବିଜୟ ପ୍ରଦାନ କରିବ । ପଞ୍ଚାକ୍ଷର ଏବଂ ଷୋଡ଼ଶାକ୍ଷର ମନ୍ତ୍ର ତୁମକୁ ଧନ, ଶକ୍ତି, ସ୍ଵତନ୍ତ୍ରତା ଇତ୍ୟାଦି ବରଦାନ ଦେଇପାରେ । ତୁମର ଇଚ୍ଛିତ ବସ୍ତୁ ତୁମକୁ ଏହି ମନ୍ତ୍ରଦ୍ଵାରା ମିଳିପାରେ । ଏ ସମସ୍ତ ବିଦ୍ୟା ତୁମର ଗୁରୁ ମୁଖରୁ ଶିକ୍ଷା କରିବା ଉଚିତ ।

 

ଗାୟତ୍ରୀ ମନ୍ତ୍ର, ପ୍ରଣବ ମନ୍ତ୍ର, ଓଁ ନମଃ ଶିବାୟ, ଅଥବା ଓଁ ନମୋ ନାରାୟଣାୟ କିମ୍ବା ଓଁ ନମୋ ଭଗବତେ ବାସୁଦେବାୟର ଜପ ଭାବ, ଶ୍ରଦ୍ଧା, ପ୍ରେମ ଏବଂ ବିଶ୍ୱାସର ସହିତ ସଓ୍ୱା ଲକ୍ଷ (ଏକ ଲକ୍ଷ ପଚିଶ ହଜାର) କଲେ ମନ୍ତ୍ର ସିଦ୍ଧି ପ୍ରାପ୍ତ ହେବ ।

 

ଓଁ, ସୋଽହମ୍, ଶିବୋଽହମ୍ ତଥା ଅହଂ ବ୍ରହ୍ମାସ୍ମି ମୋକ୍ଷ ମନ୍ତ୍ର ଅଟନ୍ତି । ଆତ୍ମ ସାକ୍ଷାତ୍କାର କରିବା ପାଇଁ ନିର୍ଗୁଣ ବ୍ରହ୍ମର ଉପାସକମାନେ ଏହି ମନ୍ତ୍ର ଜପ କରିଥାଆନ୍ତି । ଓଁ ଶ୍ରୀରାମାୟ ନମଃ, ଓଁ ନମୋ ଭଗବତେ ବାସୁଦେବାୟ, ଓଁ ନମୋ ନାରାୟଣାୟ ଇତ୍ୟାଦି ସଗୁଣ ବ୍ରହ୍ମର ମନ୍ତ୍ର ଅଟନ୍ତି । ଏହି ମନ୍ତ୍ରମାନଙ୍କର ଜପଦ୍ଵାରା ପ୍ରଥମେ ସଗୁଣ ବ୍ରହ୍ମର ସାକ୍ଷାତ୍କାର ହୋଇ ପରେ ନିର୍ଗୁଣ ବ୍ରହ୍ମରେ ଲୀନ କରାଇବ ।

 

ସର୍ପ ବା ବୃଶ୍ଚିକଦଂଶନର ବିଷନାଶ କରିବା ପାଇଁ ତୁମକୁ ମନ୍ତ୍ର ସିଦ୍ଧି ପ୍ରାପ୍ତ କରିବା ଉଚିତ । ଏଥିପାଇଁ ଗ୍ରହଣ ଦିନରେ ଜଳ ଭିତରେ ଛିଡ଼ା ହୋଇ ମନ୍ତ୍ର ଜପ କରିବାକୁ ପଡ଼େ । ଏହାଦ୍ଵାରା ମନ୍ତ୍ର ଅଧିକ ପ୍ରଭାବୋତ୍ପାଦକ ହୋଇଥାଏ । ସାଧାରଣ ଦିନମାନଙ୍କରେ ମଧ୍ୟ ଏମନ୍ତ ଜପ କରାଯାଇପାରେ । ସର୍ପ ବିଷ ଦୂର କରିବା ପାଇଁ ଚାଳିଶ ଦିନ ମନ୍ତ୍ର ଜପ କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ । ନିୟମ ପୂର୍ବକ ପ୍ରତିଦିନ ଶ୍ରଦ୍ଧା ଏବଂ ବିଶ୍ଵାସ ରଖି ଜପ କରିବାକୁ ହେବ । ପ୍ରାତଃକାଳ ସ୍ନାନାନ୍ତର ଜପ ପାଇଁ ବସିଯାଅ । ଚାଳିଶ ଦିନ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କର । କେବଳ ଦୁଧ ଏବଂ ଫଳାହାରରେ ରୁହ, ଅଥବା ଅତ୍ୟନ୍ତ ବିଧାନାନୁକୂଳ ଏବଂ ସାତ୍ତ୍ଵିକ ଆହାର କର ।

 

ମନ୍ତ୍ରଦ୍ଵାରା ଦୀର୍ଘକାଳୀନ ରୋଗର ଉପଚାର ମଧ୍ୟ କରାଯାଇପାରେ । ମନ୍ତ୍ରକୁ ସଙ୍ଗୀତ ରୂପେ ଉଚ୍ଚାରଣ କରିବା ଦ୍ଵାରା ମହାପ୍ରଭାବଶାଳୀ ସ୍ପୁରଣ ଉତ୍ପନ୍ନ ହୋଇଥାଏ, ଯଦ୍ଦ୍ୱାରା ଅନେକ ରୋଗର ଉପଚାର କରାଯାଇପାରେ । ଏହି ଉପଚାର ପ୍ରଣାଳୀ ଆଜିକାଲି ପାଶ୍ଚାତ୍ୟ ଦେଶରେ ଉଚିତ ସ୍ଥାନ ପାଇ ସାରିଛି । ଏହାକୁ ମୈଲୋଥିରପୀ କୁହାଯାଏ । ଏହା ଆମର ଶରୀର କୋଷର ପବିତ୍ର ସତ୍ତ୍ଵ ତଥା ଦିବ୍ୟ ଶକ୍ତିକୁ ଓତପ୍ରୋତ କରିଦିଏ । ଜୀବାଣୁ ଅଥବା ସୂକ୍ଷ୍ମ ଜୀବଗୁଡ଼ିକୁ ନାଶ କରି ଶରୀର କୋଷକୁ ସ୍ଵଚ୍ଛ ଏବଂ ସ୍ନାୟୁମଣ୍ଡଳକୁ ଶକ୍ତିଶାଳୀ କରିଦିଏ । ଏହି ମନ୍ତ୍ର ଚିତ୍ତର ପବିତ୍ରତା ଆଣିବା ପାଇଁ ଉତ୍ତମ ମାଧ୍ୟମ ଅଟେ । ଏହା ଶକ୍ତିବର୍ଦ୍ଧକ ଭିଟାମିନଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ, ତଥା ଅଲ୍‍ଟ୍ରାଭାୟୋଲେଟ କିରଣଠାରୁ ମଧ୍ୟ ଏହା ଅଧିକ ପ୍ରଭାବଶାଳୀ ।

 

ମନ୍ତ୍ର ସିଦ୍ଧିର ଦୁରୁପଯୋଗ କରିବା ଅନ୍ୟାୟ, ଅର୍ଥାତ୍ ଏହାଦ୍ଵାରା ଅନ୍ୟର ହାନି କରିବା ଅନୁଚିତ । ଯେଉଁମାନେ ମନ୍ତ୍ରଶକ୍ତିକୁ ଅନ୍ୟର ନାଶ ବା ଅନିଷ୍ଟ କରିବା ପାଇଁ ଉପଯୋଗ କରନ୍ତି ସେମାନେ ସ୍ଵୟଂ ଶେଷରେ ନାଶ ହୋଇଯାଆନ୍ତି ।

 

ଯେଉଁମାନେ ସର୍ପ, ବୃଶ୍ଚକର ଦଂଶନର ବିଷ ନାଶ କରିବା ପାଇଁ ରୋଗଗ୍ରସ୍ତ ବ୍ୟକ୍ତି ପ୍ରତି ମନ୍ତ୍ରର ପ୍ରୟୋଗ କରନ୍ତି ସେମାନେ କୌଣସି ଫିସ ବା ପାରିଶ୍ରମିକ ନେବା ଅନୁଚିତ, ଏପରିକି କୌଣସି ପ୍ରକାର ଉପହାର ମଧ୍ୟ ଏହି ମନ୍ତ୍ରର ବିନିମୟରେ ନେବା ଉଚିତ ନୁହେଁ । ଯଦି ନିଜର ସ୍ଵାର୍ଥ ପାଇଁ ମନ୍ତ୍ର ସିଦ୍ଧିର ପ୍ରୟୋଗ କରାଯାଉଥାଏ ତେବେ ସାଧକର ଶକ୍ତି ସମାପ୍ତ ହୋଇଯିବ । ମନ୍ତ୍ର ଶକ୍ତି କ୍ଷୀଣ ହୋଇଯିବ । କିନ୍ତୁ ଯଦି ନିଷ୍କାମ ଭାବରେ ମାନବ ଜାତିର ସେବା ଉଦ୍ଦେଶ୍ୟ ରଖି ମନ୍ତ୍ରର ପ୍ରୟୋଗ କରାଯାଏ ତେବେ ମନ୍ତ୍ରର ପ୍ରଭାବରେ ସାଧକର ଶକ୍ତି ଉତ୍ତରୋତ୍ତର ବୃଦ୍ଧି ପାଇବ । ଯେଉଁ ସାଧକ ମନ୍ତ୍ର ସିଦ୍ଧି ପ୍ରାପ୍ତ କରି ପାରିଛି ସେ କେବଳ ସ୍ପର୍ଶ ମାତ୍ରକେ ଦୀର୍ଘକାଳୀନ ରୋଗ, କୃଷ୍ଣ ନାଗର ଦଂଶନ ଇତ୍ୟାଦି କ୍ଷଣେକ ନିରାମୟ କରି ଦେଇପାରେ । ଏପରିକି ଯଦି ମନ୍ତ୍ରସିଦ୍ଧ ସର୍ପଦଂଶିତ ବ୍ୟକ୍ତିଠାରୁ ବହୁ ଦୂରରେ ଥାଏ ତେବେ ତାର ଦ୍ଵାରା ଖବର ପଠାଇଲେ ସେ ଖବର ପାଇବା ମାତ୍ରେ ମନ୍ତ୍ର ଉଚ୍ଚାରଣ କରେ, ଯଦ୍ଦ୍ୱାରା କି ସାପକାମୁଡ଼ା ବ୍ୟକ୍ତି ଉଠି ବସେ । କି ଅଦ୍‍ଭୂତ ଶକ୍ତି ଅଛି ମନ୍ତ୍ରରେ, ତାହା ଏଥିରୁ ସ୍ପଷ୍ଟ ଜଣାଯାଏ । ମନ୍ତ୍ରର ଦୀକ୍ଷା ନିଜର ଗୁରୁଙ୍କଠାରୁ ନିଅ । ଯଦି ସଦ୍‍ଗୁରୁ ଲାଭ କରିବାର ସୌଭାଗ୍ୟ ତୁମକୁ ମିଳି ନଥାଏ, ତେବେ ତୁମର ନିଜ ଆରାଧ୍ୟ ଦେବଙ୍କୁ ପ୍ରାର୍ଥନା କର ତଥା ତାଙ୍କର ବିଶେଷ ମନ୍ତ୍ର ଜପ କରିବାକୁ ଆରମ୍ଭ କରିଦିଅ ।

 

ମନ୍ତ୍ର ସିଦ୍ଧି ପ୍ରାପ୍ତ କରି ତୁମେ ସମସ୍ତେ ମନ୍ତ୍ରଯୋଗୀ ହୋଇପାରିବ । ମନ୍ତ୍ର ସିଦ୍ଧିଦ୍ଵାରା ତୁମେ ସଂସାରର ପ୍ରକୃତ ହିତକାରୀ ଏବଂ କଲ୍ୟାଣକାରୀ ହୋଇପାରିବ । ମନ୍ତ୍ର ଦ୍ଵାରା ସଂସାରର ପ୍ରତ୍ୟେକ ଭାଗକୁ ସ୍ପନ୍ଦନ ଶକ୍ତି ପ୍ରେରଣ କରାଯାଇପାରେ ।

 

(୭) ଜପପାଇଁ ଆବଶ୍ୟକ ସାଧନ

 

ବର୍ତ୍ତମାନ ଜପଯୋଗ ସମ୍ବଦ୍ଧରେ ପୂର୍ଣ୍ଣ ଜ୍ଞାନ ତୁମେ ହୃଦୟଙ୍ଗମ କରି ପାରିଛ ତଥା ଈଶ୍ୱରଙ୍କର ନାମରେ କି ଅପୂର୍ବ ଶକ୍ତି ଅଛି ତାହା ମଧ୍ୟ ବୁଝି ପାରିଛ । ବର୍ତ୍ତମାନ ଏହି ମୁହୂର୍ତ୍ତରେ ଜପ ସାଧନା ଆରମ୍ଭ କରିଦିଅ । ପ୍ରତିଦିନର ସାଧନା ପାଇଁ କେତେକ ଜ୍ଞାତବ୍ୟ ବିଷୟ ନିମ୍ନରେ ଦିଆଗଲା ।

 

୧.

ନିର୍ଦ୍ଦିଷ୍ଟ ସ୍ଥାନ :— ପ୍ରତିଦିନ ଏକ ସ୍ଥାନରେ ଜପ ପାଇଁ ବସିବା ଉଚିତ । ବାରମ୍ବାର ସ୍ଥାନ ବଦଳାଅ ନାହିଁ । ତୁମେ ପ୍ରତିଦିନ ଯେଉଁ ସ୍ଥାନରେ ବସୁଥାଅ ସେ ସ୍ଥାନର ବାତାବରଣ ଶୁଦ୍ଧ ଏବଂ ପବିତ୍ର ହୋଇ ଯାଇଥାଏ । ଏଣୁ ତୁମେ ଆସନରେ ବସିବା ମାତ୍ରେ ତୁମର ମନ ନିଶ୍ଚଳ ଏବଂ ଏକାଗ୍ର ହେବାକୁ ଲାଗେ, କିନ୍ତୁ ବାରମ୍ବାର ସ୍ଥାନର ପରିବର୍ତ୍ତନ କଲେ ନୂତନ ସ୍ଥାନର ବାତାବରଣକୁ ଶୁଦ୍ଧ କରିବା ପାଇଁ ତୁମକୁ ପୁଣି ସମୟ ଲାଗେ ଏବଂ ଯଦି ତାହା କୌଣସି ଅପବିତ୍ର ସ୍ଥାନ ହୋଇଥାଏ, ବା ଅପବିତ୍ର-ହୃଦୟ ବ୍ୟକ୍ତିମାନଙ୍କ ବସବାସ ଦ୍ଵାରା ସେଠାକାର ବାତାବରଣ ଅଶୁଦ୍ଧ ହୋଇଥାଏ, ତେବେ ତୁମେ ଜପରେ ବସିଲେ ତୁମର ମନ ଚଞ୍ଚଳ ହୋଇ ଉଠିବ । ଏଣୁ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିଦିନ ଜପପାଇଁ ବସିବା ଉଚିତ ।

 

 

୨.

ଉତ୍ତର ଏବଂ ପୂର୍ବ ଦିଗକୁ ମୁଖ :— ଦିଗର ପ୍ରଭାବ ମଧ୍ୟ ମନୁଷ୍ୟ ମନରେ ପଡ଼ିଥାଏ । ଜପଯୋଗ ପାଇଁ ଉତ୍ତର ବା ପୂର୍ବଦିଗକୁ ମୁଖ କରି ବସିବା ଉଚିତ ।

 

 

୩.

ଆସନ :— ମୃଗଚର୍ମ କୁଶାସନ ବା କମ୍ବଳ ପ୍ରୟୋଗ କରାଯାଇଥାଏ । ଏହାଦ୍ଵାରା ଶରୀରର ବିଦ୍ୟୁତ୍ ଶକ୍ତି ସୁରକ୍ଷିତ ରହେ । ଜପପାଇଁ ବ୍ୟବହୃତ ହେଉଥିବା ଆସନ କାହାରିକୁ ବସିବାକୁ ବା ବ୍ୟବହାର କରିବାକୁ ଦିଅନାହିଁ । ନିଜେ ମଧ୍ୟ ଅପବିତ୍ର ଅବସ୍ଥାରେ ତାହା ବ୍ୟବହାର କରନାହିଁ । କେବଳ ଜପ ସାଧନା (ଧ୍ୟାନ, ଧାରଣା, ସ୍ଵାଧ୍ୟାୟ) ଇତ୍ୟାଦିର ପାଇଁ ଆସନ ଅଲଗା ରଖ ।

 

 

୪.

ପବିତ୍ର ପ୍ରାର୍ଥନା :— ଜପ ଆରମ୍ଭ କରିବା ପୂର୍ବରୁ ନିଜର ଇଷ୍ଟଦେବତାର ମନ୍ତ୍ର ସ୍ତୋତ୍ର ଇତ୍ୟାଦି ଉଚ୍ଚ ସ୍ଵରରେ କିଛି କ୍ଷଣ ଉଚ୍ଚାରଣ କର । ପ୍ରଥମରେ ସ୍ତୋତ୍ର, ଶ୍ଳୋକାଦି ଉଚ୍ଚାରଣ କଲେ ତଦ୍‍ବର୍ଣ୍ଣିତ ଈଶ୍ୱରଙ୍କର ରୂପ ଗୁଣ ଆଦି ଧ୍ୟାନରେ ଆସେ ତଥା ବାୟୁମଣ୍ଡଳ ଶୁଦ୍ଧ ହୋଇଯାଏ । ତତ୍ପରେ ଜପ ଆରମ୍ଭ କଲେ ଜପ ସୁଗମ ଏବଂ ଆନନ୍ଦଦାୟକ ହୋଇଉଠେ-

 

 

୫.

ନିର୍ଦ୍ଧାରିତ ସମୟ :— ସର୍ବାପେକ୍ଷା ଉତ୍ତମ ସମୟ ବ୍ରାହ୍ମମୁହୂର୍ତ୍ତ ଏବଂ ଗୋଧୂଳି ବେଳା ଅଟେ । ଏହି ସମୟରେ ସମସ୍ତ କିଛି ସତ୍ତ୍ଵ ପ୍ରଧାନ ଥାଏ । ନିୟମିତତା ଅତ୍ୟନ୍ତ ଅନିବାର୍ଯ୍ୟ-

 

 

୬.

ଶୁଦ୍ଧ ଉଚ୍ଚାରଣ :— ଜପ କରିବା ସମୟରେ ଉଚ୍ଚାରଣ ଶୁଦ୍ଧ ହେବା ଉଚିତ । ଯଦି ମନ ଚଞ୍ଚଳ ଥାଏ ତେବେ ଉଚ୍ଚାରଣ ଶୁଦ୍ଧ ହେବନାହିଁ । ତଥା ଯଦି ଉଚ୍ଚାରଣ ପ୍ରତି ଧ୍ୟାନ ନ ଦିଆଯାଏ ତେବେ ମନ ଏଣେ ତେଣେ ଧାଇଁବ । ଏଣୁ ମନକୁ ଏକାଗ୍ର କରିବା ପାଇଁ ଉଚ୍ଚାରଣ ଶୁଦ୍ଧ ଏବଂ ସ୍ପଷ୍ଟ କରିବା ଉଚିତ ।

 

 

୭.

ସତର୍କତା :— ଏହା ଏକ ଆବଶ୍ୟକ ଗୁଣ ଅଟେ । ଯେତେବେଳେ ତୁମେ ଜପ ଆରମ୍ଭ କର, ତୁମ୍ଭର ପ୍ରବୃତ୍ତି ଶାନ୍ତ ଥାଏ, କିନ୍ତୁ କିଛି ସମୟ ପରେ ଚିତ୍ତଚଞ୍ଚଳ ହୋଇଉଠେ । ନାନା ଅବାନ୍ତର ବିଚାର ଆସି ମନରେ ପ୍ରବେଶ କରେ । ମନ ଆକାଶ-କୁସୁମ ତୋଳିବାରେ ଲାଗିଯାଏ । ଏଣୁ ଜପ କଲାବେଳେ ମନର ଏ ଚତୁରତା ପ୍ରତି ସତର୍କ ଧ୍ୟାନ ଦେବା ଉଚିତ-

 

 

୮.

ଜପମାଳା :— ମାଳାର ପ୍ରୟୋଗ ଦ୍ଵାରା ସାଧକ ସର୍ବଦା ଜାଗ୍ରତ ରହେ । ମାଳା ଜପକୁ ଜାରି ରଖିବା ପାଇଁ ଏକ ଉତ୍ତେଜକ ସାଧନାର କାର୍ଯ୍ୟ କରେ । ମନରେ ସ୍ଥିର ନିଶ୍ଚୟ କରି ନିଅ କି ଏତିକି ସଂଖ୍ୟା ଜପ କରି ସାରିଲେ ଯାଇ ଆସନରୁ ଉଠିବି । ଏପରି କଲେ ମନ ତୁମକୁ ପ୍ରତାରଣା କରି ପାରିବ ନାହିଁ ।

 

 

୯.

ଜପର ପ୍ରକାର :— ରୁଚି ଜାଗ୍ରତ ରଖିବା ପାଇଁ ତଥା କ୍ଳାନ୍ତି ଦୂର କରିବା ପାଇଁ ତୁମେ ନାନାପ୍ରକାର ଜପର ପ୍ରୟୋଗ କରିପାର । କେବେ କେବେ ଜୋର ଜୋର ମନ୍ତ୍ରର ଉଚ୍ଚାରଣ କର; ପୁଣି କେବେ କେବେ ଗୁଣୁ ଗୁଣୁ ସ୍ଵରରେ ଗୁଞ୍ଜନ କର । ପୁଣି ପରେ ମାନସିକ ଜପ କର ।

 

 

୧୦.

ଶାନ୍ତିପାଠ :— ଯେତେବେଳେ ଜପ ସମାପ୍ତ ହୋଇ ଯାଏ, ହଠାତ୍ ଆସନରୁ ଉଠି ଅନ କାର୍ଯ୍ୟରେ ଲାଗିଯିବା ଅନୁଚିତ ବା ଅନ୍ୟ ସହିତ ହଠାତ୍ କଥାବାର୍ତ୍ତା କରିବା ଅନୁଚିତ । କାରଣ ଜପ ଅବସ୍ଥାରେ କୁଣ୍ଡଳିନୀ ଶକ୍ତି ଉପରକୁ ଉଠୁଥାଏ । ଯଦି ଏପରି ଅବସ୍ଥାରେ ହଠାତ୍ କାର୍ଯ୍ୟରେ ଲାଗିଯାଅ ବା ଜପ ସାଧନାର ଏ ସାତ୍ତ୍ଵିକ ଅବସ୍ଥା ଛାଡ଼ି କାହାରି ସହିତ କଥାବାର୍ତ୍ତା କର, ସେତେବେଳେ କୁଣ୍ଡଳିନୀ ଶକ୍ତି ନିଜ ସ୍ଥାନକୁ ଫେରି ନ ଆସିପାରେ । ଏଣୁ ନାନାପ୍ରକାର କ୍ଲେଶ ଭୋଗ କରିବାକୁ ପଡ଼େ । ଏଣୁ ଜପ ପରେ କିଛିକ୍ଷଣ ଅନ୍ତତଃ ୧୦ ମିନିଟ ନୀରବରେ ବସ । ପରେ ଶାନ୍ତିପାଠ ଇତ୍ୟାଦି କେତେକ ଶ୍ଳୋକ ଆବୃତ୍ତି କରି ଜପ ଇଷ୍ଟଦେବଙ୍କୁ ନିଷ୍କାମ ଭାବେ ସମର୍ପଣ କର । ପରେ ଭକ୍ତିପୂର୍ବକ ଫଟୋ ବା ମୂର୍ତ୍ତି ଆଗରେ ଦଣ୍ଡବତ ପ୍ରଣାମ କରି ଜପର ତ୍ରୁଟି ପାଇଁ ଈଶ୍ୱରଙ୍କଠାରେ କ୍ଷମା ପ୍ରାର୍ଥନା କର । ବର୍ତ୍ତମାନ ତୁମେ ଆସନ ଛାଡ଼ି ତୁମର ଅନ୍ୟ ଦୈନଦିନ କାର୍ଯ୍ୟରେ ମନ ଲଗାଇ ପାର । ଆଧ୍ୟାତ୍ମିକ ସ୍ପନ୍ଦନ ସର୍ବଦା ତୁମର ସହଯୋଗ କରିବ ।

 

 

 

ନିଜର ସାଧନା ଏହି ନିୟମରେ ଶାନ୍ତିପୂର୍ବକ, ଦୃଢ଼ତା ଏବଂ ସହିଷ୍ଣୁତା ପୂର୍ବକ ନିରନ୍ତର ଜାରି ରଖ ଏବଂ ଏହିପରି ନିଜର ଜୀବନର ସମସ୍ତ ଉଦେଶ୍ୟ ପୂର୍ଣ୍ଣ କରି ପରିଶେଷରେ ନିତ୍ୟାନନ୍ଦ ପ୍ରାପ୍ତି କର ।

 

(୮) ଜପ ପାଇଁ ନିୟମ

 

ଯେ କୌଣସି ମନ୍ତ୍ର ବା ଈଶ୍ୱରଙ୍କର ନାମ, ଯାହା କି ତୁମକୁ ସର୍ବାପେକ୍ଷା ପ୍ରିୟ ଲାଗେ ବାଛିନିଅ, ତଥା ନିତ୍ୟ ପ୍ରତି ତାର ଜପ ୧୦୮ ରୁ ୧୦୮୦ ଥର କର ଅର୍ଥାତ୍ ଏକ ମାଳାରୁ ଆରମ୍ଭ କରି ୧୦ ମାଳା ପର୍ଯ୍ୟନ୍ତ । ନିଜର ସମୟ ଏବଂ ସୁବିଧା ଅନୁସାରେ ଜପ କର । ଯଦି ନିଜର ଗୁରୁମୁଖରୁ ଏ ମନ୍ତ୍ର ନେଇପାର ତେବେ ତାହା ଅତ୍ୟନ୍ତ ଉତ୍ତମ । ୧୦୮ ଦାନା ବିଶିଷ୍ଟ ରୁଦ୍ରାକ୍ଷ ବା ତୁଳସୀ ମାଳା ବ୍ୟବହାର କର । ସୁମେରୁ ଅତିକ୍ରମ କର ନାହିଁ । ଦାନା ଗଡ଼ାଇବା ପାଇଁ ବୃଦ୍ଧାଙ୍ଗୁଳି, ମଧ୍ୟମା ଏବଂ ଅନାମିକାର ପ୍ରୟୋଗ କର । ତର୍ଜନୀର ପ୍ରୟୋଗ ନିଷିଦ୍ଧ ଅଟେ । ମାଳା ଯେପରି ନାଭିର ତଳକୁ ନ ଓହଳେ ସେଥି ପ୍ରତି ଦୃଷ୍ଟି ଦିଅ । ହାତ ଛାତି ଆଗରେ ବା ନାକ ଆଗରେ ରଖ ।

 

ମାଳା ଯେପରି ଦେଖା ନଯାଏ ବା ଭୂମି ଉପରେ ପଡ଼ି ନ ରହେ । ମାଳାକୁ ବସ୍ତ୍ର ଦ୍ଵାରା ବା ତୌଲିଆ ଦ୍ଵାରା ଘୋଡ଼ାଇ ରଖ । ପ୍ରତ୍ୟହ ସେହି ବସ୍ତ୍ର ଧୋଇ ସ୍ଵଚ୍ଛ କରିନେବା ଉଚିତ । ପ୍ରାତଃକାଳ ଜପରେ ବସିବା ପୂର୍ବରୁ ସ୍ନାନ କରିନେବା ଶ୍ରେୟସ୍କର । ଯଦି ଶରୀରରେ ନ ଯାଏ ତେବେ ମୁହଁ, ହାତ ଧୋଇ ନିଅ । ଦ୍ଵିପ୍ରହର ଏବଂ ସନ୍ଧ୍ୟା ସମୟରେ ମଧ୍ୟ ଜପ କରିବା ପୂର୍ବରୁ ହାତ, ଗୋଡ଼, ମୁହଁ ଇତ୍ୟାଦି ଧୋଇ ନିଅ । ଯଦି ପାର ଓଦା ଗାମୁଛାରେ ସମସ୍ତ ଶରୀର ପୋଛି ନିଅ । ଏହାଦ୍ୱାରା ଶରୀର ହାଲୁକା ଜଣାଯିବ ଏବଂ ମନ ଉଶ୍ଵାସ ଓ ଶାନ୍ତ ହୋଇଯିବ । ମୂଖ୍ୟ ରୂପେ ସକାଳେ, ମଧ୍ୟାହ୍ନ କାଳରେ, ସନ୍ଧ୍ୟା ଏବଂ ଶୋଇବା ପୂର୍ବରୁ ଏପରି ୪ ଥର ଜପ କରିବା ଉଚିତ । ଜପ ସହିତ ନିଜର ଆରାଧ୍ୟ ଦେବର ଧ୍ୟାନ କର, ନଚେତ୍ ପ୍ରାଣାୟାମ କର । ନିଜର ଆରାଧ୍ୟ ଦେବର ଚିତ୍ର ବା ପ୍ରତିମା ସମ୍ମୁଖରେ ରଖ । ଜପ କଲାବେଳେ ମନ୍ତ୍ରର ଅର୍ଥ ଉପରେ ମଧ୍ୟ ବିଚାର କର ।

 

ମନ୍ତ୍ରର ପ୍ରତ୍ୟେକ ଅକ୍ଷର ସ୍ପଷ୍ଟ ଉଚ୍ଚାରଣ କର । ଅତ୍ୟନ୍ତ ତୀବ୍ର ବା ଅତି ମନ୍ଦ ଗତି ଅବଲମ୍ବନ କର ନାହିଁ । କେବଳ ଯେତେବେଳେ ମନ ଚଞ୍ଚଳ ହୋଇଉଠେ ସେତେବେଳେ ଜପର ପ୍ରଗତି ତେଜ କରିଦିଅ ।

 

ଜପ ସମୟରେ ମୌନ ଧାରଣ କର । ଏ ସମୟରେ ନିଜର ସାଂସାରିକ କାର୍ଯ୍ୟ ସହିତ କୌଣସି ସମ୍ବନ୍ଧ ରଖ ନାହିଁ ।

 

ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି ଯଥା ସମ୍ଭବ ଏକ ସ୍ଥାନରେ ଜପ ପାଇଁ ବସ । ମନ୍ଦିର, ନଦୀତଟ ବା ବଟ କିମ୍ବା ଅଶ୍ଵତ୍ଥ ଗଛର ତଳେ ଜପ ପାଇଁ ଉପଯୁକ୍ତ ସ୍ଥାନ ଅଟେ ।

 

ଯେତେବେଳେ ଜପ କରୁଛ, ଈଶ୍ୱରଙ୍କୁ କୌଣସି ସାଂସାରିକ ବସ୍ତୁ ପାଇଁ ପ୍ରାର୍ଥନା କରନାହିଁ । ଭଗବାନ ସର୍ବେଶ୍ଵର ଅଟନ୍ତି । ତାଙ୍କୁ ଲାଭ କରି ପାରିଲେ ତୁମର କିଛି ଅଭାବ ରହିବ ନାହିଁ । ଈଶ୍ୱରଙ୍କର କୃପା ବା ଦୟା ହିଁ ଆମର କାମ୍ୟ ବସ୍ତୁ ହେବା ଉଚିତ । ତୁମର ହୃଦୟ ନିର୍ମଳ କରିବା ପାଇଁ ତଥା ଭକ୍ତି ଦୃଢ଼ କରିବା ପାଇଁ ତାଙ୍କୁ ପ୍ରାର୍ଥନା କରିପାର ।

 

ନିଜର ଗୁରୁ-ଉପଦିଷ୍ଟ ମନ୍ତ୍ର କାହାରି ଆଗରେ ପ୍ରକାଶ କର ନାହିଁ । ତାହା ସର୍ବଦା ଗୁପ୍ତ ରଖ । ଯେ କୌଣସି କାର୍ଯ୍ୟ କଲାବେଳେ ମଧ୍ୟ ମନେ ମନେ ଜପ କରୁଥାଅ । ନଦୀ ଘାଟ, ପୋଖରୀ ଘାଟ ବା ଏପରି କୌଣସି ଜଣ ବହୁଳ ସ୍ଥାନମାନଙ୍କରେ ବିଶେଷତଃ ସ୍ତ୍ରୀ ମାନଙ୍କର ଗନନାଗମନ ସ୍ଥାନମାନଙ୍କରେ ଜପ ପାଇଁ ବା ଆଧ୍ୟାତ୍ମିକ ସାଧନା ପାଇଁ ବସିବା ଅନୁଚିତ । ଜପ ସାଧନା ସର୍ବଦା ଏକାନ୍ତ ନିର୍ଜ୍ଜନ ସ୍ଥାନରେ କରିବା ଉଚିତ । ଶ୍ରୀ ରାମକୃଷ୍ଣ କହିଛନ୍ତି କି କେବଳ ଏହି ତିନୋଟି ସ୍ଥାନ ଈଶ୍ୱର ଚିନ୍ତନ ପାଇଁ ଉପଯୁକ୍ତବଣ, ଘର କଣ ଏବଂ ମନ । (ବନେ, କୋନେ ବା ମନେ ଭଗବାନକେ ପ୍ରାର୍ଥନା କରବେ ।)

 

(୯) ଗାୟତ୍ରୀ ମନ୍ତ୍ର

 

ଓଁ ଭୂର୍ଭୁବଃ ସ୍ଵଃ ତତ୍‍ସବିତୁର୍ବରେଣ୍ୟ˚ ଭର୍ଗୋଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍ ।

 

ଓଁ

ପରଂବ୍ରହ୍ମର ଅଭିବାଚ୍ୟ ଶବ୍ଦ

ଭୂଃ

ଭୂଲୋକ

ଭୁବଃ

ଅନ୍ତରୀକ୍ଷ ଲୋକ

ସ୍ଵଃ

ସ୍ଵର୍ଗଲୋକ

ତତ୍‍

ତ୍ପରମାତ୍ମା ବା ବ୍ରହ୍ମ

ସବିତୁଃ

ଈଶ୍ଵର ଅଥବା ସୃଷ୍ଟିକର୍ତ୍ତା

ବରେଣ୍ୟ˚

ପୂଜନୀୟ

ଭର୍ଗ

ଅଜ୍ଞାନ ଅଥବା ପାପର ନିବାରକ

ଦେବସ୍ୟ

ଜ୍ଞାନସ୍ୱରୂପ ଭଗବାନଙ୍କର

ଧୀମହି

ଆମେ ଧ୍ୟାନ କରୁଁ

ଧିୟୋ

ବୁଦ୍ଧି, ପ୍ରଜ୍ଞା

ୟଃ

ଯେ

ନଃ

ଆମର

ପ୍ରଚୋଦୟାତ୍‍

ପ୍ରକାଶିତ କରନ୍ତି ।

 

(ଅର୍ଥଆମେ ଈଶ୍ଵରଙ୍କର ମହିମାର ଧ୍ୟାନ କରୁଁ । ଯେ ଏହି ସଂସାରକୁ ଉତ୍ପନ୍ନ କରିଛନ୍ତି, ଯେ ପୂଜନୀୟ ଅଟନ୍ତି, ଯେ ଜ୍ଞାନର ଭଣ୍ଡାର ଅଟନ୍ତି, ଯେ ପାପ ତଥା ଅଜ୍ଞାନକୁ ଦୂର କରନ୍ତି; ସେ ଆମକୁ ପ୍ରକାଶ ଦେଖାନ୍ତୁ ଏବଂ ଆମକୁ ସତ୍‍ପଥରେ ଘେନି ଯାଆନ୍ତୁ ।)

 

ସେ ପ୍ରକାଶ କଣ ? ବର୍ତ୍ତମାନ ତୁମର ଦେହାଧ୍ୟାସ ଅଛି । ଏଣୁ ତୁମର ବୁଦ୍ଧି ମଧ୍ୟ ସେହିପରି ସ୍ଥୂଳ ରହିଛି ଯେଉଁଥିପାଇଁ କି ଏ ଶରୀରକୁ ତୁମେ ସବୁକିଛି ମନେ କରୁଛ । ଆତ୍ମାକୁ ତୁମେ ଚିହ୍ନିପାରୁ ନାହଁ । ବର୍ତ୍ତମାନ ତୁମେ ବେଦମାତା ଗାୟତ୍ରୀଙ୍କୁ ପ୍ରାର୍ଥନା କରୁଛ କି ସେ ତୁମକୁ ଶୁଦ୍ଧ, ସଦ୍‍ବୁଦ୍ଧି ପ୍ରଦାନ କରନ୍ତୁ ଯାହା କି ତୁମକୁ ଅହଂ ବ୍ରହ୍ମାସ୍ମିର ବୋଧ କରାଇବାକୁ ସମର୍ଥ ହେବ । ଅହଂ ବ୍ରହ୍ମାସ୍ମିର ଅର୍ଥ ମୁଁ ବ୍ରହ୍ମ ଅଟେ । ଗାୟତ୍ରୀର ଏହା ଅଦ୍ଵୈତ-ଅଭିବାଚକ ଅର୍ଥ ଅଟେ ।

 

ଓଁ, ୨ଭୂଃ, ୩ଭୁବଃ, ୪ସ୍ଵଃ, ୫ତତ୍, ୬ସବିତୁଃ, ୭ବରେଣ୍ୟ˚, ୮ଭର୍ଗଃ, ୯ଦେବସ୍ୟ, ଏହି ୯ ଗୋଟି ଗାୟତ୍ରୀ ମନ୍ତ୍ରର ନାମ ଅଟନ୍ତି ଏବଂ ଏହି ୯ ଗୋଟି ନାମଦ୍ଵାରା ଈଶ୍ଵରଙ୍କର ପ୍ରଶଂସା ହୋଇଥାଏ । ଧୀମହି ଈଶ୍ଵରଙ୍କର ପୂଜା ଅଥବା ଧ୍ୟାନ ଆଡ଼କୁ ସଂକେତ କରେ । ଧିୟୋ ୟୋ ନଃ ପ୍ରଚୋଦୟାତ୍ ଏହା ପ୍ରାର୍ଥନା ଅଟେ । ଏଥିରେ ପାଞ୍ଚ ସ୍ଥାନରେ ବିଶ୍ରାମ ଥାଏ । ଓଁ ପ୍ରଥମ ବିଶ୍ରାମ, ଭୁର୍ଭବଃ ସ୍ଵଃ୨ୟ ବିଶ୍ରାମ, ତତ୍ସବିତୁ ବରେଣ୍ୟ˚ ୩ୟ, ଭର୍ଗୋଦେବସ୍ୟ ଧୀମହି ୪ର୍ଥ ଏବଂ ଧିୟୋ ୟୋ ନୋ ପ୍ରଚୋଦୟାତ୍ ଏହା ପଞ୍ଚମ ବିଶ୍ରାମ ଅଟେ । ଜପ କଲାବେଳେ ପ୍ରତ୍ୟେକ ବିଶ୍ରାମରେ କ୍ଷଣ କାଳ ରହିଯିବା ଉଚିତ ।

 

ଗାୟତ୍ରୀ ମନ୍ତ୍ରର ଦେବତା ସବିତା ଅଟେ । ଅଗ୍ନି ତାହାର ମୁଖ, ବିଶ୍ଵାମିତ୍ର ତାର ଋଷି ଏବଂ ଗାୟତ୍ରୀ ଏହାର ଛନ୍ଦ ଅଟେ । ଏହି ମନ୍ତ୍ରର ଉଚ୍ଚାରଣ ଯଜ୍ଞୋପବିତ ସଂସ୍କାର ପ୍ରାଣାୟାମ ଏବଂ ଜପ ଇତ୍ୟାଦି ସମୟରେ କରାଯାଇଥାଏ । ଗାୟତ୍ରୀକୁ ସନ୍ଧ୍ୟା କୁହାଯାଏ । ତଥା ସନ୍ଧ୍ୟାର ଅର୍ଥ ହିଁ ଗାୟତ୍ରୀ ଜପ ଅଟେ । ସନ୍ଧ୍ୟା ଏବଂ ଗାୟତ୍ରୀ ଏକ ଅଟେ । ଯେ ଗାୟତ୍ରୀର ଧ୍ୟାନ କରେ ପ୍ରକୃତରେ ସେ ବିଷ୍ଣୁ ଭଗବାନଙ୍କର ହିଁ ଧ୍ୟାନ କରୁଥାଏ । ବିଷ୍ଣୁ ଭଗବାନ ହିଁ ସଂସାରର ଦେବତା ଅଟନ୍ତି ।

 

ମନୁଷ୍ୟ ଗାୟତ୍ରୀ ମନ୍ତ୍ରର ଜପ ସର୍ବଦା କରିପାରେ । ଏପରିକି ଶୋଇବା, ବସିବା, ଚାଲିବାବେଳେ ମଧ୍ୟ ଜପ କରା ଯାଇପାରେ । ଏଥିରେ କୌଣସି ନିୟମର ବନ୍ଧନ ନାହିଁ, ଯାହାର ପାଳନ ନ କଲେ ତୁମକୁ ପାପ ଲାଗିବ । ପ୍ରତ୍ୟହ ତ୍ରିସନ୍ଧ୍ୟାରେ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ । କେବଳ ଗାୟତ୍ରୀ ମନ୍ତ୍ର ଏପରି ଏକ ମନ୍ତ୍ର, ଯାହାକୁ ଯେ କୌଣସି ଦେବତାର ଉପାସକ ହେଉନା କାହିଁକି ହିନ୍ଦୁ ମାତ୍ରେ ହିଁ ଜପ କରିଥାନ୍ତି । ବେଦରେ ଭଗବାନ କହିଛନ୍ତି କି ସମସ୍ତଙ୍କ ପାଇଁ ଏକ ମନ୍ତ୍ର ହେବା ଉଚିତ ସମାନୋ ମନ୍ତ୍ରଃ । ଅତଃ ଗାୟତ୍ରୀ ମନ୍ତ୍ର ହିଁ ପ୍ରତ୍ୟେକ ହିନ୍ଦୁର ଜପନୀୟ । ଉପନିଷଦର ପବିତ୍ର ବିଦ୍ୟା ଚାରି ବେଦର ସାର ଅଟେ । ସେହିପରି ତିନି ବ୍ୟାହୃତି ସହିତ ଗାୟତ୍ରୀ ମନ୍ତ୍ର ଉପନିଷଦର ସାର ଅଟେ । ଯେଉଁ ବ୍ୟକ୍ତି ଗାୟତ୍ରୀ ମନ୍ତ୍ରର ମହିମାକୁ ତତ୍ତ୍ୱତଃ ଜାଣିଛି ବା ବୁଝିଛି, କେବଳ ସେ ହିଁ ବ୍ରାହ୍ମଣ ଅଟେ । ଏହି ଜ୍ଞାନ ବିନା କୌଣସି ବ୍ରାହ୍ମଣ ଚାରି ବେଦରେ ପଣ୍ଡିତ ହେଲେ ମଧ୍ୟ ଶୂଦ୍ର ଅଟେ ।

 

(୧୦) ଗାୟତ୍ରୀ ମନ୍ତ୍ର ଜପଦ୍ୱାରା ଲାଭ

 

ଗାୟତ୍ରୀ ବେଦର ମାତା ତଥା ସମସ୍ତ ପାପ ନାଶକାରିଣୀ ଅଟେ । ପବିତ୍ର ଗାୟତ୍ରୀଠାରୁ ପବିତ୍ରତମ ତିନି ଲୋକରେ ଅନ୍ୟ କିଛି ନାହିଁ । ଅଙ୍ଗ ସହିତ ଚାରି ବେଦ ପାଠ କଲେ ଯେଉଁ ଫଳ ମିଳେ, କେବଳ ଗାୟତ୍ରୀ ଜପ ଦ୍ଵାରା ତାହା ଆମକୁ ମିଳିଥାଏ । ଯଦି ଦିନ ମଧ୍ୟରେ କେବଳ ଥରେ ମଧ୍ୟ ଏହି ପବିତ୍ର ନାମ ଉଚ୍ଚାରଣ କରାଯାଇପାରେ ତେବେ ମଧ୍ୟ ତାହା କଲ୍ୟାଣକାରୀ ହୋଇଥାଏ ତଥା ମୋକ୍ଷମାର୍ଗ ସୁଗମ କରିଦିଏ । ଏହା ବେଦମାନଙ୍କର ସର୍ବାପେକ୍ଷା ମହତ୍ତ୍ଵଶାଳୀ ମନ୍ତ୍ର ଅଟେ । ଏହା ସମସ୍ତ ପ୍ରକାର ପାପ ନାଶ କରେ । ଏହା ଆମକୁ ସୁନ୍ଦର ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ଶକ୍ତି ଜୀବନ ତେଜ ପ୍ରଦାନ କରେ ।

 

ଗାୟତ୍ରୀ ମନ୍ତ୍ର ଆଧ୍ୟାତ୍ମିକ, ଆଧିଦୈବିକ ଏବଂ ଆଧିଭୌତିକ ଏହି ତ୍ରିତାପ ନିବାରଣ କରେ । ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚାରି ପ୍ରକାର ପୁରୁଷାର୍ଥ ଦାନ କରେ । ଅବିଦ୍ୟା, କାମ ଏବଂ କର୍ମ, ଏ ରୂପ ତିନି ପ୍ରକାର ଅଜ୍ଞାନ ଦୂର କରେ । ଗାୟତ୍ରୀ ହୃଦୟ ଏବଂ ମସ୍ତିସ୍କକୁ ସ୍ଵଚ୍ଛ ଏବଂ ନିଷ୍କଳଙ୍କ କରେ । ଗାୟତ୍ରୀ-ଉପାସନା ଦ୍ଵାରା ଉପାସକ ଅଷ୍ଟସିଦ୍ଧି ପ୍ରାପ୍ତି କରେ । ଗାୟତ୍ରୀ ମନୁଷ୍ୟକୁ ବୁଦ୍ଧିମାନ୍ ଏବଂ ଶକ୍ତିଶାଳୀ କରେ ତଥା ଜନ୍ମ ମରଣର ବନ୍ଧନରୁ ସାଧକକୁ ମୁକ୍ତ କରେ ।

 

ଗାୟତ୍ରୀ-ଉପାସକ ପରମେଶ୍ଵରଙ୍କ ସହିତ ତଲ୍ଲୀନତା, ତଦ୍‍ରୂପତା, ତଦାକାରତା ଏବଂ ଜନ୍ମୟତା ଅନୁଭବ କରେ ।

 

ଗାୟତ୍ରୀ ଉପାସନା ଦ୍ଵାରା ଆଧ୍ୟାତ୍ମିକ ଲାଭ ତ ହୋଇଥାଏ, ତଥା ବ୍ୟାଜ ରୂପେ ସାଂସାରିକ ଅଭାବ ଏବଂ କଷ୍ଟ ମଧ୍ୟ ଦୂର ହୋଇଥାଏ । ଧାନ ଚାଷ କଲେ ଆମକୁ ଚାଉଳ ତ ମିଳେ, ତା ସହିତ କୁଟା, ଅଗାଡ଼ି, ତୁଷ, କୁଣ୍ଡା ଇତ୍ୟାଦି ଯେପରି ମିଳିଥାଏ, ସେହିପରି ଗାୟତ୍ରୀ ଦେବୀର କୃପାରେ ଆତ୍ମକଲ୍ୟାଣ ସହ ସାଂସାରିକ ସୁଖ ଶାନ୍ତି ମଧ୍ୟ ମିଳିଥାଏ ।

 

ଯେଉଁ ବ୍ୟକ୍ତି ଗାୟତ୍ରୀ ମାତାର ଶରଣ ଗ୍ରହଣ କରେ, ଗାୟତ୍ରୀ ତାହାକୁ ନିଜର ଅଭୟ ଚକ୍ରର ଛାୟାରେ ସୁରକ୍ଷିତ ରଖେ । ଭଗବାନ ହିଁ ନିର୍ମଳର ବଳ ଅଟନ୍ତି । ଗଜକୁ ଗ୍ରାହର କବଳରୁ ରକ୍ଷା କରିବା ବ୍ୟକ୍ତି ଦ୍ରୌପଦୀର ଲଜ୍ଜା ନିବାରଣ କରିବା ଲୋକ, ଭକ୍ତ ପ୍ରହ୍ଲାଦକୁ ନାନା ବିପଦରୁ ରକ୍ଷା କରିଥିବା ପ୍ରଭୁ ଭଗବାନଙ୍କର ଶକ୍ତିର ନାମ ହିଁ ଗାୟତ୍ରୀ ।

 

ମନୁଷ୍ୟର ସତ୍‍କର୍ମ ଦ୍ଵାରା ଶୁଭ ପ୍ରାରବ୍‍ଧ ଗଠିତ ହୁଏ । ଅନିଷ୍ଟର ପରିମାର୍ଜନ ହୁଏ । ଏପରି ସତ୍‍କର୍ମମାନଙ୍କ ମଧ୍ୟରେ ଗାୟତ୍ରୀ ଉପାସନାର ସ୍ଥାନ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ ।

 

ସଂସାରରେ ଯେତେ ପ୍ରକାର ସୁଖ ସମ୍ପତ୍ତି, ତାହା କେବଳ ସେହି ସର୍ବଶକ୍ତିମତୀ ଗାୟତ୍ରୀ ହାତରେ ହିଁ ଥାଏ । ସେ ତାହାର ସ୍ଵାମିନୀ ଅଟେ ।

 

ବେଦର ଗାୟତ୍ରୀ ମାତା ଆମକୁ ସଦ୍‍ବୁଦ୍ଧି ସଚ୍ଚରିତ୍ର, ସଦ୍‍ଭାବ ଏବଂ ସଦ୍‍ବାସନା ପ୍ରଦାନ କରନ୍ତୁ; ସେ ଆମକୁ ଉଚିତ ମାର୍ଗ ପ୍ରଦର୍ଶନ କରନ୍ତୁ, ଆମକୁ ଜନ୍ମ ମରଣରୁ ମୁକ୍ତ କରନ୍ତୁ । ଧନ୍ୟ ଗାୟତ୍ରୀ ଯାହାଠାରୁ ସଂସାରର ଉତ୍ପତ୍ତି ହୋଇଛି । ଧନ୍ୟ ତାର ଶକ୍ତି । ଯାହାର ସ୍ମରଣ ମାତ୍ରକେ ମନୁଷ୍ୟ ଦିବ୍ୟଲୋକ ପ୍ରାପ୍ତ କରି ଅଜର ଅମର ହୋଇପାରେ ।

 

(୧୧) ଗାୟତ୍ରୀ ମହିମା (ମନୁସ୍ମୃତି-୨ୟ ଅଧ୍ୟାୟ)

 

ମନୁସ୍ମୃତିରେ ଲେଖାଅଛି କି ବ୍ରହ୍ମା ତିନି ବେଦ ଦୋହନ କରି ଯଥାକ୍ରମେ ଅ, ଭ, ମ ଅକ୍ଷର ବାହାର କଲେ, ଯାହାର ଯୋଗ ଦ୍ଵାରା ପ୍ରଣବର ଆବିର୍ଭାବ ହେଲା । ଏହା ସହିତ ଭୂଃ, ଭୁବଃ ଏବଂ ସ୍ଵଃ ନାମକ ରହସ୍ୟପୂର୍ଣ୍ଣ ବ୍ୟାହୃତିର ମଧ୍ୟ ଉଦୟ ହେଲା, ଯଦ୍ଦ୍ୱାରା ପୃଥିବୀ, ଆକାଶ ଏବଂ ସ୍ଵର୍ଗର ବୋଧ ହୋଇଥାଏ । ଯଦି କୌଣସି ଦ୍ଵିଜ ଏକାନ୍ତରେ ପ୍ରଣବ ଏବଂ ବ୍ୟାହୃତ ସହିତ ନିତ୍ୟ ଏକ ହଜାର ଗାୟତ୍ରୀ ଜପ କରେ, ତେବେ ସେ ଏକ ମାସ ମଧ୍ୟରେ ବଡ଼ ବଡ଼ ପାପରୁ (ଠିକ୍ ସାପ କାତି ଛାଡ଼ିଲା ପରି) ମୁକ୍ତ ହୋଇପାରେ ।

 

ଯେଉଁ ବ୍ୟକ୍ତି ନିତ୍ୟ ନିୟମପୂର୍ବକ ତିନିବର୍ଷ ପର୍ଯ୍ୟନ୍ତ ଗାୟତ୍ରୀ ଜପ କରେ ତାର ଶରୀର ନିର୍ମଳ ହୋଇଯାଏ । ତାର ସୂକ୍ଷ୍ମ ଶରୀରରେ ଏପରି ଗତି ପ୍ରବେଶ କରେ ଯେ ସେ ବାୟୁ ପରି ସର୍ବତ୍ର ଯାଇପାରେ । ତିନୋଟି ଅକ୍ଷର ଦ୍ଵାରା ତିଆରି ହୋଇଥିବା ପ୍ରଣବ ସର୍ବଶକ୍ତିମାନ ପରମାତ୍ମାଙ୍କର ସର୍ବଶ୍ରେଷ୍ଠ ନାମ ଅଟେ । କୁମ୍ଭକ ସମୟରେ ପ୍ରଣବର ଜପ କରୁ କରୁ ଭଗବାନଙ୍କର ଧ୍ୟାନ କରିବା ତାଙ୍କର ସର୍ବଶ୍ରେଷ୍ଠ ପୂଜା ଅଟେ । କିନ୍ତୁ ଗାୟତ୍ରୀ ତା’ଠାରୁ ମଧ୍ୟ ଶ୍ରେଷ୍ଠ ଅଟେ । ମୌନ ଅପେକ୍ଷା ସତ୍ୟ ଶ୍ରେଷ୍ଠ ଅଟେ ।

 

ବେଦମାନଙ୍କରେ ନିର୍ଦ୍ଦେଶ କରାଯାଇଥିବା ବିଧି ପାଳନର ଫଳ, ଅଗ୍ନିରେ ଆହୂତି ଦେବାର ଫଳ, ତଥା ଅନ୍ୟ ପୁଣ୍ୟ କର୍ମର ଫଳ କେବେ କେବେ କ୍ଷୀଣ ହୋଇ ପାରିଥାଏ, କିନ୍ତୁ ଅକ୍ଷର ବ୍ରହ୍ମ ଓଁ ର କ୍ଷୟ କେବେ ହୁଏ ନାହିଁ ।

 

ନିଜର ଭିନ୍ନ ଭିନ୍ନ ବିଧିମାନଙ୍କ ସହିତ ଚାରି ଗାର୍ହସ୍ଥ୍ୟ ଅନୁଷ୍ଠାନ ମଧ୍ୟ ଗାୟତ୍ରୀ ଜପର ଷୋଡ଼ଶ ଭାଗର ଏକ ଭାଗ ସଦୃଶ ହେବ ନାହିଁ ।

 

ଏହି ସମ୍ପୂର୍ଣ୍ଣ ସୃଷ୍ଟି ଗାୟତ୍ରୀମୟ ଅଟେ । ବାଣୀ ଗାୟତ୍ରୀର ହିଁ ରୂପ ଅଟେ ଏବଂ ବାଣୀର କୃପା ଦ୍ଵାରା ହିଁ ସୃଷ୍ଟିର ରକ୍ଷା ହୋଇଥାଏ । ଗାୟତ୍ରୀ ଚାରିଚରଣ ଏବଂ ଷଡ଼୍‍ମୁଖ ଯୁକ୍ତା ଅଟେ । ସମସ୍ତ ସୃଷ୍ଟି ଗାୟତ୍ରୀ ମହିମାର ରୂପ ଅଟେ । ଗାୟତ୍ରୀରେ ଯେଉଁ ବ୍ରହ୍ମର ଉପାସନା କରାଯାଇଛି ତଦ୍ଦ୍ଵାରା ସମସ୍ତ ବ୍ରହ୍ମାଣ୍ଡ ବ୍ୟାପ୍ତ ।

 

(ଛାନ୍ଦୋଗ୍ୟ ୩-ଖ ୧୨)

 

ମନୁଷ୍ୟ ଯଜ୍ଞର ରୂପ ଅଟେ । ତା’ର ଜୀବନର ପ୍ରାରମ୍ଭିକ ୨୪ ବର୍ଷ, ପ୍ରାତଃକୃତ୍ୟ ସମାନ ଗାୟତ୍ରୀରେ ୨୪ ଅକ୍ଷର ଅଛି, ଯଦ୍ଦ୍ୱାରା ପ୍ରାତଃ ସନ୍ଧ୍ୟାର ଉପାସନା କରାଯାଏ ।

 

ଗାୟତ୍ରୀ ପୁରଶ୍ଚରଣ

 

ବ୍ରହ୍ମଗାୟତ୍ରୀରେ ୨୪ ଅକ୍ଷର ଥାଏ । ଏଣୁ ଗାୟତ୍ରୀ ପୁରଶ୍ଚରଣରେ ୨୪ ଲକ୍ଷ ଗାୟତ୍ରୀ ଜପ କରିବାକୁ ହୁଏ ।

 

ମହାରାଷ୍ଟ୍ରୀ ବ୍ରାହ୍ମଣମାନେ ଗାୟତ୍ରୀ ପୁରଶ୍ଚରଣ କରିବାକୁ ଅତ୍ୟନ୍ତ ଭଲପାଆନ୍ତି । ମହାରାଷ୍ଟ୍ରରେ ପୁନା ଆଦି ନଗରରେ ଏପରି ଅନେକ ସଜ୍ଜନ ମିଳିବେ, ଯେଉଁମାନେ କି ଅନେକବାର ଗାୟତ୍ରୀ ପୁରଶ୍ଚରଣ କରି ସାରିଛନ୍ତି । ମହାମାନ୍ୟ ପଣ୍ଡିତ ମଦନମୋହନ ମାଳବୀୟ ଗାୟତ୍ରୀ ପୁରଶ୍ଚରଣର ବଡ଼ ଭକ୍ତ ଥିଲେ । ତାଙ୍କ ଜୀବନର ସଫଳତା ଏବଂ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ସ୍ଥାପନା ତଥା ଉନ୍ନତିର ରହସ୍ୟ ତାଙ୍କର ନିତ୍ୟ ନିରନ୍ତର ଗାୟତ୍ରୀ ଜପ ଏବଂ ମାତା ଗାୟତ୍ରୀର କୃପା ହିଁ ଅଟେ ।

 

ପଞ୍ଚଦଶୀ ନାମକ ସଂସ୍କୃତିର ପ୍ରସିଦ୍ଧ ଗ୍ରନ୍ଥ ପ୍ରଣେତା ସ୍ଵାମୀ ବିଦ୍ୟାରଣ୍ୟ ଗାୟତ୍ରୀ ପୁରଶ୍ଚରଣ କରିଥିଲେ । ଗାୟତ୍ରୀ ମାତା ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦାନ କରି ବର ମାଗିବାକୁ ଆଦେଶ ଦେଲେ । ସ୍ଵାମିଜୀ କହିଲେ, ‘‘ମା ! ଦକ୍ଷିଣରେ ଅକାଳ ପଡ଼ିଛି । ତୁମେ ଏପରି ପରିମାଣରେ ସୁବର୍ଣ୍ଣ ବୃଷ୍ଟି କର ଯଦ୍ଦ୍ୱାରା ଲୋକଙ୍କର କଷ୍ଟ ଦୂର ହୋଇଯିବ । ଗାୟତ୍ରୀ ମାତାର ବର ଅନୁସାରେ ଦକ୍ଷିଣରେ ସୁବର୍ଣ୍ଣ ବୃଷ୍ଟି ହେଲା । ଗାୟତ୍ରୀ ମନ୍ତ୍ରର ଶକ୍ତି ଏହିପରି ଅକଥନୀୟ, ଅବର୍ଣ୍ଣନୀୟ ଅଟେ ।

 

ଶୁଦ୍ଧାତ୍ମା ବା ଯୋଗଭ୍ରଷ୍ଟ ବ୍ୟକ୍ତି କେବଳ ଥରେ ମାତ୍ର ପୁରଶ୍ଚରଣ କଲେ ଗାୟତ୍ରୀର ଦର୍ଶନ ଲାଭ କରିପାରେ । ଏ କଳି ଯୁଗରେ ଅଧିକାଂଶ ମନୁଷ୍ୟର ମନ ଆବିଳତାପୂର୍ଣ୍ଣ କଳୁଷିତ ଅଟେ । ଅତଃ କଳୁଷର ମାତ୍ରା ଅନୁସାରେ ଏକ ବା ଅଧିକ ପୁରଶ୍ଚରଣ କଲେ ସଫଳତା ମିଳେ । ମନ ଯେତେ ଅଧିକ ଅପବିତ୍ର ହୋଇଥିବ ପୁରଶ୍ଚରଣ ସେତେ ଅଧିକ କରିବାକୁ ହେବ । ପ୍ରସିଦ୍ଧ ମଧୁସୂଦନ ସ୍ଵାମୀ ୧୭ ଥର କୃଷ୍ଣ ମନ୍ତ୍ରର ପୁରଶ୍ଚରଣ କରିଥିଲେ । ସେ ପୂର୍ବ ଜନ୍ମରେ ୧୭ ଜଣ ବ୍ରାହ୍ମଣଙ୍କୁ ହତ୍ୟା କରିଥିଲେ; ଏଣୁ ତାଙ୍କୁ ଭଗବାନଙ୍କର ଦର୍ଶନ ହେଲା ନାହିଁ । କିନ୍ତୁ ଅଷ୍ଟାଦଶ ପୁରଶ୍ଚରଣର ମଧ୍ୟଭାଗରେ ତାଙ୍କୁ ଭଗବାନ ଦର୍ଶନ ଦେଲେ । ଏହି ନିୟମ ଗାୟତ୍ରୀ ପୁରଶ୍ଚରଣ ଅବଲମ୍ବନୀୟ ।

 

ବିଧିପୂର୍ବକ ଗାୟତ୍ରୀ ଜପ

 

ବିଧିପୂର୍ବକ ସାଧନା କରିବା ଏକ ମହତ୍ତ୍ଵପୂର୍ଣ୍ଣ ବିଷୟ ଅଟେ । କୌଣସି କାର୍ଯ୍ୟ ଯଦି ଉଚିତ କ୍ରିୟାପଦ୍ଧତି ସହିତ କରାଯାଇପାରେ ତେବେ ତାହାର ଲାଭ ଏବଂ ଫଳ ଯଥାର୍ଥ ଭାବେ ମିଳିଥାଏ । ଅବିଧି ପର୍ବକ କରା ଯାଇଥିବା କାର୍ଯ୍ୟ ଅସଫଳ ରହେ ବା ସ୍ୱଳ୍ପ ଫଳ ପ୍ରଦାନ କରେ । ଏଣୁ ଗାୟତ୍ରୀ ଉପାସକମାନଙ୍କ ପାଇଁ ଉପାସନାର ବିଧି ବିଧାନ ଭଲରୂପେ ଜାଣି ରଖିବା ଉଚିତ ।

 

ଶରୀର ଶୁଦ୍ଧ କରି ସାଧନାରେ ବସିବା ଉଚିତ । ସାଧାରଣତଃ ସ୍ନାନ ଦ୍ଵାରାହିଁ ଶରୀର ଶୁଦ୍ଧ ହୋଇଥାଏ, କିନ୍ତୁ କୌଣସି ଅସୁବିଧା, ଋତୁର ପ୍ରତିକୂଳତା ବା ଅସୁସ୍ଥ ଅବସ୍ଥାରେ ହାତ ମୁହଁ ଧୋଇ ବା ଓଦା ଲୁଗାଦ୍ୱାରା ଶରୀର ପୋଛି ନେଲେ ମଧ୍ୟ ଚଳେ । ସାଧନା ସମୟରେ ଯଦି କାର୍ପାସ ବସ୍ତ୍ର ଶରୀରରେ ଧାରଣ କରିଥାଅ ତେବେ ତାହା ପ୍ରତ୍ୟହ ଧୋଇ ସ୍ଵଚ୍ଛ କରିନେବା ଉଚିତ-। ଲୁଙ୍ଗି ପିନ୍ଧିଥିଲେ କଛା ମାରି ବସ ବା ଲଙ୍ଗୋଟୀ ଧାରଣ କର ।

 

ମାଳାତୁଳସୀ ବା ଚନ୍ଦନ ମାଳା ବ୍ୟବହାର କରାଯାଇପାରେ । ପ୍ରାତଃକାଳ ସୂର୍ଯ୍ୟଦୟର ୨ ଘଣ୍ଟା ପୂର୍ବରୁ ସାଧନା ଆରମ୍ଭ କରାଯାଇପାରେ । ଦିନରେ ଯେ କୌଣସି ସମୟରେ ଜପରେ ବସିପାର । ସୂର୍ଯ୍ୟ ଅସ୍ତ ହେବାର ଏକ ଘଣ୍ଟା ପରେ ଜପ ସମାପ୍ତ କରିନେବା ଉଚିତ । ସକାଳ ଦୁଇ ଘଣ୍ଟା ଏବଂ ସନ୍ଧ୍ୟା ଏକ ଘଣ୍ଟା ଛାଡ଼ିଦେଲେ ରାତ୍ରିର ଅନ୍ୟ ଭାଗରେ ଗାୟତ୍ରୀର ସାଧନା ହୋଇ ନଥାଏ । ଅବଶ୍ୟ ମୌନ ବା ମାନସିକ ଜପ କରାଯାଇପାରେ । ପ୍ରାତଃକାଳ ପୂର୍ବ ଦିଗକୁ, ମଧ୍ୟାହ୍ନରେ ଉତ୍ତରକୁ, ସନ୍ଧ୍ୟାରେ ପଶ୍ଚିମକୁ ମୁଖ କରି ଜପ କରିବାର ବିଧାନ ଶାସ୍ତ୍ରରେ ଲେଖା ଅଛି । କିନ୍ତୁ ଯଦି କୌଣସି ମୂର୍ତ୍ତି ବା ଭଗବାନଙ୍କର ଚିତ୍ର କୌଣସି ସ୍ଥାନରେ ସ୍ଥାପିତ ଥାଏ, ତେବେ ଦିଗର ବିଚାର ନ କରି ମୂର୍ତ୍ତିର ସମ୍ମୁଖରେ ବସିବା ଉଚିତ ।

 

ମଳମୂତ୍ର ତ୍ୟାଗ ବା କୌଣସି ଅନିବାର୍ଯ୍ୟ କାର୍ଯ୍ୟ ପାଇଁ ଜପ ମଧ୍ୟରେ ଉଠିବାକୁ ପଡ଼ିଲେ ହାତ ମୁଖ ଧୌତ କରି ପୁଣି ଜପ ପାଇଁ ବସ । ଜପ ନିୟମିତ ସଂଖ୍ୟାରେ ତଥା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କରିବା ଉଚିତ । ଯଦି କୌଣସି କାରଣ ବଶତଃ ଜପ କମିଯାଏ ତେବେ ତାହା ପରବର୍ତ୍ତୀ ପ୍ରତ୍ୟେକ ବାର ବୈଠକରେ ପୂରଣ କରିନେବା ଉଚିତ ଏବଂ ପ୍ରାୟଶ୍ଚିତ ସ୍ୱରୂପ ଏକ ମାଳା ଅଧିକ ଜପ କରିନେବା ଉଚିତ ।

 

ଗାୟତ୍ରୀର ଅଧିକାର ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏହି ତିନି ବର୍ଣ୍ଣର ଅଛି । ଗାୟତ୍ରୀର ଉପାସକ ବିଧିପୂର୍ବକ ଯଜ୍ଞୋପବୀତ ଅବଶ୍ୟ ଧାରଣ କରିବା ଉଚିତ । ନିଜର ଗାୟତ୍ରୀ ସାଧନା ପାଇଁ କୌଣସି ଅନୁଭବୀ ତଥା ସଦାଚାରୀ ବ୍ୟକ୍ତିକୁ ‘ମାର୍ଗଦର୍ଶକ’ ବା ଗୁରୁ ମାନିନେବା ଉଚିତ । ତୁମର ସ୍ଥିତି ପାଇଁ କିପରି ସାଧନା ଉପଯୋଗୀ ସେ ତାହା ତୁମକୁ ପରାମର୍ଶ ଦେବେ । ସାଧକର ଆହାର ବିହାର ସାତ୍ତ୍ଵିକ ହେବା ଉଚିତ ।

 

ଦୈନିକ ସାଧନାର କ୍ରମ (୧) ଭୂତ ଶୁଦ୍ଧି । (୨) ପୂଜା । (୩) ଜପ । (୪) ପ୍ରାର୍ଥନା-। ଆସନରେ ବସି ଶରୀର ଏବଂ ମନକୁ ପବିତ୍ର କରିବା ପାଇଁ ଦେହଗତ ପାଞ୍ଚ ତତ୍ତ୍ଵଗୁଡ଼ିକୁ ଶୁଦ୍ଧ କରିବାପାଇଁ ଭୂତଶୁଦ୍ଧି କରାଯାଏ । ଏହାକୁ ବ୍ରହ୍ମ ସନ୍ଧ୍ୟା କୁହାଯାଏ । ସନ୍ଧ୍ୟାରେ ପଞ୍ଚକୃତ୍ୟ କରିବାକୁ ପଡ଼େ । (୧) ଆଚମନ । (୨) ଶିକ୍ଷା ବନ୍ଧନ । (୩) ପ୍ରାଣାୟମ । (୪) ଅଘମର୍ଷଣ । (୫) ନ୍ୟାସ । ଏହି ବିଧାନ ବହୁତ ସରଳ ଅଟେ ।

 

୧ । ଜଳ ପାତ୍ରରୁ ଡାହାଣ ହାତର ପାପୁଲି ଉପରେ ଜଳ ନେଇ ତିନି ବାର ଆଚମନ କର । ଆଚମନ ସମୟରେ ଗାୟତ୍ରୀ ମନ୍ତ୍ର ପାଠ କର ।

 

୨ । ଆଚମନ ପରେ ଶିଖାକୁ ଜଳରେ ଭିଜାଇ ଗଣ୍ଠି ଲଗାଇବା ସମୟରେ ଗାୟତ୍ରୀ ଜପ କର । ଶିଖା ବନ୍ଧନ ସମୟରେ ଗାୟତ୍ରୀ ଉଚ୍ଚାରଣ କଲେ ବ୍ରହ୍ମରନ୍ଧ୍ରରେ ସ୍ଥିତ ଶତଦଳ ଚକ୍ରର ସୂକ୍ଷ୍ମ ଶକ୍ତିଗୁଡ଼ିକର ଜାଗରଣ ହୁଏ । ଯାହାର ଶିଖା ନ ଥାଏ ସେ କେବଳ ଶିଖା ସ୍ଥାନରେ ଜଳ ଲଗାଇ ନେବା ଉଚିତ ।

 

୩ । ବ୍ରହ୍ମ ସନ୍ଧ୍ୟା ବା ଭୂତ ଶୁଦ୍ଧିର ୩ୟ କ୍ରିୟା ପ୍ରାଣାୟାମ ଅଟେ । ତାହା ଏହିପରି କରିବା ଉଚିତ ।

 

(କ) ସୁସ୍ଥ ଚିତ୍ତରେ ବସ । ମୁଖ ବନ୍ଦ କର । ନେତ୍ରଦ୍ୱୟ ବନ୍ଦ କର ବା ଅର୍ଦ୍ଧନିମୀଳିତ ରଖ । ବର୍ତ୍ତମାନ ଧୀରେ ଧୀରେ ଶ୍ଵାସ ଭିତରକୁ ଟାଣ ଏବଂ ତତ୍ ସହ ଓଁ ଭୂର୍ଭୁବଃ ସ୍ଵଃ ଏହି ମନ୍ତ୍ର ଉଚ୍ଚାରଣ କରୁଥାଅ । ଏ କଥା ମନରେ ଭାବ କି ବିଶ୍ଵବ୍ୟାପୀ ଦୁଃଖନାଶକ, ସୁଖ ସ୍ୱରୂପ ବ୍ରହ୍ମର ଚୈତନ୍ୟ ପ୍ରାଣ ଶକ୍ତିକୁ ମୁଁ ନାସିକା ଦ୍ଵାରା ଆକର୍ଷଣ କରୁଛି । ଏହି ଭାବନା ଏବଂ ମନ୍ତ୍ର ସହିତ ଧୀରେ ଧୀରେ ଶ୍ଵାସ ଗ୍ରହଣ କର । ଯେତେ ଅଧିକ ବାୟୁ ଭିତରେ ଗ୍ରହଣ କରିପାର କର ।

 

(ଖ) ବର୍ତ୍ତମାନ ବାୟୁ ଭିତରେ ବନ୍ଦ କରି ରଖ; ‘ତତ୍‍ସବିତୁ ର୍ବରେଣ୍ୟ˚’ ଏହା ଜପ କରୁ ମନରେ ଭାବ କି ନାସିକାଦ୍ଵାରା ଗ୍ରହଣ କରାଯାଇଥିବା ପ୍ରାଣ ଅତ୍ୟନ୍ତ ସ୍ନିଗ୍ଧ ଏବଂ ପବିତ୍ର ଅଟେ । ତାହାର ତେଜ ମୋର ଅଂଗ ପ୍ରତ୍ୟଙ୍ଗରେ ରୋମ ରୋମରେ ବ୍ୟାପି ଯାଉଛି । ଏହି ଭାବନା ସହିତ ପୂରକ ଅପେକ୍ଷା କିଛି ଅଧିକ କ୍ଷଣ ବାୟୁକୁ ଭିତରେ ବନ୍ଦ କରି ରଖ ।

 

(ଗ) ବର୍ତ୍ତମାନ ନାସିକା ଦ୍ଵାରା ଧୀରେ ଧୀରେ ବାୟୁ ତ୍ୟାଗ କରିବାକୁ ଆରମ୍ଭ କର । ‘ଭର୍ଗୋଦେବସ୍ୟ ଧୀମହି’ ଏହି ମନ୍ତ୍ର ଭାଗକୁ ଜପ କର ଏବଂ ମନରେ ଭାବ କି ଏହି ଦିବ୍ୟ ପ୍ରାଣ ମୋର ସମସ୍ତ ପାପକୁ ଭସ୍ମ କରି ବିଦା ହୋଇଯାଉଛି । ଯେତେ ସମୟ ବାୟୁ ଗ୍ରହଣ କରିବାର ଲାଗିଥିଲା ସେତିକି ସମୟ ବାୟୁ ନିଷ୍କାସନରେ ଲଗାଇବା ଉଚିତ ।

 

ଏହା ଏକ ପ୍ରାଣାୟାମ ହେଲା । ଏହିପରି ପାଞ୍ଚ ଦଶ ବାର ପ୍ରାଣାୟାମ କରିପାର । ଏହାଦ୍ୱାରା ଶରୀରର ପ୍ରାଣ, ଅପାନ, ବ୍ୟାନ, ସମାନ, ଉଦାନ ନାମକ ପାଞ୍ଚ ପ୍ରାଣର ବ୍ୟାୟାମ ପ୍ରସ୍ପୁରିତ ଏବଂ ପରିମାର୍ଜିତ ହୋଇଥାଏ ।

 

୪ । ଅଘମର୍ଷଣ ପାଇଁ ଡାହାଣ ହାତର ପାପୁଲିରେ ଜଳ ରଖି ଡାହାଣ ନାକପୁଡ଼ାର ଛଅ ଆଙ୍ଗୁଳି ଦୂରରେ ରଖ । ବାମ ହାତର ବୃଦ୍ଧାଙ୍ଗୁଳି ଦ୍ଵାରା ବାମପୁଡ଼ା ବନ୍ଦ କର । ଡାହାଣ ପୁଡ଼ା ଦ୍ୱାରା ଧୀରେ ଧୀରେ ଶ୍ଵାସ ଟାଣିବାକୁ ଲାଗ । ଶ୍ଵାସ ଟାଣିବା ସମୟରେ ମନରେ ଭାବ କି ଗାୟତ୍ରୀ ମାତାର ପୁଣ୍ୟ ପ୍ରତୀକ ଏହି ଜଳ ନିଜର ଦିବ୍ୟ ଶକ୍ତିଗୁଡ଼ିକ ସହିତ ପାପତାପର ସଂହାର କରିବା ପାଇଁ ମୋ ଭିତରେ ପ୍ରବେଶ କରୁଛି ତଥା ଆଭ୍ୟନ୍ତରୀଣ ପାପ, ମଳ ଏବଂ ବିକାରଗୁଡ଼ିକୁ ସଂହାର କରୁଛି ।

 

ଯେତେବେଳେ ଶ୍ଵାସ ପୂର୍ଣ୍ଣମାତ୍ରାରେ ଗ୍ରହଣ କରି ସାରିଛ, ବାମ ପୁଡ଼ା ଖୋଲିଦିଅ ଏବଂ ଡାହାଣ ପୁଡ଼ା ଅଙ୍ଗୁଳି ଦ୍ଵାରା ବନ୍ଦ କର ତଥା ବାମପୁଡ଼ା ଦ୍ଵାରା ଶ୍ଵାସ ତ୍ୟାଗ କର । ଡାହାଣ ହାତର ପାପୁଲିରେ ରଖିଥିବା ଜଳକୁ ବର୍ତ୍ତମାନ ବାମପୁଡ଼ା ଆଗରେ ରଖ । ଏପରି ଭାବନା କର କି ‘ନଷ୍ଟ ହୋଇଥିବା ପାପରାଶି ଶ୍ଵାସ ସହିତ ବାହାରି ଆସି ଏହି ଜଳରେ ପଡ଼ୁଛି’; ଯେତେବେଳେ ଶ୍ଵାସ ପୂର୍ଣ୍ଣରୂପେ ବାହାରି ଯିବ ସେ ଜଳକୁ ଘୃଣାର ସହିତ ବାମ ଆଡ଼କୁ ନିକ୍ଷେପ କର ।

 

ଅଘମର୍ଷଣ କ୍ରିୟାରେ ଜଳକୁ ହାତରେ ଭରିବାବେଳେ ‘‘ଓଁ ଭୂର୍ଭୁବଃ ସ୍ଵଃ’’, ଡାହାଣ ନାକଦ୍ଵାରା ଶ୍ଵାସ ଟାଣିବା ବେଳେ ‘‘ତତ୍‍ସବିତୁର୍ବରେଣ୍ୟ˚’’ ଏବଂ ବାମ ନାକରୁ ଶ୍ଵାସ ତ୍ୟାଗ କଲାବେଳେ ‘‘ଭର୍ଗୋଦେବସ୍ୟ ଧୀମହି’’ ଏବଂ ଜଳ ନିକ୍ଷେପ କଲାବେଳେ ‘‘ଧିୟୋୟୋନଃ ପ୍ରଚୋଦୟାତ୍’’ ଉଚ୍ଚାରଣ କରିବା ଉଚିତ ।

ଏହି କ୍ରିୟା ତିନି ଥର କରିବା ଉଚିତ, ଯଦ୍ଦ୍ୱାରା କାୟା, ବାଣୀ ଏବଂ ମନର ତ୍ରିବିଧ ପାପର ସଂହାର ହୋଇପାରେ ।

 

୫ । ଧାରଣା କରିବାକୁ ନ୍ୟାସ କୁହାଯାଏ । ଅଂଗ ପ୍ରତ୍ୟଙ୍ଗମାନଙ୍କରେ ଗାୟତ୍ରୀର ସତ୍ଵଗୁଣ ଶକ୍ତି ଧାରଣ କରିବାକୁ, ସ୍ଥାପିତ କରିବାକୁ ତଥା ଶରୀରରେ ଓତଃପ୍ରୋତ କରିବାକୁ ନ୍ୟାସ କୁହାଯାଏ । ଗାୟତ୍ରୀର ବ୍ରହ୍ମ ସନ୍ଧ୍ୟାରେ ବୃଦ୍ଧାଙ୍ଗୁଳି ଏବଂ ଅନାମିକା ଅଙ୍ଗୁଳିର ପ୍ରୟୋଗ ପ୍ରୟୋଜନୀୟ ଗ୍ରହଣ କରାଯାଇଅଛି । ବୃଦ୍ଧାଙ୍ଗୁଳି ଏବଂ ଅନାମିକା ଅଙ୍ଗୁଳି ମିଳାଇ ବିଭିନ୍ନ ଅଂଗର ସ୍ପର୍ଶ ଏହି ଭାବନା ରଖି କରିବା ଉଚିତ କି ମୋର ଅଂଗ ପ୍ରତ୍ୟଙ୍ଗ ଗାୟତ୍ରୀର ଶକ୍ତି ଦ୍ଵାରା ପବିତ୍ର ଏବଂ ବଳବାନ୍ ହୋଇ ଯାଉଅଛ । ଅଂଗସ୍ପର୍ଶ ସହିତ ଭିନ୍ନ ଭିନ୍ନ ପ୍ରକାର ମନ୍ତ୍ରୋଚ୍ଚାରଣ କରିବା ଉଚିତ । (୧) ଓଁ ଭୂର୍ଭୁ ବଃ ସ୍ଵଃ ଭୂର୍ଘାୟୈ ନମଃ, (୨) ତତ୍ସବିତୁଃନେତ୍ରାଭ୍ୟା˚ ନମଃ, (୩) ବରେଣ୍ୟ˚କର୍ଣ୍ଣାଭ୍ୟାଂ ନମଃ, (୪) ଭର୍ଗୋମୁଖାୟ ନମଃ, (୫) ଦେବସ୍ୟକଣ୍ଠାୟ ନମଃ, (୬) ଧୀମହିହୃଦୟାୟ ନମଃ, (୭) ଧିୟୋୟୋନଃନାଭୌ ନମଃ, (୮) ପ୍ରଚୋଦୟାତ୍ହସ୍ତପଦାଭ୍ୟାଂ ନମଃ । ଏହା ଗାୟତ୍ରୀ ବା ବ୍ରହ୍ମସନ୍ଧ୍ୟାର ଛୋଟ ପ୍ରକ୍ରିୟା ଅଟେ । କିଛିକ୍ଷଣ ମଧ୍ୟରେ ଏହା କରାଯାଇପାରେ ।

 

ଯେଉଁମାନେ ସାକାର ଉପାସନାରେ ବିଶ୍ଵାସ ରଖନ୍ତି ସେମାନେ ଗାୟତ୍ରୀର ମୂର୍ତ୍ତି ବା କୌଣସି ଫଟୋ ପ୍ରତିଷ୍ଠା କରି ଧୂପ, ଦୀପ, ଗନ୍ଧ, ଅକ୍ଷତ, ପୁଷ୍ପ, ତାମ୍ବୁଳ ଇତ୍ୟାଦି ପଦାର୍ଥ ଉପଲବ୍ଧ ହେଲେ ବିଧିବତ୍ ତଦ୍ଦ୍ଵାରା ପୂଜନ କରିବା ଉଚିତ । ଯେଉଁମାନେ ନିରାକାର ସାଧନାରେ ବିଶ୍ଵାସ କରନ୍ତି ସେମାନେ କେବଳ ଘୃତଦୀପ ରଖି ସାଧନାରେ ବସି ପାରନ୍ତି । ସେହି ପୂଜା ସ୍ଥାନରେ ଗାୟତ୍ରୀ ମହାଶକ୍ତିର ଆଗମନର ଭାବନା ରଖି ଆବାହନ ମନ୍ତ୍ର ପାଠ କରିବା ଉଚିତ ।

 

ଭୂତଶୁଦ୍ଧି ଏବଂ ବ୍ରହ୍ମ ସନ୍ଧ୍ୟା ପରେ ପୂଜାର ସମୟ ଆସେ ।

ଆୟାତୁ ବରଦା ଦେବୀ ଅକ୍ଷରଂ ବ୍ରହ୍ମବାଦିନୀ

ଗାୟତ୍ରୀ ଛନ୍ଦସାଂ ମାତା ବ୍ରହ୍ମଯୋନେ ନମସ୍ତୁତେ ।

 

ପୂଜା ପରେ ଜପ ଆରମ୍ଭ କରିଦେବା ଉଚିତ । ଜପ ଖୁବ୍ କାମରେ ଏକ ମାଳା ହେବା ଉଚିତ । ଅଧିକ ମାଳା ଜପ କଲେ ୩, ୫, ୭, ୯, ୧୧ ଏହିପରି ବିଷମ ସଂଖ୍ୟାରେ ମାଳା ଜପ କରିବାକୁ ହେବ । ଜପ ସମୟରେ ଆକାଶରେ ସୂର୍ଯ୍ୟ ପରି ତେଜସ୍ଵୀ ଲଘୁ ଅନୁଷ୍ଠାନ ୯ ଦିନରେ, ମଧ୍ୟମ ୪୦ ଦିନରେ ଏବଂ ପୂର୍ଣ୍ଣ ଅନୁଷ୍ଠାନ ୧ ବର୍ଷରେ ପୂର୍ଣ୍ଣ ହୁଏ । ଆଶ୍ଵିନ ଏବଂ ଚୈତ୍ରର ନବରାତ୍ରି ଲଘୁ ଅନୁଷ୍ଠାନ କରିବା ପାଇଁ ଉପଯୁକ୍ତ ସମୟ ଅଟେ । ଅନୁଷ୍ଠାନ ଦିନରେ ବ୍ରହ୍ମଚର୍ଯ୍ୟ, ଉପବାସ, ମୌନ, ଭୂମି ଶୟନ ସ୍ୱାବଲମ୍ବନ ଆଦି ତପଶ୍ଚର୍ଯ୍ୟା ଯେତେଦୂର ହୋଇପାରେ କରିବା ଉଚିତ ।

 

କେତେକ ଜ୍ଞାତବ୍ୟ ବିଷୟ

 

୧.

ପ୍ରାଚୀନ କାଳରେ ହିନ୍ଦୁ ସ୍ତ୍ରୀମାନେ ମଧ୍ୟ ଯଜ୍ଞୋପବୀତ ଧାରଣ କରି ଗାୟତ୍ରୀ ଜପ କରୁଥିଲେ କିନ୍ତୁ ମନୁ ଏହାକୁ ସମର୍ଥନ କରନ୍ତି ନାହିଁ ।

 

 

୨.

ଗଙ୍ଗା କୂଳରେ, ଅଶ୍ୱତ୍‍ଥ ବା ପଞ୍ଚବୃକ୍ଷ ତଳେ ଜପ କଲେ ବା ଗାୟତ୍ରୀ ପୁରଶ୍ଚରଣ କଲେ ଶୀଘ୍ର ସିଦ୍ଧି ମିଳିଥାଏ ।

୩.

ଯଦି ପ୍ରତ୍ୟହ ୪୦୦୦ କରାଯାଏ ତେବେ ଏକ ବର୍ଷ ସାତ ମାସ ପଚିଶ ଦିନରେ ପୁରଶ୍ଚରଣ ପୂର୍ଣ୍ଣ ହେବ ।

 

 

୪.

ପୁରଶ୍ଚରଣ କାଳରେ ଅଖଣ୍ଡ ମୌନବ୍ରତ ବିଶେଷ ଲାଭଦାୟକ । ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ଅବଶ୍ୟ ଧାରଣ କରିବା ଉଚିତ । ନଚେତ୍‍ ଶୀଘ୍ର ଲାଭ ମିଳେ ନାହିଁ ।

 

 

୫.

ପ୍ରାତଃ, ମଧ୍ୟାହ୍ନ ଏବଂ ସନ୍ଧ୍ୟାରେ ଗାୟତ୍ରୀର ଧ୍ୟାନର ଆକୃତି ଭିନ୍ନ ଭିନ୍ନ ହୋଇଥାଏ । ଅନେକ ସାଧକ ତିନି କାଳରେ କେବଳ ପଞ୍ଚମୁଖୀ ଗାୟତ୍ରୀ ଦେବୀଙ୍କର ଧ୍ୟାନ କରିଥାନ୍ତି-

Image

 

Unknown

ଚତୁର୍ଥ ଅଧ୍ୟାୟ

ସାଧନା ପ୍ରକରଣ

 

(୧) ଗୁରୁର ଆବଶ୍ୟକତା

 

ଆଧ୍ୟାତ୍ମିକ ସାଧନା ପାଇଁ ଗୁରୁର ଆବଶ୍ୟକତା ଅକଥନୀୟ । ଏ ପଥ କଣ୍ଟକପୂର୍ଣ୍ଣ, ଅତ୍ୟନ୍ତ କଷ୍ଟପ୍ରଦ ଏବଂ ରହସ୍ୟମୟ । ଗୁରୁ ସାଧକକୁ ଉଚିତ ମାର୍ଗ ପ୍ରଦର୍ଶନ କରାଇଥାନ୍ତି ତଥା ପଥର ସମସ୍ତ ବାଧାବିଘ୍ନ ଦୂର କରିଥାନ୍ତି ।

 

ଗୁରୁ, ଈଶ୍ଵର, ବ୍ରହ୍ମ ଏବଂ ସତ୍ୟ ଏକ ବସ୍ତୁ । ଭକ୍ତି ଏବଂ ଶ୍ରଦ୍ଧାପୂର୍ବକ ଗୁରୁର ସେବା କର-। ସର୍ବତୋଭାବେ ତାହାଙ୍କୁ ପ୍ରସନ୍ନ ରଖ । ନିଜର ହୃଦୟ ପ୍ରାଣ ସମସ୍ତ ଗୁରୁ ସେବାରେ ଅର୍ପଣ କର-। ଅଟଳ ବିଶ୍ଵାସର ସହିତ ତାଙ୍କର ଆଜ୍ଞା ପାଳନ କର । ଗୁରୁ ନିଃସୃତ ବାଣୀରେ ଅଟଳ ଶ୍ରଦ୍ଧା ରଖ-। ତେବେ ଯାଇ ତୁମେ ନିଜର ଉନ୍ନତି କରି ପାରିବ । ଏହା ଛଡ଼ା ଅନ୍ୟ ଉପାୟ ନାହିଁ ।

 

ନିଜ ଗୁରୁଙ୍କର ପୂଜା ଠିକ୍ ଈଶ୍ଵରଙ୍କର ପୂଜା ପରି କରିବା ଉଚିତ । ଏ କଥା ଭଲଭାବେ ଜାଣିରଖ କି ଈଶ୍ଵର ବା ବ୍ରହ୍ମର ସମସ୍ତ ଶକ୍ତି ଗୁରୁଙ୍କଠାରେ ହିଁ ରହିଛି ।

 

“ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ ଗୁରୁର୍ଦେବା ମହେଶ୍ଵରଃ” ।

 

ଗୁରୁ ହିଁ ବ୍ରହ୍ମା ବିଷ୍ଣୁ ମହେଶ୍ଵର ଅଟନ୍ତି । ତାଙ୍କୁ ଈଶ୍ଵରଙ୍କର ଅବତାର ବୋଲି ମନେ କର-। କେବେହେଁ ତାଙ୍କର ଦୋଷ ପ୍ରତି ଦୃଷ୍ଟି ଦିଅ ନାହିଁ । କେବଳ ତାଙ୍କ ମଧ୍ୟରେ ଦେବତ୍ଵର ଦର୍ଶନ କର-। ଯେତେବେଳେ ଉପରୋକ୍ତ ମନୋଭାବ ନେଇ ତୁମେ ତାଙ୍କର ସେବା ପୂଜା କରିବ, ସେତେବେଳେ ଯାଇ ତୁମର ମୁକ୍ତିମାର୍ଗ ସୁଗମ ହୋଇଉଠିବ । ବ୍ରହ୍ମାନୁଭୂତି ଶୀଘ୍ର ହୋଇପାରିବ-। ଧୀରେ ଧୀରେ ଗୁରୁଙ୍କର ଶାରୀରିକ ରୂପ ତିରୋହିତ ହୋଇଯିବ ଏବଂ ତୁମେ ତାଙ୍କର ବ୍ୟାପକ ରୂପ ଅନୁଭବ କରିପାରିବ । ତୁମକୁ ଏପରି ଅନୁଭବ ହେବ ଯେ କେବଳ ଏକମାତ୍ର ଗୁରୁ ହିଁ ସମସ୍ତ ସଂସାରରେ ବ୍ୟାପି ରହିଛନ୍ତି । ତୁମେ ସ୍ଥାବର, ଜଂଗମ, ଜଡ଼, ଚେତନରେ କେବଳ ଗୁରୁଙ୍କୁ ହିଁ ଦର୍ଶନ କରିବ । କେବଳ ଗୁରୁକୃପା ଦ୍ଵାରା ହିଁ ତୁମେ ଭବ ବନ୍ଧନରୁ ମୁକ୍ତି ଲାଭ କରି ପାରିବ-। ଗୁରୁକୃପାହିଁ ସଂସାର-ସାଗରରୁ ପାରି ହେବା ପାଇଁ ସୁରକ୍ଷିତ ନୌକା ଅଟେ ।

 

ଯେଉଁ ସାଧକ ଭକ୍ତିପୂର୍ଣ୍ଣ ଚିତ୍ତରେ ଗୁରୁଙ୍କର ସେବା ପୂଜା କରେ ଶୀଘ୍ର ତାହାର ହୃଦୟ ନିର୍ମଳ ହୋଇଯାଏ । ଆତ୍ମଶୁଦ୍ଧି ପାଇଁ ଏହା ସର୍ବାପେକ୍ଷା ସୁଗମ ଉପାୟ ଅଟେ ।

 

ଯଦି ତୁମେ ଗୁରୁଙ୍କଠାରୁ ମନ୍ତ୍ର ଦୀକ୍ଷା ନେଇଥାଅ ତେବେ ତାହା ଅତ୍ୟନ୍ତ ଉତ୍ତମ, କାରଣ ଗୁରୁଠାରୁ ପ୍ରାପ୍ତ କରାଯାଇଥିବା ମନ୍ତ୍ର ସାଧକ ଉପରେ ଆଶ୍ଚର୍ଯ୍ୟଜନକ ପ୍ରଭାବ ପକାଏ । କେବଳ ମନ୍ତ୍ର ନୁହେଁ, ମନ୍ତ୍ର ସହିତ ସଦ୍‍ଗୁରୁ ନିଜର ଶକ୍ତି ମଧ୍ୟ ଶିଷ୍ୟକୁ ପ୍ରଦାନ କରିଥାନ୍ତି । ଯଦି ଗୁରୁ ପାଇବାରେ ବିଳମ୍ବ ଥାଏ ତେବେ ହତାଶ ହୁଅ ନାହିଁ । ଭଗବାନଙ୍କୁ ପ୍ରାର୍ଥନା କର । ଗୁରୁ ଲାଭ ନହେବା ପର୍ଯ୍ୟନ୍ତ ଯେଉଁ ମନ୍ତ୍ର ତୁମକୁ ଅଧିକ ପ୍ରିୟ ଲାଗୁଥାଏ ତାର ଜପ ନିତ୍ୟ ଭାବ ସହିତ କରିବାକୁ ଆରମ୍ଭ କରିଦିଅ । ଏହାଦ୍ଵାରା ମଧ୍ୟ ଆତ୍ମଶୁଦ୍ଧି ହେବ ତଥା ଭଗବାନଙ୍କ କୃପାରେ ତୁମେ ଶୀଘ୍ର ଉନ୍ନତି ଲାଭ କରିପାରିବ ।

 

(୨) ଧ୍ୟାନପାଇଁ କକ୍ଷ

 

ଧ୍ୟାନ ଏବଂ ଜପ କରିବା ପାଇଁ ଅଲଗା ଏକ କୋଠରି ରହିବା ଦରକାର । କେବଳ ଧ୍ୟାନ, ଜପ, ପୂଜା ବା ଆଧ୍ୟାତ୍ମିକ ସାଧନା ପାଇଁ ସେଠାକୁ ଯାଅ । ଅନ୍ୟ ସମୟରେ ତହିଁରେ ଚାବି ବନ୍ଦ କରି ରଖ । ସେ କୋଠରି ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଅ ନାହିଁ । ସକାଳେ ଏବଂ ସନ୍ଧ୍ୟାରେ ସେଥିରେ ଧୂପ, ଝୁଣା ସୁଗନ୍ଧିତ ପଦାର୍ଥ ଜଳାଅ । ଶ୍ରୀକୃଷ୍ଣ, ରାମ, ଶିବ ବା ତୁମର ଇଷ୍ଟ ଦେବତାଙ୍କ ମୂର୍ତ୍ତି ବା ଫଟୋ ସେ ଗୃହରେ ସଜାଇ ରଖ । ଫଟୋ ଆଗରେ ନିଜର ଆସନ ବିଛାଅ । ଯେତେବେଳେ ସେହି କକ୍ଷ ମଧ୍ୟରେ ବସି ତୁମେ ଜପ ଧ୍ୟାନାଦି କରିବ ସେତେବେଳେ ଶକ୍ତିଶାଳୀ ସ୍ପନ୍ଦନ ଉଠି କକ୍ଷର ବାତାବରଣକୁ ଓତପ୍ରୋତ କରିଦେବ । ଛଅ ମାସ ମଧ୍ୟରେ ତୁମେ ସେହି କକ୍ଷ ମଧ୍ୟରେ ଶାନ୍ତି, ଆନନ୍ଦ ଏବଂ ପବିତ୍ରତା ଅନୁଭବ କରିବ । କକ୍ଷରେ ଏକ ବିଶେଷ ପ୍ରକାର ସୌନ୍ଦର୍ଯ୍ୟ ଏବଂ ଜ୍ୟୋତି ପ୍ରକାଶ ପାଇବାକୁ ଲାଗିବ । ଯଦି ତୁମେ ଶ୍ରଦ୍ଧା ଏବଂ ସଦ୍‍ଭାବନା ସହିତ ସାଧନା କରୁଥାଅ ତେବେ ଖୁବ୍‍ ଶୀଘ୍ର ମଧ୍ୟ ତୁମେ ଏପରି ଅନୁଭବ କରିବ ।

 

ଯେତେବେଳେ ତୁମର ଅନ୍ତଃକରଣ ସାଂସାରିକ କଷ୍ଟଯୋଗୁଁ ଉଦ୍‍ବିଗ୍ନ ହୋଇଉଠେ, ସେତେବେଳେ ତତ୍‍କ୍ଷଣାତ୍‍ ସେହି କକ୍ଷ ମଧ୍ୟକୁ ଯାଇ ନୀରବରେ ବସ ବା ନାମ ସ୍ମରଣ କର । ତୁମର ମନରେ ଅପୂର୍ବ ପରିବର୍ତ୍ତନ ଆସିବ । ପରୀକ୍ଷା କଲେ ତୁମେ ସ୍ୱୟଂ ଏହାର ଶାନ୍ତିପ୍ରଦ ଆଧ୍ୟାତ୍ମିକ ପ୍ରଭାବ ଅନୁଭବ କରିପାରିବ । ଆଧ୍ୟାତ୍ମିକ ସାଧନା ପରି ଶାନ୍ତିଦାୟକ, ଆନନ୍ଦଦାୟକ, ପବିତ୍ର, ମଙ୍ଗଳମୟ ଏବଂ ମହାନ୍ ବସ୍ତୁ ଏ ସଂସାରରେ କିଛି ନାହିଁ । ମସୌରୀ ପାହାଡ଼ର ଆନନ୍ଦ, କାଶ୍ମୀରର ସାଲିମାର ବଗିଚାର ଆନନ୍ଦ, ବମ୍ବେର ମାଲବାର ହିଲ୍ର ଆନନ୍ଦ ବା ମହିଶୁରର ବୃନ୍ଦାବନ ବଗିଚାର ଆନନ୍ଦ, ସମସ୍ତ କିଛି ତୁମେ ଏହି କକ୍ଷ ମଧ୍ୟରେ ଅନୁଭବ କରିପାରିବ ।

 

ହୃଦୟରେ ଶ୍ରଦ୍ଧା ରଖି ଈଶ୍ଵରଙ୍କର ନାମ ଜପ କର । ଶୀଘ୍ର ହିଁ ତୁମେ ଈଶ୍ଵରଙ୍କର ସନ୍ନିଧି ଲାଭ କରିବ । ଏହି କରାଳ କଳି-କାଳର ଈଶ୍ଵରପ୍ରାପ୍ତି ପାଇଁ ଏହା ଏକମାତ୍ର ସୁଗମ ମାର୍ଗ ଅଟେ । ସାଧନାରେ ନିୟମିତ ହେବା ଉଚିତ । ଈଶ୍ଵର କୌଣସି ପ୍ରକାର ମୂଲ୍ୟବାନ ଉପହାର ଚାହାନ୍ତି ନାହିଁ-। ଅନେକ ଧନୀ ବ୍ୟକ୍ତି ବଡ଼ ବଡ଼ ହସପାତାଳ ଖୋଲନ୍ତି, ମନ୍ଦିର, ଧର୍ମଶାଳା ନିର୍ମାଣ କରନ୍ତି-। କୂପ, ପୁଷ୍କରିଣୀ ଖୋଲନ୍ତି କିନ୍ତୁ ନିଜର ହୃଦୟ ଈଶ୍ଵରଙ୍କୁ ଦାନ କରିପାରନ୍ତି ନାହିଁ । ଈଶ୍ଵରଙ୍କର ନାମ ସ୍ମରଣ ସେମାନଙ୍କ ଦ୍ଵାରା ହୋଇପାରନ୍ତି ନାହିଁ । ସେମାନେ ତ କେବଳ ନିଜର ନାମ ଅନ୍ୟ ଦ୍ଵାରା ସ୍ମରଣ କରାଇବା ଲାଳସାରେ ଏପରି କାର୍ଯ୍ୟ କରିଥାନ୍ତି । ଏହା କଣ ଧର୍ମାତ୍ମାର ଲକ୍ଷଣ-? ଭକ୍ତର ହୃଦୟରେ କେବଳ ସର୍ବବ୍ୟାପୀ ରାମଙ୍କର ଭାବନାହିଁ ଅଖଣ୍ଡ ତୈଳଧାରବତ୍ ଜାଗ୍ରତ ଥାଏ-। ଏଣୁ ସେ ସ୍ଥୂଳ ଜଗତରେ ମଧ୍ୟ ପ୍ରଭୁଙ୍କର ବିଭୁତା ଅନୁଭବ କରେ । ଓଁ ପରି ରାମ ମଧ୍ୟ ସର୍ବବ୍ୟାପକତାର ଅଭିବାଚକ ଅଟେ । ଈଶ୍ଵରଙ୍କୁ କେବଳ ଧ୍ୟାନ ଦ୍ଵାରା ଅନୁଭବ କରାଯାଇପାରେ । ଜପ ଦ୍ଵାରା ପ୍ରାପ୍ତି କରାଯାଇପାରେ ।

 

(୩) ବ୍ରାହ୍ମମୁହୂର୍ତ୍ତ

 

ଦୁଇଘଣ୍ଟା ରାତ୍ରି ଥାଉଁ ଥାଉଁ ଅର୍ଥାତ୍ ପ୍ରାତଃକାଳ ୪ଟା ସମୟକୁ ବ୍ରାହ୍ମମୁହୂର୍ତ୍ତ କୁହାଯାଏ । ଆଧ୍ୟାତ୍ମିକ ସାଧନା ଅର୍ଥାତ୍ ଜପ, ଧ୍ୟାନ, ଇତ୍ୟାଦି କରିବା ପାଇଁ ବ୍ରାହ୍ମମୁହୂର୍ତ୍ତ ହିଁ ସର୍ବୋତ୍କୃଷ୍ଟ ସମୟ । ପ୍ରାତଃକାଳରେ ଆମର ଚିତ୍ତ ପବିତ୍ର, ପ୍ରସନ୍ନ, ସ୍ଵଚ୍ଛ ଏବଂ ଶାନ୍ତ ଥାଏ । ଏ ସମୟରେ ମସ୍ତିଷ୍କ ଏକ ପରିଷ୍କାର ଅଲେଖା କାଗଜ ପରି ଚିହ୍ନ-ବିହୀନ ଥାଏ । ସାଂସାରିକ ଚିନ୍ତା ବା ଅନ୍ୟ ଭାବନାରୁ ମୁକ୍ତ ଥାଏ । ଦୀର୍ଘ ଛଅ ଘଣ୍ଟାର ବିଘ୍ନହୀନ ବିଶ୍ରାମ ପରେ ମସ୍ତିଷ୍କ ତୁମର ଯେ କୌଣସି ଚିନ୍ତାଧାରା ଗ୍ରହଣ କରିବାକୁ ସପ୍ରସନ୍ନ ଥାଏ । ତୁମେ ତାହାକୁ ଯେ କୌଣସି କାର୍ଯ୍ୟରେ ସୁଗମତା ପୂର୍ବକ ଲଗାଇପାର-। ଏ ସମୟରେ ବାତାବରଣରେ ବିଶେଷ ସତ୍ତ୍ଵ ଥାଏ । ନିଜର ହାତ ମୁହଁ ଧୋଇ ପକାଅ ଏବଂ ଶୀଘ୍ର ଜପ କରିବା ପାଇଁ ବସିଯାଅ । ଯଦି ସ୍ନାନ ଦେହରେ ଯାଏ ତେବେ ଅତ୍ୟନ୍ତ ଲାଭଦାୟକ-। କିନ୍ତୁ ଏପାଇଁ ଖାସ୍ ଧରିବନ୍ଧା ନିୟମ ନାହିଁ ।

 

ଅନ୍ୟ ଏକ କଥା ମନେରଖ, ବ୍ରାହ୍ମମୁହୂର୍ତ୍ତରେ ହିମାଳୟରେ ବା ଅନ୍ୟାନ୍ୟ ଗିରିକନ୍ଦରାରେ ମହାତ୍ମାମାନେ ଧ୍ୟାନନିଷ୍ଠ ରହି ନିଜର ସଦ୍‍ବିଚାର ଏବଂ ସଦ୍‍ଭାବନା ବିଶ୍ଵକୁ ପ୍ରେରଣ କରୁଥାନ୍ତି । ଏପରି ସମୟରେ ତୁମେ ତୁମର ଅନ୍ତଃକରଣରୂପ ରେଡ଼ିଓ ଷ୍ଟେସନ ଖୋଲିଦିଅ । ତେବେ ସେମାନଙ୍କର ବିଚାରଧାରା ଶୀଘ୍ର ତୁମେ ଗ୍ରହଣ କରିପାରିବ । ଏଥିପାଇଁ ବ୍ରାହ୍ମମୁହୂର୍ତ୍ତ ଆଧ୍ୟାତ୍ମିକ ସାଧନା ପାଇଁ ଉପଯୁକ୍ତ । ରେଜାଇ ଭିତରେ ଶୋଇରହି ସୂର୍ଯ୍ୟଦେବଙ୍କୁ ପ୍ରତୀକ୍ଷା କର ନାହିଁ । ଉଠ, କାର୍ଯ୍ୟରେ ଲାଗିଯାଅ । ସମୟ ନଦୀସ୍ରୋତ ପରି ବହି ଯାଉଛି ।

 

(୪) ଇଷ୍ଟ ଦେବତା

 

ଶିବ, ରାମ, କୃଷ୍ଣ, ଗାୟତ୍ରୀ, ଦୁର୍ଗା, କାଳୀ ଯେ କୌଣସି ଦେବଦେବୀ ଯେ ତୁମର ପ୍ରିୟ ତାଙ୍କୁ ନିଜର ଆରାଧ୍ୟ ମାନି ନେଇପାର । ଯଦି ନିଜେ ଏପରି ବାଛିବାରେ ଅସୁବିଧା ଅନୁଭବ କର ତେବେ ତୁମର କୁଳଗୁରୁ ବା କୌଣସି ଆଧ୍ୟାତ୍ମିକ ସାଧକଙ୍କୁ ପଚାରି ନିଜର ଇଷ୍ଟ ଦେବତା ମନୋନୀତ କରିନିଅ । ଜ୍ୟୋତିଷମାନେ ମଧ୍ୟ ତୁମର ଗ୍ରହ ଅନୁସାରେ ତୁମର ଇଷ୍ଟଦେବତା ନିର୍ବାଚନରେ ସାହାଯ୍ୟ କରିପାରନ୍ତି । ଆମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ପୂର୍ବଜନ୍ମରେ କୌଣସି ନା କୌଣସି ଏକ ଦେବତାଙ୍କର ପୂଜା କରିଛୁଁ । ଆମର ଚିତ୍ତରେ ସେହି ସଂସ୍କାର ସନ୍ନିହିତ ଅଛି । ଏଣୁ ସ୍ଵଭାବତଃ ଆମ୍ଭମାନଙ୍କର କୌଣସି ଏକ ଦେବତା ପ୍ରତି ମାନସିକ ଆକର୍ଷଣ ରହିଛି । ଯଦି ତୁମେ ପୂର୍ବଜନ୍ମରେ ଶ୍ରୀକୃଷ୍ଣଙ୍କର ଆରାଧନା କରିଥାଅ ତେବେ କେବଳ କୃଷ୍ଣଙ୍କର ବିଶ୍ଵବିମୋହନ ରୂପ, ତାଙ୍କର ମୁରଲୀ, ତାଙ୍କର ଲୀଳା, ତାଙ୍କର ରୂପ, ଗୁଣ ସମସ୍ତ କିଛି ତୁମର ମନପ୍ରାଣକୁ ପୁଲକିତ କରିବ ।

 

ଯେତେବେଳେ ତୁମେ କୌଣସି ବିପଦରେ ପଡ଼ିଥାଅ, ତୁମ ମୁଖରୁ କୌଣସି ଏକ ଦେବଦେବୀଙ୍କର ନାମ ଉଚ୍ଚାରିତ ହୁଏ, କେହି ବା ରକ୍ଷା କରିବା ପାଇଁ ହନୁମାନଙ୍କୁ, କେହି ଶ୍ରୀରାମ ବା କୃଷ୍ଣଙ୍କୁ, କେହି ଦୁର୍ଗା ବା କାଳୀଙ୍କୁ ଡାକିଥାଏ । ଏଥିରୁ ଇଷ୍ଟ ଦେବତା ନିର୍ଣ୍ଣୟ ସୁଗମ ହୋଇଥାଏ-

 

ଅନ୍ୟ ଏକ ଉପାୟ ଅବଲମ୍ବନ କରିପାର । ସମସ୍ତ ଦେବଦେବୀଙ୍କର ଏକ ଏକ ସୁନ୍ଦର ଚିତ୍ର ଆଣି ଆଗରେ ରଖ । ବାରମ୍ବାର ପ୍ରତ୍ୟେକ ଚିତ୍ର ପ୍ରତି ଧ୍ୟାନପୂର୍ବକ ଦେଖ । କେଉଁ ଚିତ୍ର ତୁମର ମନପ୍ରାଣକୁ ବିଶେଷ ଆକୃଷ୍ଟ କରୁଛି, ଯାହାର ରୂପମାଧୁରୀରେ ତୁମେ ବିଶେଷ ଭାବେ ମୁଗ୍ଧ, ତାଙ୍କୁ ହିଁ ତୁମେ ଇଷ୍ଟ ମାନିନିଅ । ଏହିପରି ତୁମେ ନିଜର ଇଷ୍ଟ ସହଜରେ ନିର୍ଣ୍ଣୟ କରି ପାରିବ । ଥରେ କୌଣସି ଦେବ ବା ଦେବୀଙ୍କୁ ତୁମେ ନିଜର ଇଷ୍ଟ ମାନିନେଲେ ଶେଷ ପର୍ଯ୍ୟନ୍ତ କେବଳ ତାଙ୍କରି ଉପାସନା କର । ତୁମେ ଯେ ଅନ୍ୟ ଦେବଦେବୀଙ୍କୁ ନ ମାନିବ ତାହା ନୁହେଁ । ପ୍ରତ୍ୟେକ ଦେବଦେବୀଙ୍କ ମଧ୍ୟରେ ତୁମର ଇଷ୍ଟ ଦେବତାର ଦର୍ଶନ କର ଏବଂ ତୁମର ଇଷ୍ଟ ଦେବତା ମଧ୍ୟରେ ପ୍ରତ୍ୟେକ ଦେବଦେବୀଙ୍କର ଦର୍ଶନ କର । ପ୍ରତ୍ୟେକ ଦେବଦେବୀଙ୍କୁ ଭକ୍ତି ସହକାରେ ପ୍ରଣାମ କର; କିନ୍ତୁ ମନେ କର ଯେ ତୁମର ଦେବତା ଏହି ରୂପରେ ତୁମର ଭକ୍ତି ଗ୍ରହଣ କରୁଛନ୍ତି ।

 

ଆକାଶାତ୍ ପତିତଂ ତୋୟଂ ଯଥା ଗଚ୍ଛତି ସାଗରଂ

ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି ।

 

ଯେପରି ଆକାଶରୁ ପାଣି ପଡ଼ି ନଦୀ, ନାଳ, ପୋଖରୀ ପୂର୍ଣ୍ଣ କରେ । ପୁଣି ସେ ପାଣି ଯାଇ ଯେପରି ସାଗରରେ ପଡ଼େ ସେହିପରି ତୁମେ ଯେ କୌଣସି ଦେବଦେବୀଙ୍କୁ ପ୍ରଣାମ କଲେ ତାହା ତୁମର ଇଷ୍ଟଦେବ ଗ୍ରହଣ କରୁଛନ୍ତି ବୋଲି ମନେ କର ।

 

(୫) ଜପପାଇଁ ଆସନ

 

ପଦ୍ମ, ସିଦ୍ଧ, ସୁଖାସନ ବା ସ୍ଵସ୍ତିକାସନରେ ସ୍ଥିରଭାବେ ବସି ପ୍ରଥମେ ଅଧଘଣ୍ଟା ପର୍ଯ୍ୟନ୍ତ ଜପ କର । ଧୀରେ ଧୀରେ ଜପର ସମୟ ବଢ଼ାଇ ତିନିଘଣ୍ଟା ପର୍ଯ୍ୟନ୍ତ ଏକ ଆସନରେ ଅଚଞ୍ଚଳ ଭାବରେ ବସିବାରେ ଅଭ୍ୟାସ କର । ପ୍ରାୟ ଏକ ବର୍ଷ ମଧ୍ୟରେ ତୁମର ଆସନ-ସିଦ୍ଧି ହୋଇଯିବ । ଅର୍ଥାତ୍ ତୁମେ ସେହି ବିଶେଷ ଆସନରେ ଦୀର୍ଘକାଳ ବସିବାରେ କଷ୍ଟ ଅନୁଭବ କରିବ ନାହିଁ । ଶରୀରକୁ କୌଣସି ସରଳ ତଥା ସୁଖପୂର୍ବକ ଅବସ୍ଥାରେ ରଖିବାକୁ ଆସନ କୁହାଯାଏ । ସ୍ଥିରଂ ସୁଖମାସନମ୍ ।

 

ନିଜର ମସ୍ତକ, ବେକ, ମେରୁଦଣ୍ଡ ଏବଂ ଛାତି ସିଧା ରଖ । ଭୂମି ଉପରେ ଏକ କମ୍ବଳ ଚଉତାଇ ବିଛାଅ । ସେହି କମ୍ବଳ ଉପରେ ଏକ ସ୍ୱଚ୍ଛ, ନରମ ଲୁଗା ବିଛାଅ । ଯଦି ମୃଗଛାଲ ମିଳେ ତେବେ ଅତ୍ୟୁତ୍ତମ । ମୃଗଚର୍ମଦ୍ଵାରା ସାଧନାରେ ଅନେକ ଲାଭ ମିଳେ । ତାହା ଶରୀରର ବିଦ୍ୟୁତ ଶକ୍ତି ଉତ୍ପନ୍ନ କରେ ଏବଂ ତାହାକୁ ବାହାରକୁ ଯିବାକୁ ଦିଏ ନାହିଁ । ମୃଗ ଚର୍ମରେ ଆକର୍ଷଣ ଶକ୍ତି ଥାଏ । ମୃଗଚର୍ମ ଉପରେ ମଧ୍ୟ ଲୁଗା ବିଛାଇବା ଉଚିତ ।

 

ମୁଖ ପୂର୍ବ ବା ଉତ୍ତର ଦିଗକୁ ରଖ ।

 

ପଦ୍ମାସନ:—ନିଜର ଡାହାଣ ଗୋଡ଼ ଆଣ୍ଠୁଠାରୁ ମୋଡ଼ିଆଣି ବାମ ଗୋଡ଼ର ଜଂଘ ଉପରେ ରଖ । ପରେ ବାମ ପାଦ ଡାହାଣ ଗୋଡ଼ର ଜଂଘ ଉପରେ ରଖ । ହାତ ଆଣ୍ଠୁ ଉପରେ ରଖ । ସିଧା ବସ । ଏହା ପଦ୍ମାସନ ଅଟେ ।

 

(ଆସନ ସମ୍ବନ୍ଧରେ ବିଶେଷ ବିବରଣୀ ଜାଣିବାକୁ ଇଚ୍ଛା କଲେ ମତ୍‍ପ୍ରଣିତ ସଚିତ୍ର ଯୋଗାସନ ପାଠ କର । ମୂଲ୍ୟ ଦୁଇଟଙ୍କା; ୮୪ ପ୍ରକାର ଆସନ, ପ୍ରାଣୟାମବଦ୍ଧ ମୁଦ୍ରା, ସୂର୍ଯ୍ୟ ନମସ୍କାର ଇତ୍ୟାଦିର ପ୍ରଣାଳୀ ଏବଂ ଉପକାରିତା ଚିତ୍ର ସହ ସେଥିରେ ଦିଆଯାଇଅଛି ।)

 

(୬) ଚିତ୍ତର ଏକାଗ୍ରତା

 

ତୁମେ ହୃଦୟ-କମଳ ଉପରେ (ଅନାହତ ଚିତ୍ର) ନିଜର ଚିତ୍ତକୁ ସ୍ଥିର କରି ଏକାଗ୍ର କର ବା ଉଭୟ ଭ୍ରୂକୁଟିର ମଧ୍ୟସ୍ଥଳ ଯାହାକୁ ଆଜ୍ଞାଚିତ୍ର କୁହାଯାଏ, ତା’ ଉପରେ ସ୍ଥିର କର । ହଠଯୋଗୀମାନଙ୍କର ମତାନୁସାରେ ଆଜ୍ଞାଚକ୍ର ମସ୍ତିସ୍କର ସ୍ଥାନ ଅଟେ । ଯଦି କୌଣସି ସାଧକ ଆଜ୍ଞାଚକ୍ର ଉପରେ ଧ୍ୟାନ କରେ ତେବେ ତା’ର ମସ୍ତିଷ୍କର ବିକାଶ ତୀବ୍ର ଏବଂ ପ୍ରଖର ଗତିରେ ହୋଇଥାଏ । ବୁଦ୍ଧି ଶୁଦ୍ଧ ହୁଏ, ସାଧକକୁ ଏକ ଅନିର୍ବଚନୀୟ ଶାନ୍ତି ଅନୁଭୂତ ହୁଏ । ଚକ୍ଷୁ ବନ୍ଦ କର-। ଜପ ଏବଂ ଧ୍ୟାନ ଆରମ୍ଭ କରିଦିଅ ।

 

ଉଭୟ ଭ୍ରୂକୁଟିର ମଧ୍ୟସ୍ଥଳର ଧ୍ୟାନକୁ ଭ୍ରୂମଧ୍ୟ ଦ୍ରୁଷ୍ଟି କୁହାଯାଏ । ନିଜର ଧ୍ୟାନ କକ୍ଷରେ ପଦ୍ମ ବା ସିଦ୍ଧାସନରେ ବସ ଏବଂ ଭ୍ରୂକୁଟି ଉପରେ ନିଜର ଦୃଷ୍ଟି ସ୍ଥିର କର । କ୍ରମେ ଧ୍ୟାନର ସମୟ ବଢ଼ାଅ, ଯେପରି ତୁମେ ଏକ ମିନିଟରୁ ଆରମ୍ଭ କରି ୩୦ ମିନିଟ ପର୍ଯ୍ୟନ୍ତ ଧ୍ୟାନରେ ଅଖଣ୍ଡ ଭାବେ ତନ୍ମୟ ହୋଇ ରହି ପାରିବ । ସେଥିପାଇଁ ସତତ ପ୍ରଯତ୍ନ କର । ଏହି ଅଭ୍ୟାସରେ କୌଣସି ପ୍ରକାର ବ୍ୟତିକ୍ରମ ନହେବା ଉଚିତ । ଯଦି ତୁମେ ଧ୍ୟାନର ନିୟମିତ ନ ହୁଅ ତେବେ ଧ୍ୟାନାବସ୍ଥାରେ ମନ ଚଞ୍ଚଳ ହୋଇଉଠିବ ଏଣୁ ପ୍ରତିଦିନ ଠିକ୍ ସମୟରେ ଧ୍ୟାନ ପାଇଁ ବସ । ସେ ସମୟରେ ଯେତେ ମହତକାର୍ଯ୍ୟ ଆସିଲେ ମଧ୍ୟ ତାହା ହାତକୁ ନିଅନାହିଁ । ଧ୍ୟାନଠାରୁ ମହତ୍ତର କାର୍ଯ୍ୟ ବିଶ୍ୱରେ ନାହିଁ । କାରଣ ସେତେବେଳେ ତୁମେ ବିଶ୍ଵନାଥ ବା ଜଗନ୍ନାଥଙ୍କର ସେବାରେ ନିଯୁକ୍ତ ଅଛ । ସଂସାରର ଆବାଗମନରୁ ମୁକ୍ତ ହେବାର ସାଧନା କରୁଛ । ଏଣୁ କ୍ଷୁଦ୍ର ଆକାଙ୍କ୍ଷା, ଜାଗତିକ କର୍ମ ସେପରି ଅବସ୍ଥାରେ ତ୍ୟାଜ୍ୟ । ଏପରିକି ତୁମ୍ଭ ସହିତ ରାଷ୍ଟ୍ରପତି ସାକ୍ଷାତ କରିବାକୁ ଚାହିଁଲେ ମଧ୍ୟ ତୁମେ ସେ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିପାର, କାରଣ ତୁମେ ରାଷ୍ଟ୍ରପତିଙ୍କର ମଧ୍ୟ ପତି ବିଶ୍ୱପତିଙ୍କୁ ସେ ସମୟ ଦେଇ ସାରିଛ । ଏପରି ଦୃଢ଼ ନିଶ୍ଚୟ ସହକାରେ ଧ୍ୟାନ କଲେ ତୁମେ ଶୀଘ୍ର ଉନ୍ନତି କରିପାରିବ । ଧ୍ୟାନଦ୍ୱାରା ମନର ବିଶିସ୍ତତା, ଚଞ୍ଚଳତା ଦୂର ହୁଏ ଏବଂ ଚିତ୍ତ ଏକାଗ୍ର ହୁଏ । ଗୀତାରେ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି କି “ବାହାରର ସମ୍ପର୍କ ସମ୍ପୂର୍ଣ୍ଣରୂପେ ତ୍ୟାଗ କର ଏବଂ ଉଭୟ ଭ୍ରୂକୁଟି ମଧ୍ୟରେ ଦୃଷ୍ଟି ସ୍ଥିର କର” ଇତ୍ୟାଦି ।

 

ଅନ୍ୟ ଅଭ୍ୟାସ:–ନିଜର ଆସନରେ ସିଧା ବସ ଏବଂ ଦୃଷ୍ଟି ନାସିକାର ଅଗ୍ରଭାଗରେ ନିବେଶ କର । ଏହାକୁ ନାସିକାଗ୍ର ଦୃଷ୍ଟି କୁହାଯାଏ । ଏହାର ଅଭ୍ୟାସ ଧୀରେ ଧୀରେ ବୃଦ୍ଧି କର । ତୁମେ ନିଜର ସାଧନାପାଇଁ ଭ୍ରୂମଧ୍ୟ ଦୃଷ୍ଟି ବା ନାସିକା ଦୃଷ୍ଟିର ସାହାଯ୍ୟ ନେଇପାର । ଉଭୟ ଏକ ଅଟେ । ରାସ୍ତାରେ ଚାଲିଲା ବେଳେ ମଧ୍ୟ ନାସିକାଗ୍ର ଦୃଷ୍ଟିରୁ ଅଭ୍ୟାସ କରାଯାଇପାରେ । ଏହାଦ୍ୱାରା ଚିତ୍ତର ଏକାଗ୍ରତାରେ ସହାୟତା ମିଳେ ।

 

କେତେକ ସାଧକ ଆଖି ଖୋଲି ଧ୍ୟାନ କରିବାକୁ ପସନ୍ଦ କରନ୍ତି, ଏବଂ ଅନ୍ୟ କେତେକ ଚକ୍ଷୁ ବନ୍ଦ କରି ତଥା କେହି ବା ଅର୍ଦ୍ଧନିମୀଳିତ ଚକ୍ଷୁରେ ଧ୍ୟାନ କରନ୍ତି । ଚକ୍ଷୁ ବନ୍ଦ କରି ଧ୍ୟାନ କଲେ ଧୂଳି ବା ଅନ୍ୟ କିଛି ଚକ୍ଷୁରେ ପଡିବାର ଭୟ ନ ଥାଏ । କିନ୍ତୁ କେତେକ ସାଧକ ଆଖି ବନ୍ଦ କଲେ ତାଙ୍କୁ ତାରା ବା ପ୍ରକାଶ ଦେଖାଯାଏ, ଏଣୁ ସେମାନେ ଚକ୍ଷୁ ଖୋଲା ରଖିବାକୁ ପସନ୍ଦ କରନ୍ତି । କାହାରି କାହାରିକୁ ଚକ୍ଷୁ ବନ୍ଦ କରିବା ମାତ୍ରେ ନିଦ୍ରା ଆକ୍ରମଣ କରେ । ଯେଉଁମାନେ ପ୍ରାରମ୍ଭରେ ଖୋଲା ଚକ୍ଷୁରେ ଧ୍ୟାନ କରନ୍ତି, ଶୀଘ୍ର ସେମାନଙ୍କର ମନ ସାଂସାରିକ ବସ୍ତୁ ପ୍ରତି ଆକ୍ରୁଷ୍ଟ ହୁଏ ବା ଚଞ୍ଚଳ ହୋଇପଡ଼େ । ଏଣୁ ନିଜର ବୁଦ୍ଧି ପ୍ରୟୋଗ କରି ଯେଉଁ ଉପାୟ ତୁମ ପାଇଁ ଉପଯୁକ୍ତ ଓ ସରଳ ସେହି ଉପାୟ ଅବଲମ୍ବନ କର । ନିଜର ବୁଦ୍ଧିର ପ୍ରୟୋଗ ଦ୍ଵାରା ଅନ୍ୟାନ୍ୟ ବାଧା ବିଘ୍ନମାନଙ୍କ ଉପରେ ବିଜୟପ୍ରାପ୍ତ କର । ଶାନ୍ତିପୂର୍ବକ ଧୈର୍ଯ୍ୟର ସହିତ ସାଧନା କର । ଆଧ୍ୟାତ୍ମିକ ବୀର ହୁଅ । ନିଜର କଣ୍ଠରେ ଆଧ୍ୟତ୍ମିକ ତା'ର ମାଳା ଧାରଣ କର ।

 

(୭) ଜପ ପାଇଁ ତିନିଥର ବସ

 

ଉଷାକାଳ ଏବଂ ଗୋଧୂଳି ବେଳାରେ ଏକ ରହସ୍ୟମୟ ଆଧ୍ୟାତ୍ମିକ ବାତାବରଣ କର୍ମଶୀଳ ଥାଏ ଯେଉଁଥିରେ କି ଏକ ଅଦ୍‍ଭୂତ ଆକର୍ଷଣ ଥାଏ । ଅତଃ ଏହି ଉଭୟ ସନ୍ଧିବେଳାରେ ମନରେ ସ୍ଵତଃ ପବିତ୍ରତା ପ୍ରକାଶ ପାଏ । ମନ ସତ୍ତ୍ଵଦ୍ଵାରା ପୂର୍ଣ୍ଣ ହୋଇଯାଏ । ସୂର୍ଯ୍ୟର ଉଦୟ ଏବଂ ଅସ୍ତସମୟରେ ଚିତ୍ତକୁ ଏକାଗ୍ର କରିବା ଖୁବ୍ ସହଜ । ଏଣୁ ଜପର ଅଭ୍ୟାସ ସନ୍ଧି କାଳରେ କରିବ । ଏ ସମୟରେ ଚିତ୍ତ ସଂପୂର୍ଣ୍ଣ ଶାନ୍ତ ଏବଂ ସତେଜ ଥାଏ । ଧ୍ୟାନ ଜୀବନର ଅନିବାର୍ଯ୍ୟ ଉତ୍ତର ଦାୟିତ୍ଵ ଅଟେ । ଏହା ପରେ ତୁମେ ନିଜର ଅନ୍ୟ ଆଧ୍ୟାତ୍ମିକ କାର୍ଯ୍ୟ ସମାପନ କରିପାର । ଚିତ୍ତକୁ ଏକାଗ୍ର କରିବାକୁ ଆରମ୍ଭ କଲାବେଳେ ସମୟ ସମୟରେ ନିଦ୍ରା ତୁମକୁ ଉତ୍ପୀଡ଼ିତ କରେ । ଏଣୁ ଧ୍ୟାନାରମ୍ଭ ପୂର୍ବରୁ ଖୁବ କମ୍‍ ରେ ୫, ୧୦ ମିନିଟ ଆସନ ପ୍ରାଣାୟାମ କରିନେବା ଉଚିତ । ଆସନ, ପ୍ରାଣାୟାମଦ୍ଵାରା ନିଦ୍ରା, ଆଳସ୍ୟ, ଜଡ଼ତା ଦୂର ହୁଏ ।

 

ପ୍ରାଣାୟାମ ପରେ ମନରେ ସ୍ଵତଃ ଏକାଗ୍ରତା ଜାଗ୍ରତ ହୁଏ । ଏଣୁ ପ୍ରାଣାୟାମ ପରେ ଅନ୍ୟ କୌଣସି କାର୍ଯ୍ୟ ନକରି ଧ୍ୟାନର ଅଭ୍ୟାସ କର । ପ୍ରାଣାୟାମ ପ୍ରଭାବ ସ୍ୱାସ୍ଥ୍ୟ ତଥା ମନ ଉଭୟଙ୍କ ଉପରେ ପଡ଼େ । ପ୍ରାଣାୟାମର ଅଭ୍ୟାସ ଦ୍ଵାରା ଶରୀରର ଆଭ୍ୟନ୍ତରୀଣ ଅଂଗଗୁଡ଼ିକ ଉଚିତ ରୂପେ କାର୍ଯ୍ୟ କରିବାକୁ ଲାଗନ୍ତି । ବ୍ୟାୟାମମାନଙ୍କ ମଧ୍ୟରେ ପ୍ରାଣାୟାମ ସର୍ବଶ୍ରେଷ୍ଠ ବ୍ୟାୟାମ ଅଟେ ।

 

ଯଦି ତୁମେ ଗୋଟିଏ ବୈଠକରେ ଧ୍ୟାନ କରୁ କରୁ ଥକି ଯାଅ ତେବେ ଦୁଇ ବା ତତୋଧିକ ବୈଠକ ଲଗାଅ । ବ୍ରାହ୍ମମୁହୂର୍ତ୍ତ ୪ ଟାରୁ ୭ ଟା ପର୍ଯ୍ୟନ୍ତ ଆଧ୍ୟାତ୍ମିକ ସାଧନାରେ ବ୍ୟୟ କର । ଯଦି ଜପ କରୁ କରୁ ଚଞ୍ଚଳ ହୋଇ ଯାଉଥାଏ ତେବେ କିଛି କ୍ଷଣ ଖୁବ୍ ଶୀଘ୍ର ଶୀଘ୍ର ଜପ କର-। ସାଧାରଣତଃ ଖୁବ୍ ଶୀଘ୍ର ବା ଖୁବ୍ ଧୀରେ ଜପ ନ କରି ମଧ୍ୟମ ପନ୍ଥା ଅବଲମ୍ବନ କର ।

 

କୌଣସି ନଦୀକୂଳରେ, ପୁଷ୍କରିଣୀର ତଟରେ, ମନ୍ଦିର, ପର୍ବତ ଶିଖର ବା ପାଦଦେଶରେ ବା କୌଣସି ବାଟିକାରେ ବସି ଜପ କଲେ ମନ ଶୀଘ୍ର ଏକାଗ୍ର ହୋଇଯିବ, ତଥା ଜପ ଏବଂ ଧ୍ୟାନରେ ତୁମର ଆଗ୍ରହ ବୃଦ୍ଧି ପାଇବ । ପେଟ ଭରାଥିଲେ ଧ୍ୟାନରେ ବାଧା ପଡ଼େ । ଖାଲିପେଟରେ ଧ୍ୟାନ କରିବା ଉତ୍ତମ ।

 

ଧ୍ୟାନ ପୂର୍ବରୁ ଉଚ୍ଚସ୍ଵରରେ ପ୍ରାର୍ଥନା ବା ସ୍ତୋତ୍ର ଗାନ କର । ତୁମର ମନ ସାଂସାରିକ ପ୍ରବୃତ୍ତିରୁ ଉପରକୁ ଉଠିଯିବ । ଧ୍ୟାନରେ ଆନନ୍ଦ ମିଳିବ । ଆଧ୍ୟାତ୍ମିକ ଅଭ୍ୟାସ ସମୟରେ ପ୍ରତ୍ୟେକ ଦଶାରେ ନିଜର ବୁଦ୍ଧି ପ୍ରୟୋଗ କର । କିଛିଦିନ ପାଇଁ ଯଦି ପାର ହରିଦ୍ଵାର, ବନାରସ, ହୃଷୀକେଶ, ଚିତ୍ରକୁଟ ବା ଅଯୋଧ୍ୟା ଯାଅ । ଗଙ୍ଗାକୂଳରେ କିଛି ଦିନ ଜପ କର । ଏ ସ୍ଥାନମାନଙ୍କର ବାତାବରଣ ଏପରି ଶୁଦ୍ଧ, ପୂତ ଯେ ତୁମର ମନରୁ ସ୍ଵତଃ ସାଂସାରିକ ଚିନ୍ତା, ଉଦବେଗ, ଆବିଳ ବାସନା ଦୂର ହୋଇଯିବ ତଥା ଜପ, ଧ୍ୟାନ ଆରମ୍ଭ କରିବା ମାତ୍ରେ ତୁମେ ଆନନ୍ଦ ଏବଂ ଶାନ୍ତି ଅନୁଭବ କରିବ ।

 

ପ୍ରତ୍ୟେକ ଦିନ ଜପର ହିସାବ ରଖିବା ପାଇଁ ଏକ ଆଧ୍ୟାତ୍ମିକ ଡାଏରୀ ରଖ । ଦୈନିକ ଜପର ସଂଖ୍ୟା ତଥା ଧ୍ୟାନର ସମୟ ସେଥିରେ ନୋଟ କରି ରଖ । ଶୀଘ୍ର ଉନ୍ନତି କରିବ । ଅନ୍ତଃକରଣରେ ଆତ୍ମାର ଦର୍ଶନ କର । ନିଜର ହୃଦୟ ମନ୍ଦିରରେ ଉଦ୍‍ଭାସିତ ପ୍ରକାଶ ଦର୍ଶନ କର ।

 

ରାମ ନାମର ଜପ ପ୍ରତ୍ୟେକ ଶ୍ଵାସ ପ୍ରଶ୍ଵାସ ସହିତ କରାଯାଇପାରେ । ଦିନରାତି ୨୪ ଘଣ୍ଟା ଏହିପରି ନୀରବ ଜପକୁ ଅଜପା ଜପ କୁହାଯାଏ । ଶ୍ଵାସ ନେବା ସମୟରେ ମନେ ମନେ ‘ରା’ ତଥା ଶ୍ଵାସତ୍ୟାଗ ସମୟରେ ‘ମ’ ଉଚ୍ଚାରଣ କର । ଖାଇବା, ପିଇବା, ଚାଲିବା ସମୟରେ ମଧ୍ୟ ଏହାର ଅଭ୍ୟାସ କର । ପରେ ଅନ୍ୟ ବ୍ୟକ୍ତି ସହିତ କଥାବାର୍ତ୍ତା କଲାବେଳେ ସ୍ଵତଃ ଏ ନାମ ତୁମର ଶ୍ଵାସ ପ୍ରଶ୍ଵାସ ସହିତ ସ୍ଫୁରିତ ହେବାକୁ ଲାଗିବ । ଧ୍ୟାନ କରିବା ସମୟରେ ବା ପ୍ରାଣାୟାମ କରିବା ସମୟରେ ମଧ୍ୟ ତୁମେ ଏହାର ଅଭ୍ୟାସ ଚାଲୁ ରଖ । ଏହା ମୋକ୍ଷଦାୟିନୀ ଅଜପା ରାମ ଜପ ଅଟେ ।

 

(୮) ମାଳାର ଆବଶ୍ୟକତା

 

ସର୍ବଦା ନିଜର ପକେଟରେ ବା ଗଳାରେ ମାଳା ରଖ । ରାତିରେ ଶୋଇଲାବେଳେ ନିଜର ତକିଆ ତଳେ ମାଳା ରଖ । ଯେତେବେଳେ ମାୟା ବା ଅବିଦ୍ୟାଯୋଗୁଁ ତୁମେ ଈଶ୍ଵରଙ୍କୁ ଭୁଲିଯିବ ମାଳା ତୁମକୁ ତାହା ସ୍ମରଣ କରାଇଦେବ । ରାତିରେ ଯଦି ତୁମେ ଲଘୁଶଙ୍କା ପାଇଁ ଉଠ ତେବେ ମାଳା ତୁମକୁ ଏକ ଦୁଇମାଳା ଜପ କରିବା ପାଇଁ ସ୍ମରଣ କରିଦେବ । ମନକୁ ବଶ କରିବା ପାଇଁ ମାଳା ଏକ ଉତ୍ତମ ଉପକରଣ ଅଟେ । ମନକୁ ଈଶ୍ୱର ଚିନ୍ତାରେ ତଲ୍ଲୀନ କରିବା ପାଇଁ ମାଳା ରାମଲୀଳାବତ୍ କାର୍ଯ୍ୟ କରେ । ୧୦୮ ଦାନା ବିଶିଷ୍ଟ ରୁଦ୍ରାକ୍ଷ ବା ତୁଳସୀ ମାଳା ଜପପାଇଁ ବ୍ୟବହାର କରାଯାଏ । ଚନ୍ଦନ ଏବଂ ସ୍ପଟିକମାଳା ମଧ୍ୟ ଦେବୀ ମନ୍ତ୍ର ଜପ ପାଇଁ ବ୍ୟବହାର କରାଯାଇଥାଏ ।

 

ଯେପରି କୌଣସି ଓକିଲକୁ ଦେଖିଲେ କଚେରୀ, ମୋକଦ୍ଦମା, ସାକ୍ଷୀ ଇତ୍ୟାଦି ମନେ ପଡ଼ିଯାଏ, ଯେପରି କୌଣସି ଡାକ୍ତରକୁ ଦେଖିଲେ ହସପାତାଲ, ରୋଗୀ ଔଷଧ ଇତ୍ୟାଦି ମନେ ପଡ଼େ, ସେହିପରି ମାଳା ଦେଖିଲେ ଈଶ୍ଵର ଏବଂ ତାଙ୍କର ସର୍ବବ୍ୟାପୀ ମହିମା ମନେ ପଡ଼ିଯାଏ । ଏଣୁ ସର୍ବଦା ଗଳାରେ ମାଳା ଧାରଣ କର । ହେ ଶିକ୍ଷିତ ନବଯୁବକ ! ମାଳା ପିନ୍ଧିବା ପାଇଁ ସଂକୋଚ ବା ଲଜ୍ଜା ବୋଧ କରନାହିଁ । ଏହି ମାଳା ତୁମକୁ ପରମପିତା ପରମେଶ୍ଵରଙ୍କର ସ୍ମୁତି ଜାଗ୍ରତ କରାଇ ଦେବ ଏବଂ ଈଶ୍ଵର ପ୍ରାପ୍ତିର ମାର୍ଗ ସୁଗମ କରିଦେବ । ଏହି ମାଳା ନବରତ୍ନଜଡ଼ିତ ସୁବର୍ଣ ହାରଠାରୁ ଅଧିକ ମୂଲ୍ୟବାନ, କାରଣ ଏହା ତୁମର ହୃଦୟକୁ ସାତ୍ତ୍ଵିକ ବିଚାରଦ୍ଵାରା ପୂର୍ଣ୍ଣ କରେ । ଈଶ୍ଵରଙ୍କ ସହିତ ସାକ୍ଷାତ୍କାର କରାଇ ତୁମକୁ ଜନ୍ମ ମରଣର ବନ୍ଧନରୁ ମୁକ୍ତ କରେ ।

 

(୯) ଜପଗଣନା

 

ଯଦି ତୁମ ପାଖରେ ମାଳା ନଥାଏ ତେବେ ତୁମେ ଅଙ୍ଗୁଳିର ରେଖାଦ୍ଵାରା ଜପ ଗଣନା କରିପାର । ଅନ୍ୟମନଷ୍କ ହେଲେ ଅଙ୍ଗୁଳି ଗଣନାରେ ଭୁଲ ରହିପାରେ । ପୁରଶ୍ଚରଣ କରୁଥିବାବେଳେ ଜପସଂଖ୍ୟାରେ ଆଦୌ ଭୁଲ୍‍ ହେବା ଉଚିତ ନୁହେଁ । ଏଣୁ ୧୦୮ ଦାନା ବିଶିଷ୍ଟ ଏକ ଜପମାଳା ଜପଯୋଗ ପାଇଁ ଏକାନ୍ତ ଆବଶ୍ୟକ । ତୁମେ ଅନ୍ୟ ଏକ ଉପାୟ ମଧ୍ୟ ଅବଲମ୍ବନ କରିପାର । ପ୍ରଥମେ ଘଡ଼ି ଦେଖି ଏକ ଘଣ୍ଟାରେ କେତେ ମାଳା ଜପ କରି ପାରୁଛ ଦେଖ; ପରେ ବୀନା ମାଳାରେ ମଧ୍ୟ ସେହିପରି ଘଡ଼ି ଦେଖି ଗଣନା କରିପାରିବ ।

 

(୧୦) ତିନି ପ୍ରକାର ଜପ

 

କିଛି କ୍ଷଣ ଉଚ୍ଚସ୍ଵରରେ ଜପ କର । ପୁଣି କିଛି କ୍ଷଣ ଓଷ୍ଠ ସାହାଯ୍ୟରେ କର । ତତ୍ପଶ୍ଚାତ ମାନସିକ ଜପ କର । ମନ ବିଭିନ୍ନତା ଚାହେଁ । ଏକ ପ୍ରକାର ଧାରାବାହିକ ଜପ ପସନ୍ଦ କରେ ନାହିଁ-। ମାନସିକ ଜପ ସର୍ବାପେକ୍ଷା ଶକ୍ତିଶାଳୀ ଅଟେ । ମୌଖିକ ଜପକୁ ବୈଖରି କୁହାଯାଏ । ଫୁସ୍‍ଫୁସ୍ କରି ଜପ କରିବାକୁ ଉପାଂଶୁ କୁହାଯାଏ । ବିନା ଶ୍ରଦ୍ଧା ବା ଭାବ ସହିତ ଜପ କଲେ ମଧ୍ୟ ତାହା ଆମର ମନକୁ ଯେ ସ୍ୱଚ୍ଛ ଏବଂ ପବିତ୍ର କରିବ ଏଥିରେ ସନ୍ଦେହ ନାହିଁ । ଏହିପରି ଯେତେବେଳେ ମାନସିକ ନିର୍ମଳତା ଏବଂ ପବିତ୍ରତାର ଅବତରଣ ହୋଇଯାଏ ସ୍ଵତଃ ଭାବନା ଏବଂ ଭକ୍ତିର ଜାଗ୍ରତ ହୁଏ ।

 

ତାର ସ୍ଵରରେ ଜପ କଲେ ବାହ୍ୟ ଧ୍ୱନିରୁ ଉଦାସୀନ ରହିପାରନ୍ତି । ଏହା ଦ୍ଵାରା ଜପ ଖଣ୍ଡିତ ହେବାର ଭୟ ନଥାଏ ସାଧାରଣ ବ୍ୟକ୍ତିଙ୍କ ପାଇଁ ମାନସିକ ଜପ ସେତେ ସରଳ ନୁହେଁ । ମନ ସ୍ୱଚ୍ଛ ନ ହୋଇଥିବା ଯୋଗୁଁ ସେଥିରେ ନାନାପ୍ରକାର କଳ୍ପନାର ତରଙ୍ଗ ଉଠେ, ଯଦ୍ଦ୍ୱାରା ଜପ ଖଣ୍ଡିତ ହୋଇଯାଏ । ରାତିରେ ମାନସିକ ଜପ କଲାବେଳେ ନିଦ୍ରା ଆସି ବିଘ୍ନ ଉପସ୍ଥିତ କରେ । ଏପରି ଅବସ୍ଥାରେ ମାଳା ଗଡ଼ାଅ । ତଥାପି ଯଦି ନିଦ୍ରାର ନିବାରଣ ନ ହୋଇ ପାରେ ତେବେ ଉଚ୍ଚ ସ୍ଵରରେ ମନ୍ତ୍ର ଉଚ୍ଚାରଣ କର ବା ଛିଡ଼ା ହୋଇ ଜପ କର । ମାଳା ତୁମକୁ ସର୍ବଦା ଜାଗ୍ରତ ରଖିବ । କେବେ କେବେ ନିଦ୍ରାର ପ୍ରଭାବ ଏତେ ଅଧିକ ହୁଏ ଯେ ତୁମ ହାତରୁ ମାଳା ଖସିପଡ଼େ, ସେପରି ଅବସ୍ଥାରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଅଥବା ୫, ୬ ମିନିଟ୍ ଶୀର୍ଷାସନ କରି ନିଅ । ଏହାଦ୍ୱାରା ନିଦ୍ରା ଦୂର ହେବ ।

 

ଶାଣ୍ଡିଲ୍ୟ ଭକ୍ତି ସୂତ୍ରରେ ଲେଖା ଅଛି, ବୈଖରୀ ଜପ ଦ୍ଵାରା ଯେ ବିଶେଷ ଲାଭ ମିଳେ ସେ କଥା ବେଦରେ ବର୍ଣ୍ଣନା କରାଯାଇଅଛି । କିନ୍ତୁ ଉପାଂଶୁ ଜପ ବୈଖରୀ ଜପ ଅପେକ୍ଷା ହଜାର ଗୁଣ ଅଧିକ ଲାଭଦାୟକ ଅଟେ ଏବଂ ମାନସିକ ଜପ ବୈଖରୀଠାରୁ କୋଟିଗୁଣ ଅଧିକ ଲାଭ ପ୍ରଦାନ କରେ । ଏକ ବର୍ଷ ପର୍ଯ୍ୟନ୍ତ କେବଳ ବୈଖରୀ ଜପର ଅଭ୍ୟାସ କର, ପୁନଃ ମାନସିକ ଜପ କରିପାର । ଅନ୍ତିମ ଶ୍ଵାସ ସହିତ ନିଜ ତପସ୍ୟାର ଦୃଢ଼ ସମ୍ପର୍କ ସ୍ଥାପିତ କର ।

 

ଯେତେବେଳେ ତୁମର ଅଭ୍ୟାସ ବଢ଼ିଯିବ ତୁମର ରୋମ ରୋମ ଜପମୟ ହୋଇ ଉଠିବ । ଫଳତଃ ତୁମର ସଂପୂର୍ଣ୍ଣ ଶରୀର ମନ୍ତ୍ରର ଶକ୍ତିଶାଳୀ ସ୍ପନ୍ଦନମାନଙ୍କ ଦ୍ଵାରା ପୂର୍ଣ୍ଣ ହୋଇ ଉଠିବ । ତୁମେ ସର୍ବଦା ଈଶ୍ୱରଙ୍କର ଭକ୍ତିରେ ତନ୍ମୟ ରହିବ । ଏପରି ଅବସ୍ଥା ମଧ୍ୟ ଆସିଥାଏ କି ସାଧକର ଚକ୍ଷୁରେ ଅବିରଳ ଅଶ୍ରୁଧାର ପ୍ରଭାହିତ ହେବାକୁ ଲାଗେ । ଶରୀର ଚେତନାରୁ ସେ ଉପରକୁ ଉଠିଯାଏ । ତୁମକୁ ଉତ୍ସାହ, ଦିବ୍ୟଜ୍ୟୋତି, ଆନନ୍ଦ ଉଲ୍ଲାସ, ପ୍ରଜ୍ଞା, ତଥା ପରମାନନ୍ଦ ପ୍ରାପ୍ତ ହେବ, ଏପରି ଉତ୍ସାହପୂର୍ଣ୍ଣ ଭାବନା ଦ୍ଵାରା କବିତାର ସ୍ରୋତ ତୁମର ମୁଖରୁ ପ୍ରବାହିତ ହେବାକୁ ଲାଗିବ । ରିଦ୍ଧି, ସିଦ୍ଧି ଅର୍ଥାତ୍ ସମସ୍ତ ପ୍ରକାର ଐଶ୍ଵର୍ଯ୍ୟ ତୁମର କରତଳଗତ ହୋଇଯିବ ।

 

ସର୍ବଦା ଈଶ୍ଵରଙ୍କର ନାମ ଜପ କର । ତୁମର ମନ ବଶୀଭୂତ ହେବ । ପୂର୍ଣ୍ଣ ଶ୍ରଦ୍ଧା ଏବଂ ପ୍ରେମପୂର୍ବକ ଜପ କର । କ୍ରମେ ତତ୍‌ପ୍ରତି ଦିବ୍ୟାନୁରାଗ ଆସିଯିବ । ଈଶ୍ଵରଙ୍କର ବିରହକୁ ଅନୁଭବ କର । ଏହି ବିରହରେ ତୁମର ଚକ୍ଷୁରେ ନିରନ୍ତର ଅଶ୍ରୂଧାର ପ୍ରଭାହିତ ହେଉ । ତୁମେ ଜପ କରିବା ସମୟରେ ମଧ୍ୟ ହୃଦୟ ମଧ୍ୟରେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ନାରାୟଣ ବା ମୋହନ ମୁରଲୀଧାରୀ ଶ୍ରୀକୃଷ୍ଣ ଅଥବା ଧନୁର୍ଦ୍ଧାରୀ, ମର୍ଯ୍ୟାଦା –ପୁରୁଷୋତ୍ତମ ଶ୍ରୀରାମଙ୍କର କମନୀୟ ଶାନ୍ତି, ସ୍ନିଗ୍ଧ, ସୁନ୍ଦର ମୂର୍ତ୍ତି ଧ୍ୟାନ କର, ତଥା ଭଗବାନଙ୍କ ଦ୍ଵାରା ପରିହିତ ପାଟ ପୀତାମ୍ବର, ବୈଜୟନ୍ତୀମାଳା, କୌସ୍ତୁଭମଣି, ମଣିମୁକ୍ତା ବିଜଡ଼ିତ ମୁକୁଟ ଇତ୍ୟାଦି ଶୃଙ୍ଗାର ଉପରେ ଧ୍ୟାନ କଲେ ଧ୍ୟାନ ଗମ୍ଭୀର ଏବଂ ମନ ନିଶ୍ଚଳ ହୁଏ ତଥା ଜପ ମଧୁର ଜଣାଯାଏ ।

 

(୧୧) ଜପରେ କୁମ୍ଭକ ଏବଂ ମୂଳବନ୍ଧ

 

ଜପ କଲାବେଳେ ସିଦ୍ଧ ବା ପଦ୍ମାସନରେ ବସ । ମୂଳବନ୍ଧର ଅଭ୍ୟାସ କର । ଏହାଦ୍ୱାରା ଚିତ୍ତର ଏକାଗ୍ରତାରେ ସଫଳତା ମିଳେ । ଏହା ଅପାନ ବାୟୁକୁ ତଳକୁ ଆସିବାକୁ ଦିଏ ନାହିଁ । ପଦ୍ମାସନରେ ବସିବାର ଅଭ୍ୟାସ ସୁଗମ ହୋଇଗଲେ ତୁମେ ସହଜରେ ମୂଳବନ୍ଧ କରିପାରିବ ।

 

ଶ୍ଵାସ ବନ୍ଦ କରି ରଖିବାକୁ କୁମ୍ଭକ କୁହାଯାଏ । କୁମ୍ଭକ ଅଭ୍ୟାସ ଦ୍ଵାରା ଚିତ୍ତ ଦୃଢ଼ ହୋଇଯାଏ ଏବଂ ଶୀଘ୍ର ଏକାଗ୍ର ହୋଇଯାଏ । କୁମ୍ଭକର ଅଭ୍ୟାସ ଦ୍ଵାରା ଦିବ୍ୟାନନ୍ଦ ଅନୁଭୂତ ହୁଏ-

 

ମନ୍ତ୍ରର ଅର୍ଥ ଜାଣି ଜପ କରିବା ଉଚିତ । ରାମ, କୃଷ୍ଣ, ଶିବ, ନାରାୟଣ ଇତ୍ୟାଦି ନାମର ଅର୍ଥ ସତ୍, ଆନନ୍ଦ ଅର୍ଥାତ୍ ପବିତ୍ରତା, ପୂର୍ଣ୍ଣତା, ଜ୍ଞାନ, ସତ୍ୟତା ଏବଂ ଅମରତ୍ଵ ଅଟେ ।

 

(୧୨) ଜପ ଏବଂ କର୍ମଯୋଗ

 

କାର୍ଯ୍ୟ କଲାବେଳେ ହାତ କାର୍ଯ୍ୟରେ ଲଗାଅ ଏବଂ ମନ ଈଶ୍ୱରଙ୍କ ସେବାରେ ଅର୍ଥାତ୍ ମନେ ମନେ ଜପ କର । ଅଭ୍ୟାସ ଦୃଢ଼ ହୋଇଗଲେ ଉଭୟ କାର୍ଯ୍ୟ ଏକ ସଂଗେ କରାଯାଇପାରେ-। ହାତ ନିଜର କାର୍ଯ୍ୟ କରୁଥିବ ତଥା ମାନସିକ ଶକ୍ତି ଜପ ସହିତ ସଂଲଗ୍ନ ରହିବ-। ଏପରି ମନେକର କି ତୁମର ଅନ୍ତଃକରଣ ଦୁଇ ଭାଗରେ ବିଭକ୍ତ । ଏକ ଭାଗ ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଏବଂ ଅନ୍ୟଟି ଭଗବତ୍ ସ୍ମରଣରେ ନିଯୁକ୍ତ । ଏକ ସଂଗେ ଅନେକ କାର୍ଯ୍ୟ କରିପାରିବା ଅଷ୍ଟାବଧାନୀର ଲକ୍ଷଣ ଅଟେ । ଏହା କେବଳ ଅଭ୍ୟାସ ଦ୍ଵାରା ସୁଗମ ହୋଇପାରେ-। ଏହିପରି ଭକ୍ତିଯୋଗ ଏବଂ କର୍ମଯୋଗର ସମନ୍ଵୟ ସିଦ୍ଧ କରାଯାଇପାରେ । ଗୀତାରେ ମଧ୍ୟ ଶ୍ରୀକୃଷ୍ଣ କହିଛନ୍ତି କି “ମାମନୁସ୍ମର ଯୁଧ୍ୟ ଚ” ଅର୍ଥାତ୍ ମୋର ଚିନ୍ତନ କର ଏବଂ ଯୁଦ୍ଧ କର-। ଯଦି ତୁମେ ନିଜର ମନ ଏବଂ ଅନ୍ତଃକରଣ ମୋଠାରେ ନିବେଶ କରିପାରିବ ତେବେ ମୋ ନିକଟରେ ନିଃସନ୍ଦେହ ପହଞ୍ଚି ପାରିବ । ଯେପରି ଏକ ଗାଈ ସାରାଦିନ ଏକ ବିଲରେ ଘାସ ଚରେ କିନ୍ତୁ ତାର ମନ ସର୍ବଦା ବାଛୁରିଠାରେ ଥାଏ, ଠିକ୍ ସେହିପରି ସମସ୍ତ କାର୍ଯ୍ୟ କରୁଥିବାବେଳେ ମଧ୍ୟ ଈଶ୍ଵର ସ୍ମରଣ କରାଯାଇପାରେ ।

 

(୧୩) ଲିଖିତ ଜପ

 

ପ୍ରତିଦିନ ନିଜର ଗୁରୁମନ୍ତ୍ର ବା ଇଷ୍ଟମନ୍ତ୍ର ଏକ ନୋଟ୍ ବୁକରେ ଲେଖ । ଖୁବ୍ କମ୍‌ରେ ଅଧ ଘଣ୍ଟା ଏହି ଅଭ୍ୟାସରେ ଲଗାଅ । ମନ୍ତ୍ର ଲେଖିବା ସମୟରେ ମୌନ ଧାରଣ କରିବା ଉଚିତ । ମନ୍ତ୍ର ପରିଷ୍କାର ଭାବେ କାଳିରେ ଲେଖିବା ଉଚିତ । ରବିବାର ବା ଅନ୍ୟ ଅବକାଶ ଦିନମାନଙ୍କରେ ଏକ ଘଣ୍ଟା ବା ତତୋଧିକ ସମୟ ଏଥିରେ ଲଗାଅ । ନିଜର ମିତ୍ରମାନଙ୍କୁ ମଧ୍ୟ ଏହି ସାଧନା ପାଇଁ ପ୍ରେରଣା ଦିଅ । ଏହା ଦ୍ଵାରା ଅନ୍ତଃକରଣରେ ଅପୂର୍ବ ଧାରଣା ଶକ୍ତି ଜାଗ୍ରତ ହୁଏ । ନିଜର ପରିବାରର ବ୍ୟକ୍ତିମାନଙ୍କୁ ମଧ୍ୟ ଏହାର ଅଭ୍ୟାସ କରାଅ । ସାଧାରଣ ଜପ ଅପେକ୍ଷା ଲିଖିତ ଜପରେ ବହୁଗୁଣ ଅଧିକ ଲାଭ ମିଳିଥାଏ । ଏଠାରେ ଲିଖିତ ଜପ ସମ୍ବନ୍ଧରେ କେତେକ ନିୟମ ଦିଆଗଲା । ଜପ-ସାଧକ ଏହି ନିୟମ ପାଳନ କରିବା ଉଚିତ ।

 

ନିଜ ଆରାଧ୍ୟର ମନ୍ତ୍ର ନିଶ୍ଚିତ କରିନେଇ ଏହାର ମାଳା ସାହାଯ୍ୟରେ ଜପ ବା ଲିଖିତ ଜପ ଅଥବା ଉଭୟ ଶୀଘ୍ର ଆରମ୍ଭ କରିଦିଅ । ଜପ କରିବା ପାଇଁ ଯେଉଁ ଭିନ୍ନ ଭିନ୍ନ ଉପାୟମାନ ଦିଆଯାଇଛି ତନ୍ମଧ୍ୟରେ ଲିଖିତ ଜପର ପ୍ରଭାବ ସର୍ବାପେକ୍ଷା ଅଧିକ ବୋଲି ମନୁସ୍ମୃତିରେ ଲେଖା ଅଛି । ଲିଖିତ ଜପ ମନକୁ ଶୀଘ୍ର ଏକାଗ୍ର କରେ ଏବଂ ସାଧକକୁ ଧ୍ୟାନ ଆଡ଼କୁ ଅଗ୍ରସର କରାଏ ।

 

ଜପ କରିବା ପାଇଁ ମାଳା ଆବଶ୍ୟକ କିନ୍ତୁ ଲିଖିତ ଜପ ପାଇଁ ଏକ ନୋଟ୍ ବୁକ୍ ଏବଂ କଲମ ଆବଶ୍ୟକ । ମନ୍ତ୍ର ଲେଖିବା ପାଇଁ କୌଣସି ଏକ ବିଶିଷ୍ଟ ଲିପି ଯେ ଆବଶ୍ୟକ ଏପରି ନୁହେଁ-। ଯେଉଁ ଭାଷାରେ ତୁମେ ସରଳ ଏବଂ ସୁଗମତାପୂର୍ବକ ଲେଖି ପାରିବ କେବଳ ସେହି ଭାଷାରେ ଲେଖ । ନିମ୍ନଲିଖିତ ନିୟମମାନଙ୍କ ପ୍ରତି ମଧ୍ୟ ଦୃଷ୍ଟି ଦିଅ ।

 

୧.

ଠିକ୍ ନିୟମିତ ସମୟରେ ମନ୍ତ୍ର ଲେଖ । ଏହାଦ୍ୱାରା ମନ ଶୀଘ୍ର ଏକାଗ୍ର ହେବ ।

 

 

୨.

ଶାରୀରିକ ଏବଂ ମାନସିକ ପବିତ୍ରତା ଧାରଣ କର । ମନ୍ତ୍ର ଲେଖିବା ପୂର୍ବରୁ ହାତ, ଗୋଡ଼, ଏବଂ ମୁହଁ ଧୋଇ ନିଅ । ଚିତ୍ତ ନିଶ୍ଚଳ ରଖ । ମନ୍ତ୍ର ଲେଖିବାବେଳେ ସାଂସାରିକ ବିଚାର ମନରେ ପ୍ରବେଶ କରିବାକୁ ଦିଅ ନାହିଁ ।

 

 

୩.

ମନ୍ତ୍ର ଲେଖିବାବେଳେ ଏକ ଆସନରେ ବସିବାକୁ ପ୍ରଯତ୍ନ କର । ବାରମ୍ବାର ଆସନ ବଦଳାଅ ନାହିଁ । ଏକ ଆସନରେ ଅଧିକ ସମୟ ବସିବା ଦ୍ଵାରା ସହନଶୀଳତା ମଧ୍ୟ ବୃଦ୍ଧି ପାଏ ।

 

 

୪.

ଲିଖିତ ଜପର ଅଭ୍ୟାସ କଲାବେଳେ ମୌନ ଧାରଣ କର । ଅଧିକ କଥା କହିବା ଦ୍ଵାରା ଶକ୍ତି ନଷ୍ଟ ହୁଏ ଏବଂ ସମୟରେ ଅପବ୍ୟୟ ହୁଏ ।

 

 

୫.

ମନ୍ତ୍ର ଲେଖିଲାବେଳେ ମନ୍ତ୍ରୋଚ୍ଚାରଣ ମଧ୍ୟ କରୁଥାଅ । ଏହାଦ୍ଵାରା ତୁମର ଶରୀରରେ ତିନିପ୍ରକାର ସଂସ୍କାର ଅଙ୍କିତ ହୋଇଯିବ । କ୍ରମଶଃ ତୁମର ସମ୍ପୂର୍ଣ୍ଣ ଶରୀର ଏବଂ ଆତ୍ମା ମନ୍ତ୍ରମୟ ହୋଇଉଠିବ ।

 

 

୬.

ଏଣେ ତେଣେ ଦେଖ ନାହିଁ । ନିଜର ଚକ୍ଷୁ ନୋଟ୍‌ବୁକ୍ ଉପରେ ସ୍ଥଗିତ ରଖ । ଏହାଦ୍ୱାରା ଚିତ୍ତ ଏକାଗ୍ର ହେବ ।

 

 

୭.

ମନ୍ତ୍ର ଲେଖିବାକୁ ବସିବା ପୂର୍ବରୁ ନିର୍ଦ୍ଦିଷ୍ଟ ସଂଖ୍ୟାର ମନ୍ତ୍ର ନ ଲେଖି ଆସନରୁ ଉଠିବ ନାହିଁ ବୋଲି ମନରେ ଦୃଢ଼ ନିଶ୍ଚୟ କରିନିଅ । ଏପରି କଲେ ମନ୍ତ୍ର ଲେଖାରେ ବାଧାବିଘ୍ନ ଆସିବାର ଭୟ ନ ଥାଏ ।

 

 

୮.

ସମସ୍ତ ମନ୍ତ୍ର ଏକ ପ୍ରଣାଳୀରେ ଲେଖିବା ଉଚିତ । ବାମରୁ ଡାହାଣକୁ ବା ଉପରକୁ ଯେଉଁ କ୍ରମ ତୁମର ପସନ୍ଦ, ବାଛିନିଅ ଏବଂ ସେହି କ୍ରମରେ ପ୍ରତିଦିନ ଲେଖ । ଏକ ଲାଇନ ଅଧା କରି ପୁଣି ଏକ ଲାଇନ ଆରମ୍ଭ କରନାହିଁ । ପ୍ରତ୍ୟେକ ଲାଇନରେ ସମାନ ସଂଖ୍ୟାର ମନ୍ତ୍ର ଲେଖ ।

 

 

୯.

କେବଳ ଏକ ପ୍ରକାର ଜପ ସର୍ବଦା ଲେଖ । ଆଜି ଓଁ ନମୋ ନାରାୟଣାୟ, କାଲି ମହାମନ୍ତ୍ର ପରେ ଗାୟତ୍ରୀ ଏପରି କର ନାହିଁ ।

 

ଉପରଲିଖିତ ନିୟମମାନ ପାଳନ କଲେ ଆଧ୍ୟାତ୍ମିକ ଉନ୍ନତି ପ୍ରଖର ହେବ । ଚିତ୍ତ ସୁଗମତାପୂର୍ବକ ଏକାଗ୍ର ହେବ । ନିରନ୍ତର ଅଭ୍ୟାସ ଦ୍ଵାରା ତୁମର ସୁପ୍ତ ମନ୍ତ୍ରଶକ୍ତି ଜାଗ୍ରତ ହୋଇ ଉଠିବ ତଥା ତୁମର ହୃଦୟ ମନ୍ତ୍ରର ଦିବ୍ୟଶକ୍ତିରେ ଉଜ୍ଜ୍ଵଳ ହୋଇ ଉଠିବ ।

 

ନୋଟ୍‌ବୁକ୍ ସମ୍ଭାଳି ଯତ୍ନ ସହକାରେ ରଖ । ପ୍ରତିଦିନ ଆଦର ଏବଂ ଶ୍ରଦ୍ଧାର ସହିତ ତାହା ବ୍ୟବହାର କର । ଯେତେବେଳେ ମନ୍ତ୍ରଦ୍ଵାରା ନୋଟ୍‌ବୁକ୍ ପୂର୍ଣ୍ଣ ହୋଇଯିବ ତାହାକୁ କୌଣସି ବାକ୍ସରେ ବନ୍ଦ କରି ତୁମର ଧ୍ୟାନ କକ୍ଷରେ ଭଗବାନଙ୍କ ପାଖରେ ରଖିଦିଅ । ମନ୍ତ୍ର ବହିର ଉପସ୍ଥିତି ତୁମର କକ୍ଷରେ ବାତାବରଣକୁ ଶୁଦ୍ଧ ଏବଂ ପବିତ୍ର କରିବ ।

 

ଲିଖିତ ଜପର ଲାଭ ଅବର୍ଣ୍ଣନୀୟ । ଲିଖିତ ଜପଦ୍ଵାରା ଚିତ୍ତ ଶୀଘ୍ର ଏକାଗ୍ର ହୁଏ ଏବଂ ହୃଦୟ ପବିତ୍ରତାରେ ଭରିଯାଏ । ମନ୍ତ୍ର ଲେଖିବାର ଅଭ୍ୟାସ ଯୋଗୁଁ ଏକ ଆସନରେ ବସିବାର ଅଭ୍ୟାସ ହୋଇ ଯାଇଥାଏ । ସମସ୍ତ ଇନ୍ଦ୍ରିୟ ନିଜର ବଶ ହୋଇଥାନ୍ତି । ଶୀଘ୍ର ମାନସିକ ଶାନ୍ତି ମିଳିଥାଏ । ମନ୍ତ୍ରଶକ୍ତି ଦ୍ଵାରା ତୁମେ ଶୀଘ୍ର ଈଶ୍ଵରଙ୍କର ନିକଟରେ ପହଞ୍ଚିପାର । ଏହି ଲାଭର ଅନୁଭବ କେବଳ ଅଭ୍ୟାସ ଦ୍ଵାରା କରାଯାଇପାରେ । ଯେଉଁମାନେ ଏ ବିଷୟରେ ଅପରିଚିତ ସେମାନଙ୍କର ଏହି ମୁହୂର୍ତ୍ତରେ ଲିଖିତ ଜପର ଅଭ୍ୟାସ ଆରମ୍ଭ କରିଦେବା ଉଚିତ । ଯଦି କୌଣସି ବ୍ୟକ୍ତି ନିତ୍ୟ ଅଧଘଣ୍ଟା ଏହାର ଅଭ୍ୟାସ କରେ ତେବେ ଛଅ ମାସ ମଧ୍ୟରେ ସେ ଏହାର ଲାଭ ଅନୁଭବ କରିପାରିବ । ପକେଟରେ କିଛି କାଗଜ ଏବଂ ଏକ ପେନ୍‌ସିଲ୍ ବା କଲମ ସର୍ବଦା ରଖ । ଷ୍ଟେସନରେ, ବସ୍‍ଷ୍ଟାଣ୍ଡ ଇତ୍ୟାଦିରେ ଗାଡ଼ି ବା ମୋଟରକୁ ଅପେକ୍ଷା କଲାବେଳେ ମଧ୍ୟ ସମୟ ନଷ୍ଟ କରନାହିଁ । ମନ୍ତ୍ର ଲେଖ ।

 

(୧୪) ଜପର ସଂଖ୍ୟା

 

ପ୍ରତ୍ୟେକ ବ୍ୟକ୍ତି ଅଜ୍ଞାତରେ ମଧ୍ୟ ସୋଽହଂ ମନ୍ତ୍ର ୨୪ ଘଣ୍ଟା ମଧ୍ୟରେ ୨୧୬୦୦ ଥର ଜପ କର (ମନୁଷ୍ୟ ଦିନରାତି ୨୪ ଘଣ୍ଟା ମଧ୍ୟରେ ୨୧୬୦୦ ଥର ଶ୍ଵାସ ଗ୍ରହଣ କରେ ।) ସେହିପରି ପ୍ରତ୍ୟେକ ଶ୍ଵାସ ସହିତ ତୁମେ ନିଜର ଇଷ୍ଟମନ୍ତ୍ର ଉଚ୍ଚାରଣ କର । ମନ୍ତ୍ରଶକ୍ତି ଜାଗ୍ରତ ହେବ ଏବଂ ମନ ଶୁଦ୍ଧ ହେବ ।

 

ଜପର ସଂଖ୍ୟା ୨୦୦ ରୁ ଆରମ୍ଭ କରି ୫୦୦ ପର୍ଯ୍ୟନ୍ତ ପ୍ରତିଦିନ ବୃଦ୍ଧି କରିପାର । ଯେପରି ତୁମେ ଦିନ ମଧ୍ୟରେ ଦୁଇ ଥର ଆହାର କରିବା ପାଇଁ, ସକାଳେ ଚା ଏବଂ ସନ୍ଧ୍ୟାରେ କୋକୋ ପିଇବା ପାଇଁ ଉତ୍ସୁକ ହୋଇଥାଅ ସେହିପରି ଦିନରେ ଚାରିଥର ଜପପାଇଁ ବସିବାକୁ ଉତ୍ସୁକ ହେବା ଉଚିତ । ମୃତ୍ୟୁ ଯେ କୌଣସି ସମୟରେ ଆସିପାରେ । ତାର ଆଗମନ ସର୍ବଦା ଅନିର୍ଦ୍ଦିଷ୍ଟ । ଅତଃ ସଦା ସର୍ବଦା ରାମନାମ ଜପ କରୁଁ କରୁଁ ମୃତ୍ୟୁ ସହିତ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ହୁଅ । ଯେଉଁଠାକୁ ଯାଅନା କାହିଁକି ଜପରୂପ ଧନକୁ ଛାଡ଼ନାହିଁ । ଅନ୍ତର୍ଯ୍ୟାମୀ ଭଗବାନଙ୍କୁ କେବେ ଭୁଲ ନାହିଁ । ସେ ତୁମକୁ ଭୋଜନ, ବସ୍ତ୍ର ପ୍ରଦାନ କରୁଛନ୍ତି । ତୁମର ତତ୍ତ୍ୱାବଧାନ ନେଉଛନ୍ତି-। ତାଙ୍କରି ଅପାର କରୁଣା ଦ୍ଵାରା ତୁମେ ସୁଖ ଶାନ୍ତି ଐଶ୍ଵର୍ଯ୍ୟ ସମସ୍ତ କିଛି ଭୋଗ କରୁଛ-। ଯଦି ତାଙ୍କର ଏହି ଦୟା ଓ ସ୍ନେହ ପ୍ରତିବଦଳରେ ତୁମେ କେବଳ ମାତ୍ର ତାଙ୍କର ନାମ ସ୍ମରଣ କରି ନ ପାର ତେବେ ତୁମପରି କୃତଘ୍ନ ଏ ଜଗତରେ ଆଉ କିଏ ଅଛି ? ତୁମେ ଶୌଚାଳୟରେ ମଧ୍ୟ ମାନସିକ ଜପ କରିପାର । ମହିଳାମାନେ ମାସିକ ଧର୍ମ ସମୟରେ ମଧ୍ୟ ମାନସିକ ଜପ କରିପାରନ୍ତି-। ଯେଉଁମାନେ ନିଷ୍କାମ ଭାବରେ ଜପ କରନ୍ତି ସେମାନଙ୍କ ପାଇଁ କୌଣସି ନିଷ୍ଠା ନିୟମରେ ପ୍ରତିବନ୍ଧକ ନଥାଏ । କିନ୍ତୁ ସକାମ ସାଧନା ପାଇଁ ନିଷ୍ଠା ନିୟମ ବିଶେଷଭାବେ ପାଳନୀୟ-! ନଚେତ୍ କାମନା ସିଦ୍ଧି ହୋଇପାରେ ନାହିଁ ।

 

ଉପାଂଶୁ ଏବଂ ବୈଖରୀ ଜପ ଅପେକ୍ଷା ମାନସିକ ଜପରେ ଅଧିକ ସମୟ ଲାଗେ । କିନ୍ତୁ କେତେକ ସାଧକ ମାନସିକ ଜପ ଖୁବ୍ ଶୀଘ୍ର କରିପାରନ୍ତି । ଯେଉଁମାନେ ଘଡ଼ିର ଆଧାରରେ ଜପ କରନ୍ତି ସେମାନଙ୍କୁ ମାନସିକ କ୍ଳାନ୍ତି-ଜଣାଗଲେ ପୁଣି ମାଳା ଗଡ଼ାଇ ଜପ କରିବା ଉଚିତ ।

 

ଜପର ପ୍ରଗତି ମଧ୍ୟମ ହେବା ଉଚିତ । ଏହା ଉପରେ ଚିତ୍ତର ଏକାଗ୍ରତା ଏବଂ ଭାବପୂର୍ଣ୍ଣତା ନିର୍ଭର କରେ । ଜପ କରିବା ସମୟରେ ଉଚ୍ଚାରଣ ଶୁଦ୍ଧ ହେବା ଉଚିତ । କୌଣସି ଜପ ଯେପରି ଖଣ୍ଡିତ ନ ହୁଏ ବା ଶୀଘ୍ରତା ଯୋଗୁଁ ଅସ୍ପଷ୍ଟ ନ ହୁଏ ତା’ ପ୍ରତି ଲକ୍ଷ୍ୟ ରଖିବା ଉଚିତ । ଅନେକ କେତେକ ଘଣ୍ଟା ମଧ୍ୟରେ ଏକ ଲକ୍ଷ୍ୟ ଜପ କରି ପକାନ୍ତି । ସେମାନେ ଏପରି ଶୀଘ୍ର ଶୀଘ୍ର ଜପ କରନ୍ତି କି ଯେପରି କୌଣସି ଠିକା କାମ ଶେଷ କରୁଛନ୍ତି । ଈଶ୍ଵରଙ୍କ ସହିତ ଏପରି ଠିକାଦାରି କରିବା ଉଚିତ ନୁହେଁ । ଏହାଦ୍ୱାରା ହୃଦୟରେ ଭକ୍ତିର ଆବିର୍ଭାବ ହୋଇପାରେ ନାହିଁ । ଯେଉଁ ଜପ ଦ୍ଵାରା ହୃଦୟରେ ଭକ୍ତିର ସଂଚାର ନ ହୁଏ, ତାହା କରିବା ନ କରିବା ସମାନ ଅଟେ ।

 

୧୪ ଘଣ୍ଟା ମଧ୍ୟରେ ହରିଓଁ ର ଜପ ୩୦୦୦ ମାଳା କରାଯାଇପାରେ । ଶ୍ରୀରାମ ମନ୍ତ୍ର ଜପ ୭ ଘଣ୍ଟା ମଧ୍ୟରେ ଏକ ଲକ୍ଷବାର କରାଯାଇପାରେ । ୧୦୦୦୦ ବାର ଜପ କରିବା ପାଇଁ ଅଧଘଣ୍ଟା ଲାଗେ । ୧୩ କୋଟି ବାର ରାମମନ୍ତ୍ର ବା ଇଷ୍ଟମନ୍ତ୍ର ଜପ କଲେ ତୁମକୁ ଇଷ୍ଟ ଦେବତା ଦର୍ଶନ ଦେବେ । ଯଦି ତୁମେ ଏପରି ଚାହଁ ତଥା ଯଦି ତୁମର ବିଶ୍ୱାସ ଏବଂ ଶ୍ରଦ୍ଧା ଥାଏ ତେବେ ଚାରି ବର୍ଷରେ ତୁମେ ତେର କୋଟି ଜପ ସମାପ୍ତ କରି ପାରିବ ।

 

ପୁରଶ୍ଚରଣ କରୁଥିବା ବ୍ୟକ୍ତି କେବଳ ଦୁଧ ଏବଂ ଫଳ ଆହାର କରି ରହିବା ଉଚିତ । ଏପରି କଲେ ମନ ସାତ୍ତ୍ଵିକ ରହେ ଏବଂ ଆଧ୍ୟାତ୍ମିକ ଉନ୍ନତି ଶୀଘ୍ର ବୃଦ୍ଧିପାଏ । ପୁରଶ୍ଚରଣ ସମୟରେ ଅଖଣ୍ଡ ମୌନବ୍ରତ ଧାରଣ କଲେ ବିଶେଷ ଲାଭ ମିଳେ ।

 

ଯଦି ତୁମେ ପ୍ରତିଦିନ ୪୦୦୦ ଗାୟତ୍ରୀ ଜପ କର ତେବେ ଏକ ବର୍ଷ ସାତ ମାସ ପଚିଶ ଦିନରେ ଏକ ପୁରଶ୍ଚରଣ ସମାପ୍ତ ହୋଇପାରିବ । ଯଦି ତୁମେ ଧୀରେ ଧୀରେ ଜପ କର ତେବେ ଦଶ ଘଣ୍ଟାରେ ୪୦୦୦ ଗାୟତ୍ରୀ ଜପ କରିପାରିବ ।

 

ବ୍ରହ୍ମ ଗାୟତ୍ରୀରେ ୨୪ ଅକ୍ଷର ଥାଏ । ଏଣୁ ଗାୟତ୍ରୀର ଏକ ପୁନଶ୍ଚରଣରେ ୨୪ ଲକ୍ଷ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ପଡ଼େ । ୨୪ ଲକ୍ଷ ଜପ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତୁମେ ପ୍ରତିଦିନ ୪୦୦୦ ଲେଖାଏଁ ଗାୟତ୍ରୀ ଜପ କରିଯାଅ । ଏଥିରେ ଯେପରି ବ୍ୟତିକ୍ରମ ନ ହୁଏ । ନିଜର ମାନସ-ଦର୍ପଣ ପରିଷ୍କାର କର ଏବଂ ଆଧ୍ୟାତ୍ମିକ ବୀଜ ବପନ ପାଇଁ କ୍ଷେତ୍ର ପ୍ରସ୍ତୁତ କର ।

 

ଯେପରି ପ୍ରଣବ ସନ୍ୟାସୀମାନଙ୍କ ପାଇଁ ଏକ ବିଶେଷ ମନ୍ତ୍ର ସେହିପରି ବ୍ରହ୍ମଚାରୀ ତଥା ଗୃହସ୍ଥମାନଙ୍କ ପାଇଁ ଗାୟତ୍ରୀ ବିଶେଷ ମନ୍ତ୍ର ଅଟେ । ପ୍ରଣବ ଦ୍ଵାରା ଯେଉଁ ଫଳ ପ୍ରାପ୍ତ ହୁଏ ଗାୟତ୍ରୀ ଦ୍ଵାରା ମଧ୍ୟ ସେହି ଫଳ ପ୍ରାପ୍ତ ହୁଏ ।

 

ବୀଜାକ୍ଷର ମନ୍ତ୍ର

 

ବୀଜ ଅକ୍ଷର ଅତ୍ୟନ୍ତ ଶକ୍ତିଶାଳୀ ମନ୍ତ୍ର ଅଟେ । ପ୍ରତ୍ୟେକ ଦେବତାଙ୍କର ଭିନ୍ନ ଭିନ୍ନ ବୀଜାକ୍ଷର ଥାଏ । କ୍ଲୀଂ କୃଷ୍ଣଙ୍କର ବୀଜାକ୍ଷର ଅଟେ । ରାଂ ରାମଚନ୍ଦ୍ରଙ୍କର, ଐଂ ସରସ୍ଵତୀଙ୍କର, କ୍ଲୀଂ କାଳୀଙ୍କର, ଗଂ ଗଣେଶଙ୍କର, ଶ୍ରୀଂ ଲକ୍ଷ୍ମୀଙ୍କର, ଦୁଂ ଦୁର୍ଗାଙ୍କର ବୀଜାକ୍ଷର ଅଟେ । ଏହାକୁ ତାନ୍ତ୍ରିକ ପ୍ରଣବ ମଧ୍ୟ କୁହାଯାଏ ।

 

ବୀଜାକ୍ଷରର ଅର୍ଥ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ । ତାନ୍ତ୍ରିକ ସାଧକମାନେ ସର୍ବଦା ବୀଜାକ୍ଷର ପ୍ରୟୋଗ କରନ୍ତି । ତନ୍ତ୍ର ବିଦ୍ୟାରେ ବୀଜାକ୍ଷରର ବିଶେଷ ମହତ୍ତ୍ଵ ଥାଏ । ଉଦାହରଣ ସ୍ୱରୂପ ହ୍ରୀଂ ବୀଜାକ୍ଷରକୁ ନିଆଯାଉ । ହ, ର, ଇ, ମ ଏଥିରେ ଏହି ଚାରି ଅକ୍ଷର ରହିଛି ।

 

ହ—ମହାଦେବଙ୍କ ଦ୍ୟୋତକ, ର—ପ୍ରକୃତିର, ଇ—ମହାମାୟାର, ମ—ସମସ୍ତ ପ୍ରକାର ଇଷ୍ଟ ଏବଂ ଯାତନା ନାଶ କରିବାର ଦ୍ୟୋତକ ଅଟେ । ଏଣୁ ପୂରା ହ୍ରୀଂ ବୀଜାକ୍ଷର ଅର୍ଥ ହେଲା, “ଯେପରି ଅଗ୍ନି ସମସ୍ତ ପଦାର୍ଥକୁ ଜଳାଇଦିଏ ସେହିପରି ଦେବୀ ଯେ ସମସ୍ତ ବିଶ୍ଵକୁ ଉତ୍ପନ୍ନ, ପାଳନ ଏବଂ ସଂହାର କରନ୍ତି, ଆମର ସାଂସାରିକ କଷ୍ଟ ନାଶ କରନ୍ତୁ ଏବଂ ଆମକୁ ସଂସାର ବନ୍ଧନରୁ ମୁକ୍ତ କରନ୍ତୁ ।” ନିଜର ଗୁରୁଙ୍କଠାରୁ ତୁମେ ଅନ୍ୟ ବୀଜାକ୍ଷରର ଅର୍ଥ ଶିକ୍ଷା କରି ନେଇ ପାର ।

Image

 

ପଞ୍ଚମ ଅଧ୍ୟାୟ

ସନ୍ଥ ମହାତ୍ମାମାନଙ୍କ ଚରିତ୍ର ଓ କଥା

 

(୧) ଜପ ଦ୍ଵାରା ସିଦ୍ଧ ହୋଇଥିବା ମହାତ୍ମାଗଣ

 

ତୁଳସୀଦାସ, ରାମଦାସ, ମୀରାବାଇ, ବିଲ୍ଵମଙ୍ଗଳ, ସୁରଦାସ, ଗୌରାଙ୍ଗ ମହାପ୍ରଭୁ ଗୁଜରାତର ନରସିଂହ ମେହେତା ଆଦି ଅନେକ ମହାତ୍ମା ଜପ ଦ୍ଵାରା ହିଁ ସିଦ୍ଧିଲାଭ କରିଥିଲେ । ସେମାନେ ଜପଦ୍ଵାର ଭଗବଦ୍ଦର୍ଶନ ମଧ୍ୟ କରି ପାରିଥିଲେ । ହେ ମିତ୍ର ! ତୁମ୍ଭେମାନେ ମଧ୍ୟ ସେହିପରି ସଫଳତା ଲାଭ କରିପାରିବ । ଯେଉଁମାନେ ଗାଇ ପାରନ୍ତି ସେମାନେ ଲୟ ସହିତ ମନ୍ତ୍ର ଗାନ କରିବା ଉଚିତ । ଏହା ଦ୍ଵାରା ମନ ଶୀଘ୍ର ଉନ୍ନତ ଅବସ୍ଥାରେ ପହଞ୍ଚିବ । ଗାଉ ଗାଉ ଭାବ ସମାଧି ଉପସ୍ଥିତ ହେବ । ଜଷ୍ଟିସ୍ ଉଡ଼ରଫ ମନ୍ତ୍ର ଶାସ୍ତ୍ର ଉପରେ (garland of letters) ନାମକ ଏକ ଅତ୍ୟନ୍ତ ସୁନ୍ଦର ପୁସ୍ତକ ଲେଖିଛନ୍ତି । ତାହା ପାଠ କରି ମନ୍ତ୍ର ଶାସ୍ତ୍ର ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଲାଭ କରିପାରିବ । ଦସ୍ୟୁ ରତ୍ନାକର ନାରଦ ମୁନିଙ୍କର ଉପଦେଶ ଅନୁସାରେ ମରାମରା ଜପକରୀ ଶେଷରେ ବାଲ୍ମୀକି ଋଷି ରୂପେ ପରିଗଣିତ ହୋଇ ପାରିଥିଲେ ।

 

ସନ୍ଥ ତୁକାରମ କେବଳ ବିଟ୍‌ଠଲ, ବିଟ୍‌ଠଲ ଜପ କରି ପଣ୍ଡରୀପୁର ପଣ୍ଡରୀନାଥ (ଶ୍ରୀକୃଷ୍ଣ) ଙ୍କର ଦର୍ଶନ ଲାଭ କରି ପାରିଥିଲେ ।

 

ଛୋଟ ବାଳକ ଧ୍ରୁବ ଭକ୍ତିପୂର୍ବକ ଦ୍ୱାଦଶାଷର ମନ୍ତ୍ର ଜପ କରି ଭଗବାନଙ୍କର ସାକ୍ଷାତ୍ ଦର୍ଶନ କରି ପାରିଥିଲେ । ନାରାୟଣ ମନ୍ତ୍ରର ଜପଦ୍ଵାରା ପ୍ରହ୍ଲାଦଙ୍କୁ ମଧ୍ୟ ସ୍ଵୟଂ ନାରାୟଣଙ୍କର ଦର୍ଶନ ମିଳିଥିଲା । ଶିବାଜୀଙ୍କର ଗୁରୁ ସମର୍ଥ ରାମଦାସ ‘ଶ୍ରୀରାମ ଜୟରାମ ଜୟ ଜୟ ରାମ’ ଏହି ମନ୍ତ୍ର ତେର କୋଟି ବାର ଜପ କରି ସିଦ୍ଧ ମହାତ୍ମା ହୋଇ ପାରିଥିଲେ । ପ୍ରିୟ ମିତ୍ର ! ତୁମ୍ଭେମାନେ କାହିଁକି ବା ସିଦ୍ଧ ମହାତ୍ମା ନ ହୋଇପାରିବ ? ଏହି କଳିଯୁଗରେ ଭଗବତ୍‌ ପ୍ରାପ୍ତି ଖୁବ୍ କମ୍ ସମୟ ମଧ୍ୟରେ ହୋଇ ଯାଇପାରେ । ଏହା ସମ୍ପୂର୍ଣ୍ଣ ଭଗବାନଙ୍କ କୃପା ଉପରେ ନିର୍ଭର କରେ । ଏହାପାଇଁ ତୁମକୁ ଅଧିକ ତପସ୍ୟା କରିବାକୁ ପଡ଼ିବ ନାହିଁ । ପ୍ରାଚୀନ କାଳର ପ୍ରଥା ଅନୁଯାୟୀ ୧୦୦୦ ବର୍ଷ ପର୍ଯ୍ୟନ୍ତ ତୁମକୁ ଏକ ପାଦରେ ଠିଆହୋଇ ତପସ୍ୟା କରିବାକୁ ପଡ଼ିବ ନାହିଁ ।

 

ମୁଁ ପୁନର୍ବାର କହି ରଖୁଛି କି ଯେ କୌଣସି ମନ୍ତ୍ରଠାରେ ମନକୁ ଶୁଦ୍ଧ ଏବଂ ନିର୍ମଳ କରିବାର ଅଲୌକିକ ଶକ୍ତି ନିହିତ ଅଛି । ଜପ କରିବାବେଳେ ମନ ଅନ୍ତର୍ମୁଖ ହୋଇଯାଏ । ବାସନା ହିଁ ଇଚ୍ଛାର ମୂଳବୀଜ ସ୍ୱରୂପ ଅଟେ ଯେ କି ଇଚ୍ଛା ଶକ୍ତିକୁ ସଞ୍ଚାଳିତ କରେ । ଏହାକୁ ଗୁପ୍ତବୃତ୍ତି ମଧ୍ୟ କୁହାଯାଏ । ମନ୍ତ୍ର ଜପ ସଂକଳ୍ପର ବେଗକୁ ବନ୍ଦ କରିଦିଏ । ମନକୁ ସ୍ଥିର କରେ । ମନ ସୂତ୍ର ସଦୃଶ ସୂକ୍ଷ୍ମ ହୋଇଯାଏ ଏବଂ ସତ୍ତ୍ଵ ଗୁଣଦ୍ଵାରା ପୂର୍ଣ୍ଣ ହୋଇଯାଏ । ଏହା ଫଳରେ ଶାନ୍ତି, ପବିତ୍ରତା ଓ ଶକ୍ତି ସ୍ଵୟଂସଞ୍ଚାରିତ ହୁଏ ତଥା ଶକ୍ତି ମଧ୍ୟ ପ୍ରବଳ ହୁଏ ।

 

(୨) ଧ୍ରୁବ

 

ରାଜର୍ଷି ମନୁ ଉତ୍ତାନପାଦଙ୍କର ସୁରୁଚି ଓ ସୁନୀତି ନାମରେ ଦୁଇଟି ରାଣୀ ଥିଲେ । ସୁରୁଚିଙ୍କର ପୁତ୍ରର ନାମ ଉତ୍ତମ ଏବଂ ସୁନୀତିଙ୍କ ପୁତ୍ରର ନାମ ଧ୍ରୁବ ଥିଲା । ଦିନେ ଉତ୍ତମ ନିଜର ପିତା ଉତ୍ତାନପାଦଙ୍କର କ୍ରୋଡ଼ରେ ବସିଥିବା ବେଳେ ଧ୍ରୁବ ମଧ୍ୟ ଆସି ପିତାଙ୍କର କୋଡ଼ରେ ବସିବାକୁ ଚାହିଁଲେ । ଉତ୍ତମର ମାତା ସୁରୁଚିଙ୍କର ଭୟରେ ଉତ୍ତାନପାଦ ଧ୍ରୁବଙ୍କୁ ନିଜ ଅଙ୍ଗରେ ବସାଇବା ପାଇଁ ହାତ ମଧ୍ୟ ଉଠାଇଲେ ନାହିଁ । ସୁରୁଚି ଧ୍ରୁବଙ୍କୁ ରାଜାଙ୍କ କୋଡ଼ରୁ ଉଠାଇ ଦେଇ କଟୁକ୍ତି କରି ଗାଳିଦେଲେ । ଧ୍ରୁବଙ୍କୁ ପ୍ରାଣରେ କଠୋର ଆଘାତ ଲାଗିଲା । ସେ ରାଜପ୍ରାସାଦ ତଥା ସମସ୍ତ ପ୍ରକାର ଭୋଗ୍ୟ ବସ୍ତୁ ପରିତ୍ୟାଗ କରି ଜଂଗଲରେ ତପସ୍ୟା କରିବାକୁ ଲାଗିଲେ । ନାରଦ ଋଷି ତାହାଙ୍କୁ ଦ୍ୱାଦଶାକ୍ଷରେ ମନ୍ତ୍ର ଜପ କରିବାକୁ ଉପଦେଶ ଦେଲେ । ବାଳକ ଧ୍ରୁବ ଅଟକ ଶ୍ରଦ୍ଧା ଏବଂ ବିଶ୍ୱାସ ସହକାରେ ବର୍ଷ ବର୍ଷ ଧରି ସେହି ପବିତ୍ର ମନ୍ତ୍ର ଜପ କରି ନାରାୟଣଙ୍କର ଦର୍ଶନ ପାଇଲେ ।

 

ଭଗବାନଙ୍କର ଆର୍ଶୀବାଦ ଗ୍ରହଣ କରି ତଥା ଈଶ୍ୱରଙ୍କ ଆଦେଶାନୁସାରେ ଧ୍ରୁବ ଗୃହକୁ ଫେରିଲେ । ଶିଶୁମାରର କନ୍ୟା ଭ୍ରମୀ ସହିତ ତାଙ୍କର ବିବାହ ହେଲା । କଳ୍ପ ଏବଂ ବତ୍ସର ନାମରେ ତାଙ୍କର ଦୁଇଟି ପୁତ୍ର ହେଲା । ଇଲା ନାମକ ଦ୍ଵିତୀୟ ସ୍ତ୍ରୀଙ୍କଠାରୁ ଉତ୍କଳ ନାମକ ଅନ୍ୟ ଏକ ସନ୍ତାନ ମଧ୍ୟ ହୋଇଥିଲା । ଧ୍ରୁବ ରାଜପଦରେ ଅଭିଷିକ୍ତ ହୋଇ ପବିତ୍ର ଭାବେ ୩୬୦୦୦ ବର୍ଷ ପର୍ଯ୍ୟନ୍ତ ପୃଥିବୀରେ ରାଜତ୍ଵ କରି ସଂସାର ତ୍ୟାଗ କରିଥିଲେ । ଧ୍ରୁବାନନ୍ଦ ଏବଂ ସନନ୍ଦ ନାମକ ଦୁଇ ଜଣ ବିଷ୍ଣୁପାର୍ଶଦଙ୍କ ସହିତ ସେ ଅକ୍ଷେୟ ବିଷ୍ଣୁଲୋକକୁ ଯାତ୍ରା କଲେ । ଏହିପରି ଧ୍ରୁବଙ୍କର ଅମର କାହାଣୀ ଆମ୍ଭମାନଙ୍କ ଜୀବନକୁ ଆଧ୍ୟାତ୍ମିକ ପଥରେ ନେବାପାଇଁ ଏକ ଆଦର୍ଶ ରୂପେ ଯୁଗ ଯୁଗ ଧରି ରହିଛି । ଏହାଦ୍ୱାରା ଅଳ୍ପ ବୟସରେ ସମସ୍ତ ପ୍ରକାର କଷ୍ଟ ସହ୍ୟ କରି ଈଶ୍ଵରତ୍ୱ ଲାଭ ପାଇଁ ଆମକୁ ଯୋଗ୍ୟ ଉପାଦେୟ ଶିକ୍ଷା ମିଳୁଛି । ଧ୍ରୁବଙ୍କର ଜୀବନୀ ଏଥିପାଇଁ ପ୍ରାତଃସ୍ମରଣୀୟ ଏବଂ ଅନୁକରଣନୀୟ ଅଟେ ।

 

(୩) ଅଜାମିଳ

 

ଅଜାମିଳ ଏକ ବ୍ରାହ୍ମଣ କୁମାର ଥିଲା । ସେ କର୍ତ୍ତବ୍ୟ-ପରାୟଣ, ପୁଣ୍ୟାତ୍ମା, ବିନୟୀ, ସତ୍ୟବାଦୀ ଥିଲା ତଥା ବୈଦିକ କ୍ରିୟା ଆଦି ନିୟମ ପୂର୍ବକ ବିଧିବତ୍ କରୁଥିଲା । ଦିନେ ପିତାଙ୍କର ଆଦେଶ ଅନୁସାରେ ପୂଜାପାଇଁ ଫୁଲ, ଫଳର ସଂଗ୍ରହାର୍ଥେ ବଣକୁ ଯାଇ ଥିବାବେଳେ ଏକ ଦସ୍ୟୁ କନ୍ୟାର ରୂପରେ ମୁଗ୍‌ଧ ହେଲା । ସେ ସେହି ରମଣୀକୁ ଲାଭ କରିବା ପାଇଁ ନିଜର ପୈତୃକ ସମ୍ପତ୍ତି ନଷ୍ଟ କରି ଏପରିକି ଶେଷରେ ନିଜର ବିବାହିତା ସ୍ଵୀକୁ ମଧ୍ୟ ତ୍ୟାଗ କଲା । ଦସ୍ୟୁ କନ୍ୟାର ସଂପର୍କରେ ଆସି ଅନେକ ଅସତ୍ କାର୍ଯ୍ୟ କରିବାକୁ ଲାଗିଲା, ସମସ୍ତ ପୁଣ୍ୟକର୍ମ ଭୁଲିଗଲା । ନିଜର ନବବଧୂର ମନୋରଞ୍ଜନ ପାଇଁ ନାନାପ୍ରକାର ପାପରେ ଲିପ୍ତ ହେବାକୁ ଲାଗିଲା । ସେହି ଦସ୍ୟୁ କନ୍ୟାଠାରୁ ଅନେକଗୁଡ଼ିଏ ସନ୍ତାନ ଜନ୍ମ ହେଲେ । ସର୍ବାପେକ୍ଷା କନିଷ୍ଠ ପୁତ୍ରର ନାମ ଥିଲା ନାରାୟଣ । ଅଜାମିଳ ନାରାୟଣକୁ ବିଶେଷ ଶ୍ରଦ୍ଧା କରୁଥିଲା ।

 

ପରିଶେଷରେ ତାର ଅନ୍ତିମ ସମୟ ଆସି ପହଞ୍ଚିଲା । ଜୀବନର କୁକର୍ମ ଏବଂ ପାପର ଫଳ ସ୍ୱରୂପ ତିନିଜଣ ଯମଦୂତ ହାତରେ କାଳପାଶ ଘେନି ଉପସ୍ଥିତ ହେଲେ । ଅଜାମିଳ ଭୟରେ ନିଜର କନିଷ୍ଠ ପୁତ୍ରର ନାମୋଚ୍ଚାରଣ କରି ନାରାୟଣ ନାରାୟଣ ଚିତ୍କାର କରିବାକୁ ଲାଗିଲା । ନାରାୟଣ ନାମ ଉଚ୍ଚାରଣ କରିବାମାତ୍ରେ ତିନିଜଣ ତେଜସ୍ଵୀ ବିଷ୍ଣୁପାର୍ଶଦ ସେଠାରେ ଉପସ୍ଥିତ ହେଲେ ତଥା ଯମଦୂତମାନଙ୍କୁ ଅଜାମିଳର ପ୍ରାଣ ନେବାରେ ବିଘ୍ନ ଉପସ୍ଥିତ କଲେ ।

 

“ଆମର ଉପଯୁକ୍ତ ଧର୍ମରେ ବାଧା ପହୁଞ୍ଚାଉଥିବା ବ୍ୟକ୍ତି ତୁମ୍ଭେମାନେ କିଏ ?” ଯମଦୂତମାନେ ପ୍ରଶ୍ନ କଲେ ।

 

ବିଷ୍ଣୁ ପାର୍ଶଦମାନେ କହିଲେ, “କି, ଧର୍ମ କ’ଣ ? କଣ ତୁମର ପ୍ରଭୁ ଯମରାଜଙ୍କର ସମସ୍ତ କର୍ମ କରୁଥିବା ଜୀବମାନଙ୍କ ଉପରେ ଦଣ୍ଡ ଦେବାର ଅଧିକାର ଅଛି ? କଣ ଏ କାମରେ କିଛି ଭେଦଭାବ ନାହିଁ ।”

 

ଯମଦୂତମାନେ ଏହାର ଉତ୍ତରରେ କହିଲେ, ‘‘ବେଦୋକ୍ତ ଅନୁଶାସନର ଅନୁଷ୍ଠାନ ହିଁ ଧର୍ମ ଏବଂ ଏହାର ଅବହେଳନା ଅଧର୍ମ ଅଟେ । ଅଜାମିଳ ନିଜର ପ୍ରାରମ୍ଭିକ ଜୀବନରେ ବୈଦିକ ଆଦେଶ ସମସ୍ତ ବିଧିପୂର୍ବକ ପାଳନ କରିଥିଲା । କିନ୍ତୁ ଶୂଦ୍ରା ସ୍ତ୍ରୀ ସହ ରମଣ କରିବା ଦ୍ଵାରା ବ୍ରାହ୍ମଣତ୍ଵର ଭ୍ରଷ୍ଟ ହୋଇଗଲା, ବିପରୀତ ଆଚରଣ କରିବାକୁ ଲାଗିଲା । ଏଣୁ ଯମରାଜଙ୍କ ନିକଟକୁ ଘେନିଯିବାର ଅଧିକାର ଆମ୍ଭମାନଙ୍କର ଅଛି । ”

 

ଏହା ଶୁଣି ବିଷ୍ଣୁପାର୍ଶଦମାନେ କହିଲେ, “ବେଦ ଉପରେ ମଧ୍ୟ ଏକ ବସ୍ତୁ ଅଛି ଯାହାକି ତୁମକୁ ଜଣାନାହିଁ । ଜାଣତରେ ହେଉ ବା ଅଜାଣତରେ, ଅଜାମିଳ ମୃତ୍ୟୁ ସମୟରେ ନାରାୟଣ ନାମ ଉଚ୍ଚାରଣ କରିଥିଲା, ଏଣୁ ତୁମ୍ଭମାନଙ୍କ କବଳରୁ ସେ ମୁକ୍ତ । ତୁମ୍ଭେମାନେ ଶୀଘ୍ର ଏ ସ୍ଥାନ ତ୍ୟାଗ କର ।”

 

ଯମଦୂତମାନେ ଅଜାମିଳକୁ ଛାଡ଼ି ଚାଲିଗଲେ । କେବଳ ନାରାୟଣ ନାମ ବଳରେ ଅଜାମିଳ ବିଷ୍ଣୁପାର୍ଶଦମାନଙ୍କ ସହିତ ସ୍ଵର୍ଗକୁ ଗମନ କଲା ।

 

(୪) ଏକ ଶିଷ୍ୟର କଥା (ବିଶ୍ୱାସରେ ଚମତ୍କାରିତା)

 

କୌଣସି ଏକ ନଦୀତଟସ୍ଥ ମନ୍ଦିରରେ ଏକ ସାଧୁ ରହୁଥିଲେ । ସମଗ୍ର ଦେଶରେ ତାଙ୍କର ହଜାର ହଜାର ଚେଲା ବା ଶିଷ୍ୟ ଥିଲେ । ନିଜର ଶେଷ ସମୟ ଜାଣିପାରି ସେ ସ୍ଵକୀୟ ସମସ୍ତ ଚେଲାମାନଙ୍କୁ ନିଜ ନିକଟକୁ ଡକାଇଲେ । ଗୁରୁଙ୍କର ବିଶେଷ କୃପାପାତ୍ର ଶିଷ୍ୟଗଣ ଯେଉଁମାନେ କି ସର୍ବଦା ତାଙ୍କ ନିକଟରେ ରହୁଥିଲେ ଚିନ୍ତିତ ହୋଇଥାଆନ୍ତି । ମନରେ ଭାବୁଥାଆନ୍ତି କି ଜଣାନାହିଁ ଗୁରୁଜୀ ନିଜର ଭେଦ କାହା ପାଖରେ ପ୍ରକାଶ କରିବେ । ଏଣୁ ସର୍ବଦା ଗୁରୁଙ୍କୁ ଘେରି ରହିଥାନ୍ତି । ଅବଶ୍ୟ ପୂର୍ବରୁ ଗୁରୁ ଶିଷ୍ୟମାନେ ମନ୍ତ୍ରଦୀକ୍ଷା ଦେଇଥିଲେ କିନ୍ତୁ ଶିଷ୍ୟମାନେ କୌଣସି ଚମତ୍‌କାରିତା ପ୍ରାପ୍ତ କରି ନଥିଲେ । ଏଣୁ ସର୍ବଦା ସେମାନେ ଭାବୁଥିଲେ କି ସିଦ୍ଧିଲାଭ କରିବାର ଉପାୟ ଗୁରୁ ଏ ପର୍ଯ୍ୟନ୍ତ ଗୋପନ କରି ରଖିଛନ୍ତି ।

 

ଗୁରୁଙ୍କର ଜଣେ ନମ୍ର ଚେଲା ଥିଲା । ସେ ମଧ୍ୟ ଏପରି ଅବସ୍ଥାରେ ଗୁରୁଙ୍କର ଦର୍ଶନ ଇଚ୍ଛାରେ ଆସି ପହଞ୍ଚିଲା । ସେ ଆସିଲାବେଳେ ନଦୀ ଖୁବ୍ ବଢ଼ି ଯାଇଥିଲା । ସ୍ରୋତ ଏତେ ପ୍ରଖର ଥିଲା ଯେ କୌଣସି ନୌକା ମଧ୍ୟ ଚାଲୁ ନଥିଲା । କିନ୍ତୁ ଗୁରୁଙ୍କର ଦର୍ଶନ ଉତ୍କଣ୍ଠା ଏତେ ପ୍ରବଳ ଥିଲା ସେ ଗୁରୁଙ୍କର ପ୍ରଦତ୍ତ ମନ୍ତ୍ର ସ୍ମରଣ କରୁଁ କରୁଁ ନଦୀ ଉପରକୁ ପାଦ ବଢ଼ାଇଦେଲା । ଆଶ୍ଚର୍ଯ୍ୟର ବିଷୟ ଯେ ମନ୍ତ୍ରର ପ୍ରଭାବରେ ତାର କୌଣସି ଅନିଷ୍ଟ ହେଲାନାହିଁ । ଜଳସ୍ରୋତ ପଥର ପରି କଠିନ ହୋଇଗଲା ଏବଂ ଶିଷ୍ୟ ଆନନ୍ଦରେ ନଦୀ ପାର ହୋଇ ଗୁରୁଙ୍କର ଚରଣରେ ଉପସ୍ଥିତ ହେଲା । ଏପରି ଚମତ୍କାରାତ୍ମକ ଶକ୍ତି ଦେଖି ଅନ୍ୟ ଶିଷ୍ୟମାନେ ମନେ କଲେ କି ସମ୍ଭବତଃ ଗୁରୁଜୀ ଏହି ଶିଷ୍ୟକୁ ମନ୍ତ୍ରର ରହସ୍ୟ କହି ଦେଇଛନ୍ତି । ଏଥିରେ ଶିଷ୍ୟମାନଙ୍କ ମନରେ ଈର୍ଷା ଉତ୍ପନ୍ନ ହେଲା ।

 

ଗୁରୁଜୀ ଶିଷ୍ୟମାନଙ୍କୁ ଶାନ୍ତ କରି ସେହି ଶିଷ୍ୟକୁ ତାର ଚମତ୍କାରିତାର ରହସ୍ୟ ଶୁଣାଇବାକୁ କହିଲେ । ଶିଷ୍ୟ ଅତ୍ୟନ୍ତ ଆନନ୍ଦ ମନରେ ଭକ୍ତି ସହକାରେ ‘କୁତୁ କୁତୁ’ ମାତ୍ର ଏହି ଶବ୍ଦ ଉଚ୍ଚାରଣ କରିବାକୁ ଲାଗିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କେବଳ ଏହି ଶବ୍ଦରେ ଏତେ ଶକ୍ତି ।

 

ଗୁରୁଜୀ କହିଲେ ପ୍ରତ୍ୟେକ ବସ୍ତୁ ଜାଣିବା ପାଇଁ ମନରେ ଶ୍ରଦ୍ଧା ଏବଂ ବିଶ୍ଵାସ ଥିବା ଦରକାର । ଶ୍ରଦ୍ଧା ଏବଂ ବିଶ୍ଵାସ ନଥିଲେ ସ୍ଵୟଂ ବ୍ରହ୍ମା ମଧ୍ୟ ଯଦି ତୁମକୁ ମନ୍ତ୍ର ଉପଦେଶ ଦିଅନ୍ତି, ତେବେ ବି ତୁମର କୌଣସି ଲାଭ ହେବ ନାହିଁ । ଦେଖ କେବଳ ସାଧାରଣ କୁତୁ କୁତୁ ଶବ୍ଦର ଉଚ୍ଚାରଣ କରି ସରଳ-ଚିତ୍ତ ଶିଷ୍ୟ କିପରି ଏହି ଦୁର୍ଗମ ନଦୀକୁ ଅକ୍ଲେଶରେ ପାରି ହୋଇପାରିଲା । ଏଣୁ ଗୁରୁଙ୍କର ପ୍ରତ୍ୟେକ ଉପଦେଶରେ ଶ୍ରଦ୍ଧା ରଖ ଏବଂ ଅଟଳ ବିଶ୍ଵାସ ରଖ । ତୁମେ ଶୀଘ୍ର ଭାବସାଗର ମଧ୍ୟ ନିର୍ବିଘ୍ନରେ ପାର ହୋଇପାରିବ । ସନ୍ଦିଗ୍ଧ-ହୃଦୟ ବ୍ୟକ୍ତି ସାଧନାରେ କେବେହେଁ ଉନ୍ନତି କରିପାରେ ନାହିଁ । ଆତ୍ମସଂଶୟ ହିଁ ଅଧଃପତନର କାରଣ ଅଟେ ।

 

(୫) ରାଜକୁମାର ନରେନ୍ଦ୍ର (ନିଜର ଭକ୍ତି କେବେ ପ୍ରକଟ କର ନାହିଁ)

 

ରାଜକୁମାର ନରେନ୍ଦ୍ରଙ୍କର ଧର୍ମପତ୍ନୀ ରାଜକୁମାରୀ ଲୀଳାବତୀ ଶ୍ରୀ ରାମଚନ୍ଦ୍ରଙ୍କର ପୂଜା ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ଏବଂ ପ୍ରେମ ପୂର୍ବକ କରୁଥିଲେ । କିନ୍ତୁ ରାଜକୁମାର ରାମ ନାମ ନେଉଥିଲେ ମଧ୍ୟ ବାହାରକୁ ଜଣାଯାଉ ନ ଥିଲା । ଏହା ଦେଖି ଲୀଳାବତୀଙ୍କ ମନରେ ବିଶେଷ କଷ୍ଟ ହେଉଥିଲା ଏବଂ ସେ ବହୁବାର ରାଜକୁମାରଙ୍କୁ ରାମ ନାମ ନେବା ଓ ପୂଜା ପାଠ କରିବାକୁ ଅନୁନୟ ବିନୟ ମଧ୍ୟ କରିଥିଲେ କିନ୍ତୁ କିଛି ଫଳ ହେଲାନାହିଁ । ରାଜକୁମାର ଜିଦଖୋର ଥିଲେ । ସେ ରାଣୀଙ୍କର ପ୍ରସ୍ତାବ କୌଣସି ସ୍ଵୀକାର କଲେ ନାହିଁ ।

 

ଦିନେ ସକାଳ ହଠାତ୍ ଲୀଳାବତୀ ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ଦେବନାଙ୍କୁ ଡକାଇ ହଜାର ହଜାର ଦରିଦ୍ର, ବ୍ରାହ୍ମଣ ଭିଖାରୀଙ୍କୁ ଭୋଜନ ଇତ୍ୟାଦି ଦେବାପାଇଁ ଆଦେଶ ଦେଲେ ଦେବାନ ଏହାର କୌଣସି କାରଣ ଜାଣି ନ ପାରି ଆଶ୍ଚର୍ଯ୍ୟ ହେଲେ । ରାଣୀଙ୍କର ଆଦେଶ ଅନୁସାରେ ରାତିରେ ନାନାପ୍ରକାର ଆତସବାଜି ଫୁଟିବାକୁ ଲାଗିଲା । ନଗର ଦ୍ଵାରରେ ଭେରୀ ତୁରୀ ବାଜିବାକୁ ଲାଗିଲା ।

 

ଏ ଉତ୍ସବର କାରଣ କାହାରିକୁ ଜଣା ନଥିଲା । ରାଜକୁମାର ଏ ଆମୋଦପ୍ରମୋଦ ଆଡ଼ମ୍ବରର କାରଣ ମନ୍ତ୍ରୀଙ୍କୁ ପଚାରିଲେ, ମହଲର ଅନ୍ୟାନ୍ୟ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କୁ ପଚାରିଲେ କିନ୍ତୁ କେହି ଏହାର ଉତ୍ତର ଦେଇ ପାରିଲେ ନାହିଁ; କେବଳ କହିଲେ କି ରାଣୀଙ୍କର ଆଦେଶାନୁସାରେ ଏପରି କରାଯାଉଅଛି । ରାଜକୁମାର ଶେଷରେ ରାଣୀଙ୍କୁ ଏହାର ରହସ୍ୟ ପଚାରିଲେ । ରାଜକୁମାରୀ ଉତ୍ତର ଦେଲେ, “ପ୍ରାଣେଶ୍ଵର, ମୋର ଯୁଗ ଯୁଗର ଇଚ୍ଛିତ ଆଶା ଆଜି ପୂର୍ଣ୍ଣ ହୋଇଛି । ମୁଁ ବହୁଦିନରୁ ତୁମକୁ ରାମ ନାମ ନେବାପାଇଁ ଅନୁରୋଧ କରି ଆସୁଥିଲି କିନ୍ତୁ ତୁମେ ମୋର ପ୍ରାର୍ଥନା ରକ୍ଷା କରୁ ନଥିଲ । କିନ୍ତୁ କାଲି ରାତିରେ ତୁମେ ଗଭୀର ନିଦ୍ରାରେ ନିଦ୍ରିତ ଥିଲାବେଳେ ସେହି ଅମୃତୋପମ ରାମନାମ ମଧୁର ସ୍ଵରରେ ତୁମର ମୁଖରୁ ବାରମ୍ବାର ଧ୍ଵନିତ ହେବାକୁ ଲାଗିଲା । ଏହାହିଁ ମୋର ପ୍ରସନ୍ନତାର କାରଣ ଅଟେ ।” ରାଜକୁମାର ଚିତ୍କାର କରି କହି ଉଠିଲେ “ହାୟ, ଯେଉଁ ଅମୂଲ୍ୟ ସମ୍ପତିକୁ ମୁଁ ହୃଦୟମନ୍ଦିରରେ ଏତେ ଯତ୍ନରେ ଲୁଚାଇ ରଖିଥିଲି ତାହା ଶେଷରେ ବାହାରିଗଲା ।” ତାଙ୍କର ଶରୀର ବେହୋଶ ହୋଇ ଢଳି ପଡ଼ିଲା ଏବଂ ଅମର ଆତ୍ମା ରାମଙ୍କର ଅମର ଲୋକକୁ ଚାଲିଗଲା । ଲୀଳାବତୀ ମନ୍ତ୍ରମୁଗ୍ଧବତ୍ ଚାହିଁ ରହିଲେ । ନରେନ୍ଦ୍ର ଯେ ଶ୍ରୀରାମଙ୍କର ଗୁପ୍ତ ଭକ୍ତ ଥିଲେ ଏକଥା ତାଙ୍କୁ ଜଣା ନଥିଲା ।

 

ପ୍ରକୃତ ଭକ୍ତ କେବେ ନିଜର ଭକ୍ତି ଏବଂ ସାଧନା ବ୍ୟକ୍ତ କରେ ନାହିଁ । ଅନ୍ୟ ଆଗରେ ଭକ୍ତିର ବିଜ୍ଞାପନ କରୁଥିବା ବ୍ୟକ୍ତି ପ୍ରକୃତରେ ଭକ୍ତ ନୁହନ୍ତି, ଭଣ୍ଡ ମାତ୍ର । ଏପରି ପାଷାଣ୍ଡ ନିଜର ଗଳାରେ ମାଳା ଲମ୍ବାଇ ଉଚ୍ଚସ୍ଵରରେ ହେ ରାମ ! ହେ କୃଷ୍ଣ ! ଦୀନବନ୍ଧୁ ଇତ୍ୟାଦି ଚିତ୍କାର କରନ୍ତି । ଲୋକଙ୍କୁ ଦେଖାଇବା ପାଇଁ ଚକ୍ଷୁର ଲୁହ ଗଡ଼ାନ୍ତି; ପାଣି ଘାଟରେ, ଜନସମାଗମ ସ୍ଥାନମାନଙ୍କରେ ମୃଗଚର୍ମ, ବ୍ୟାଘ୍ରଚର୍ମ ଇତ୍ୟାଦି ବିଛାଇ ଜଟା ଲମ୍ବାଇ, ମାଳା ଗଡ଼ାଇ, ସମସ୍ତ ଶରୀର ବିଭୂତି ବା ପାଉଁଶରେ ବୋଳି ଲୋକଙ୍କର ମନ ଆକୃଷ୍ଟ କରନ୍ତି । ଏପରି ବ୍ୟକ୍ତି ଯେଉଁମାନେ କି ସରଳପ୍ରାଣ ବ୍ୟକ୍ତିଙ୍କୁ ଠକାଇ ନିଜର ଉଦ୍ଦେଶ୍ୟ ସାଧନ ପାଇଁ ଚେଷ୍ଟା କରନ୍ତି, ଅଳ୍ପଦିନରେ ସେମାନଙ୍କର ଅଧଃପତନହୁଏ । ଆଜିକାଲି ପ୍ରତ୍ୟେକ ତୀର୍ଥମାନଙ୍କରେ ତୁମେ ଏପରି ଶତ ଶତ ପାଷାଣ୍ଡ ଦେଖିବ-। ନିରୀହ ସରଳପ୍ରାଣ ଗୃହସ୍ଥର ସର୍ବସ୍ୱହରଣକାରୀ ଏପରି ଭଣ୍ଡ ଶ୍ମଶାନର ଶାଗୁଣା ସଦୃଶ ଅଟନ୍ତି । ବନ୍ଧ୍ୟାକୁ ସନ୍ତାନ ଦାନ କରିବା, ଅସାଧ୍ୟ ରୋଗ ଦୂର କରିବା, ବ୍ୟବସାୟ ବା ଚାକିରିରେ ଉନ୍ନତି କରି ଦେବାର ବିଜ୍ଞାପନ ଦେଖାଇ ଏପରି ଶତ ଶତ ଭଣ୍ଡ ସାଧୁ ଆମ ଗାଁ ଗଣ୍ଡାରେ ନିତ୍ୟ ଘୂରି ବୁଲନ୍ତି । ସେମାନେ ନିଜର ଗୃହସ୍ଥ ଜୀବନ ଏବଂ ସାଧୁ ଜୀବନ ଉଭୟ ନଷ୍ଟ କରନ୍ତି । ହେ ପାଠକ ଏପରି ସାଧୁଠାରୁ ଦୂରରେ ରହ ।

 

ନିଜକୁ ଭକ୍ତ ବା ମହାତ୍ମା କହିବାର ଛଳନା କେବେ କରନାହିଁ । ଜପ, ଧ୍ୟାନ ଇତ୍ୟାଦି ସାଧନା ଏକାନ୍ତରେ କର । ମାଳା ଇତ୍ୟାଦି ଲୁଚାଇ ରଖ । ନିଜର ସ୍ଵାମୀ ନୁହେଁ; ସମସ୍ତ ବିଶ୍ଵର ସେବକ ବୋଲି ମନେ କର । ନିଜର ଆଧ୍ୟାତ୍ମିକ ଅନୁଭବର ବାଜା ବଜାଅ ନାହିଁ । ଏହାଦ୍ୱାରା ତୁମର ସାଧନା ସୁଗମ ହେବ ।

 

(୬) ଏକ ଗ୍ରାମୀଣ ନ୍ୟାୟାଧୀଶ

 

ସନ୍ଥ ତୁକାରାମ ଭଗବତ୍ ପ୍ରେମରୂପୀ ଅମୃତ ପାନ କରି ଅତ୍ୟନ୍ତ ମତ୍ତ ହୋଇଥିଲେ । ପଣ୍ଡରୀପୁରର ଦେବତା ବିଟ୍‍ଠଲ ସ୍ଵୟଂ ତୁକରାମାଙ୍କସହିତ କୀର୍ତ୍ତନ କରିବାକୁ ଲାଗିଲେ । ଭକ୍ତ ଏବଂ ଭଗବାନ ପ୍ରେମବିଭୋର ହୋଇ ନାଚୁଁ ନାଚୁଁ ସମସ୍ତ ରାତ୍ରି ବିତିଗଲା, ସକାଳ ହୋଇଗଲା । ତୁକାରାମଙ୍କର ଧ୍ୟାନ ଭଙ୍ଗ ହେବା ପରେ ସେ କେବଳ ଗୋଟିଏ ବ୍ୟକ୍ତିକୁ ଏକ କୋଣରେ ବସିଥିବାର ଦେଖିଲେ । ତୁକାରାମ କହିଲେ “ଭାଇ, ତୁମେ କେଡ଼େ ଭାଗ୍ୟବାନ ଯେ ମୋ ସହିତ ସାରାରାତି ନୃତ୍ୟ କରୁଥିବା ଏବଂ ଭଜନ ଗାଉଥିବା ଶ୍ରୀକୃଷ୍ଣଙ୍କୁ ସ୍ଵଚକ୍ଷୁରେ ଦର୍ଶନ କଲ । ” ସେ ବ୍ୟକ୍ତିଟି ଗ୍ରାମର ନ୍ୟାୟାଧୀଶ ଥିଲା । ସେ କହିଲା “ହେ ସନ୍ଥ ତୁକାରାମ, ମୁଁ ଅବଶ୍ୟ ସମସ୍ତ ରାତ୍ରି ଅନିଦ୍ରାରେ କଟାଇଛି । କାରଣ ଯେଉଁ ଗାଲିଚା ଉପରେ ତୁମେ ସମସ୍ତ ରାତ୍ରି ନୃତ୍ୟ କରୁଛ ତାହା ମୋର । ଗ୍ରାମର ଅନ୍ୟ ସମସ୍ତ ବ୍ୟକ୍ତି ନିଜ ନିଜର ବିଛଣା ଘେନି ଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ମୁଁ ଏହି ଗାଲିଚା ଘେନି ଫେରିବି । ମୁଁ ରାତ୍ରିରେ କାହାରିକୁ ଦେଖିନାହିଁ ବା କୀର୍ତ୍ତନ ଇତ୍ୟାଦି ଶୁଣିନାହିଁ ।”

 

ଦେଖିଲ ମନ କିପରି ବିଭିନ୍ନ ଜାଗତିକ ପଦାର୍ଥ ପ୍ରତି ଅନବରତ ଆକୃଷ୍ଟ । ଏହାହିଁ ମାନସିକ ବନ୍ଧନ ଅଟେ । ଏହାହିଁ ଜନ୍ମ ମରଣ ତଥା ଅନ୍ୟ ମାନବୀ ଯାତନାର ମୂଳ କାରଣ । ଅନେକ ବୃଦ୍ଧ ବ୍ୟକ୍ତି କାଶୀରେ ମଲେ ମୁକ୍ତି ମିଳିବ ଏହି ଆଶାରେ କାଶୀରେ ବାସ କରନ୍ତି । କିନ୍ତୁ ସେମାନଙ୍କର ମନ ସର୍ବଦା ଗୃହ ଦ୍ଵାରା, ପୁତ୍ର ପୌତ୍ରାଦିଠାରେ ଥାଏ । କେବେହେଁ ନିଶ୍ଚିନ୍ତ ମନରେ ଭଗବାନଙ୍କର ସ୍ମରଣ କରିପାରନ୍ତି ନାହିଁ । ଏପରି ବ୍ୟକ୍ତି ପାଇଁ ମୁକ୍ତି କାହିଁ ? ବୈରାଗ୍ୟରୂପୀ ଖଡ୍‍ଗଦ୍ଵାରା ମାୟା ମମତାର ବନ୍ଧନ ଛିନ୍ନ କର । ଜପ, କୀର୍ତ୍ତନ, ଧ୍ୟାନ, ପୂର୍ଣ୍ଣଶ୍ରଦ୍ଧା ଏବଂ ଭକ୍ତି ସହକାରେ କର । ତେବେ ଯାଇ ତୁମେ ଉନ୍ନତି ଲାଭ କରିପାରିବ ।

 

(୭) ଯୁଧିଷ୍ଠିର

 

ଥରେ ବଦ୍ରୀନାରାୟଣ ଯାତ୍ରା କରିବା ସମୟରେ ରାଜା ଯୁଧିଷ୍ଠିର ଗଙ୍ଗାକୂଳରେ ଛିଡ଼ାହୋଇ ଈଶ୍ଵର ଚିନ୍ତନରେ ମଗ୍ନ ଥିଲେ । ତାଙ୍କର ସ୍ତ୍ରୀ ଏପରି ପ୍ରଗାଢ଼ ଧର୍ମଭାବନା ଦେଖି ପ୍ରଶ୍ନ କଲେ, “ଆପଣ କାହିଁକି ଈଶ୍ଵରଙ୍କୁ ଏପରି ପ୍ରଶଂସା କରୁଛନ୍ତି ? ସେ ଆପଣଙ୍କୁ ଦେଇଛନ୍ତି ବା କଣ-? ଜୀବନବ୍ୟାପୀ ଦୁଃଖ ଏବଂ ସନ୍ତାପ ବିନା ଆମକୁ ମିଳିଲା ବା କଣ ? ରାଜପାଟ ଗଲା, ଦାସ ଦାସୀ ଗଲା, ଶେଷରେ ଜଙ୍ଗଲରେ ରହିବାକୁ ପଡ଼ିଲା, ତଥାପି ଆପଣ ତାଙ୍କୁ କାହିଁକି ଭକ୍ତି ପୂଜା କରୁଛନ୍ତି ?”

 

ଯୁଧିଷ୍ଠିର ଉତ୍ତର ଦେଲେ, “ହେ ଦେବି ! ଦେଖ, ଏହି ହିମାଳୟରେ ଦୃଶ୍ୟ କି ସୁନ୍ଦର ! ଗଙ୍ଗାର ଜଳ କେଡ଼େ ନିର୍ମଳ ! ଏହାର ଦର୍ଶନ ମାତ୍ରେ ମନ ପ୍ରାଣ ସାତ୍ତ୍ଵିକ ଭାବନାରେ ଭରି ଉଠୁଛି । ପ୍ରଭୁପ୍ରେମର ସଞ୍ଚାର ହେଉଛି । ତଥାପି ଆମେ ତାକୁ କିଛି ମାଗୁନାହୁଁ । ମାଗିବା ପାଇଁ ବା କଣ ଅଛି-। ହିମାଲୟର ସ୍ନିଗ୍ଧ ତୁଷରାଚ୍ଛନ୍ନ ପର୍ବତମାଳା ଆମକୁ ଯେଉଁ ଆନନ୍ଦ ଦେଉଛି, ଗଙ୍ଗାର ଶୀତଳ ଅମୃତ ସମାନ ପାଣି ଆମକୁ ଯେଉଁ ଶାନ୍ତି ପ୍ରଦାନ କରୁଛି ତା’ଠାରୁ ଅଧିକ କଣ ବା ଆଶା କରାଯାଇପାରେ । କେବଳ ସୌନ୍ଦର୍ଯ୍ୟ ଦର୍ଶନ ହିଁ ଯଥେଷ୍ଟ । ପୁଣି ଯେଉଁ ପରମାତ୍ମା ଏ ସମସ୍ତର ସ୍ରଷ୍ଟା ତାଙ୍କ ସହିତ ପୁଣି କିଏ ବା ସଉଦା କରିବାକୁ ଯିବ ? ସେ ଯେ ସର୍ବାପେକ୍ଷା ଶ୍ରେଷ୍ଠ ମିତ୍ର, ରକ୍ଷକ, ସୃଷ୍ଟିକର୍ତ୍ତା, ଅନ୍ତର୍ଯାମୀ ତଥା ସମସ୍ତ ଆବଶ୍ୟକତା ପୂର୍ଣ୍ଣ କରିବାର ଏକମାତ୍ର ଆଧାର ଅଟନ୍ତି-

 

ଈଶ୍ଵର ପ୍ରେମର ମହାସାଗର, ଶାନ୍ତିର ଉତ୍ସ, ତଥା ଦୟାର ମୂର୍ତ୍ତିମାନ ରୂପ ଅଟନ୍ତି । ଯାହାର ଚିତ୍ତ ସେହି ମଙ୍ଗଳମୟଙ୍କର ଚରଣ କମଳରେ ଲାଗିଯାଇଛି ତା’ ପାଇଁ ଜାଗତିକ ପଦାର୍ଥର ଆବଶ୍ୟକତା ବା କଣ ଅଛି ? ଏ ଜଗତରେ ତାଠାରୁ ବଳି ଭାଗ୍ୟବାନ ବା କିଏ ? ଭଗବାନ ରୂପୀ ମହା ଐଶ୍ଵର୍ଯ୍ୟ ଲାଭ କଲା ପରେ; ତା’ ପାଇଁ ଏ ତିନି ଲୋକରେ କେଉଁ ସମ୍ପତ୍ତି ବା ପ୍ରାପ୍ୟ ଥାଏ ? ଏପରି ଭକ୍ତ ପାଇଁ ପୁଣି କାମନା ନାମରେ କୌଣସି ପଦାର୍ଥ କିପରି ବା ରହିପାରେ ?

 

ହେ ମିତ୍ର, ଈଶ୍ଵରଙ୍କୁ ହିଁ ପ୍ରେମ କର । ପ୍ରେମ ହିଁ ମହାଶକ୍ତି ଅଟେ । ପ୍ରେମ ମନୁଷ୍ୟକୁ ପବିତ୍ର କରେ । ପ୍ରେମ ହିଁ ଅମର ଜୀବନ ଅଟେ । କେବଳ ପ୍ରେମ ପାଇଁ ପ୍ରେମ କର । ଭଗବାନଙ୍କର କୃପା ଲାଭ କରି ପରମ ଧାମରେ ଯାଇ ପହୁଁଚ । ସେହିଠାରେ ହିଁ ସର୍ବୋଚ୍ଚ ଶାନ୍ତିର ଆଗାର ତୁମପାଇଁ ଉନ୍ମୁକ୍ତ ରହିଛି ।

Image

 

ଷଷ୍ଠ ଅଧ୍ୟାୟ

 

(୧) ଭଗବାନଙ୍କ ନାମର ମହିମା

 

ଭଗବାନଙ୍କ ନାମର ମହିମା ସମ୍ବନ୍ଧରେ ଏପରି କୌଣସି ଗୁପ୍ତ କଥା ନାହିଁ ଯାହାକି ଗୋସ୍ଵାମୀ ତୁଳସୀଦାସ ମହାରାଜା ବ୍ୟକ୍ତ ନ କରିଛନ୍ତି । ଏହି ବିଶାଳ ସଂସାର ଚକ୍ରରେ ପଡ଼ିଥିବା ଲୋକମାନଙ୍କୁ ପବିତ୍ର ଦ୍ଵାଦଶାକ୍ଷର ଓ ଅଷ୍ଟାକ୍ଷର ମନ୍ତ୍ର ଜପଦ୍ଵାରା ଅପାର ଶାନ୍ତି ଏବଂ ଆନନ୍ଦ ମିଳିଥାଏ । ଯେଉଁମାନେ ବିପଦଗ୍ରସ୍ତ, ଦୁଃଖ ଭାରାକ୍ରାନ୍ତ ସେପରି ବ୍ୟକ୍ତିମାନଙ୍କର ସର୍ବଦା ରାମ ନାମର ଆଶ୍ରୟ ନେବା ଉଚିତ । ଜପଦ୍ଵାରା ଆଶ୍ଚର୍ଯ୍ୟ ଜନକ ଫଳ ମିଳେ । ଏହି କଳିଯୁଗରେ ଏକ ମୂଢ଼, ମୂର୍ଖ ମଧ୍ୟ ଦୁଇ ଅକ୍ଷର ବିଶିଷ୍ଟ ରାମ ନାମ ଉଚ୍ଚାରଣ କରି ପରମ ପଦ ପାଇପାରେ । ରାମ ଏବଂ ପ୍ରଣବ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ବୁଦ୍ଧି ବା ତର୍କ ଦ୍ୱାରା ଭଗବାନଙ୍କର ଯଥାର୍ଥ ମହିମା ବ୍ୟକ୍ତ କରାଯା ପାରେନାହିଁ । ଶ୍ରଦ୍ଧା ଏବଂ ବିଶ୍ଵାସ ଦ୍ଵାରା ହିଁ ଭଗବାନ ନାମର ବାସ୍ତବିକ ମହିମା ଅନୁଭବ କରାଯାଇପାରେ ।

 

–‘ମହାତ୍ମା ଗାନ୍ଧୀ’

 

ଈଶ୍ଵରଙ୍କର ନାମ ନେବା ପାଇଁ ତୁମ ମନରେ ପ୍ରକୃତରେ ଥରେ ଯେତେବେଳେ ରୁଚି ଓ ଆଦର ଉତ୍ପନ୍ନ ହୁଏ ସେତେବେଳେ ସେ ସମ୍ବନ୍ଧରେ ପୁନର୍ବାର କୌଣସି ତର୍କ ବା ସଂଦେହ ପାଇଁ ଅବକାଶ ଦିଅ ନାହିଁ । ନାମ ସଂକୀର୍ତ୍ତନ ଦ୍ଵାରା ସମସ୍ତ ପ୍ରକାର ସନ୍ଦେହ ନଷ୍ଟ ହୋଇଯାଏ । ହୃଦୟ ଶୁଦ୍ଧ ହୁଏ । ପରିଶେଷରେ ସ୍ଵୟଂ ଈଶ୍ଵରୀୟ ଜ୍ଞାନ ଜାଗ୍ରତ ହୁଏ ।

 

ସକାଳେ ଏବଂ ସଂଧ୍ୟାବେଳେ ହାତରେ ତାଳି ବଜାଇ ନାମ ସଂକୀର୍ତ୍ତନ କଲେ ସଂଶୟ ଏବଂ ପାପ ରୂପୀ ପକ୍ଷୀ ପଳାୟନ କରନ୍ତି ।

 

ଜାଣୁ ଜାଣୁ ବା ଅଜଣାତରେ, ଭ୍ରମବଶତଃ ହେଉ ବା ଶ୍ରଦ୍ଧାପୂର୍ବକ ହେଉ ରାମ ନାମ ମୁଖରୁ ବାହାରିଲେ ତାର ଶୁଭ ପରିଣାମ ଅବଶ୍ୟ ମିଳିବ । ଜଣେ ଲୋକ ସ୍ଵେଚ୍ଛାରେ ନଦୀରେ ସ୍ନାନ କରେ, ଅନ୍ୟ ଏକ ବ୍ୟକ୍ତି ଯଦି ଖସଡ଼ି ପଡ଼ି ଓଦା ହୋଇଯାଏ ତଥା ଯଦି ତୃତୀୟ ବ୍ୟକ୍ତି ଉପରେ ପାଣି ଢାଳି ଦିଆଯାଏ ତେବେ ଏହି ତିନି ଅବସ୍ଥାରେ ସ୍ନାନର ଫଳ ମିଳିଥାଏ ।

 

ଅମୃତ କୁଣ୍ଡରେ ସ୍ନାନ କଲେ ହିଁ ମନୁଷ୍ୟ ଅମର ହେବ । ତାହା ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ । ସେହିପରି ସ୍ଵେଚ୍ଛାପୂର୍ବକ ହେଉ ବା ଅଜ୍ଞାତରେ ହେଉ ରାମ ନାମ ମୁଖରୁ ନିଃସୃତ ହେଲେ ତାର ପ୍ରଭାବ ନିଶ୍ଚୟ ଦିନେ ପ୍ରତିଫଳିତ ହେବ ।

 

ପୂର୍ବକାଳରେ ମନୁଷ୍ୟର ଆୟୁ ଦୀର୍ଘ ଥିଲା । ସ୍ୱାସ୍ଥ୍ୟ ଦୃଢ଼ ଥିଲା । ସେମାନେ ଘୋର ତପସ୍ୟା, ଯାଗ ଯଜ୍ଞାଦି କରି ଈଶ୍ୱର ସାକ୍ଷାତ୍କାର କରୁଥିଲେ । କିନ୍ତୁ କଳିଯୁଗରେ ମନୁଷ୍ୟର ଜୀବନ ସୀମିତ । ସ୍ୱାସ୍ଥ୍ୟ ଦୁର୍ବଳ । ମନ ଚଞ୍ଚଳ । ଏଣୁ ସାଂସାରିକ ସମସ୍ତ କଷ୍ଟରୁ ରକ୍ଷା ପାଇବା ପାଇଁ ରାମ ନାମର ଜପ ହିଁ ଉତ୍କୃଷ୍ଟ ସରଳ ଏବଂ ସୁଗମ ସାଧନା ଅଟେ ।

 

–ଶ୍ରୀ ରାମକୃଷ୍ଣ ।

 

ବେଦରୂପୀ ମହାସାଗର ମନ୍ଥନ ଯେଉଁ ରାମନାମ ରୂପୀ ଅମୃତକୁ ନିଃସୃତ କରାଯାଇଅଛି, ତାହା ଯେଉଁ ବ୍ୟକ୍ତି ପାନ କରେ ସେ ଜଗତରେ ଧନ୍ୟ ଅଟେ । ରାମନାମ ସାଂସାରିକ ଜୀବନରୂପୀ ମହାରୋଗର ଅମୋଘ ରାମବାଣ ଔଷଧ ଅଟେ । ଏହାଦ୍ୱାରା କଳିର ମଳ ନଷ୍ଟ ହୋଇଥାଏ ।

 

ନାମର ମହିମା ନାମୀଠାରୁ ମଧ୍ୟ ଅଧିକ ଅଟେ । ସଗୁଣ ତଥା ନିର୍ଗୁଣ ଉଭୟ ପ୍ରକାର ରସ କେବଳ ନାମ ସାଧନା ଦ୍ଵାରା ଆସ୍ଵାଦନ କରାଯାଇପାରେ । ଶବରୀ ଜଟାୟୁ ଇତ୍ୟାଦି କେତେକ ପ୍ରଧାନ ପ୍ରଧାନ ଭକ୍ତଙ୍କୁ ଭଗବାନ ଶ୍ରୀ ରାମଚନ୍ଦ୍ର ମୁକ୍ତି ପ୍ରଦାନ କରିଥିଲେ । କିନ୍ତୁ ତାଙ୍କର ପାବନ ନାମ ଯେ କୋଟି କୋଟି ଲୋକଙ୍କୁ ମୁକ୍ତି ପ୍ରଦାନ କରିଛି ତାର ପ୍ରମାଣ ଶାସ୍ତ୍ରରେ ବିରଳ ନୁହେଁ । ଛଅ ମାସ ପର୍ଯ୍ୟନ୍ତ କେବଳ ଦୁଗ୍ଧାହାରରେ ରହି ନିରନ୍ତର ଚିତ୍ରକୂଟରେ ରାମନମ ଜପ କଲେ ଶ୍ରୀ ରାମମଚନ୍ଦ୍ରଙ୍କର ଦର୍ଶନ ମିଳିଯିବ ତଥା ସମସ୍ତ ପ୍ରକାର ସିଦ୍ଧିଲାଭ ହେବ । ଭଗବାନଙ୍କ ଦ୍ଵାରା ସମସ୍ତ ପ୍ରକାର ବରଦାନ ମିଳିବ । ତଥା ମୁକ୍ତି ମଧ୍ୟ ଲାଭ ହେବ ।

 

ସେହି ପୁତ୍ର ପ୍ରକୃତରେ ଜଗତରେ ଧନ୍ୟ ଯେ ରାମନାମ ଜପ କରେ । ତାକୁ ଜନ୍ମ କରିଥିବା ମାତା ପିତା ଧନ୍ୟ, ସେ ଜନ୍ମ ହୋଇଥିବା ଦେଶ ମଧ୍ୟ ଧନ୍ୟ । ଯେ ଭ୍ରମବଶତଃ ମଧ୍ୟ ରାମନାମ ଉଚ୍ଚାରଣ କରେ ତାକୁ ମୁଁ ମୋର ଚମଡ଼ାରେ ଜୋତା ତୟାରି କରି ପିନ୍ଧାଇ ଦେବାକୁ ପ୍ରସ୍ତୁତ ଅଛି । ରାମନାମ ନେଇ ଜୀବନ ଅତିବାହିତ କରୁଥିବା ଚାଣ୍ଡାଳ ମଧ୍ୟ ଧନ୍ୟ । ରାମ ନାମର ଜପ ବିନା ଉଚ୍ଚ ବଂଶରେ ଜନ୍ମ ହୋଇ ମଧ୍ୟ ଲାଭ ବା କଣ ?

 

ମଧୁର ଏବଂ ଅତ୍ୟକ୍ତ ମୋହକ ‘ରା’ ଏବଂ ‘ମ’ ଏ ଦୁଇଟି ବର୍ଣ୍ଣ ବର୍ଣ୍ଣମାଳାର ଦୁଇଟି ନେତ୍ର ସଦୃଶ ଅଟନ୍ତି । ଏହା ଭକ୍ତମାନଙ୍କର ଜୀବନର ଆଧାର ଅଟେ । ଏହା ସ୍ମରଣ କରିବା ଯେତିକି ସରଳ ସେତିକି ସୁଖଦାୟକ । ରାମନାମ ନେଉଥିବା ବ୍ୟକ୍ତିକୁ ଇହଲୋକ ଏବଂ ପରଲୋକ ଉଭୟ ଜାଗାରେ ସୁଖ ମିଳେ ।

 

–‘ତୁଳସୀ ଦାସ’

 

ଆହା,ଏହା ଅତି ଦୁଃଖର ବିଷୟ ଯେ ସଂସାରର କୁପଥଗାମୀ ମନୁଷ୍ୟମାନଙ୍କର କିପରି ଭାଗ୍ୟ ବିଡ଼ମ୍ବନା ଯେ ସେମାନେ ରାମ ନାମକୁ ଉଚ୍ଚାରଣ କରୁ ନାହାନ୍ତି । ଯେଉଁ ରାମ ନାମରେ ପ୍ରକୃତରେ ଜନ୍ମ ମୃତ୍ୟୁରୂପୀ ବନ୍ଧନରୁ ମୁକ୍ତି ଲାଭ କରିବାରେ ଶକ୍ତି ନିହିତ ଅଛି, ମନୁଷ୍ୟ ତାହା ଭୁଲି ସଂସାରର ନଶ୍ଵର ପଦାର୍ଥ ପଛରେ ଧାଇଁଛି । କି ଲଜ୍ଜାର ବିଷୟ ! ରାମନାମ ନେବାରେ ଆଦୌ ଶକ୍ତିର ଆବଶ୍ୟକତା ନାହିଁ । କାନକୁ ଏ ନାମ ଅତ୍ୟନ୍ତ ମଧୁର ଲାଗେ । ତଥାପି ମନୁଷ୍ୟ ରାମନାମ ନେବାପାଇଁ ଆଗ୍ରହ ପ୍ରକାଶ କରୁନାହିଁ । ଏ କଥା ସମସ୍ତଙ୍କୁ ଜଣା ଯେ ମୃତ୍ୟୁମୁଖରୁ ଉଦ୍ଧାର ପାଇବା ମରଣଶୀଳ ମନୁଷ୍ୟ ପକ୍ଷରେ ଅସମ୍ଭବ । କିନ୍ତୁ ଦୁଷ୍ପ୍ରାପ୍ୟ ମୁକ୍ତି ରାମନାମ ଉଚ୍ଚାରଣ ଦ୍ଵାରା ସୁଗମ ହୋଇଥାଏ । ରାମନାମ ଜପଠାରୁ ମନୁଷ୍ୟ ପକ୍ଷରେ ଅନ୍ୟ କୌଣସି କାମ ମହତ୍ତ୍ୱପୂର୍ଣ୍ଣ ହୋଇ ନ ପାରେ । ନାମ ସଂକୀର୍ତ୍ତନ ଠାରୁ ଅନ୍ୟ କୌଣସି ଜାଗତିକ କାର୍ଯ୍ୟ ଶ୍ରେଷ୍ଠ ହୋଇ ନ ପାରେ । ବ୍ରାହ୍ମଣମାନଙ୍କ ମଧ୍ୟରେ ଜୈମିନୀ ଶ୍ରେଷ୍ଠ । ମୃତ୍ୟୁ ସମୟରେ ରାମନାମ ଉଚ୍ଚାରଣ କଲେ ମହାପାପୀ ମଧ୍ୟ ମୁକ୍ତି ଲାଭ କରେ । ରାମନାମ ସମସ୍ତ ପାପ ଦୂର କରେ । ସମସ୍ତ କାମନା ପୂର୍ଣ୍ଣ କରେ ଏବଂ ପରିଶେଷରେ ମୁକ୍ତି ଦାନ କରେ । ରାମସ୍ମରଣ ବିନା ଜୀବନ ବ୍ୟର୍ଥରେ ଅତିବାହିତ ହୋଇଯାଉଛି । ସତ୍ୟକୁ ଉତ୍ତମରୂପେ ଜାଣିଥିବା ମହାତ୍ମାଗଣ ଉଚ୍ଚସ୍ଵରରେ କହନ୍ତି କି ଯେଉଁ ଜିହ୍ଵା ରାମନାମ ରୂପୀ ଅମୃତ ପାନ କରେ କେବଳ ସେହି ଜିହ୍ଵା ପ୍ରକୃତ ଅଟେ । ମୁଁ ବାରମ୍ବାର ଏହା କହି ରଖୁଛି କି ରାମ ନାମ ଜପ କରୁଥିବା ବ୍ୟକ୍ତି ଉପରେ କେବେ ବିପତ୍ତି ପଡ଼ି ନପାରେ । ଯେଉଁ ବ୍ୟକ୍ତି କୋଟି ଜନ୍ମର ପାପ ରାଶିକୁ ଦୂର କରିବାକୁ ଚାହାଁନ୍ତି, ଯେଉଁମାନେ ସଂସାରର ଅପାର ବୈଭବ ଲାଭ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କ ପକ୍ଷରେ ସମସ୍ତ କଲ୍ୟାଣକର ମଧୁର ରାମ ନାମ ନେବା ଉଚିତ । ଏହାଦ୍ୱାରା ହିନ ଅମୃତମୟ ଆତ୍ମଶାନ୍ତି ଲାଭ ହୋଇ ପାରିବ ।

 

—‘ଶ୍ରୀ ବ୍ୟାସ’

 

(୨) ଦୃଷ୍ଟିରେ ପରିବର୍ତ୍ତନ କର

 

ଖରାପକୁ ଭଲରେ ପରିଣତ କରିବାର ୪ ଗୋଟି ସାଧନ ରହିଛି । ଯେଉଁ ସାଧକ ଏହି ଲାଭଜନକ ସାଧନମାନଙ୍କର ସଦ୍‍ବ୍ୟବହାର କରୁଥାଏ ତାହାର ଦୃଷ୍ଟି ଖରାପ ଏବଂ ଅସତ୍ ପଦାର୍ଥମାନଙ୍କରୁ ଦୂରୀଭୂତ ହୋଇଥାଏ । ତୁମେ ଏହି ସାଧନାର ଅଭ୍ୟାସ କରି ଦେଖ ।

 

୧.

ମନେରଖ କି କୌଣସି ବ୍ୟକ୍ତି ଷୋଳଅଣା ବା ସଂପୂର୍ଣ୍ଣ ରୂପେ ପୂର୍ଣ୍ଣତା ପ୍ରାପ୍ତ କରି ନ ପାରେ । ଏଣୁ ପ୍ରତ୍ୟେକ ବ୍ୟକ୍ତିଠାରେ କେବଳ ଉତ୍ତମ ଗୁଣ ଦେଖିବାର ଅଭ୍ୟାସ ବୃଦ୍ଧି କର । ଖରାପକୁ ଦୂର କରିବା ପାଇଁ ଏହା ଏକ ଫଳପ୍ରଦ ଉପାୟ ।

 

 

୨.

ଏକ ଜଘନ୍ୟ ପ୍ରକାର ବ୍ୟଭିଚାରୀ ମଧ୍ୟ ଏକ ଉତ୍ତମ ସାଧୁ ହୋଇପାରେ । ଭବିଷ୍ୟତରେ ସେ ରାମକୃଷ୍ଣ ପରମହଂସଙ୍କ ପରି ହୋଇପାରେ । ବ୍ୟଭିଚାରକୁ ଘୃଣା କର କିନ୍ତୁ ବ୍ୟଭିଚାରୀକୁ ନୁହେଁ । ଅସତ୍ୟ ଘୃଣା କିନ୍ତୁ ଅସତ୍ ମାର୍ଗରେ ଯାଉଥିବା ବ୍ୟକ୍ତିକୁ ସତ୍‍ମାର୍ଗ ପ୍ରଦର୍ଶନ କରାଇ ତାହାର ଜୀବନକୁ ମହତ୍ କରାଯାଇପାରେ ।

 

 

୩.

ସର୍ବଦା ମନେରଖ କି ଭଗବାନ ନାରାୟଣ ସ୍ଵୟଂ ଚୋର, ଡାକୁ, ବେଶ୍ୟା, ବ୍ୟଭିଚାରୀ ରୂପରେ ଏ ଜଗତରୂପୀ ନାଟ୍ୟଶାଳାରେ ଅଭିନୟ କରୁଛନ୍ତି । ଏ ସମସ୍ତ ତାଙ୍କରି ଖେଳ ଏବଂ ଲୀଳା ଅଟେ । ଏପରି ବିଚାର ମନରେ ପ୍ରବେଶ କଲେ ଦୃଷ୍ଟିର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥାଏ । ସବୁଥିରେ ଆତ୍ମଦୃଷ୍ଟି ରଖ । ସର୍ବକ୍ଷେତ୍ରରେ ନାରାୟଣକୁ ହିଁ ବିଦ୍ୟାମାନ ଦେଖ । ତାଙ୍କର ଅସ୍ତିତ୍ଵ ଅନୁଭବ କର । ‘ବାସୁଦେବ ସର୍ବମିତି’ ଅର୍ଥାତ୍ ବାସୁଦେବ ହିଁ ସର୍ବତ୍ର ବିରାଜମାନ ।

 

 

୪.

ଏକ ବୈଜ୍ଞାନିକର ଦୃଷ୍ଟିରେ ସ୍ତ୍ରୀ ବିଦ୍ୟୁତ୍‍କରଣର ସମଷ୍ଟି ମାତ୍ର । କଣାଦ୍ ଋଷିଙ୍କର ବୈଶେଷିକ ଦର୍ଶନର ପଣ୍ଡିତମାନଙ୍କ ପାଇଁ ସ୍ତ୍ରୀ ପରମାଣୁ, ଦ୍ୱ୍ୟଣୁ ତଥା ତ୍ର୍ୟଣୁ ସମୂହ ମାତ୍ର ଅଟେ । ଏକ ବ୍ୟାଘ୍ର ପାଇଁ ସେହି ସ୍ତ୍ରୀ ଏକ ସୁସ୍ଵାଦୁ ଖାଦ୍ୟ ଅଟେ । କାମୁକ ପୁରୁଷ ପାଇଁ ସ୍ତ୍ରୀ କାମକ୍ରୀଡ଼ାର ଏକ ପଦାର୍ଥ । କ୍ରନ୍ଦନ କରୁଥିବା ଶିଶୁ ପାଇଁ ସେ ସ୍ତ୍ରୀ ପୁଣି ସ୍ନେହମୟୀ ମାତା । ଏକ ଉଚ୍ଚକୋଟିର ବୈରାଗ୍ୟବାନ ମହାତ୍ମା ପାଇଁ ସ୍ତ୍ରୀ ସଚ୍ଚିଦାନନ୍ଦ ଆତ୍ମା ତୁଲ୍ୟ । ମନର ରୂପ ବଦଳାଇ ଦିଅ । ତେବେ ଯାଇ ଏ ଜଗତ ତୁମକୁ ସ୍ଵର୍ଗ ଜଣାପଡ଼ିବ ।

 

ଦୃଷ୍ଟିରେ ପ୍ରକୃତ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ଗୀତା, ବେଦାନ୍ତ, ଉପନିଷଦର ପାଠ କରି ଲାଭ ବା କଣ ?

 

(୩) ଏକାଗ୍ରତା ଓ ଧ୍ୟାନ

 

୧.

ଦଶ ବନ୍ଧଶ୍ଚିତ୍ତସ୍ୟ ଧାରଣା ଅର୍ଥାତ୍ ବାହାର ଓ ଭିତର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ମନକୁ ସ୍ଥିର କରିବାର ନାମ ଏକାଗ୍ରତା ଅଟେ । ଲକ୍ଷ୍ୟ ସ୍ଥିର ନ କଲେ ମନ ଏକାଗ୍ର ହୋଇ ନ ପାରେ । କାର୍ଯ୍ୟ, ରୁଚି ତଥା ଦୃଷ୍ଟିରୁ କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟ ବସ୍ତୁ ଉପରେ ସ୍ଥିର କରିବା ଦ୍ଵାରା ଏକାଗ୍ରତାରେ ସଫଳତା ମିଳେ ।

 

 

୨.

ଇନ୍ଦ୍ରିୟଗୁଡ଼ିକ ଧ୍ୟାନ ଭଗ୍ନ କରି ଦିଅନ୍ତି ତଥା ମନକୁ ଚଞ୍ଚଳ କରିଦିଅନ୍ତି । ମନ ଅସ୍ଥିର ଥିଲେ ତୁମେ କେବେ ଉନ୍ନତି କରିପାରିବ ନାହିଁ । ଯେତେବେଳେ ମନ ରଶ୍ମି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ହୋଇଯାଏ, ସେତେବେଳେ ମନ ଏକାଗ୍ର ହୁଏ ଏବଂ ଶାନ୍ତି ତଥା ଆନନ୍ଦ ମିଳେ ।

 

 

୩.

ଧୈର୍ଯ୍ୟ, ବଜ୍ରକଠୋର ଇଚ୍ଛାଶକ୍ତି, ଅକ୍ଲାନ୍ତ ପରିଶ୍ରମ ଇତ୍ୟାଦିର ଅଭ୍ୟାସ ନିରନ୍ତର ହେବ ଦରକାର । ନଚେତ୍ ଆଳସ୍ୟ ତଥା ଅନ୍ୟାନ୍ୟ ବିଘ୍ନକାରକ ଦୁର୍ଗୁଣମାନ ତୁମକୁ ଲକ୍ଷ୍ୟଭ୍ରଷ୍ଟ କରିଦେବେ । ଉଚିତ ତଥା ଦୃଢ଼ରୂପେ ଅଭ୍ୟାସ କରାଯାଇଥିବା ମନକୁ, ଅନ୍ୟ ସମସ୍ତ ବିଚାରଗୁଡ଼ିକୁ ଶମନ କରି ଭିତରେ ବା ବାହାରେ କୌଣସି ଲକ୍ଷ୍ୟ ଉପରେ ଏକାଗ୍ର କରାଯାଇପାରେ ।

 

 

୪.

କୌଣସି ନା କୌଣସି ବସ୍ତୁ ଉପରେ ମନକୁ ଏକାଗ୍ର କରିବାର ସ୍ଵାଭାବିକ ଶକ୍ତି ସମସ୍ତଙ୍କଠାରେ ଥାଏ । କିନ୍ତୁ ଆଧ୍ୟାତ୍ମିକ ଉନ୍ନତି ପାଇଁ ଅତ୍ୟନ୍ତ ଉଚ୍ଚଧରଣର ଏକାଗ୍ରତା ଆବଶ୍ୟକ । ଯାହାଠାରେ ମନକୁ ଏକାଗ୍ର କରିବାର ଶକ୍ତି ଅଧିକ ଥାଏ ସେ ଅଳ୍ପ ସମୟ ମଧ୍ୟରେ ଅଧିକ କାର୍ଯ୍ୟ କରିପାରେ । ଏକାଗ୍ରତା ବେଳେ ମନ ସହିତ ବିଶେଷ ସଂଘର୍ଷ ଉତ୍ପନ୍ନ କରିବା ଠିକ୍ ନୁହେଁ ।

 

 

୫.

ଯାହାର ମନରେ ବିଷୟ ବାସନା ତଥା ନାନାପ୍ରକାର ସାଂସାରିକ ବିଚାର ଭରି ରହିଛି ସେ କେବେ କ୍ଷଣକାଳ ପାଇଁ ମଧ୍ୟ ମନକୁ ଏକାଗ୍ର କରିପାରେ ନାହିଁ । ବ୍ରହ୍ମଚର୍ଯ୍ୟ, ପ୍ରାଣାୟାମ, ଅନାବଶ୍ୟକ ପଦାର୍ଥର ପରିତ୍ୟାଗ, କାମୋତ୍ତେଜକ ପଦାର୍ଥର ତ୍ୟାଗ, ଇନ୍ଦ୍ରିୟମାନଙ୍କ ଉପରେ ଏକାନ୍ତ ନିୟନ୍ତ୍ରଣ, ଲୋଭ କ୍ରୋଧ, କୁସଂଗତି, ସିନେମା, ନଭେଲ ଇତ୍ୟାଦିର ତ୍ୟାଗ ନ କଲେ ଏକାଗ୍ରତାର ଶକ୍ତି କେବେହେଁ ବୃଦ୍ଧି ପାଇବ ନାହିଁ ।

 

 

୬.

ସାଂସାରିକ କଷ୍ଟ ତଥା ଯାତନାମାନଙ୍କରୁ ମୁକ୍ତି ପାଇବା ପାଇଁ ଏକାଗ୍ରତା ହିଁ ଏକମାତ୍ର ଉପାୟ । ଏକାଗ୍ରତା ଅଭ୍ୟାସ କରୁଥିବା ବ୍ୟକ୍ତିର ସ୍ଵସ୍ଥ୍ୟୋନ୍ନତି ହୁଏ ତଥା ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ଯେ କୌଣସି କାର୍ଯ୍ୟରେ ସଫଳତା ମିଳିଥାଏ । ବିଚାରଧାରା ପରିପୁଷ୍ଟ ହୋଇଥାଏ । ଜପ ସାଧନ କରି ପ୍ରଥମେ ନିଜର ଚିତ୍ତ ଶୁଦ୍ଧ କର । ଚିତ୍ତଶୁଦ୍ଧି ନ ହେଲେ ଏକାଗ୍ରତାରେ ଲାଭ ମିଳେ ନାହିଁ ।

 

 

୭.

ଯେ କୌଣସି ମନ୍ତ୍ରର ଜପ ଏବଂ ପ୍ରାଣାୟାମ ଦ୍ଵାରା ମନ ସ୍ଥିର ହୁଏ । ସମସ୍ତ ପ୍ରକାର ସଂକଳ୍ପ ବିକଳ୍ପ ଦୂର ହୋଇଯାଏ । ମନକୁ ଏକାଗ୍ର କରିବାର ଶକ୍ତି ବୃଦ୍ଧି ପାଏ । ଆରମ୍ଭରେ ମନକୁ କୌଣସି ସ୍ଥୂଳ ଲକ୍ଷ୍ୟ ଉପରେ ଏକାଗ୍ର କର । ଅଭ୍ୟାସ ବୃଦ୍ଧି ପାଇବା ସଂଗେ ସଂଗେ ସୂକ୍ଷ୍ମ ପଦାର୍ଥ ତଥା ଭାବମାନଙ୍କ ଉପରେ ମନ ସଫଳତାପୂର୍ବକ ଏକାଗ୍ର ହୋଇପାରେ ।

 

 

୮.

ସ୍ଥୂଳ ବସ୍ତୁ ଉପରେ ଏକାଗ୍ରତା ଅବ୍ୟାସ କରିବା ପାଇଁ କାନ୍ଥ ଦେହରେ ଏକ କଳା ମଣ୍ଡଳ (ଶୂଳ) ଆଙ୍କ । ମହମବତୀର ଜ୍ୟୋତି, ପ୍ରକାଶମାନ ନକ୍ଷତ୍ର, ଚନ୍ଦ୍ରମା, ପ୍ରଣବ, ରାମ, କୃଷ୍ଣ ବା ଶିବଙ୍କର ଚିତ୍ର ଆଖି ଆଗରେ ରଖି ତା’ ଉପରେ ଦୃଷ୍ଟି ଠିକ୍ ରଖ ।

 

 

୯.

ସୂକ୍ଷ୍ମ ବସ୍ତୁ ଉପରେ ଧ୍ୟାନ କରିବା ପାଇଁ ହେଲେ ତୁମର ଇଷ୍ଟଦେବଙ୍କର ଚିତ୍ର କିଛିକ୍ଷଣ ଭଲଭାବେ ଦେଖି ନେଇ ଚକ୍ଷୁ ବନ୍ଦ କର । ସେହି ଆକାରର ଧ୍ୟାନ ନିଜର ଭ୍ରୂମଧ୍ୟରେ ହୃଦୟ କମଳରେ ବା ମୂଳାଧାର ଇତ୍ୟାଦି କୌଣସି ଚକ୍ର ଉପରେ କର । ନିଜର ଇଷ୍ଟଦେବଙ୍କର କୌଣସି ଦୈବୀ ଗୁଣ ଯେପରି ପ୍ରେମ, ଦୟା, ବା ଅନ୍ୟ ଅବ୍ୟକ୍ତ ଗୁଣର ଧ୍ୟାନ କର ।

Image

 

ସପ୍ତମ ଅଧ୍ୟାୟ

ଜପଯୋଗର ମହିମା

 

୧.

ମନୁଷ୍ୟ କେବଳ ଭାତ ଖାଇ ଜୀବିତ ରହି ନ ପାରେ କିନ୍ତୁ ଈଶ୍ଵରଙ୍କର ନାମ ନେଇ ସେ ଆମର ହୋଇଯାଇପାରେ ।

 

 

୨.

ରାମନାମର ଅପୂର୍ବ ଅଲୌକିକ ପ୍ରଭାବରେ ପାଣି ଉପରେ ପଥର ଭାସିବାକୁ ଲାଗିଲା । ଲହ ଲହ ଅଗ୍ନିଶିଖା ମଧ୍ୟରେ ଭକ୍ତ ପ୍ରହ୍ଲାଦଙ୍କୁ ଶୀତଳତା ମିଳିଲା । ମୀରାଙ୍କୁ ଦିଆଯାଇଥିବା ବିଷ ଅମୃତ ହୋଇଗଲା । ଧନ୍ୟ ସେ ନାମ ଏବଂ ଧନ୍ୟ ତାର ଶକ୍ତି ।

 

 

୩.

ଭଗବାନଙ୍କର ପ୍ରତ୍ୟେକ ନାମ ଅମୃତ ଅଟେ । ତାହା ମଧୁଠାରୁ ମଧ୍ୟ ଅଧିକ ମଧୁର । ତାହା ବେଦର ସାର ଅଟେ । ଦେବତା ଏବଂ ରାକ୍ଷସ ସମୁଦ୍ର ମନ୍ଥନ କରି ଅମୃତ ବାହାର କଲେ । ସେହିପରି ଚାରି ବେଦକୁ ମନ୍ଥନ କରି ରାମନାମ ରୂପ ସାର ବାହାର କରାଯାଇଅଛି । ମହର୍ଷି ବାଲ୍ମୀକିଙ୍କ ପରି, ମହାବୀର ହନୁମାନଙ୍କ ପରି ସର୍ବଦା ଏହି ଅମୃତ ପାନ କର ।

 

 

୪.

ସେ ରାଜମହଲ, ପ୍ରାସାଦ, ଦୁଗ୍ଧଫେନନିଭ ଶଯ୍ୟା, ଆରାମ ଚୌକି, ସୋଫା, ବିଦ୍ୟୁତ୍‍ପଙ୍ଖା, ଆଲୋକ, ସୁନ୍ଦର ବାଟିକା ସମସ୍ତ କେବଳ ଶ୍ମଶାନତୁଲ୍ୟ ତ୍ୟାଜ୍ୟ, ଯଦି ସେଠାରେ ହରିକୀର୍ତ୍ତନ ନ ହେଉ ଥାଏ, ସନ୍ଥ ସମାଗମ ନ ହେଉଥାଏ । କିନ୍ତୁ ସେହି ପର୍ଣ୍ଣକୁଟୀର ଧନ୍ୟ, ଯେଉଁଠାରେ ନିରନ୍ତର ରାମନାମ ରୂପ ଅମୃତର ବର୍ଷା ହେଉଥାଏ ।

 

 

୫.

ପ୍ରକୃତ ବୈରାଗ୍ୟର ଆଶ୍ରୟ ନିଅ । ଭିକ୍ଷା ଉପରେ ନିର୍ଭର କର । ଏକାନ୍ତବାସ କର । ୧୪ କୋଟି ଓଁ ନମୋ ନାରାୟଣାୟ ମନ୍ତ୍ରର ଜପ ଅଖଣ୍ଡ ଭାବେ କର । ଏହା ଚାରି ବର୍ଷ ମଧ୍ୟରେ ସମାପ୍ତ ହୋଇପାରେ । ପ୍ରତ୍ୟହ ଏକ ଲକ୍ଷ ଜପ କର । ତୁମେ ପ୍ରତ୍ୟକ୍ଷ ରୂପେ ଈଶ୍ଵରଙ୍କର ସାକ୍ଷାତ୍କାର କରି ପାରିବ । କଣ କିଛିଦିନ ପାଇଁ ତୁମେ କଷ୍ଟ ସହନ କରି ପାରିବ ନାହିଁ । ଯଦ୍ଦ୍ଵାରା ତୁମକୁ ଅମରତ୍ୱ, ପ୍ରସନ୍ନତା, ଶାନ୍ତି ତଥା ଚିରନ୍ତନ ଆନନ୍ଦ ମିଳିବ ସେଥିପାଇଁ କଣ ତୁମେ ଏହି ସାମାନ୍ୟ ପରିଶ୍ରମ କରି ପାରିବ ନାହିଁ ।

 

 

୬.

ଜପ ଚିତ୍ତଶୋଧକ ଅଟେ । ଏହା ଚିତ୍ତର ବୃତ୍ତିଗୁଡ଼ିକୁ ଅର୍ଥାତ୍ ବିଚାରଗୁଡ଼ିକୁ ବିଷୟ ଆଡ଼କୁ ଧାଇଁବାକୁ ଦିଏ ନାହିଁ । ଏହା ବୁଦ୍ଧିକୁ ଭଗବାନଙ୍କ ଆଡ଼କୁ ପ୍ରେରିତ କରେ ।

 

 

୭.

ମନ୍ତ୍ରର ଉଚ୍ଚାରଣ ଦ୍ଵାରା ଉତ୍ପନ୍ନ ସ୍ପନ୍ଦନମାନଙ୍କର ପରସ୍ପର ସମ୍ବନ୍ଧ ହିରଣ୍ୟଗର୍ଭ ସହିତ ଥାଏ ।

 

 

୮.

ଜପ ବୁଦ୍ଧିକୁ ସଂସାରର ଆକର୍ଷଣରୁ ବିମୁଖ କରି ପ୍ରକାଶ ଆଡ଼କୁ ଘେନି ଯାଏ ।

 

 

୯.

ଭଗବାନଙ୍କର ନାମ ଆତ୍ମିକ ଜ୍ଞାନର ପ୍ରତ୍ୟକ୍ଷ ଭଣ୍ଡାର ଅଟେ ।

 

 

୧୦.

ଯନ୍ତ୍ର ପରି ଭଗବାନଙ୍କ ନାମ-ଜପ ଆତ୍ମିକ ଉନ୍ନତିରେ ଯୋଗ ଦିଏ ।

 

ନାମସ୍ମରଣର ଅଭ୍ୟାସ

 

୧୧.

ସତ୍ୟଯୁଗରେ କେବଳ ଧ୍ୟାନ-ମାର୍ଗ ହିଁ ସାଧନ ଥିଲା, କାରଣ ସେ ଯୁଗର ମନୁଷ୍ୟମାନଙ୍କର ବୁଦ୍ଧି ସାଧାରଣତଃ ଶୁଦ୍ଧ ଏବଂ ବିଘ୍ନ ବାଧାରୁ ମୁକ୍ତ ଥିଲା ।

 

 

୧୨.

ତ୍ରେତା ଯୁଗରେ ବଳିଦାନ ପ୍ରଚଳିତ ଥିଲା, କାରଣ ଯଜ୍ଞର-ସାମଗ୍ରୀ ସୁବିଧା ପୂର୍ବକ ପର୍ଯ୍ୟାପ୍ତ ଥିଲା ତଥା ସେ ଯୁଗରେ ମନୁଷ୍ୟ କେତେକାଂଶରେ ରଜୋଗୁଣୀ ଥିଲେ ।

 

 

୧୩.

ଦ୍ଵାପର ଯୁଗରେ ପୂଜାର ପ୍ରଥା ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯାଉଥିଲା ।

 

 

୧୪.

କଳିଯୁଗରେ ମନୁଷ୍ୟର ବୁଦ୍ଧି ତଥା ପ୍ରକୃତି ସାଧାରଣତଃ ଭୋଗ ପ୍ରତି ଆକୃଷ୍ଟ । ଧ୍ୟାନ, ପୂଜା, ବଳିବୈଶ୍ଵଦେବ ଏ ଯୁଗରେ ସମ୍ଭବ ନୁହେଁ । ଉଚ୍ଚ ସ୍ଵରରେ ଭଗବାନଙ୍କର ନାମ କୀର୍ତ୍ତନ ଏ ଯୁଗରେ ପ୍ରଧାନ ସାଧନ ଅଟେ ।

 

 

୧୫.

ଭଗବାନଙ୍କର ନାମ ନୌକା ଅଟେ । ସଂକୀର୍ତ୍ତନ (ଦଣ୍ଡ) କାତ ଅଟେ ।

 

 

୧୬.

ରାମନାମ ଚାରି ବେଦର ସାର ଅଟେ । ଯେଉଁ ବ୍ୟକ୍ତି ନିରନ୍ତର ରାମନାମ ଜପ କରେ ଏବଂ ଚକ୍ଷୁରୁ ପ୍ରେମର ଅଶ୍ରୁ ବୁହାଏ ତାହାକୁ ସ୍ଥାୟୀ ଆନନ୍ଦ ଏବଂ ଶାନ୍ତି ମିଳିଥାଏ । ରାମନାମ ତାର ପଥପ୍ରଦର୍ଶକ ହୋଇଥାଏ ।

 

 

୧୭.

ଭଗବାନଙ୍କର ନାମ ରୂପ ଶକ୍ତି ପାଖରେ ଥିଲେ ମନୁଷ୍ୟ ସର୍ବାବସ୍ଥାରେ ସୁରକ୍ଷିତ ଥାଏ । ଜୀବନର ସର୍ବାପେକ୍ଷା ସଂକଟମୟ ପରିସ୍ଥିତିରେ କେବଳ ଭଗବାନଙ୍କର ନାମ ହିଁ ଆମକୁ ରକ୍ଷା କରେ ।

 

 

୧୮.

ପ୍ରହ୍ଲାଦ, ଧ୍ରୁବ, ସନକ ଆଦି କେବଳ ନାମ ସ୍ମରଣ ଦ୍ଵାରାହିଁ ଭଗବାନଙ୍କର ଦର୍ଶନ ଲାଭ କରିଥିଲେ ।

 

ଜପଯୋଗ ସାଧନର ମହିମା

 

୧.

ଯୋଗୀ ଚିତ୍ତବୃତ୍ତି ନିରୋଧ ଦ୍ଵାରା, ଜ୍ଞାନୀ ବ୍ରହ୍ମାକାର-ବୃତ୍ତି ଧାରଣ କରି ତଥା ଭକ୍ତ କେବଳ ଭଗବାନଙ୍କର ନାମ ସ୍ମରଣ କୀର୍ତ୍ତନ ଦ୍ଵାରା ଭାବସାଗର ପାର ହୋଇଯାଏ ।

 

 

୨.

ପ୍ରିୟ ମିତ୍ର, ଭଗବାନଙ୍କର ଅପାର ଶକ୍ତି ଅନୁଭବ କର । ନିରନ୍ତର ତାଙ୍କର ଭଜନ କର । ସମୟ ଅସ୍ଥିର । ନାମ-ସ୍ମରଣ, ଭଜନ, କୀର୍ତ୍ତନ, ତଥା ଧ୍ୟାନ ଦ୍ଵାରା ଜୀବନର ସଦ୍‍ବ୍ୟୟ କର ।

 

 

୩.

ରାମନାମର ମହିମା ଦ୍ଵାରା ଅସମ୍ଭବ ସମ୍ଭବ ହୋଇଥାଏ । ନାମ କୀର୍ତ୍ତନ ବିନା ସମସ୍ତ ସଂସାର ଶ୍ମଶାନ ତୁଲ୍ୟ ଅଟେ । ରାମନାମର ସାଧକ ଦୁଃଖକୁ ସୁଖ ମନେ କରେ । ତା’ ଠାରେ ରାଗ, ଦ୍ଵେଷ ନ ଥାଏ । କାମ କ୍ରୋଧ ଆଦି ସମସ୍ତ ରିପୁ ତାର ଆନୁଗତ୍ୟ ସ୍ଵୀକାର କରନ୍ତି ।

 

 

୪.

ଭଗବାନଙ୍କର ନାମ ଶକ୍ତିର ଶାଶ୍ଵତ ସ୍ରୋତ ଅଟେ । ନାମ ଜପଦ୍ଵାରା ଚିତ୍ତ ଦର୍ପଣ ପରି ଶୁଦ୍ଧ ହୋଇଯାଏ ।

 

 

୫.

ଭଗବାନଙ୍କର ନାମ ହିଁ ସମସ୍ତ ପ୍ରକାର ବ୍ୟାଧିର ଔଷଧ ଅଟେ । କେବଳ ତାହାରି ଉପରେ ଭରସା ରଖ । ଏହା ଏକ ଶକ୍ତିଶାଳୀ ପ୍ରକାଶ, ବଳକାରକ ଟନିକ, ସର୍ବରୋଗନାଶକ ରସାୟନ ଅଟେ ।

 

 

୬.

ନାମ ହିଁ ମାର୍ଗ । ନାମ ହିଁ ଶ୍ରଦ୍ଧାର ଚରମ ଲକ୍ଷ୍ୟ ।

 

 

୭.

ଭଗବାନଙ୍କ ନାମର ପ୍ରତାପ କଥା ମହିମା ଅଗମ୍ୟ ଏବଂ ଅଗୋଚର । ଏହା ଅପାର ଶକ୍ତିର ଭଣ୍ଡାର ।

 

 

୮.

ରାମନାମ ଦୀର୍ଘାୟୁ ପ୍ରଦାନ କରେ । ଏପରିକି ମନୁଷ୍ୟକୁ ଅମରତ୍ଵ ଦାନ କରେ ।

 

 

୯.

ସଂସାରର ସମସ୍ତ ବୈଭବଠାରୁ ମୂଲ୍ୟବାନ ଏକମାତ୍ର ହିଁ ରାମନାମ ।

 

 

୧୦.

ଭଗବାନଙ୍କର ନାମ ତୁମର ମୁଖ୍ୟଧାର, ସମର୍ଥକ, ରକ୍ଷକ, ଧର୍ମକେନ୍ଦ୍ର, ଆଦର୍ଶ ତଥା ବିଶ୍ଵାସ ସ୍ଥାନ ଅଟେ ।

 

 

୧୧.

ଜିହ୍ଵା ତଥା ଓଠ ନ ହଲାଇ କେବଳ ମନେ ମନେ ନିରନ୍ତର ଜପ କରିବାକୁ ଅଜପା ଜପ କୁହାଯାଏ । ୨୪ ଘଣ୍ଟା ମଧ୍ୟରେ ୨୧୬୦୦ ଥର ଅଜପା ଜପ କରାଯାଇପାରେ ।

 

 

୧୨.

ଯେଉଁମାନଙ୍କର ସମୟ ଯଥେଷ୍ଟ ଅଛି ସେମାନେ ପ୍ରତ୍ୟହ ଖୁବ୍‍ କମରେ ୫୦୦୦୦ ରାମନାମ ଜପ କରିବା ଉଚିତ । ଏହା କେବଳ ୬ ଘଣ୍ଟାରେ କରାଯାଇପାରେ ।

 

 

୧୩.

ଯେଉଁମାନେ ସଂଗୀତପ୍ରିୟ ସେମାନେ ମନ୍ତ୍ରକୁ ମୃଦୁସ୍ଵରରେ ଗାଇ ପାରନ୍ତି । ଏକାନ୍ତରେ ବସି ରାମନାମ ଜପ କର । ଭାବସମାଧି ପ୍ରାପ୍ତ ହେବ ।

 

ଜପଦ୍ୱାରା ଭଗବାନଙ୍କ ଦର୍ଶନ କରିଥିବା ଭକ୍ତ

 

୧୪.

ଶ୍ରୀ ନାରଦ ଋଷିଙ୍କର ଉପଦେଶ ଅନୁସାରେ ରାମ ରାମର ଓଲଟା ମରା ମରା ଜପ କରି ଦୂରାଚାରୀ ରତ୍ନାକର ବାଲ୍ମୀକି ଋଷି ହୋଇ ପାରିଥିଲେ ।

 

 

୧୫.

ଭକ୍ତ ତୁକାରାମ କେବଳ ବିଟଠଲ, ବିଟ୍‍ଠଲ ଜପ କରି ଭଗବାନ କୃଷ୍ଣଙ୍କର ଦର୍ଶନ ପାଇଥିଲେ ।

 

 

୧୬.

ଭକ୍ତଶ୍ରେଷ୍ଠ ଧ୍ରୁବ ଓଁ ନମୋ ଭଗବତେ ବାସୁଦେବାୟ ଜପ କରି ନାରାୟଙ୍କର ଦର୍ଶନ ଲାଭ କରିଥିଲେ ।

 

 

୧୭.

ବ୍ରହ୍ମା ନାରାୟଣ ନାରାୟଣ ଜପ କଲେ ଏବଂ ସମ୍ମୁଖରେ ଭଗବାନଙ୍କୁ ଦେଖିଲେ ।

 

 

୧୮.

ଶିବାଜୀଙ୍କର ଗୁରୁ ଭକ୍ତ ରାମଦାସ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ମନ୍ତ୍ର ୧୩ କୋଟି ବାର ଜପ କରି ଶ୍ରୀରାମଙ୍କର ଦର୍ଶନ ପାଇଥିଲେ ।

 

 

୧୯.

ପ୍ରତିଦିନ କିଛି ସମୟ ଏକାନ୍ତବାସ କର । କାହାରି ସହିତ ସାକ୍ଷାତ କର ନାହିଁ । ଏକାନ୍ତରେ ବସି ଚକ୍ଷୁ ବନ୍ଦ କର । ପ୍ରେମ ଏବଂ ଭକ୍ତି ସହକାରେ ଈଶ୍ଵରଙ୍କର ନାମ ସ୍ମରଣ କର । ଏହି ଅଭ୍ୟାସ ନିୟମିତ ରୂପେ କର । ତୁମେ ଭଗବାନଙ୍କର ସାନ୍ନିଧ୍ୟ ଅନୁଭବ କରିବ ।

 

ଆତ୍ମାନୁଭବୀ ମହାତ୍ମା ତଥା ଋଷିମାନେ ବେଦ ତଥା ଉପନିଷଦରେ ପ୍ରାଚୀନ କାଳରେ ଈଶ୍ଵରଙ୍କର ସଂପର୍କରେ ଯେଉଁ ସୂକ୍ଷ୍ମାତିସୂକ୍ଷ୍ମ ରହସ୍ୟ ପ୍ରାପ୍ତ କରିଥିଲେ ମନ୍ତ୍ର ତାହାର ଏକ ବିଶେଷ ରୂପ ଅଟେ । ଏହା ପୂର୍ଣ୍ଣ ଅନୁଭବର ଗୁପ୍ତ ଦେଶରେ ପହଞ୍ଚାଇବାର ଏକ ନିଶ୍ଚିତ ସାଧନ ଅଟେ । ମନ୍ତ୍ରର ସର୍ବଶ୍ରେଷ୍ଠ ସତ୍ୟର ଜ୍ଞାନ ଯାହାକି ଆମ୍ଭଙ୍କୁ ପରମ୍ପରାକ୍ରମେ ମିଳି ଆସୁଅଛି, ତାହା ପ୍ରାପ୍ତ କଲେ ଆତ୍ମଶକ୍ତି ମିଳେ । ଗୁରୁ ପରମ୍ପରାର ରୀତି ଦ୍ଵାରା ଏହି ମନ୍ତ୍ର ଏ ପର୍ଯ୍ୟନ୍ତ ପିଢ଼ି ପରେ ପିଢ଼ି ଅତିକ୍ରମ କରି ଚାଲି ଆସୁଅଛି । ମନ୍ତ୍ର ଦୀକ୍ଷା ପ୍ରାପ୍ତ କଲେ ମନୁଷ୍ୟର ହୃଦୟରେ ଏକ ଆଶ୍ଚର୍ଯ୍ୟ ପ୍ରକାର ପରିବର୍ତ୍ତନ ଆରମ୍ଭ ହୋଇଯାଏ । ଅଦୀକ୍ଷିତ ବ୍ୟକ୍ତିର ହୃଦୟରେ ଏ ପରିବର୍ତ୍ତନ ଆସେ ନାହିଁ-। ଯେପରି ଏକ ଗଭୀର ନିଦ୍ରାରେ ନିଦ୍ରିତ ଗରିବ ବ୍ୟକ୍ତିକୁ ନେଇ ରାଜମହଲରେ ଶୁଆଇଦେଲେ ତା’ ମନରେ କୌଣସି ପରିବର୍ତ୍ତନ ହୋଇପାରେ ନାହିଁ, ସେହିପରି ଅଜ୍ଞାନର ପରଦା ଯେତେବେଳେ ସଦ୍‍ଗୁରୁଠାରୁ ଦୀକ୍ଷା ଗ୍ରହଣ ଦ୍ଵାରା ତଥା ମନ୍ତ୍ର ଜପଦ୍ଵାରା ଅପସାରିତ ହୁଏ ସାଧକ ଉର୍ବର ଭୂମି ଉପରେ ବପନ କରାଯାଇଥିବା ବୀଜ ପରି ଆତ୍ମଜ୍ଞାନର ସର୍ବୋଚ୍ଚ ଶିଖରରେ ପହୁଁଚେ-। ପୂର୍ଣ୍ଣ ରୂପେ ଫଳ ବା ପୁଷ୍ପ ଦାନ କରିବା ପୂର୍ବରୁ ବୀଜ ଯେପରି ଉନ୍ନତି ମାର୍ଗରେ ଭିନ୍ନ ଭିନ୍ନ ଅବସ୍ଥା ଅନୁଭବ କରେ ଅର୍ଥାତ୍ ବୀଜରୁ ଅଙ୍କୁର, ଚାରା, ବୃକ୍ଷ ପୁଣି ପୂର୍ଣ୍ଣ ବିକଶିତ ବୃକ୍ଷ ହୋଇଯାଏ, ସେହିପରି ସାଧକ ଆତ୍ମାନୁଭବରେ ସଫଳତା ପାଇବା ପାଇଁ ନିରନ୍ତର ଉତ୍ସାହପୂର୍ବକ ପ୍ରଯତ୍ନ କରିବା ଉଚିତ । ଏ ଅବସ୍ଥାରେ ସାଧକର ଗୁରୁଙ୍କଠାରେ ଅଚଳ ଶ୍ରଦ୍ଧା ଏବଂ ଦୃଢ଼ ବିଶ୍ଵାସ ଏବଂ ଭକ୍ତି ଥିବା ଉଚିତ; ତଦ୍ଦ୍ଵାରା ତାହାକୁ ଯଥେଷ୍ଟ ସାହାଯ୍ୟ ମିଳେ । ଯେପରି ସମୁଦ୍ରରେ ରହୁଥିବା ଏକ ପ୍ରକାର ଶାମୁକ ସ୍ଵାତୀ ନକ୍ଷତ୍ରରେ ବରଷୁଥିବା ଜଳର ବିନ୍ଦୁ ପାଇଁ ଉତ୍କଣ୍ଠା ତଥା ସନ୍ତୋଷ ପୂର୍ବକ ପ୍ରତୀକ୍ଷା କରେ ଏବଂ ସ୍ଵାତୀର ବିନ୍ଦୁ ପାଇଲେ ତାହାକୁ ନିଜ ମଧ୍ୟରେ ଲୟ କରିନେଇ ତାହାକୁ ଅମୂଲ୍ୟ ମୋତିରେ ପରିଣତ କରିଦିଏ, ଠିକ୍ ସେହିପରି ସାଧକ ଶ୍ରଦ୍ଧା ଏବଂ ଉତ୍କଣ୍ଠାର ସହିତ ଗୁରୁଦୀକ୍ଷା ପାଇଁ ବ୍ୟାକୁଳ ହୋଇପଡ଼େ । ସୌଭାଗ୍ୟ କ୍ରମେ ସଦ୍‍ଗୁରୁଠାରୁ ମନ୍ତ୍ରରେ ଦୀକ୍ଷିତ ହୋଇ ସତତ ଉଦଯୋଗ ତଥା ନିୟମପୂର୍ବକ ସାଧନା ଦ୍ଵାରା ଏପରି ଏକ ଅଦ୍ଭୁତ ଆତ୍ମିକ ଶକ୍ତି ଲାଭ କରେ ଯାହାକି ଅବିଦ୍ୟା ତଥା ଅଜ୍ଞାନକୁ ନାଶ କରି ମୁକ୍ତିର ମାର୍ଗ ସ୍ପଷ୍ଟ ରୂପେ ଖୋଲି ଦିଏ-। ମନ୍ତ୍ର ଦୀକ୍ଷାଦ୍ଵାରା ତୁମକୁ ଏ ବିଷୟରେ ପୂର୍ଣ୍ଣ ଜ୍ଞାନ ତଥା ଅନୁଭବ ହୋଇଥାଏ କି ତୁମେ ମନ ବା ବୁଦ୍ଧି ନୁହଁ, ତୁମେ ସଚ୍ଚିଦାନନ୍ଦ, ପରମ ପ୍ରକାଶ ଏବଂ ପରମାନନ୍ଦ ସ୍ୱରୂପ ଅଟ । ସଦ୍‍ଗୁରୁଙ୍କର କୃପାଦ୍ଵାରା ଭଗବାନଙ୍କର ଦର୍ଶନ ଲାଭ ହୋଇପାରେ ତଥା ପରମ ଶାନ୍ତି ଉପଲବ୍ଧ ହୋଇପାରେ ।

 

ଆତ୍ମସଂଯମର ଅଭ୍ୟାସ

 

ଆତ୍ମ ସଂଯମର ଅଭ୍ୟାସକୁ ଧାର୍ମିକ ଅଥବା ବେଦୋକ୍ତ ଅନୁଷ୍ଠାନ କୁହାଯାଏ । ନିଷ୍କାମ ଭାବରେ ଭଗବାନଙ୍କର ସେବା, ପୂଜା, ଜପ ତପ ଇତ୍ୟାଦିର ଅନୁଷ୍ଠାନ ଆତ୍ମଶୁଦ୍ଧି ତଥା ମୁକ୍ତିଲାଭର ସର୍ବଶ୍ରେଷ୍ଠ ଉପାୟ ଅଟେ । ଏପରି ଅନୁଷ୍ଠାନ ଯଦି ସାଂସାରିକ ତୁଚ୍ଛ ବାସନାମାନଙ୍କର ପୂର୍ତ୍ତି ପାଇଁ କରାଯାଏ ତେବେ ତଦ୍ଦ୍ଵାରା ଆତ୍ମୋନ୍ନତି ହୋଇ ନ ଥାଏ । ଆତ୍ମଜ୍ଞାନ ଲାଭ କରିବା ତଥା ଆବାଗମନର ଅବିଚଳିତ ଚକ୍ରରୁ ମୁକ୍ତିଲାଭ କରିବାହିଁ ଆଧ୍ୟାତ୍ମିକ ଅଭ୍ୟାସର ଲକ୍ଷ୍ୟ ହେବା ଉଚିତ । ଅନୁଷ୍ଠାନର ଅଭ୍ୟାସ ଏକ ଦିନ, ଏକ ସପ୍ତାହ, ଏକ ପକ୍ଷ, ଏକ ମାସ, ତିନି ମାସ, ଛଅ ମାସ ଅଥବା ଏକ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ । ଅଭ୍ୟାସୀର ଯୋଗ୍ୟତା ତଥା ରୁଚି ଉପରେ ଅଭ୍ୟାସର ସମୟ ନିର୍ଭର କରେ । ଅଭ୍ୟାସୀ ନିଜର ପରିସ୍ଥିତିର ଅନୁକୂଳ କୌଣସି ଏକ ଅନୁଷ୍ଠାନ ଗ୍ରହଣ କରି ପାରେ । ପ୍ରତ୍ୟେକ ବ୍ୟକ୍ତିର ସାଧନାର ଦୃଢ଼ତା ତାର ଶାରୀରିକ ଶକ୍ତି ତଥା ଆତ୍ମିକ ଶକ୍ତି ଉପରେ ନିର୍ଭର କରେ । ଦୁର୍ବଳ ରୋଗା ଲୋକ ଏକ ଦିନରେ ଯେ ତିନି ଥର ସ୍ନାନ କରି ପାରିବ ତାହା ନୁହେଁ ବା ଏପରି ବ୍ୟକ୍ତି ସମସ୍ତ ଦିନ ନିରାହାର ରହିବା ଠିକ୍ ନୁହେଁ । ସ୍ଥାନ, ପରିସ୍ଥିତି ତଥା ସମୟ ଅନୁସାରେ ନିୟମ ବଦଳା ଯାଇପାରେ । ମାଡ଼୍ରାସ ପ୍ରଦେଶରେ ଏକ ସାଧକ ଏକ ଲଙ୍ଗୋଟି ପିନ୍ଧି ବର୍ଷ ତମାମ ରହିପାରେ କିନ୍ତୁ ବରଫାଚ୍ଛନ୍ନ ଗଙ୍ଗୋତ୍ରୀ, ଯମୁନେତ୍ରୀ ପରି ଯାଗାରେ ସାଧକ ଯଦି ଏପରି ହଠପୂର୍ବକ ଲଙ୍ଗୋଟି ପିନ୍ଧି ରହେ ତେବେ ତାହା ମୂଢ଼ତା ମାତ୍ର । ହିମାଳୟର ଜଳବାୟୁ ମାଡ଼୍ରାସ ବା ବମ୍ବେଇ ଜଳବାୟୁ ପରି ନୁହେଁ । ଅତ୍ୟନ୍ତ ବୃଷ୍ଟି ସମୟରେ ଛତ୍ର ଧାରଣ କରିବା ଅଭ୍ୟାସର ବିରୁଦ୍ଧ ନୁହେଁ । ସର୍ବସାଧନ ମନକୁ ଦୃଢ଼ କରିବା ପାଇଁ ତଥା ସଂଯମପୂର୍ବକ ଅଧୀନ କରିବାପାଇଁ ଦିଆଯାଇଥାଏ । କେବଳ ଶାରିରୀକ ତପସ୍ୟାହିଁ ତାର ଉଦ୍ଦେଶ୍ୟ ନୁହେଁ ।

 

କୈଳାଶ ପର୍ବତ ଉପରେ ଅଥବା ବରଫାଚ୍ଛନ୍ନ ପ୍ରଦେଶରେ ଜୋତା ବ୍ୟବହାର କରିବାଦ୍ଵାରା ଯଦି ତୁମେ ଜଣେ ସାଧକକୁ ଭଣ୍ଡ ବା ବୈରାଗ୍ୟବିହୀନ ସାଧୁ ବୋଲି ମନେ କର ତେବେ ଏହା ତୁମର ମୂର୍ଖତା ମାତ୍ର । ଶରୀର ସମ୍ବନ୍ଧୀୟ ଆବଶ୍ୟକତା ଅଭ୍ୟାସର ବାଧକ ହୋଇ ନଥାଏ । ଅସାଧାରଣ ଅନାବଶ୍ୟକ ଲାଳସା ସାଧନାରେ ଅବଶ୍ୟ ବିଘ୍ନ ଉପସ୍ଥିତ କରିଥାନ୍ତି । ସର୍ବସାଧନାର ପୂର୍ତ୍ତି ପାଇଁ ବ୍ରହ୍ମଚର୍ଯ୍ୟ ନିତାନ୍ତ ଆବଶ୍ୟକ, କାରଣ ଏହା ମାନସିକ ସଂଯମ ଅଟେ । ମାନସିକ କର୍ମହିଁ ବାସ୍ତବିକ କର୍ମ ଅଟେ, ଶାରୀରିକ କର୍ମ ନୁହେଁ । ଯେଉଁ ବ୍ୟକ୍ତି ବ୍ରହ୍ମଚର୍ଯ୍ୟ ରକ୍ଷା ପ୍ରତି ଦୃଷ୍ଟି ନ ଦେଇ ସାଧନ କରେ ସେ ମିଥ୍ୟାଚାରୀ ଅଟେ । ସାଧନାର ଫଳ ଶୀଘ୍ର ତାହାକୁ ପ୍ରାପ୍ତ ହୋଇ ପାରେ ନାହିଁ । ବୁଦ୍ଧିକୁ ନିଶ୍ଚଳ ତଥା ଶାନ୍ତ କରିବାପାଇଁ ଅନୁଷ୍ଠାନ ଇତ୍ୟାଦି ସଂଯମମୟ ସାଧନର ଆଶ୍ରୟ କୌଣସି ନା କୌଣସି ରୂପରେ ନେବାକୁ ପଡ଼େ ।

 

ଜପ ଅନୁଷ୍ଠାନ

 

ପ୍ରଥମେ ଏକ ମନ୍ତ୍ର ବାଛିନିଅ । ସର୍ବଦା ଆତ୍ମୋନ୍ନତି ବା ଭଗବତ୍ କୃପା ଲାଭ ପାଇଁ ଅନୁଷ୍ଠାନ ଇତ୍ୟାଦି ପୁଣ୍ୟ କ୍ରିୟା କରିବା ଉଚିତ । କୌଣସି ମନୁଷ୍ୟକୁ ନାଶ କରିବା ଉଦ୍ଦେଶ୍ୟରେ ବା ଅନ୍ୟର ଅନିଷ୍ଟ କରିବାର ଆକାଙ୍‍କ୍ଷାରେ ଅନୁଷ୍ଠାନ ଇତ୍ୟାଦି କରିବା ମୂର୍ଖତା ମାତ୍ର; ଏହାଦ୍ଵାରା ନିଜର ନାଶ ହୋଇଥାଏ । ଜପ ସାଧନ କୌଣସି ଶୁଭଦିନର ବ୍ରାହ୍ମମୁହୂର୍ତ୍ତରେ ଆରମ୍ଭ କରିବା ଉଚିତ । କୌଣସି ନଦୀ ବା କୂପ ଜଳରେ ସ୍ନାନ କରି ଶରୀରକୁ ଶୁଦ୍ଧ କରିନିଅ ।

 

ସେହିଦିନଠାରୁ ନିର୍ଦ୍ଦିଷ୍ଟ ଜପ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସାଧକ ମୌନ ଧାରଣ କରିବା ଉଚିତ । ଅତିରିକ୍ତ ସଂଯମ ପାଇଁ ସୁବିଧା ଅନୁସାରେ କେବଳ ଫଳାହାର, ଦୁଗ୍ଧାହାର, ଏକ ବେଳା ଆହାର ଇତ୍ୟାଦି ଉପରେ ନିର୍ଭର କରିବା ଉଚିତ । ସମସ୍ତ ପ୍ରକାର ଜାଗତିକ ସମ୍ପର୍କ ଏବଂ ସାଂସାରିକ ଚିନ୍ତା ସେହି ନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେବା ଉଚିତ । ଯଦି ସୁବିଧା ହୁଏ, ନିଜକୁ ସଂସ୍କାର କରାଇ ନେଇ ଅର୍ଥାତ୍ ଯଜ୍ଞୋପବୀତ ଇତ୍ୟାଦି ବଦଳାଇ ଅନୁଷ୍ଠାନ ଆରମ୍ଭ କରିବା ଉଚିତ-। ସାଧନା କାଳରେ ଶୁଦ୍ଧ ବସ୍ତ୍ର ମଠା ବା ହଳଦିଆ ବସ୍ତ୍ର ଧାରଣ କଲେ ଭଲ । ଅନୁଷ୍ଠାନ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏକ ଏକ ବ୍ୟକ୍ତିକୁ (ସନ୍ନ୍ୟାସୀ, ବ୍ରାହ୍ମଣ ବା ରୋଗୀ) ଭୋଜନ ଦେବା ଉଚିତ । ତଥା ଅନ୍ତିମ ଦିନରେ ଶକ୍ତି ଅନୁସାରେ ଏକ ଶତ ପଚିଶ ଧନହୀନ ଭିକ୍ଷୁକ ବା ରୋଗୀ ଦୁଃଖୀଙ୍କୁ ଉତ୍ତମ ଭୋଜନ ଦେବା ଉଚିତ । ଅନ୍ତିମ ଦିନରେ ଜପର ଦଶମାଂଶ ମନ୍ତ୍ରରେ ହୋମ କରିବା ବିଧେୟ । ଅର୍ଥାତ୍ ଏକ ଲକ୍ଷ ମନ୍ତ୍ର ଜପ କରିଥିଲେ ଦଶ ହଜାର ମନ୍ତ୍ରର ହୋମ କରାଯାଏ ।

 

ଯଦି ଏକ ଦୁଇ ଅନୁଷ୍ଠାନ ଦ୍ଵାରା ଚିତ୍ତଶୁଦ୍ଧି ନ ହୁଏ ତେବେ ସିଦ୍ଧିଲାଭ ନ ହେବା ପର୍ଯ୍ୟନ୍ତ ବାରମ୍ବାର ଅନୁଷ୍ଠାନ କରୁଥିବା ଉଚିତ । ପ୍ରାୟ ମନୁଷ୍ୟର ହୃଦୟ ଅପବିତ୍ର ଥାଏ, ଶୁଦ୍ଧି ପାଇଁ ବହୁତ ଉତ୍କର୍ଷର ଆବଶ୍ୟକତା ପଡ଼େ । ଚିତ୍ତକୁ ଏକାଗ୍ର କରିବା ପାଇଁ ବହୁତ ପୁରଶ୍ଚରଣ ଦରକାର ପଡ଼ିପାରେ । ଗୋଟିଏ ବା ଦୁଇଟି ପୁରଶ୍ଚରଣ ଦ୍ଵାରା ଇଚ୍ଛିତ ଉଦ୍ଦେଶ୍ୟ ସିଦ୍ଧ ହୋଇପାରେ ନା, କାରଣ ମନୁଷ୍ୟର ମନ ସର୍ବଦା ଚଞ୍ଚଳ ଥାଏ ତଥା ରାଜସ ଏବଂ ତାମସ ଦ୍ଵାରା ପୂର୍ଣ୍ଣ ଥାଏ ।

 

ସ୍ଵାଧ୍ୟାୟ ଅନୁଷ୍ଠାନ

 

ସାଧକ ବେଦ, ମହାଭାରତ, ରାମାୟଣ, ଗୀତା ଇତ୍ୟାଦି ଶାସ୍ତ୍ରମାନଙ୍କର ଅଧ୍ୟୟନର ଅନୁଷ୍ଠାନ କରିପାରେ । ଅନୁଷ୍ଠାନର କ୍ରିୟା ଉପରୋକ୍ତ ନିୟମାନୁସାରେ କରାଯାଇଥାଏ । ଜପ ଅନୁଷ୍ଠାନ ପରି ସ୍ଵାଧ୍ୟାୟରେ ମଧ୍ୟ ତର୍ପଣ ଓ ହୋମ ଇତ୍ୟାଦି ହୋଇଥାଏ ।

 

ସ୍ତ୍ରୀମାନଙ୍କ ପାଇଁ ଅନୁଷ୍ଠାନର ବିଧି ଏବଂ ସାଧନାରେ କିଛି ପାର୍ଥକ୍ୟ ନଥାଏ । ସେମାନେ ମାସିକ ଧର୍ମ ଦିନମାନଙ୍କରେ ଅନୁଷ୍ଠାନର କ୍ରିୟା କରିବା ଅନୁଚିତ । ଅଭ୍ୟାସ କାଳର ମଧ୍ୟ ଭାଗରେ ମଧ୍ୟ ମାସିକ ଧର୍ମ ନ ହେବା ଉଚିତ । ଏଣୁ ଏକ ମାସରୁ କମ୍ ଏକୋଇଶ ଦିନ ଅନୁଷ୍ଠାନ କରିବା ଉଚିତ । ଅନୁଷ୍ଠାନ କାଳରେ ସନ୍ତାନକୁ ଦୁଧ ପିଆଇବା ଠିକ୍ ନୁହେଁ । ବ୍ରହ୍ମଚର୍ଯ୍ୟ ପାଳନ ଅନିବାର୍ଯ୍ୟ । ପ୍ରତ୍ୟହ ସ୍ନାନ କରିବା ଆବଶ୍ୟକ । ସ୍ତ୍ରୀମାନଙ୍କ ପାଇଁ ଗାୟତ୍ରୀ ଜପ ଏବଂ ଦେଦାଧ୍ୟୟନ ଶାସ୍ତ୍ରରେ ନିଷେଧ କରାଯାଇଅଛି । ଧ୍ୟାନକୁ ଅନୁଷ୍ଠାନ ବୋଲି ଧାରା ଯାଏନାହିଁ ।

 

ସ୍ନାନ

 

ଦିନରେ ତିନି ଥର ସ୍ନାନ କରିବା ଉଚିତ । ଯଦି ଏପରି ସମ୍ଭବ ନ ହୁଏ ତେବେ ଦୁଇ ଥର ବା କେବଳ ଏକ ଥର ସ୍ନାନ କରି ଅନ୍ୟ ସମୟରେ ଓଦାଲୁଗାରେ ଶରୀର ପୋଛି ନେଇପାର-

 

ଜପପାଇଁ ପଦ୍ମାସନ, ସିଦ୍ଧାସନ, ସ୍ଵସ୍ତିକାସନ ବା ବୀରାସନ ଇତ୍ୟାଦି ପ୍ରଚଳିତ ଆସନ ପ୍ରଶସ୍ତ ଅଟନ୍ତି । କମ୍ବଳ, ଉଲ୍ ବସ୍ତ୍ର, ସିଲକ୍, ବା ମୃଗଚର୍ମ ଆସନ ପାଇଁ ଉପଯୋଗୀ । ଏହାଦ୍ଵାରା ସାଧକକୁ ଜ୍ଞାନ ଏବଂ ସିଦ୍ଧିପ୍ରାପ୍ତ ହୋଇଥାଏ ।

 

ମାଳାର ଉପଯୋଗ

 

ଜପର ଗଣନା ପାଇଁ ସ୍ଫଟିକ ମାଳା, ତୁଳସୀ ମାଳା, ରୁଦ୍ରାକ୍ଷ ମାଳା ବ୍ୟବହାର କରାଯାଇପାରେ । ମାଳାର ପ୍ରତିଷ୍ଠା ଏବଂ ପୂଜା କରିବା ଉଚିତ, ତଥା ତାହାକୁ ପବିତ୍ର ତଥା ଶୁଦ୍ଧ ସ୍ଥାନରେ ରଖିବା ଉଚିତ ।

 

ଜପ କରିବାର ବିଧି

 

ସଂସାରୀ ବିଷୟରୁ ମନକୁ ହଟାଇ ମନ୍ତ୍ରର ସୂକ୍ଷ୍ମ ଅର୍ଥ ପ୍ରତି ଧ୍ୟାନ ଦେବା ଉଚିତ । ମନ୍ତ୍ରର ଯେତେ ଅକ୍ଷର ସେତିକି ଲକ୍ଷ ବାର ଜପ କଲେ ଏକ ପୁରଶ୍ଚରଣ ହୋଇଥାଏ । ଯଥା ଶିବଙ୍କର ପଞ୍ଚାକ୍ଷର ମନ୍ତ୍ର ପାଞ୍ଚ ଲକ୍ଷ ବାର, ଓଁ ନମୋ ନାରାୟଣାୟ ମନ୍ତ୍ର ଆଠ ଲକ୍ଷ ବାର ଏବଂ ଦ୍ଵାଦଶାକ୍ଷର ମନ୍ତ୍ର ବାର ଲକ୍ଷ ବାର ଜପ କରିବା ଉଚିତ । ଯଦି ସମ୍ଭବ ନ ହୁଏ ତେବେ ତାର ଅର୍ଦ୍ଧମାତ୍ରା ଜପ କରିପାର । କିନ୍ତୁ କୌଣସି ଅବସ୍ଥାରେ ଏକ ଲକ୍ଷରୁ କମ ଜପ ହେବା ଠିକ୍ ନୁହେଁ ।

 

ପ୍ରାଚୀନ କାଳରେ ମନୁଷ୍ୟମାନଙ୍କର ହୃଦୟ ବିଶେଷ ଶୁଦ୍ଧ ଥିଲା ତଥା ଶକ୍ତିଶାଳୀ ମଧ୍ୟ ଥିଲା; ଏଣୁ ସେ ଯୁଗରେ ସିଦ୍ଧିପ୍ରାପ୍ତି ବା ଆତ୍ମସାକ୍ଷାତ୍କାର ପାଇଁ ଲକ୍ଷାକ୍ଷର ଜପର ପ୍ରଥା ପ୍ରଚଳିତ ଥିଲା ।

 

କିନ୍ତୁ ଆଧୁନିକ କାଳରେ ମନୁଷ୍ୟର ହୃଦୟ ବିଶେଷ ଅପବିତ୍ର ତଥା ପାପପୂର୍ଣ୍ଣ; ଏଣୁ କୋଟି କୋଟି ବାର ଜପ କଲେ ମଧ୍ୟ ଦର୍ଶନ ଲାଭରେ ସନ୍ଦେହ ଥାଏ ।

 

ଆଜିକାଲି ସିନେମା, ନାଟକ, ନୃତ୍ୟ, ଗୀତ ଇତ୍ୟାଦି ଅନେକ ପ୍ରକାର ଅଶ୍ଳୀଳ ବାତାବରଣ ଯୋଗୁଁ ମନୁଷ୍ୟର ହୃଦୟ ଅଶୁଦ୍ଧ ବିଚାର ଏବଂ ଆବିଳ ବାସନାରେ ପୂର୍ଣ୍ଣ । ଏଣୁ ଉନ୍ନତି ଲାଭପାଇଁ ଯଥେଷ୍ଟ ସମୟ ଆବଶ୍ୟକ । ଅତଃ ଜପ ପୁରଶ୍ଚରଣ ଆଦି ଦ୍ଵାରା ମନକୁ ଶୁଦ୍ଧ ଏବଂ ସ୍ଵଚ୍ଛ କରିବା ଉଚିତ । ଅନେକ ବାର ପୁରଶ୍ଚରଣ ପରେ ମଧ୍ୟ ଯଦି ମନରୁ ଅଶୁଦ୍ଧ ବିଚାର ବା ଆବିଳ ବାସନା ଦୂର ନ ହୁଏ, ତେବେ ମନୁଷ୍ୟର ପୂର୍ବଜନ୍ମର ସଂସ୍କାର ବିଶେଷ ଖରାପ ଥିଲାବୋଲି ଜାଣିବା ଉଚିତ । କିନ୍ତୁ ଏଥିପାଇଁ ହତୋତ୍ସାହ ହେବାର କୌଣସି କାରଣ ନାହିଁ । ପୁନଃ ପୁନଃ ପୁରଶ୍ଚରଣ କରିଯାଅ । କାଳକ୍ରମେ ଶୁଦ୍ଧିର ଅବତରଣ ହେବ, ତଥା ସିଦ୍ଧି ଲାଭ ହେବ । ସୂର୍ଯ୍ୟପରାଗ ତଥା ଚନ୍ଦ୍ର ଗ୍ରହଣ ସମୟରେ ଜପ କଲେ ଅଦ୍ଭୁତ ପ୍ରଭାବ ପଡ଼ିଥାଏ । ଏପରି ଦୁଷ୍ପ୍ରପ୍ୟ ଅବସରକୁ ହରାଇବା ଉଚିତ ନୁହେଁ ।

 

ବର୍ଷର ଛଅ ଋତୁରେ, ଯଥା ଶୀତକାଳରେ ଦ୍ଵିପହର ପୂର୍ବରୁ ଏବଂ ପରେ ଦିନର ତୃତୀୟ ପ୍ରହରରେ, ସନ୍ଧ୍ୟାକାଳରେ, ଅର୍ଦ୍ଧରାତ୍ରି ପ୍ରାତଃକାଳ ଏରୂପ ବହୁବାର ଜପ କରାଯାଇପାରେ ।

 

ହୋମ ବା ଯଜ୍ଞ

 

ପ୍ରତିଦିନ ଜପର ମାତ୍ରା ସମାନ ପରିମାଣରେ ହେବା ଉଚିତ । କେବେ କମ୍ ବା କେବେ ବେଶୀ ଏପରି ହେବା ଠିକ୍ ନୁହେଁ । ପ୍ରତ୍ୟହ ଜପ ପରେ ଜପର ଦଶମାଂଶ ଘୃତ ଦ୍ଵାରା ଆହୁତି କରିବା ଉଚିତ । ଏପରି କାର୍ଯ୍ୟ ପାଇଁ କୌଣସି ଅନୁଭବୀ ପୁରୋହିତର ସହାୟତା ନିଆ ଯାଇପାରେ ।

 

ଯଦି ହୋମ କରିବାର ସାମର୍ଥ୍ୟ ନଥାଏ ତେବେ ଇଷ୍ଟଦେବତାଙ୍କର ପୂଜା କରିପାର, ଅତିରିକ୍ତ ଜପ କରିପାର, ତଥା ବ୍ରାହ୍ମଣ ଭିଖାରୀକୁ ଅନ୍ନଦାନ କରିପାର । ଭୂମି ଶୟନ, ବ୍ରହ୍ମଚର୍ଯ୍ୟ ପାଳନ, ତ୍ରିବାର ସ୍ନାନ, ତୈଳମର୍ଦ୍ଦନ ନ କରିବା, ମୌନ, ସର୍ବଦା ଶୁଦ୍ଧ ବସ୍ତ୍ର ପରିଧାନ ଇତ୍ୟାଦି ତପସ୍ୟା ଜପ ଅନୁଷ୍ଠାନ ଅବସ୍ଥାରେ କରାଯିବା ଉଚିତ । ନିମ୍ନଲିଖିତ ନିୟମମାନଙ୍କ ପ୍ରତି ଦୃଷ୍ଟି ରଖିବା ନିତାନ୍ତ ଆବଶ୍ୟକ ।

 

ଆଳସ୍ୟ ତ୍ୟାଗ, ଜପ ମଧ୍ୟରେ ଛେପ ପକାଇବା, ବାରମ୍ବାର ଆସନରୁ ଉଠିବା, କାମ, କ୍ରୋଧ ଆଦିକୁ ପ୍ରଶୟ ଦେବା, ସ୍ତ୍ରୀ ଅଥବା ନାସ୍ତିକ ବ୍ୟକ୍ତିମାନଙ୍କ ସହିତ ବାର୍ତ୍ତାଳାପ, ମାଦକ ଦ୍ରବ୍ୟ ସେବନ, ଦିବାନିଦ୍ରା, ଉପହାର ଗ୍ରହଣ, ଥିଏଟର ନୃତ୍ୟ ଆଦି ଦର୍ଶନ, ସିନେମା ନାଟକ ଇତ୍ୟାଦିର ଅଭଦ୍ର ସଂଗୀତ ଶ୍ରବଣ, କାହାରି ଅନିଷ୍ଟ ଚିନ୍ତନ ଇତ୍ୟାଦି ସର୍ବତୋଭାବେ ତ୍ୟାଗ କରିବା ଉଚିତ ।

 

ମନ୍ତ୍ରର ପୁରଶ୍ଚରଣ ଅବସ୍ଥାରେ ଲବଣ, ମାଂସ, ବଜାରର ମିଠାଇ ଇତ୍ୟାଦି ସେବନ କରିବା ଠିକ୍ ନୁହେଁ । ମିଥ୍ୟା କହିବା, ଅନ୍ୟାୟ କରିବା, ଚନ୍ଦନ ଲଗାଇବା, ପୁଷ୍ପମାଳା ଧାରଣ କରିବା, ବିହାର ବା ବିହାର ସମ୍ବନ୍ଧୀୟ କଥାବାର୍ତ୍ତା କରିବା, କାମୁକ ପୁରୁଷମାନଙ୍କ ସହିତ ମିଳାମିଶା କରିବା ଠିକ୍ ନୁହେଁ ।

 

ଛିଙ୍କିଲାବେଳେ ବା ହାଇ ମାରିଲାବେଳେ ବା କାଶିବା ଅବସ୍ଥାରେ ଜପ ଗଣନା ବନ୍ଦ କରିଦେବା ଉଚିତ ଏବଂ ପରେ ପୁଣି ଜପ ଆରମ୍ଭ କରାଯାଇପାରେ । ଖୁବ୍ ଉଚ୍ଚ ଅବସ୍ଥାରେ ପହଞ୍ଚିଲେ ଅନୁଷ୍ଠାନ ଶବ୍ଦର ଅର୍ଥ ପ୍ରତ୍ୟକ୍ଷ ହୋଇଯାଏ । ପୂଜାକୁ ମଧ୍ୟ ଏକ ପ୍ରକାର ଅନୁଷ୍ଠାନ କୁହାଯାଏ, କିନ୍ତୁ ବାସ୍ତବିକ ବିଚାର ଦ୍ୱାରା ଦେଖିଲେ ତାହା ଅନୁଷ୍ଠାନର ଅନ୍ତର୍ଗତ ନୁହେଁ । ସମସ୍ତ ପ୍ରକାର ସାଂସାରିକ ଓ ପାରିବାରିକ ବ୍ୟବସାୟ ଆଦି ଝଞ୍ଜଟରୁ ପୃଥକ୍ ହୋଇ ଶ୍ରଦ୍ଧାପୂର୍ବକ ସାଧନାରେ ପ୍ରବୃତ୍ତ ହେଲେ ଯାଇ ସଫଳତା ମିଳିପାରେ । ଅନୁଷ୍ଠାନ ଏକ ମହାନ୍ ବ୍ରତ, ଆତ୍ମସଂଯମ ଯାହାର ପୂର୍ତ୍ତି ଭାବ ଅଟେ, ଶ୍ରଦ୍ଧା ତଥା ସାବଧାନତାର ସହିତ ତାହା କରିବା ଉଚିତ ।

 

ଅନୁଷ୍ଠାନ ପାଇଁ ଏପରି କୌଣସି ବିଶେଷ ସମୟ ନିଧାର୍ଯ୍ୟ ନ ଥାଏ । ସାଧକର ରୁଚି ଉପରେ ତାହାର ନିର୍ଭର କରେ । ଯେ କୌଣସି ଦିନ ଇଚ୍ଛିତ ସମୟ ପାଇଁ ଅନୁଷ୍ଠାନ ଆରମ୍ଭ କରି ଦିଆଯାଇ ପାରେ । କିନ୍ତୁ ଦୀର୍ଘକାଳ ପାଇଁ ଯଦି ଏହାର ଅଭ୍ୟାସ କରାଯାଏ ତେବେ ହୃଦୟ ମନ ଶୁଦ୍ଧ ହୁଏ । ମନ ସାଧକର ଆଜ୍ଞାକାରୀ ହୋଇଯାଏ । ଅନୁଷ୍ଠାନ ଯେତେ ଦୀର୍ଘକାଳୀନ ହେବ ସେତେ ଅଧିକ ଶକ୍ତି ମିଳିବ । ସ୍ୱାସ୍ଥ୍ୟ, ପ୍ରସନ୍ନତା, ଶୁଭ ବୁଦ୍ଧି ଇତ୍ୟାଦି ଦ୍ଵାରା ଶରୀର ମନ ତନ୍ମୟ ହୋଇଉଠିବ । ସାଧକ ଯାହା କିଛି କାମନା କରିବ ତାହା ତାହାକୁ ଅକ୍ଳେଶରେ ମିଳିବ । ଅନୁଷ୍ଠାନ ରାତ୍ରିରେ ମଧ୍ୟ ପୂର୍ଣ୍ଣ କରାଯାଇପାରେ । ଦିନ ଅପେକ୍ଷା ରାତ୍ରି-ସାଧନାରେ ଅଧିକ ଶକ୍ତି ମିଳେ । ରାତ୍ରିରେ ଚିତ୍ତ ଶାନ୍ତ ଥାଏ । ସାଂସାରିକ ଧନ୍ଦାରୁ ମୁକ୍ତ ଥାଏ । ଏଥିପାଇଁ ରାତ୍ରିର ଅଭ୍ୟାସ ବିଶେଷ ଶକ୍ତିଦାୟକ ତଥା ସଂସ୍କାରୋତ୍ପାଦକ ହୋଇଥାଏ ।

 

ପରିଣାମ

 

ଅନୁଷ୍ଠାନଦ୍ଵାରା ମନ ଯୋଗାଭ୍ୟାସ ପାଇଁ ଯୋଗ୍ୟ ହୋଇଥାଏ । ଚିତ୍ତ ଶାନ୍ତ ହୁଏ, ତଥା ଧ୍ୟାନଯୋଗ ପାଇଁ ଯୋଗ୍ୟ ହୋଇଥାଏ । ଏହା ଏକ କଠିନ ତପସ୍ୟା ।

 

ମନ୍ତ୍ର ପୁରଶ୍ଚରଣ ବିଧି

ମନ୍ତ୍ରଦ୍ଵାରା ବିଶେଷ ଲାଭ ପ୍ରାପ୍ତି ଆଶାରେ ମନ୍ତ୍ରକୁ ସ୍ଵେଚ୍ଛାପୂର୍ବକ ବିଶେଷ ରୀତିରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ପର୍ଯ୍ୟନ୍ତ ବାରମ୍ବାର ଜପ କରିବାକୁ ମନ୍ତ୍ର ପୁରଶ୍ଚରଣ କୁହାଯାଏ । ଶାସ୍ତ୍ରାନୁସାରେ ନିୟମ, ସଂଯମ, ଆହାର ବିହାର ଇତ୍ୟାଦିର ଅନୁକୂଳତା ପ୍ରତି ଦୃଷ୍ଟିଦେଇ ଦୃଢ଼ତା ପୂର୍ବକ ପୁରଶ୍ଚରଣରେ ବସିବା ପାଇଁ ସାଧକକୁ ପ୍ରସ୍ତୁତ ହେବାକୁ ପଡ଼େ । ମନ୍ତ୍ରର ପୁରଶ୍ଚରଣ-ବିଧି ପୂର୍ବେ ଗାୟତ୍ରୀ-ଜପ ଅଧ୍ୟାୟରେ ଦିଆଯାଇଅଛି । ବର୍ତ୍ତମାନ ନିମ୍ନରେ କେତେକ ବିଷୟ ଦିଆଗଲା ।

୧.

ଆହାର :– ଅନୁଷ୍ଠାନ ସମୟରେ ନିମ୍ନଲିଖିତ ଆହାର କରିବା ଉଚିତ ।

 

ଶାଗ, ଫଳ, ଦୁଧ, କନ୍ଦମୂଳ, ଦହି, ଯବ, ଘୃତ ସହିତ ସିଦ୍ଧାନ୍ନ ମିଶ୍ରି ଇତ୍ୟାଦି । ସମସ୍ତ ପଦାର୍ଥ ପ୍ରଥମେ ଈଶ୍ଵରଙ୍କୁ ଅର୍ପଣ କରି ପରେ ପ୍ରସାଦ ରୂପେ ଗ୍ରହଣ କରାଯାଇଥାଏ । ଯେଉଁ ସାଧକ ସାଧନା ସମୟରେ କେବଳ ଦୁଗ୍ଧାହାରରେ ରହେ ସେ ଶୀଘ୍ର ସିଦ୍ଧି ଲାଭ କରିଥାଏ । ଏପରିକି ଏକ ଲକ୍ଷ ଜପରେ ତାହାକୁ ସିଦ୍ଧି ମିଳିଥାଏ । କିନ୍ତୁ ଅନ୍ୟାନ୍ୟ ଆହାର କରୁଥିବା ସାଧକ ପାଇଁ ଅଧିକ ସମୟ ଲାଗିଥାଏ ।

୨.

ଜପର ସ୍ଥାନ :— କୌଣସି ପବିତ୍ର ସ୍ଥାନ, ଗଙ୍ଗା ତଟ, ଗୁମ୍ଫା, ପର୍ବତ ଶିଖର, ନଦୀର ସଂଗମ, ପବିତ୍ର ନିବିଡ଼ ଅରଣ୍ୟ, ଅଶୋକ ବୃକ୍ଷର ମୂଳ, ତୁଳସୀବଣ, ମନ୍ଦିର, ସମୁଦ୍ର ତଟ ବା ଏକାନ୍ତ ସ୍ଥାନରେ ଜପ କରିବା ଉଚିତ୍ । ଯଦି ଏପରି ସ୍ଥାନ ମିଳିବା ସମ୍ଭବପର ନ ହୁଏ, ତେବେ ନିଜ ଗୃହରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଲୁଗା ବା କୌଣସି ପରଦାଦ୍ଵାରା ବେଷ୍ଟନ କରି ସେଠାରେ ଜପ କରାଯାଇପାରେ । ନିଜ ଗୃହର ଜପଠାରୁ ପବିତ୍ର ସ୍ଥାନରେ କରାଯାଇଥିବା ଜପର ପ୍ରଭାବ ଶତଗୁଣ ଅଧିକ ହୋଇଥାଏ । ନଦୀ ତଟରେ କରାଯାଇଥିବା ଏକ ଲକ୍ଷ ଜପ ସ୍ଵଗୃହର ଦଶଲକ୍ଷ ଜପ ସହିତ ସମାନ ହୋଇଥାଏ । ଗଂଗାକୂଳରେ ଜପ ଗୃହର ଶତଗୁଣ ଫଳଦାୟକ ହୋଇଥାଏ ।

୩.

ସାବଧାନତା :— ସାଧକ ଉତ୍ତର ବା ପୂର୍ବ ଦିଗକୁ ମୁଖ କରି ଜପ ସାଧନା ପାଇଁ ବସିବା ଉଚିତ । ରାତ୍ରିରେ କେବଳ ଉତ୍ତରକୁ ମୁଖ କରି ବସିପାର ।

୪.

ଜପ ସମାପ୍ତି :— ଜପର ନିଶ୍ଚିତ ସଂଖ୍ୟା ପୂର୍ଣ୍ଣ ହେଲେ ତାର ଦଶମାଂଶ ତର୍ପଣ, ଭୋଜନ ଇତ୍ୟାଦି କରିବା ଉଚିତ । ଏହାଦ୍ଵାରା ମନ୍ତ୍ରସିଦ୍ଧିରେ ସଫଳତା ମିଳେ ।

ନିଃସ୍ଵାର୍ଥ ଭାବରେ କେବଳ ଈଶ୍ଵର ପ୍ରୀତ୍ୟର୍ଥେ ଯଦି ଜପ ସାଧନା କରାଯାଇଥାଏ, ତେବେ ପୁରଶ୍ଚରଣ ପୂର୍ଣ୍ଣ ହେଲେ ସାଧକର ମୁଖମଣ୍ଡଳରେ ତେଜ, କାନ୍ତି ତଥା ପ୍ରସନ୍ନତା ଦେଖାଯାଏ । ସାଂସାରିକ ବସ୍ତୁ ପ୍ରତି ତା ମନରେ ବିତୃଷ୍ଣା ଜାତ ହୁଏ । ସମସ୍ତ ପ୍ରକାର ଦୈବୀଗୁଣ ତା’ଠାରେ ପ୍ରକାଶ ପାଏ । ସମସ୍ତ ବସ୍ତୁରେ ସେ ନିଜର ଇଷ୍ଟ ଦର୍ଶନ କରିବାକୁ ଲାଗେ । ସକାମ-ସାଧନାଦ୍ଵାରା ସାଧକକୁ ଆତ୍ମଜ୍ଞାନର ଅନୁଭବ ହୁଏନାହିଁ ବା ଆନ୍ତରିକ ଶକ୍ତି ମଧ୍ୟ ବିଶେଷଭାବେ ମିଳେ ନାହିଁ । କେବଳ ଈଶ୍ଵରଙ୍କର ସାକ୍ଷାତକାର କାମନା ରଖି ଜପ କରିବା ଉଚିତ । ଈଶ୍ଵର ଦର୍ଶନଠାରୁ ବଳି ସଂସାରରେ ଅଧିକ ଆନନ୍ଦଦାୟକ ବସ୍ତୁ କିଛି ନାହିଁ । ଏଣୁ ଜପ ପୁରଶ୍ଚରଣ ବେଳେ ସମସ୍ତ ପ୍ରକାର କାମନା ତ୍ୟାଗ କର । କେବଳ ତାଙ୍କର କୃପାଲାଭ ଆଶାରେ ସାଧନା କର-। ପୁରଶ୍ଚରଣ ମଧ୍ୟ ତାଙ୍କରି ଚରଣରେ ଅର୍ପଣ କର ।

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।

 

ପରିଶିଷ୍ଟ

 

ଭଗବାନଙ୍କର ନାମ ନେବାମାତ୍ରେ ତାଙ୍କର ରୂପ, ଗୁଣ, ମହିମା, ଦୟା, ପ୍ରେମ ସମସ୍ତ ସ୍ମୃତିପଟରେ ଅଙ୍କିତ ହୋଇଯାଏ । ସୂର୍ଯ୍ୟ ଉଦିତ ହେଲେ ଯେପରି ଅନ୍ଧକାର ଦୂର ହୋଇଯାଏ, ଠିକ୍ ସେହିପରି ଈଶ୍ଵରଙ୍କର ନାମ ନେବାମାତ୍ରେ ପାପ, ତାପ, ଦୁଃଖ, କ୍ଲେଶ ସମସ୍ତ ଦୂର ହୋଇଥାଏ । ଯେଉଁ ଦେଶରେ ପରମାତ୍ମାଙ୍କୁ ଯେଉଁ ନାମରେ ଡକାଯାଏ ତୁମେ ସେହି ନାମରେ ତାକୁ ଡାକ । ପାନୀ, ଜଲ୍, ଓ୍ୟାଟର, ତନ୍ନୀ, ତୀର୍ଥମ୍ ଇତ୍ୟାଦି ଯେପରି ପାଣିର ବିଭିନ୍ନ ନାମ, ସେହିପରି ଈଶ୍ଵରଙ୍କର ବିଭିନ୍ନ ନାମ ଥାଇପାରେ ।

 

ଅନେକ ସମୟରେ ଲୋକେ ଭଗବାନଙ୍କର ନାମର ଆଶ୍ରୟ ନେଇ ନାନାପ୍ରକାର ପାପ କରିବାକୁ ଲାଗନ୍ତି । ସେମାନଙ୍କ ମନରେ ଧାରଣା ଥାଏ କି ‘ଯେତେବେଳେ ଥରେମାତ୍ର ରାମନାମ ଉଚ୍ଚାରଣ ମାତ୍ରକେ ଜନ୍ମ ଜନ୍ମର ପାପ କଟିଯାଏ ସେତେବେଳେ ସାମାନ୍ୟ ଅନ୍ୟାୟ, ଅତ୍ୟାଚାର ବା ବ୍ୟଭିଚାର କରିନେଲେ କ୍ଷତି କଣ ? ପାପ କର୍ମ ପରେ କିଛି ଜପ କରିନେଲେ ସମସ୍ତ ପାପ ଭସ୍ମ ହୋଇଯିବ’ ଇତ୍ୟାଦି । କିନ୍ତୁ ଏପରି ମନୁଷ୍ୟ ମୂର୍ଖ ଅଟନ୍ତି । ପରମାତ୍ମାଙ୍କର ନାମକୁ ନିର୍ଭର କରି ଯେଉଁମାନେ ପାପକୁ ଆଶ୍ରୟ ଦିଅନ୍ତି ସେମାନେ ଦ୍ଵିଗୁଣ ଅପରାଧ କରିଥାନ୍ତି । ପାପ କରିବାପାଇଁ ସେମାନେ ଭଗବାନଙ୍କର ନାମକୁ ସାଧନ ମନେ କରିଥାନ୍ତି । ନାମର ପ୍ରତିବଦଳରେ ପାପ କ୍ରୟ କରିଥାନ୍ତି । ଏପରି ବ୍ୟକ୍ତିଙ୍କର ଦୁର୍ଗତି ଅନିବାର୍ଯ୍ୟ ।

 

ଅନେକେ ଭଗବାନଙ୍କର ନାମ ନେବାବେଳେ ଧନ, ସମ୍ପତ୍ତି, ପୁତ୍ର-ପରିବାର ଯଶଖ୍ୟାତି ଇତ୍ୟାଦି ପାଇଁ ଈଶ୍ଵରଙ୍କଠାରେ ପ୍ରାର୍ଥନା କରିଥାନ୍ତି । ଏହା ଅତ୍ୟନ୍ତ ମୂର୍ଖତା ଅଟେ । ଜଗନ୍ନାଥଙ୍କ ଦରବାରରେ ଯଦି ତୁମେ ଲୁଣ, ଲଙ୍କା, ହଳଦି, ତେଲ ପାଇଁ ହାତ ପତାଅ ତେବେ ତୁମଠାରୁ ଦରିଦ୍ର ଆଉ କିଏ ଅଛି ? ଭୁବନେଶ୍ଵର ପ୍ରସନ୍ନ ହେଲେ ତୁମକୁ କ୍ଷଣକେ ତ୍ରିଭୁବନର ଈଶ୍ଵର କରିଦେଇ ପାରନ୍ତି । ଏଣୁ କେବଳ ତାଙ୍କର ପ୍ରେମ ପାଇଁ, ଭକ୍ତି ପାଇଁ ପ୍ରାର୍ଥନା କର । ନିର୍ମଳ ଶୁଦ୍ଧ ଭକ୍ତିଠାରେ ତ୍ରିଜଗତର ସମ୍ପଦ ତୁଚ୍ଛ ।

 

ଯେଉଁମାନେ ପାପ ନାଶ କରିବା ଉଦ୍ଦେଶ୍ୟରେ ଭଗବାନଙ୍କର ନାମ ଜପ କରନ୍ତି ସେମାନେ ଭୁଲ କରନ୍ତି । ‘ହେ ସୂର୍ଯ୍ୟ ! ତୁମେ ଅନ୍ଧକାର ଦୂର କରିଦିଅ ।’ ‘ଏ କଥା କଣ କେହି କହେ ? ସୂର୍ଯ୍ୟ ଉଦିତ ହେବାମାତ୍ରେ ହିଁ ଅନ୍ଧକାର ପାଇଁ ସ୍ଥାନ ନ ଥାଏ । ପୁଣି କଣ ବା ଯାଏ ଆସେ କୋଟି କୋଟି ଜନ୍ମର ପାପ ଯଦି ନାଶ ନ ହୁଏ ? ଯଦି ରାମନାମ ରୂପୀ ଅମୃତମୟ ଶବ୍ଦ ହୃଦୟରେ ଠିକ ରୂପେ ଜମିଯାଏ ତେବେ ମହାପାତକର ପରିଣାମ ସ୍ୱରୂପ ନରକରେ ପଡ଼ିଲେ ମଧ୍ୟ ମନୁଷ୍ୟ ସ୍ଵର୍ଗୀୟ ଆନନ୍ଦ ଅନୁଭବ କରିବାକୁ ଲାଗେ । କେବଳ ହରିନାମକୁ ହୃଦୟର ପ୍ରତ୍ୟେକ ସ୍ପନ୍ଦନ ସହିତ ଜପି ପାରିଲେ ସମସ୍ତ ଦୁଃଖର ଅବସାନ ହୋଇଥାଏ । କେବଳ ରାମପ୍ରେମ ଲାଭପାଇଁ ରାମନାମ ନେବା ଉଚିତ । ଭଗବାନ ଦର୍ଶନ ଦିଅନ୍ତୁ ବା ନ ଦିଅନ୍ତୁ ସେଥିପାଇଁ ଦୁଃଖ କରିବାର କୌଣସି କାରଣ ନାହିଁ, କିନ୍ତୁ ଯେପରି ନାମର ବିସ୍ମୃତି ନ ହେଉ । ପ୍ରେମୀର ସ୍ମୃତି ହିଁ ପ୍ରେମିକାର ପ୍ରାଣରେ ପ୍ରସନ୍ନତା ପ୍ରଦାନ କରେ ।

 

ପାପାନଳସ୍ୟ ଦୀପ୍ତସ୍ୟ ମା କୁର୍ବନ୍ତୁ ଭୟଂ ନରାଃ ।

ଗୋବିନ୍ଦ ନାମ ମେଘୌଘୈର୍ନଶ୍ୟତେ ନୀରବିନ୍ଦୁଭିଃ ।

 

ହେ ମନୁଷ୍ୟ ! ପ୍ରଦୀପ୍ତ ପାପଗ୍ନି ଦେଖି ଭୟ କରନା ! ଗୋବିନ୍ଦ ନାମ ରୂପ ମେଘର ଜଳବିନ୍ଦୁ ହାରୀ ତାହାର ନାଶ ହୋଇଯିବ ।

 

ଯଜ୍ଞ କରିବାକୁ ଚାହଁ ? ସାମର୍ଥ୍ୟ କାହିଁ ।

 

ତପ କରିବ ? ଶକ୍ତି କାହିଁ ? ସ୍ୱାସ୍ଥ୍ୟ କାହିଁ ?

 

ଦାନ କରିବ ? ଧନ କାହିଁ ?

 

ଏ ସମସ୍ତ ତୁମେ କିଛି କରି ପାରିବ ନାହିଁ । ତେବେ କଣ ତୁମ ପାଇଁ ମୁକ୍ତିର ଉପାୟ ନାହିଁ ? ଶାନ୍ତିର ମାର୍ଗ ନାହିଁ ? ହଁ, ଅଛି ଅତ୍ୟନ୍ତ ସୁଗମ, ସରଳ ଏବଂ ସରସ ଉପାୟ ଅଛି । ତାହା ହେଉଛି ନାମ ସ୍ମରଣ । ଅର୍ଥାତ୍ ଜପ ବା କୀର୍ତ୍ତନ । କଳିଯୁଗରେ ଏହାଠାରୁ ସହଜ ଏବଂ ସୁଗମ ସାଧନ ଅନ୍ୟ କିଛି ନାହିଁ । ସତ୍ୟଯୁଗରେ ଧ୍ୟାନଦ୍ଵାରା, ତ୍ରେତାରେ ଯଜ୍ଞଦ୍ଵାରା ଦ୍ଵାପରରେ ପରିଚର୍ଯ୍ୟାଦ୍ଵାରା ଯେଉଁ ପଦ ପ୍ରାପ୍ତ ହେଉଥିଲା କଳିଯୁଗରେ କେବଳ ହରିନାମ କୀର୍ତ୍ତନ ଦ୍ଵାରା ପ୍ରାପ୍ତ ହୋଇପାରେ ।

 

ଏଇଥି ପାଇଁତ ପ୍ରେମାବତାର ଶ୍ରୀଚୈତନ୍ୟ ମହାପ୍ରଭୁ ତଥା ଶ୍ରୀ ନିତ୍ୟାନନ୍ଦ ମହାପ୍ରଭୁ ଘରେ-ଘରେ ଗ୍ରାମେ-ଗ୍ରାମେ ଉନ୍ମତ୍ତ ହୋଇ ନାଚି ନାଚି ଗାଉଥିଲେ ହରିବୋଲ ହରିବୋଲ । ହରିନାମରେ ବଙ୍ଗ, ଉତ୍କଳର ଦିଗ୍‍ବିଦିଗ ଗୁଞ୍ଜିତ ହେବାକୁ ଲାଗିଲା । ପାପୀ ତାପି ସମସ୍ତଙ୍କ ମୁଖରୁ ସେହି ଶବ୍ଦ ଉଛୁଳିଲା ହରିବୋଲ ହରିବୋଲ । ମହାପାପୀ ଜାଗାଇ ମାଧାଇ ନାମପ୍ରେମରେ ପାଗଳ ହୋଇ ନାଚି ନାଚି ଗାଇଲେ ହରିବୋଲ ହରିବୋଲ; ଧନ୍ୟ ହରିନାମ ! ଧନ୍ୟ ତାର ଶକ୍ତି !

 

ଭକ୍ତଶ୍ରେଷ୍ଠ କବୀର, ନାନକ, ତୁକାରାମ, ରାମଦାସ, ଜ୍ଞାନଦେବ, ସୋପାନ ଦେବ, ମୀରା, ତୁଳସୀ ଦାସ, ସୁର ଦାସ, ନନ୍ଦ ଦାସ, ଚରଣ ଦାସ, ରଇ ଦାସ, ସହଜୋ ବାଇ, ସଖୁ ବାଇ ଇତ୍ୟାଦି ଭକ୍ତମାନେ କେବଳ ଏକମାତ୍ର ହରିନାମକୁ ହିଁ ଜୀବର କଲ୍ୟାଣର ପ୍ରଧାନ ସାଧନ ବୋଲି ମନେ କରି ନିଜର ଦିବ୍ୟ ବାଣୀ ଦ୍ଵାରା ତାର ପ୍ରଚାର କଲେ । ଆଧୁନିକ ଯୁଗରେ ଭାରତବର୍ଷରେ ଯେତେ ମହାତ୍ମା ସନ୍ଥମାନଙ୍କର ନାମ ଶୁଣାଯାଏ ସମସ୍ତେ ମୁକ୍ତ କଣ୍ଠରେ ନାମ ମହିମାର ଗାନ କରିଛନ୍ତି, ତଥା କରୁଛନ୍ତି ।

 

ସମସ୍ତେ କାହିଁକି ନାମପ୍ରେମୀ ହୋଇ ପାରୁନାହାନ୍ତି ?

 

ନାମ-ପରାୟଣ ହେବା ବାସ୍ତବିକ ଏତେ ସହଜ କଥା ନୁହେଁ । ଜନ୍ମ ଜନ୍ମର ପୁଣ୍ୟ ବଳରେ ନାମ ପାଇଁ ରୁଚି ଜନ୍ମେ । ଶାସ୍ତ୍ର ପଢ଼ିବା, ଉପଦେଶ ଦେବା, ବଡ଼ ବଡ଼ ଶାସ୍ତ୍ରାର୍ଥ କରିବା ସହଜ; କିନ୍ତୁ ନିଶ୍ଚିନ୍ତ ମନରେ ବିଶ୍ଵାସପୂର୍ବକ ଭଗବାନଙ୍କର ନାମ ସ୍ମରଣ କରିବା ଅତ୍ୟନ୍ତ କଠିନ । କଷ୍ଟରେ ନ ପଡ଼ିଲେ କଣ କୃଷ୍ଣ ମନେ ପଡ଼ନ୍ତି ? ବି. ଏ. ଏମ୍. ଏ. ଡିଗ୍ରୀ ହାସଲ ହେଲେ, ସାନ୍ଧ୍ୟ ଭ୍ରମଣ ପାଇଁ ପ୍ଲେଜର କାର ଥିଲେ, ସଙ୍ଗରେ ଅପରୂପ ସୁନ୍ଦରୀ ସ୍ତ୍ରୀ ଥିଲେ, ଯୁକ୍ତି, ତର୍କଦ୍ଵାରା ଈଶ୍ଵରଙ୍କୁ ଖଣ୍ଡନ କରିବାର କିଛି ବିଦେଶୀ ବୁଦ୍ଧି ଥିଲେ, ମଦ୍ୟକ୍ରୟ କରିବା ପାଇଁ କିଛି ଧନ ଥିଲେ କଣ ମନୁଷ୍ୟ ରାମ ନାମ ନେଇପାରେ ? ଏପରି ବ୍ୟକ୍ତି ବରଂ ମାଳା ଗଡ଼ାଉଥିବା ବ୍ୟକ୍ତିଠାରୁ ଘୃଣାରେ ଦୂରରୁ ବାଟ କାଟି ଚାଲିଯାଏ । କିନ୍ତୁ ଯଦି ସେହି ମନୁଷ୍ୟ ବିପତ୍ତିର ସମ୍ମୁଖୀନ ହୁଏ, ଯଦି ବ୍ୟବସାୟରେ ସର୍ବସ୍ଵ ହରାଇବସେ, ଯେତେବେଳେ ତାର ସମସ୍ତ ବନ୍ଧୁବାନ୍ଧବ ଆତ୍ମୀୟ ସ୍ଵଜନ, ପ୍ରିୟତମା ପତ୍ନୀ, ତାହାର ଦୁର୍ଦ୍ଦଶା ଦେଖି ତାହାକୁ ତ୍ୟାଗ କରି ଚାଲିଯାଆନ୍ତି, ଯଦି ତାର ଶରୀରରେ କୁଷ୍ଠର ଧଳା ଦାଗମାନ ଦେଖାଦିଏ ବା ଅନ୍ୟ କୌଣସି ଅସାଧ୍ୟ ରୋଗ ପ୍ରକାଶ ପାଏ, ଯେତେବେଳେ ତାର ସ୍ନେହୀ ମିତ୍ର ତାହାକୁ ଘୃଣା କରନ୍ତି ସେତେବେଳେ ତାର ପ୍ରାଣ କାନ୍ଦିଉଠେ । କୌଣସି ଏକ ଶୀତଳ ସୁରମ୍ୟ ବସ୍ତୁକୁ ତାର ହୃଦୟ ଖୋଜେ, ଯାହାକୁ ପାଇ ସେ କିଛି ଶୀତଳତା, କିଛି ଶାନ୍ତି ପାଇପାରିବ । ଏପରି ଦୁଃସମୟରେ ବ୍ୟାକୁଳ ପ୍ରାଣ ତାର ଅଜାଣତରେ ଚିତ୍କାର କରି ଉଠେ ‘ହେ ରାମ ! ତୁ ହିଁ ରକ୍ଷକ ! ତୋ ବିନା ମୋ’ ପାଇଁ ସଂସାରରେ ଆଶ୍ରୟ ନାହିଁ । ଶାନ୍ତି ନାହିଁ-। ଏପରି ବିପଦସଂକୁଳ ସମୟରେ ଜିହ୍ଵା ସ୍ୱଚ୍ଛନ୍ଦରେ ରାମ ନାମ ସ୍ମରଣ କରିବାକୁ ଲାଗେ-। ଏଇଥିପାଇଁ ତ କୁନ୍ତୀ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ କି ‘ହେ କୃଷ୍ଣ ! ବିପତ୍ତିରେ ହିଁ ତୋର ସ୍ମରଣ ହୋଇଥାଏ । ଏଣୁ ମୋତେ ସର୍ବଦା ବିପତ୍ତିରେ ହିଁ ପକାଇ ରଖ ।

 

ଅନେକ ଜ୍ଞାନାଭିମାନୀ ବ୍ୟକ୍ତି ଜ୍ଞାନର ଅଭିମାନରେ ହରିନାମକୁ ଗୌଣ ବା ମନ୍ଦ ସାଧନ ମନେକରି ତାହା ତ୍ୟାଗ କରନ୍ତି । ଜନତା ବିଶେଷତଃ ସଂସାରରେ ବଡ଼ ବଡ଼ ବକ୍ତାମାନଙ୍କର ବଚନରେ ପ୍ରଭାବିତ ହୋଇଥାଏ । ଏଣୁ ସମସ୍ତେ ହରିନାମ-ପ୍ରେମୀ ହୋଇ ପାରନ୍ତି ନାହିଁ ।

 

ନାମ ମହିମା କେବଳ ରୋଚକ ବାକ୍ୟ ନୁହେଁ ବା ଲେଖକର ଶବ୍ଦ ଚାତୁରୀ ନୁହେଁ । ଏହା ଏକ ଯଥାର୍ଥ ବିଜ୍ଞାନ ଅଟେ । ବଡ଼ ବଡ଼ ଋଷି ମୁନିମାନେ ନାମ ମହିମା ପ୍ରତ୍ୟକ୍ଷ ଅନୁଭବ କରି ତାର ଗୁଣ ଗାଇ ଆସୁଛନ୍ତି । ବର୍ତ୍ତମାନ ମଧ୍ୟ ଏପରି ଲୋକ ମିଳିବେ ଯେଉଁମାନେ କି ନାମର ପ୍ରବଳ ଶକ୍ତି ଅନେକ ଥର ଅନେକ ପ୍ରକାରରେ ଅନୁଭବ କରି ପାରିଛନ୍ତି ।

 

ଯେଉଁମାନଙ୍କୁ ରାମନାମ ରୂପୀ ଅମୃତର ରସାସ୍ଵାଦର ଅବସର ପ୍ରାପ୍ତ ହୋଇଅଛି ସେମାନେ ଭୁଲିକରି ମଧ୍ୟ ଅନ୍ୟ ଦିଗକୁ ଦେଖନ୍ତି ନାହିଁ । ସଂସାରର ମୋହନ ଆକର୍ଷଣ ସେମାନଙ୍କୁ ତୁଚ୍ଛ ଜଣାଯାଏ । ସମସ୍ତ ଜଗତ ଏପରିକି ନିଜ ଶରୀର ପ୍ରତି ମଧ୍ୟ ସେମାନଙ୍କର ମୋହ ମମତା ଦୂର ହୋଇଯାଏ । ମଦ୍ୟପୀ ମାତାଲ ପରି ନାନାପ୍ରେମରେ ତନ୍ମୟ ହୋଇ କେବେ ହସନ୍ତି, କେବେ କାନ୍ଦନ୍ତି, କେବେ ଗା’ନ୍ତି, କେବେ ନାଚନ୍ତି, କେବେ କୃଷ୍ଣଙ୍କ ପରି ବଂଶୀ ଧରି କ୍ରୀଡ଼ା କରନ୍ତି । ଏହା ଅତ୍ୟନ୍ତ ଉଚ୍ଚ ଅବସ୍ଥା ।

 

ନାମ ଜପ ସାଧକ ନାମାପରାଧରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ବିଶେଷ ଉନ୍ନତି ହୋଇ ନଥାଏ । ନାମାପରାଧ ଦଶଗୋଟି । ଯଥା:—୧-ସତ୍‍ପୁରୁଷମାନଙ୍କର ନିନ୍ଦା, ୨-ନାମରେ ଭେଦଭାବ, ୩-ଗୁରୁଙ୍କର ଅପମାନ, ୪-ଶାସ୍ତ୍ରନିନ୍ଦା, ୫-ହରିନାମର ଅର୍ଥବାଦ, ୬-ନାମର ଆଶ୍ରୟ ନେଇ ପାପ କରିବା, ୭-ଧର୍ମ, ବ୍ରତ ଦାନ ଏବଂ ଯଜ୍ଞାଦି ସହିତ ନାମର ତୁଳନା, ୮-ଅଶ୍ରଦ୍ଧାଳୁ ହରିବିମୁଖ ଏବଂ ଅନିଚ୍ଛୁକ ବ୍ୟକ୍ତିକୁ ନାମର ଉପଦେଶ ଦେବା । ୯-ନାମର ମାହାତ୍ମ୍ୟ ଶୁଣି ମଧ୍ୟ ତତ୍ ପ୍ରତି ଶ୍ରଦ୍ଧା ନ ହେବା । ୧୦-ଭୋଗାଦି ବିଷୟରେ ଆସକ୍ତ ରହିବା ।

 

ଯଦି କୌଣସି ପ୍ରକାର ଭୁଲରେ ଉପରୋକ୍ତ ନାମାପରାଧ ହୋଇଯାଏ ତାର ପ୍ରାୟଶ୍ଚିତ ସ୍ୱରୂପ ଶ୍ରଦ୍ଧାପୂର୍ବକ ନାମ ଜପ କରିବା ଉଚିତ । ପଶ୍ଚାତ୍ତାପ କରି ନାମ ସଂକୀର୍ତ୍ତନ କଲେ ନାମାପରାଧରୁ ମୁକ୍ତି ମିଳେ ।

 

ସାଧାରଣତଃ ଲୋକେ କହନ୍ତି କି ଜପ କରିବା ପାଇଁ ଏକାନ୍ତ ସ୍ଥାନ ଦରକାର, ଯଥେଷ୍ଟ ସମୟ ଦରକାର, ଗୃହରେ ଥାଇ ଜପ ସାଧନା ପାଇଁ ସମୟ ଦେବା ଅସମ୍ଭବ ଇତ୍ୟାଦି କିନ୍ତୁ ଏ କଥା ଠିକ୍ ନୁହେଁ । ପ୍ରଥମେ କିଛି ଦିନ ସର୍ବଦା ସତର୍କ ରହି ଦିବାନିଶି ନାମ ଜପ କରି ନାମରେ ରୁଚି ଜନ୍ମାଇ ପାରିଲେ ପରେ ତାହା ଆପେ ଆପେ ଘଡ଼ି ପରି ଚାଲିବାକୁ ଲାଗିବ । ସେତେବେଳେ ନାମ ବନ୍ଦ ହେଲେ କଷ୍ଟ ଜଣାଯିବ । ଯେପରି ଅତ୍ୟନ୍ତ କ୍ଷୁଧାବସ୍ଥାରେ ପ୍ରତ୍ୟେକ କ୍ଷଣ ଅତି କଷ୍ଟକର ଜଣାଯାଏ ସେହିପରି ପ୍ରଥମେ ଅଭ୍ୟାସ ହୋଇଗଲେ ନାମ ଜପ ବିନା ସାଧକକୁ ପ୍ରତ୍ୟେକ କ୍ଷଣ ଅତ୍ୟନ୍ତ କଷ୍ଟକର ଜଣାଯିବ ।

 

ସାଧାରଣତଃ ଦେଖାଯାଏ କି ଯଦି ନିଷ୍ଠା ଏବଂ ଏକାଗ୍ରତା ପୂର୍ବକ, ପ୍ରାତଃକାଳରେ ଏକ ଘଣ୍ଟା ନିର୍ଦ୍ଵନ୍ଦ୍ୱ ଭାବରେ ଜପ କରାଯାଏ ତେବେ ତାହା ଦମ ଦିଆଯାଇଥିବା ଘଡ଼ି ପରି ସାରା ଦିନ ଆପଣା ଛାଏଁ ଚାଲିବାକୁ ଲାଗେ । କିନ୍ତୁ ସେହି ଏକ ଘଣ୍ଟାରେ ଯଦି ମନ ସ୍ଥିର ନଥାଏ ବା ବିଘ୍ନ ଉପସ୍ଥିତ ହୋଇଥାଏ ଜପ ମଧ୍ୟ ଉତ୍ତମରୂପେ ଚାଲିପାରେ ନାହିଁ ।

 

ତୁମେ ନାନାପ୍ରକାର ଜପ କରିପାର । ଜପ କରୁଁ କରୁଁ ତୁମକୁ ସ୍ଵତଃ ନାମରେ ରୁଚି ବଢ଼ାଇବା ପାଇଁ ନାନା ପ୍ରକାର ଉପାୟ ଦେଖାଯିବ । ତେବେ ନିମ୍ନରେ କେତେକ ଉପାୟ ଦିଆଗଲା ।

 

୧.

ଶ୍ଵାସଦ୍ଵାରା ଜପ କରିବା ।

 

 

୨.

ନାଡ଼ୀର ସ୍ପନ୍ଦନ ସହିତ ଜପ କରିବା ।

 

 

୩.

ମନରେ ନାମାକ୍ଷରକୁ କଳ୍ପନା କରି ବାର ବାର ପଢ଼ିବା ।

 

 

୪.

ଭଗବାନଙ୍କର ମୂର୍ତ୍ତି କଳ୍ପନା କରି ତାଙ୍କୁ ନାମାକ୍ଷରର ଅଳଂକାର ଦ୍ଵାରା ସଜ୍ଜିତ କରି ନାମର ଆବୃତ୍ତି କରିବା ।

୫.

ଟେବୁଲ ଘଡ଼ିର ଟିକ୍ ଟିକ୍ ଶବ୍ଦ ସହିତ ରାମ, ରାମ, ବା ଓଁ, ଓଁ ଉଚ୍ଚାରଣ କରିବା ।

 

ଉପରୋକ୍ତ ଉପାୟମାନଙ୍କ ମଧ୍ୟରୁ ଯେଉଁଟି ତୁମକୁ ସୁବିଧା ଜଣାଯିବ ତାର ଆଶ୍ରୟ ନିଅ । ଅଥବା ଏକ ପ୍ରକାର ଜପ କରୁଁ କରୁଁ କ୍ଳାନ୍ତ ହୋଇ ପଡ଼ିଲେ ଅନ୍ୟ ଉପାୟ ଅବଲମ୍ବନ କର । ଏହିପରି ପରିବର୍ତ୍ତନ ଦ୍ଵାରା ଅଧିକ ସମୟ ଜପ କରାଯାଇପାରେ ।

 

ସ୍ମରଣ

 

ସ୍ମରଣ ଜପ ସହିତ ରହେ ତଥା ଅଲଗା ମଧ୍ୟ । ପ୍ରଥମେ ସ୍ମୃତି ନ ହେଲେ ଜପ ବା କୀର୍ତ୍ତନ କିଛି ହୋଇ ପାରେନା ପରନ୍ତୁ ମଝିରେ ସ୍ମରଣ ବନ୍ଦ ହୋଇଗଲେ ମଧ୍ୟ ଜପ କୀର୍ତ୍ତନ ହେଉଥାଏ । ଜିଭର ଅଭ୍ୟାସ ହୋଇଗଲେ ବିନା ସ୍ମରଣରେ ମଧ୍ୟ ଜପ ହେଉଥାଏ । ସ୍ମରଣ ବିନା ମଧ୍ୟ ଠିକ୍ ମନ୍ତ୍ର ଅନୁସାରେ ମାଳାର ମଣିମାନଙ୍କ ଉପରେ ଆଙ୍ଗୁଳି ଦଉଡ଼ୁଥାଏ । ସ୍ମୃତି ମନର ବୃତ୍ତି ଅଟେ ।

 

ବାଣୀ ଅଭ୍ୟାସବଶ କୌଣସି ଏକ କାର୍ଯ୍ୟ କଲାବେଳେ ମନ ସେ ସମୟରେ କୌଣସି ଅନ୍ୟ ସ୍ମୃତିରେ ନିମଜ୍ଜିତ ରହିପାରେ । ଏଣୁ ମନ ସହିତ ବାଣୀର ଜପକୁ ଭଗବାନ ଶ୍ରେଷ୍ଠ କହିଛନ୍ତି-। ଯେଉଁ ଜପରେ ନାମୀର ମୂର୍ତ୍ତି, ତାର ଗୁଣ, ତାର ଭାବ ବା ନାମର ସ୍ମୃତି ଥାଏ, ସେହି ଜପକୁ ସ୍ମରଣଯୁକ୍ତ ବା ଧ୍ୟାନ ସହିତ ଜପ କୁହାଯାଏ । ସ୍ମରଣରହିତ ଅପେକ୍ଷା ସ୍ମରଣଯୁକ୍ତ ଜପର ମାହାତ୍ମ୍ୟ ବହୁଗୁଣ ଅଧିକ ଅଟେ । ସ୍ମରଣଦ୍ଵାରାହିଁ ମନରେ ପ୍ରେମର ଉତ୍ପତ୍ତି ହୁଏ । ସ୍ତ୍ରୀ ନିଜର ପିତୃ ଗୃହରେ ଥାଏ । ତାର ପତି ତାଠାରୁ ଶତାଧିକ କ୍ରୋଶ ଦୂରରେ ଥାଏ । କିନ୍ତୁ ପତିର ନାମ ସ୍ମରଣ ମାତ୍ରେ ପତିର ରୂପ ତା ଆଗରେ ଦେଖାଦିଏ । ତାର ମନ ପ୍ରେମରେ ଭରିଯାଏ ।

 

ଠିକ୍ ସେହିପରି ନାମ ସ୍ମରଣ କରୁ କରୁ ଯେତେବେଳେ ସ୍ମରଣରେ ମନ ଲାଗିଯାଏ ସେତେବେଳେ ତାହା ଛାଡ଼ି ହୁଏ ନାହିଁ । ସ୍ମରଣ ଦ୍ଵାରା କଣ ନ ହୁଏ ? ଯଦି ଅନ୍ତକାଳରେ ପରମାତ୍ମାଙ୍କର ନାମର ସ୍ମରଣ ହୋଇଯାଏ ତେବେ ମନୁଷ୍ୟ ଆବାଗମନର ଚକ୍ରରୁ ରକ୍ଷା ପାଏ । ଭଗବାନ କହିଛନ୍ତି—

 

ଅନ୍ତକାଳେ ତ ମାମେବ ସ୍ମରନ୍ମୁକ୍ତା କଳେବରମ୍

ଯଃ ପ୍ରୟାତି ସ ମଦ୍ଭାବଂ ଯାତି ନାସ୍ତ୍ୟତ୍ର ସଂଶୟଃ ॥ —ଗୀତା

 

ଯେଉଁ ମନୁଷ୍ୟ ମୃତ୍ୟୁକାଳରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରେ ସେ ମୋତେ ପ୍ରାପ୍ତି କରେ ଏଥିରେ ସନ୍ଦେହ ନାହିଁ ।

 

ଅନ୍ତଃକାଳରେ ଭଗବାନଙ୍କର ସ୍ମୃତି ସମ୍ଭବପର ହୁଏ କେବଳ ଯଦି ଜୀବନର ପ୍ରଥମ ଅବସ୍ଥାରେ ସଦାସର୍ବଦା ତାଙ୍କର ନାମ ତଥା ତାଙ୍କର ଦିବ୍ୟରୂପ ସ୍ମରଣ କରାଯାଏ ।

 

କୀର୍ତ୍ତନ

 

କୀର୍ତ୍ତନ ଉଚ୍ଚସ୍ଵରରେ କରାଯାଏ । ଏଥିରେ ଜପ ପରି ମାଳା ଗଡ଼ାଇ ସଂଖ୍ୟା ରଖିବାକୁ ପଡ଼େନାହିଁ । ଜପ ଯେତେ ଗୁପ୍ତ ହୁଏ ତାର ମହତ୍ତ୍ଵ ସେତେ ଅଧିକ; କିନ୍ତୁ କୀର୍ତ୍ତନ ଯେତେ ଗଗନଭେଦୀ ସ୍ଵରରେ ହେବ ତାର ମହତ୍ତ୍ଵ ସେତେ ଅଧିକ ବୃଦ୍ଧି ପାଏ । କୀର୍ତ୍ତନ ସହିତ ସଂଗୀତର ସମ୍ବନ୍ଧ ଥାଏ । ଯେ କୌଣସି ବ୍ୟକ୍ତି ଜପ କରିପାରେ କିନ୍ତୁ କୀର୍ତ୍ତନ ପାଇଁ ସାଧକର ଭଲ ଗଳା, ସ୍ଵର ତଥା ଲୟ ଜ୍ଞାନ ଥିବା ଦରକାର । ତେବେ ଯାଇ ତାହା ଶ୍ରୁତିମଧୁର ତଥା ହୃଦୟସ୍ପର୍ଶୀ ହେବ । କୀର୍ତ୍ତନର ପ୍ରକାର ମଧ୍ୟ ଅନେକ—

 

୧.

ଏକା ଏକା ଭଗବାନଙ୍କର ନାମକୁ ଆର୍ତ୍ତ ଭାବରେ ଡାକିବା ।

 

 

୨.

ଭଗବାନଙ୍କର ଚରିତ୍ର ତଥା ଭାଗବତ, ରାମାୟଣ ପାଠ କରିବା ତଥା ମଧ୍ୟ ମଧ୍ୟରେ ନାମ ସଂକୀର୍ତ୍ତନ କରିବା ।

୩.

କେତେକ ବ୍ୟକ୍ତି ଏକତ୍ର ମିଳି ନାମ ଗାନ କରିବା ।

 

 

୪.

ଏକ ନାମକୁ ଏକ ସଂଗରେ ଅନେକ ବ୍ୟକ୍ତି ଗମ୍ଭୀର ସ୍ଵରରେ ଉଚ୍ଚାରଣ କରିବା । ଯଥା ରାମ, ରାମ; ନାରାୟଣ, ନାରାୟଣ; ଗୋବିନ୍ଦ, ଗୋବିନ୍ଦ; ଇତ୍ୟାଦି ।

ଏହା ଛଡ଼ା ଅନ୍ୟାନ୍ୟ ଅନେକ ଭେଦ ଅଛି । ଉତ୍କଳ ଓ ବଙ୍ଗରେ ମହାମନ୍ତ୍ର କୀର୍ତ୍ତନ, ଗାନ୍ଧୀଜୀଙ୍କର ପ୍ରିୟ ‘ରଘୁପତି ରାଘବ ରାଜରାମ୍’ ଖୁବ୍ ସରଳ ତଥା ସର୍ବଜନପ୍ରିୟ କୀର୍ତ୍ତନ ଯାହାକି ଆଜିକାଲି ଭାରତର ପ୍ରତ୍ୟେକ ଗୃହରେ, ଗ୍ରାମରେ, ସହରରେ କରାଯାଉଅଛି ।

ବ୍ୟାକୁଳତାପୂର୍ଣ୍ଣ ନାମ ସଂକୀର୍ତ୍ତନର ଫଳ ତତ୍କାଳ ମିଳିଥାଏ । ଯେତେବେଳେ ମନୁଷ୍ୟ ସମସ୍ତ ଆଶା ଛାଡ଼ି କେବଳ କରୁଣାସିନ୍ଧୁ ଭଗବାନଙ୍କୁ ଆର୍ତ୍ତସ୍ଵରରେ ବାରମ୍ବାର ଡାକେ, ଭଗବାନଙ୍କୁ ବୈକୁଣ୍ଠ ଛାଡ଼ି ଭକ୍ତର ରକ୍ଷାର୍ଥେ ଦୌଡ଼ିବାକୁ ପଡ଼େ । ଦ୍ରୌପଦୀ, ଧ୍ରୁବ, ପ୍ରହ୍ଲାଦ, ଗଜରାଜ ଇତ୍ୟାଦିଙ୍କର ଉଦାହରଣରୁ ତାହା ସ୍ପଷ୍ଟ ।

ଭଗବାନ କରିଛନ୍ତି କି ମୁଁ ବୈକୁଣ୍ଠରେ ବା ଯୋଗୀମାନଙ୍କର ହୃଦୟରେ ରହେ ନାହିଁ । ମୋର ଭକ୍ତମାନେ ଯେଉଁଠାରେ ମୋର ଗୁଣ ଗାନ କରନ୍ତି ମୁଁ ସେହିଠାକୁ ଯାଏ ।

ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେ ନ ଚ

ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ ।

 

କୀର୍ତ୍ତନ ଦ୍ଵାରା ପ୍ରେମର ସାଗର ଉଛୁଳି ପଡ଼େ ତଥା ଜଗତକୁ ପାବନ କରିଦିଏ । ହରିନାମର ପାବନ ଧ୍ୱନି ପାପୀ, ପତିତ, ପଶୁ, ପକ୍ଷୀ ସମସ୍ତଙ୍କୁ ପବିତ୍ର ଏବଂ ପାପ ମୁକ୍ତ କରେ । (ଶ୍ରୀ ହନୁମାନ ପ୍ରସାଦ ପୋଦ୍ଵାରଙ୍କ ଦ୍ଵାରା ଲିଖିତ ଶ୍ରୀ ଭଗବନ୍ନାମର ଆଧାରରେ ଲିଖିତ ।)

 

ଧ୍ୟାନ ଜପ ଏବଂ ପୂଜା ପାଠ ଇତ୍ୟାଦିରେ ଯେତେ ଅଧିକା ସମୟ ଦିଆଯାଇପାରେ ସେତେ ଭଲ । ଯେଉଁମାନେ କେବଳ ସାଧନ ଭଜନ କରିବା ପାଇଁ ଜୀବନ ଉତ୍ସର୍ଗ କରିଦେଇଛନ୍ତି ସେମାନଙ୍କ ପାଇଁ ଅନ୍ତତଃ ୧୫-୧୬ ଘଣ୍ଟା ଧ୍ୟାନ ଜପ କରିବା ଉଚିତ । ଅଭ୍ୟାସ କରୁ କରୁ ସମୟ ପୁଣି ଅଧିକ ବୃଦ୍ଧି ପାଇବ । ମନ ଯେତେ ଭିତରକୁ ଗତି କରିବ ସେତେ ବେଶୀ ଆନନ୍ଦ ମିଳିବ । ଭଜନରେ ଥରେ ଆନନ୍ଦ ପାଇଲେ ପରେ ତାହା ଛାଡ଼ିବାକୁ ଇଚ୍ଛା ହୁଏ ନାହିଁ । ମନର ଏ ଅବସ୍ଥା ନ ଆସିବା ପର୍ଯ୍ୟନ୍ତ ଚବିଶ ଘଣ୍ଟା ମଧ୍ୟରେ ଅନ୍ତତଃ ୨/୩ ଭାଗ ସମୟ ଧ୍ୟାନ ଜପରେ ବ୍ୟୟ କରିବା ପାଇଁ ଚେଷ୍ଟା କରିବା ଉଚିତ । ଧ୍ୟାନ ଜପର ଉଦ୍ଦେଶ୍ୟ ମନକୁ ଶାନ୍ତ କରିବା । ଧ୍ୟାନ ଜପ କରି ଯଦି ମନ ଶାନ୍ତ ନ ହୁଏ, ଯଦି ଆନନ୍ଦ ନ ମିଳେ ତେବେ ଧ୍ୟାନ ଜପ ଠିକ୍ ଠିକ୍ ହେଉନାହିଁ, ଏହା ବୁଝିବାକୁ ହେବ ।

 

—ସ୍ଵାମୀ ବିବେକାନନ୍ଦ

 

ତାଙ୍କ ପାଇଁ କାନ୍ଦି ପାରିଲେ ଦର୍ଶନ ହୁଏ । ସମାଧି ହୁଏ । ଯୋଗରେ ସିଦ୍ଧିଲାଭ କଲେ ଯାଇ ସମାଧି । କାନ୍ଦିଲେ କୁମ୍ଭକ ଆପେ ଆପେ ହୋଇଥାଏ, ତା’ ପରେ ସମାଧି ।

 

—ଶ୍ରୀ ରାମକୃଷ୍ଣ

 

ଖୁବ ଉନ୍ନତ ନ ହେଲେ ନିରାକାର ଧ୍ୟାନ ହୁଏ ନାହିଁ । ପ୍ରଥମେ ସ୍ଥୂଳ, ତା’ ପରେ ସୂକ୍ଷ୍ମ, ପରେ କାରଣ, ତା’ ପରେ ମହାକାରଣରେ ଲୟ ।

 

—ସ୍ଵାମୀ ବ୍ରହ୍ମାନନ୍ଦ

 

କୁଳକୁଣ୍ଡଳିନୀ ଯେତେବେଳେ ଅଧୋମୁଖୀ ଥାଏ ସେତେବେଳେ ଜୀବର ମନ ଲିଙ୍ଗ, ଗୁହ୍ୟ ଓ ନାଭିର ବିଷୟ ଘେନି ଥାଏ ଏବଂ ଯେତେବେଳେ ଊର୍ଦ୍ଧ୍ଵମୁଖ ଥାଏ ସେତେବେଳେ ଭଗବତ୍ ବିଷୟ ଚିନ୍ତନ କରେ । ସତ୍ତ୍ଵଗୁଣ ବଢ଼ିଲେ ଈଶ୍ଵରଙ୍କର ରୂପ ଦେଖିବାକୁ ଇଚ୍ଛା ହୁଏ ।

 

—ସ୍ଵାମୀ ବ୍ରହ୍ମାନନ୍ଦ

 

ପୂଜା କହିଲେ ବାହ୍ୟ ଓ ମାନସ ଉଭୟକୁ ବୁଝାଏ । ବାହ୍ୟ ପୂଜା ପାଇଁ ଉପକରଣ ଦରକାର । ତାହା ତୁମ୍ଭମାନଙ୍କ ପକ୍ଷରେ ସଂଗ୍ରହ କରିବା କଠିନ । ମାନସ ପୂଜା ହିଁ ସୁବିଧାଜନକ । ମନେ ମନେ ପାଦ୍ୟ ଅର୍ଘ୍ୟ ଆଦି ଅର୍ପଣ କରି ପୂଜା କରାଯାଏ ଏବଂ ମାନସ ଧ୍ୟାନ ଜପ କରାଯାଏ-। ମାନସ ଜପରେ ଜିହ୍ଵା ପର୍ଯ୍ୟନ୍ତ ହେଲେ ନାହିଁ ।

 

—ସ୍ଵାମୀ ବ୍ରହ୍ମାନନ୍ଦ

 

ରୂପ, ଈଶ୍ଵରୀୟ ରୂପ ଅବିଶ୍ଵାସ କରନାହିଁ । ରୂପ ଅଛି ଏ କଥା ବିଶ୍ଵାସ କର । ତା’ପରେ ଯେଉଁ ରୂପ ତୁମକୁ ଭଲଲାଗେ ସେହି ରୂପ ଧ୍ୟାନ କର । ଈଶ୍ଵରଙ୍କର ରୂପକୁ ମାନିବାକୁ ପଡ଼େ ।

 

—ଶ୍ରୀ ରାମକୃଷ୍ଣ

 

ଯେପରି ପିତାର ଫଟୋଗ୍ରାଫ ଦେଖିଲେ ସେ ମନେ ପଡ଼ନ୍ତି ସେହିପରି ପ୍ରତିମା ପୂଜା କରୁ କରୁ ସତ୍ୟର ରୂପ ଉଦ୍ଦୀପ୍ତ ହୁଏ । ସାକାର ରୂପ କ’ଣ ଜାଣ ? ଯେପରି ଜଳରାଶି ମଧ୍ୟରୁ ବୁଦ୍‍ବୁଦ୍ ଉଠେ ଠିକ୍ ସେହିପରି ।

 

–ଶ୍ରୀ ରାମକୃଷ୍ଣ

 

ପ୍ରଥମେ ପ୍ରଥମେ ଜପ ଧ୍ୟାନ ନୀରସ ଲାଗେ । କିନ୍ତୁ ଔଷଧ ସେବନ ପରି ଜୋର୍ କରି ମନକୁ ଈଶ୍ଵର ଚିନ୍ତନରେ ନିଯୁକ୍ତ କଲେ କ୍ରମେ ଆନନ୍ଦ ମିଳେ । ଛାତ୍ର ପରୀକ୍ଷାରେ ପାଶ କରିବା ପାଇଁ କେତେ ପରିଶ୍ରମ କରେ, କିନ୍ତୁ ଭଗବାନ ଲାଭ ତା’ ଅପେକ୍ଷା ଅନେକ ସହଜ । ପ୍ରଶାନ୍ତ ଅନ୍ତଃକରଣରେ ସରଳ ଭାବରେ ତାଙ୍କୁ ଡାକିବାକୁ ହୁଏ ।

—ସ୍ଵାମୀ ବିବେକାନନ୍ଦ

 

ବର୍ତ୍ତମାନ ଧ୍ୟାନ ଜପ କରିବାକୁ ଭଲ ଲାଗୁନାହିଁ । କିନ୍ତୁ ସେତେବେଳେ ଠିକ୍ ବିପରୀତ ଅବସ୍ଥା ଉପସ୍ଥିତ ହେବ । ଧ୍ୟାନ ଜପ ନ କଲେ ଭଲ ଲାଗିବ ନାହିଁ । ଯେତେବେଳେ ମନର ଅବସ୍ଥା ଏପରି ହେବ ସେତେବେଳେ ମନ ଲକ୍ଷ୍ୟ ଦିଗରେ ଧୀରେ ଧୀରେ ଅଗ୍ରସର ହେଉଛି ବୋଲି ଜାଣିବ ।

—ସ୍ଵାମୀ ବ୍ରହ୍ମାନନ୍ଦ

 

ମନ୍ତ୍ରର ମଧ୍ୟ ଦେଇ ଶକ୍ତି ଯାଏ । ଗୁରୁର ଶକ୍ତି ଶିଷ୍ୟଠାକୁ ଏବଂ ଶିଷ୍ୟର ଗୁରୁଠାରୁ ଯାଏ-। ଗୁରୁ ହେବା ଏତେ ସହଜ ନୁହେଁ । ଶିଷ୍ୟର ପାପ ନେବାକୁ ହୁଏ । ଶିଷ୍ୟ ପାପ କଲେ ତାହା ଗୁରୁକୁ ଲାଗେ, ଉତ୍ତମ ଶିଷ୍ୟ ହେଲେ ଗୁରୁର ମଧ୍ୟ ଉପକାର ହୁଏ ।

 

—ଶ୍ରୀ ମା

 

ମନ୍ତ୍ରାର୍ଥ କଣ ଜାଣ ? ଯେପରି ନାମ ଧରି ଡାକିବା । ତୁମର ନାମ ଧରି ଡାକିଲେ ତୁମର ରୂପ ମଧ୍ୟ ମୋ ମନରେ ପ୍ରକାଶ ପାଏ । ସେହିପରି ମନ୍ତ୍ର ସଙ୍ଗେ ସଙ୍ଗେ ତାହାର ରୂପ, ଅର୍ଥାତ୍ ଇଷ୍ଟ ମୂର୍ତ୍ତିର ଧ୍ୟାନ କରିବାକୁ ହେବ ।

 

—ସ୍ଵାମୀ ବ୍ରହ୍ମାନନ୍ଦ

 

ନାମରେ ରୁଚି ଏବଂ ବିଶ୍ଵାସ କରିପାରିଲେ ଅନ୍ୟ କୌଣସି ପ୍ରକାର ବିଚାର ବା ସାଧନା କରିବାକୁ ପଡ଼େ ନାହିଁ । ନାମର ପ୍ରଭାବରେ ସମସ୍ତ ସନ୍ଦେହ ଦୂର ହୋଇଯାଏ । ନାମଦ୍ଵାରାହିଁ ଚିତ୍ତ ଶୁଦ୍ଧି ହୁଏ ଏବଂ ନାମଦ୍ଵାରାହିଁ ସଚ୍ଚିଦାନନ୍ଦ ଲାଭ ହୁଏ । ଅବିଦ୍ୟା ନାଶ ହୁଏ । ବୀଜ ଏତେ କୋମଳ ତଥାପି ଶକ୍ତ ମାଟି ଭେଦ କରିପାରେ । ସେହିପରି ନାମଦ୍ଵାରା କଠିନରୁ କଠିନ ପାପ ମଧ୍ୟ ପୋଡ଼ି ଭସ୍ମ ହୋଇଯାଏ ।

 

—ଶ୍ରୀରାମକୃଷ୍ଣ

 

ତାଙ୍କର ନାମ କି କମ୍ ? ସେ ଏବଂ ତାଙ୍କର ନାମରେ ତଫାତ୍ ନାହିଁ । ଯେ ନାମେ ସେ ଈଶ୍ଵର ନାମ ନାମୀ ଅଭେଦ ଜାଣି ସର୍ବଦା ଅନୁରାଗର ସହିତ ନାମ ଜପ କର । ହାତତାଳି ଦେଇ ସକାଳେ ସନ୍ଧ୍ୟାରେ ହରିନାମ କର ।

 

—ଶ୍ରୀ ରାମକୃଷ୍ଣ

 

ସର୍ବଦା ତାଙ୍କର ନାମ ନେବାକୁ ହୁଏ । କଳିରେ ନାମର ମାହାତ୍ମ୍ୟ ପ୍ରଧାନ । ଅନ୍ନଗତ ପ୍ରାଣ, ତେଣୁ ଯୋଗ ହୋଇ ପାରେ ନାହିଁ । ତାଙ୍କର ନାମ ନେଇ ହାତତାଳି ବେଳେ ପାପ-ପକ୍ଷୀ ପଳାୟନ କରେ । କଳିକାଳରେ ଏକ ଦିନ ଏକ ରାତି ଈଶ୍ଵରଙ୍କ ପାଇଁ କ୍ରନ୍ଦନ କଲେ ଈଶ୍ଵର ଦର୍ଶନ ହୁଏ ।

—ଶ୍ରୀ ରାମକୃଷ୍ଣ

 

ଜପର ଅର୍ଥ ଭଗବାନଙ୍କର ନାମ ପୁନଃ ପୁନଃ ଉଚ୍ଚାରଣ । ଏହି ଜପ କରୁ କରୁ ସାଧକ କ୍ରମେ କ୍ରମେ ସେହି ଅନନ୍ତ ରୂପରେ ଉପନୀତ ହୁଏ ।

–ସ୍ଵାମୀ ବିବେକାନନ୍ଦ

 

ନାମ ଉଚ୍ଚାରଣ କଲେ ଯେଉଁ ଶବ୍ଦ ହୁଏ ସେହି ଶବ୍ଦ ଉପରେ ମନକୁ ଏକାଗ୍ର କରିବାର ଚେଷ୍ଟା କର । ଶାସ୍ତ୍ର କହେ ନାମହିଁ ବ୍ରହ୍ମ । ନାମ କରୁ କରୁ ଆନନ୍ଦ ଆସିବ । ଜପ କରୁ କରୁ ମନ ସ୍ଥିର ହୁଏ ।

—ସ୍ଵାମୀ ସାରଦାନନ୍ଦ

 

ଘରେ ଜପ କରିବା ସମୟରେ ଆସନ ଆଚମନ ପ୍ରୟୋଜନ । ରାସ୍ତାରେ ବା ଅନ୍ୟତ୍ର ନାମ ନେଲେ କୌଣସି ନିୟମ ନ ଥାଏ । ନାମ ସ୍ଥିର କରି ଥରେ ମାତ୍ର ନାମ ନେଲେ ତାହା ଲକ୍ଷ ଜପ ସମାନ ହୋଇଥାଏ ।

 

—ଶ୍ରୀ ମା

 

ସନ୍ଧ୍ୟା, ଗାୟତ୍ରୀ ଏ ସମସ୍ତ ବୈଦିକ ଉପାସନା । ଏ ସମସ୍ତେ କରିବା ଭଲ । କୌଣସି ପ୍ରକାର ଯଦି ଅସୁବିଧା ଥାଏ, ତେବେ ସନ୍ଧ୍ୟା ନ କରି ପାର କିନ୍ତୁ ଗାୟତ୍ରୀ ଜପ ଅବଶ୍ୟ କର । ଗାୟତ୍ରୀ ଅତି ଉଚ୍ଚାଙ୍ଗର ଉପାସନା ।

 

—ସ୍ଵାମୀ ଶିବାନନ୍ଦ

 

ଜୀବନର ସର୍ବାପେକ୍ଷା ଉତ୍ତମ ସମୟ ହେଉଛି ୧୬ ବର୍ଷରୁ ୩୦ ବର୍ଷ । ଏହି ସମୟ ବୃଥା ଜାଗତିକ କର୍ମରେ କଟାଇ ଦେଇ ବୃଦ୍ଧାବସ୍ଥାରେ ସାଧନ ଭଜନ କରିବ ବୋଲି ମନରେ ଭାବୁଛ । ନିଜକୁ ଫାଙ୍କି ଦେବା, ନିଜକୁ ଠକାଇବା—ଏହାକୁ ହିଁ କୁହାଯାଏ ।

 

—ସ୍ଵାମୀ ବ୍ରହ୍ମାନନ୍ଦ

 

ଧ୍ୟାନ ଜପ ନ କଲେ କିଛି ହୁଏ ନାହିଁ । ଏହା ମୁଁ ନିଜର ମନର କଥା କହୁଛି । ସଂସାରରେ କୋଳାହଳ ମଧ୍ୟରେ ଜୀବନର ଅସଲ ଉଦ୍ଦେଶ୍ୟଟା ହଜାଇ ଦିଅ ନାହିଁ । ଭଗବତ୍ ଲାଭ ହିଁ ଜୀବନର ଉଦ୍ଦେଶ୍ୟ । ପ୍ରାଣର କଥା କହୁଛି । ଧ୍ୟାନ, ଜପ ଓ ଭଗବାନଙ୍କଠାରେ ବିଶ୍ଵାସ ଦରକାର । ମନ ଜୁଆଚୋର । କାଳ ପ୍ରବଳ....... ।

 

—ସ୍ଵାମୀ ଶିବାନନ୍ଦ

 

ଧୈର୍ଯ୍ୟ ଧରି ସାଧନ କରିଯାଅ । ଯଥା ସମୟରେ ତାଙ୍କର କୃପା ହେବ । କୌଣସି ଉଚ୍ଚପଦସ୍ଥ ଧନୀ ବ୍ୟକ୍ତି ନିକଟକୁ ଯିବାକୁ ହେଲେ ଯେପରି ଦରବାନ, ସିପାହୀ ଇତ୍ୟାଦିଙ୍କୁ ଖୋସାମଦ କରିବାକୁ ପଡ଼େ ସେହିପରି ଈଶ୍ଵର ସାକ୍ଷାତକାର କରିବାକୁ ଇଚ୍ଛା କଲେ ସାଧନ ଭଜନ ଏବଂ ସତ୍‍ସଙ୍ଗ କରିବା ଦରକାର ।

 

–ସ୍ଵାମୀ ବ୍ରହ୍ମାନନ୍ଦ

 

ଈଶ୍ଵର-ଚିନ୍ତନ ଯେତେ ବୃଦ୍ଧି ପାଇବ ଭୋଗ୍ୟ ବସ୍ତୁ ପ୍ରତି ଆସକ୍ତି ସେତେ କମିବାକୁ ଲାଗିବ । ପର ସ୍ତ୍ରୀ ମା ପରି ଜଣାଯିବେ । ନିଜର ସ୍ତ୍ରୀ କେବଳ ସହଧର୍ମିଣୀ ବନ୍ଧୁ ବୋଲି ମନେହେବ-। ପଶୁ ଭାବ ଚାଲିଯିବ । ଦେବ ଭାବ ଆସିବ । ସଂସାରର ଆସକ୍ତି ଲୋପ ହୋଇଯିବ-

 

—ଶ୍ରୀ ରାମକୃଷ୍ଣ

 

ନିଜର ଇଚ୍ଛା ତ୍ୟାଗ କରି ପ୍ରଭୁଙ୍କର ଶରଣାପନ୍ନ ହୁଅ । ତାଙ୍କର କୃପା ପ୍ରାପ୍ତ କରିବା ପାଇଁ ଅତ୍ୟନ୍ତ ଦୀନ ହୁଅ, ନିଜର ଇଚ୍ଛାକୁ ଧିକ୍କାର କର, ତୁମର ଇଚ୍ଛା ତୁମକୁ ଯେଉଁ ଆଡ଼କୁ ଟାଣୁଛି ସେ ଦିଗକୁ ଯାଅ ନାହିଁ । ଦୁଃଖ ସହ୍ୟ କରିବାକୁ ଶିକ୍ଷା କର; ସଂସାରର ମୋହରୁ ନିଜକୁ ରକ୍ଷା କରିବା ଭଳି ଦୁଃଖ ମଧ୍ୟ ସହନ କର ।

 

—ଜେକବ୍ ବହୋମୀ

 

ହେ ଜୀବ ! ଯଦି ତୁ ଭଗବାନଙ୍କର ଇଚ୍ଛା ଅନୁସାରେ ଚାଲିବାକୁ ଚାହୁଁ ତେବେ ତାଙ୍କର ଶରଣ ବିନା ଅନ୍ୟ କୌଣସି ଉପାୟ ନାହିଁ । ଯେଉଁ ମନୁଷ୍ୟ ନିଜ ଇଚ୍ଛା ଅନୁସାରେ ନିଜକୁ ଚଳାଇବାକୁ ଚାହେଁ ସେ ସ୍ଵୟଂ ନିଜକୁ ଠକାଇ ଥାଏ ।

 

—ମୋଲିନ୍‍ସ

 

ଯେ ଦୟାଳୁ ତା’ ଉପରେ ପ୍ରଭୁଙ୍କର ଦୟା ହେବ । ଯାହାର ମନ ଶୁଦ୍ଧ ତାହାକୁ ପ୍ରଭୁଙ୍କର ଦର୍ଶନ ମିଳିବ; ଯାହାକୁ ଧର୍ମ ପାଇଁ କଷ୍ଟ ଦିଆଯାଏ ତାକୁ ସ୍ଵର୍ଗରେ ରାଜ୍ୟ ପ୍ରାପ୍ତ ହେବ ଏବଂ ଯେ ଧର୍ମପିପାସୁ ତାକୁ ହିଁ ତୃପ୍ତି ମିଳିବ ।

 

—ଯିଶୁଖ୍ରୀଷ୍ଟ

 

ଭଗବାନଙ୍କର ଭଜନ ଗୁପ୍ତରୂପେ କରିବା ଉଚିତ, ନଚେତ୍ କର୍ପୂର ପରି ଚିତ୍ତର ଏକାଗ୍ରତା ଉଡ଼ିଯିବ ।

 

—ଜୟଦୟାଲ ଗୋୟଙ୍କା

 

ଯାହାର ଚିତ୍ତରେ କେବେହେଁ କ୍ରୋଧ ଉତ୍ପନ୍ନ ହୁଏ ନାହିଁ, ଯାହାର ହୃଦୟରେ ପରମେଶ୍ଵର ବସନ୍ତି ସେହି ଭକ୍ତ ଈଶ୍ଵରତୁଲ୍ୟ ।

 

—ରଇ ଦାସ

 

ଯେଉଁ ହୃଦୟ କୋମଳ, ଦୀନ ତଥା ପ୍ରଭୁଙ୍କର ବିରହରେ ବ୍ୟାକୁଳ ସେଥିରେ ପ୍ରଭୁଙ୍କର ନିବାସ ।

 

—ଯିଶୁଖ୍ରୀଷ୍ଟ

 

ଈର୍ଷା ଯୋଗୁଁ ମନୁଷ୍ୟ ଅନ୍ଧ ହୋଇଯାଏ, ଅନ୍ୟର ପାପକୁ ନିଜ ଆଗରେ ରଖେ, କିନ୍ତୁ ନିଜର ଦୋଷ ନିଜର ପିଠିଆଡ଼େ ରଖେ । ଅନ୍ୟର ପାପକୁ କ୍ଷମା କର । ଯଦି ଏପରି ନକର ତେବେ ତୁମର ପାପ କ୍ଷମା ହେବ ନାହିଁ । ଅନ୍ୟର ପାପ ପ୍ରକଟ କର ନାହିଁ । ଈଶ୍ଵର ତୁମର ପାପ କ୍ଷମା କରିବେ ।

 

—ଟାଲଷ୍ଟୟ

 

ଯେଉଁ ମନୁଷ୍ୟ ଅନ୍ୟର ଦୋଷ ସମ୍ବନ୍ଧରେ ଚିନ୍ତା କରୁଥାଏ ସେ ଦୂରଦର୍ଶୀ ହୋଇ ପାରେନାହିଁ । ତାହାଦ୍ଵାରା ଭଗବାନଙ୍କର ଚିନ୍ତନ ହୋଇପାରେନାହିଁ । ତାହାଦ୍ୱାରା ଭଗବାନଙ୍କର ଚିନ୍ତନ ହୋଇପାରେ ନାହିଁ । ନିଜର ଦୋଷ ଦେଖିବାହିଁ ସାଧକର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ୍ ।

Image